ଦେବୀକଥା : ବୋଧନ ଓ ଅକାଳ ବୋଧନ

“ଅକାଲ ବୋଧନେ ଆମି
ତୋମାକେ ଚାଇ”
–କବୀର ସୁମନ

ଦେବୀକଥାରେ କହିବାକୁ ଗଲେ କାଳକ୍ରମରେ ଯୋଡିହୋଇଯାଇଛି ଅକାଳ ବୋଧନ।ଏବଂ ବିଶେଷରେ ଦେବୀପୂଜା କହିଲେ ଆମେ ଦେବୀଙ୍କର ସେହି ଅକାଳ ବୋଧନକୁ ହିଁ ବେଶି ବୁଝୁ ଆଉ ମହା ସମାରୋହରେ ତାହାକୁ ଅନୁଷ୍ଠାନ କରୁ। କିନ୍ତୁ ତାହା ପୂର୍ବରୁ ଦେବୀଙ୍କର ଏକ ପାରଂପରିକ ବୋଧନ ପୂଜାର ଅନୁଷ୍ଠାନ ଅଛି ଆଉ ତାହା ସେତେ ସମାରୋହରେ ପାଳନ କରାନଗଲେ ମଧ୍ୟ ଆମର ଗ୍ରାମାଞ୍ଚଳରେ ତାହା ଅନୁଷ୍ଠିତ ହୁଏ।ଏହି ଦେବୀପୂଜା ଆମର ଶାରଦୀୟ ଦେବୀ ପୂଜା ବା ଅକାଳ ବୋଧନ ପୂଜା ତୁଲ୍ୟ ଏକ ଦେବୀ ପୂଜା ଯାହାକୁ ଆମେ ବାସନ୍ତୀକ ଦେବୀ ପୂଜା ବୋଲି କହିଥାଉ।

ଆଜି ବାସନ୍ତୀକ ଦେବୀପୂଜାର ପବିତ୍ର ଦଶହରା ପାର୍ବଣ।

ଆଜି ଆମେ ଦେବୀପୂଜା ର ଆଳରେ ବୋଧନ ପୂଜା ଏବଂ ଅକାଳ ବୋଧନ ପୂଜା ଅର୍ଥାତ୍ ବାସନ୍ତୀକ ଦୁର୍ଗାପୂଜା ଏବଂ ଶାରଦୀୟ ଦୁର୍ଗାପୂଜା ,ଏଇ ଦୁଇଟି ପାର୍ବଣର ବିବର୍ତ୍ତନର କଥାବସ୍ତୁକୁ ବୁଝିବାକୁ ଚେଷ୍ଟା କରିବା।ଏବଂ ଗୋଟିଏ ପୂଜାର ଅନୁଷ୍ଠାନରେ ଆମର ସାଂସ୍କୃତିକ ଜୀବନରେ ଗ୍ରାମ ଓ ସହର କେନ୍ଦ୍ରିତ ଯେଉଁ ବିରୋଧାଭାଷ ରହିଛି ତାହା କେଉଁପରି ଭାବରେ ପ୍ରକଟିତ ତାହାକୁ ଦେଖିବାକୁ ଟିକିଐ ଚେଷ୍ଟା କରିବା।

ଆମ ଭଳି ଯେଉଁ ମାନେ ମଣିଷ ଯୋନୀରୁ ହିଁ ସଂଭୂତ ତାଙ୍କ ପାଇଁ କଥାଟି ଭାରି ସରଳ ହୁଏ। ସେମିତି ଅତି ସରଳରେ କହିଲେ ,ଦରକାର ପଡିଛି ବୋଲି ଜଣକୁ ନିଦରୁ ଉଠେଇବାକୁ ପଡିବ,ସେଇ ଭଳି କଥାଟିଏ ହେଉଛି ଏଇ ଅକାଳ ବୋଧନ।ମଣିଷ ବ୍ୟତୀତ ଅନ୍ୟକେହି ଆଉ କାହାକୁ ତାହାର ନିଦରୁ ଉଠେଇଲା ଭଳି କାମଟିଏ କରିନଥାଏ।ତେଣୁ ଏଇଠି ଅକାଳ ବୋଧନର କାମଟି ମଣିଷ କରୁଛି ଆଉ ସେ ଯାହାକୁ ନିଦରୁ ଉଠାଇବା ଭଳି କାମଟି କରୁଛି ସେ କୌଣସି ମାନବୀ ନୁହଁ,ସେ ଦେବୀ,ଶାକମ୍ବରୀ, ମାଆ ଜଗତଜନନୀ।

ମାଆର ଶାକମ୍ବରୀ ରୂପରୁ କଥାଟି ଆରମ୍ଭ ହେଉ।

ପ୍ରସଂଗକ୍ରମେ ଯେତେବେଳେ ଅକାଳ ବୋଧନ ମନକୁ ଆସିବ ତାହା ସହିତ କେମିତି କେଜାଣି ହଠାତ୍ ଆସିଯିବ ପ୍ରସିଦ୍ଧ ଜନବାଦୀ ଗାୟକ କବୀର ସୁମନ ଗାଇଥିବା ଉପରେ ଉଲ୍ଲେଖ କରାଯାଇଥିବା ଏଇ ଧାଡି ଟି। ସବୁବେଳେ ଗୀତମାନଙ୍କୁ କେବଳ ପ୍ରାଂଜଳ ପଢିପାରେ ବୋଲି ଅପଯଶ ଅର୍ଜନ କରିଥିବା କୁକଂଠ ର ଅଧିକାରୀ ଏଇ ଉପସ୍ଥିତ ଚରିତ୍ରଟି ନିଜ ଭିତରେ ପ୍ରାୟ ଗୁଣୁଗୁଣୁ କରିଥାଏ ସେଇଧାଡିଟିକୁ।ଏମିତିରେ ବିଚାର କଲେ ଦେଖିବା ଯେଉଁ ଗୀତରୁ ଏଇ ଧାଡିଟି ଆସିଛି ସେଥିରେ ସ୍ୱୟଂ ଗାୟକ ନିଜର ଭୋଗୁଥିବା ସମସ୍ତ କ୍ଷେତ୍ର ବିଶେଷରେ ଏକାନ୍ତ ସାନ୍ନିଧ୍ୟ ଚାହିଁଛନ୍ତି ନିଜର ପ୍ରିୟତମ ଶ୍ରେଷ୍ଠତ୍ବର। ସେଇ ପ୍ରିୟତମ ଶ୍ରେଷ୍ଠତ୍ବର ପ୍ରତୀକ ହେଉଛି ରୂପହୀନ “ତୁମେ”।

ଅକାଳ ବୋଧନରେ ଦେବୀ ଶ୍ରେଷ୍ଠତ୍ୱ ଅର୍ଜନ କରିବେ କାହିଁକି ?କାହିଁକି ଆମେ ତାଙ୍କୁ ବୋଧନରେ ଚାହିଁବା ନାହିଁ?

ଆମମାନଙ୍କର ବିଶ୍ବାସ ରେ ଦେବୀ ସବୁବେଳେ
“ସୃଷ୍ଟି ସ୍ଥିତି ବିନାଶାନାଂ ଶକ୍ତିଭୂତେ ସନାତନୀଂ/
ଗୁଣାଶ୍ରୟେ ଗୁଣମୟେ ନାରାୟଣୀ ନମୋସ୍ତୁତେ” ହୋଇ ରହିଥାନ୍ତୁ। ଓ ସମସ୍ତଙ୍କର ମଙ୍ଗଳ ବିଧାନ କରୁଥାନ୍ତୁ।

ଏଇଠି ଯେଉଁ ଦେବୀଙ୍କ କଥା ରହିବ ସେ ବିଶ୍ୱାସ ର ପରିଧି ଭିତରକୁ କେମିତି ଆସିଲେ ସେହି କଥାଟି ଅର୍ଥାତ ଦେବୀଙ୍କର ମାନବ ଆରାଧନାର ଐତିହାସିକ ବିବର୍ତ୍ତନର ସ୍ୱରୂପ ଟିକୁ ଦେଖିବାକୁ ଆଉ ବୁଝିବାକୁ ଚେଷ୍ଟା କରାଯାଉଛି।ତେଣୁ ଏହା ପାଠକ ମାନଙ୍କର ଧାର୍ମିକ ବିଶ୍ବାସ ରେ ସାମାନ୍ୟତମ ଆଘାତ ଆଣିବାକୁ ଅଭିପ୍ରେତ ନୁହଁ।ମାତ୍ର ଆମେ ଯେତେବେଳେ ବିଶ୍ବାସ ବନାମ ବିବର୍ତ୍ତନ ର ବ୍ୟାଖ୍ୟାଟି କରୁଥାଉ ସେତେବେଳେ କାହାକୁ କାହାର ବିଶ୍ବାସ ଟି ଆହତ ହେଲା ଭଳି ଲାଗିପାରେ।ବିଶ୍ୱାସକୁ ତାହା ସ୍ଥାନରେ ରହିବାକୁ ଦିଆଯାଉ ଯାହା ସବୁ ବିଚାର ଓ ପଢାପଢିରେ ଉର୍ଦ୍ଧ୍ବ ରେ ରହିବା ଉଚିତ।

ଆରମ୍ଭରୁ ସବୁ ପ୍ରାଚୀନ ଗୋଷ୍ଠୀର ଧର୍ମବିଶ୍ଵାସ ରେ ଧରିତ୍ରୀ ଆଉ ନାରୀକୁ ଏକ ବୋଲି ଗଣା ଯାଇଛି।ତାହାର କାରଣ ହେଉଛି ଶସ୍ୟ ଓ ସନ୍ତାନକୁ ମଣିଷର ପ୍ରାଥମିକ ଆବଶ୍ୟକତା ର ଏକକ ହିସାବରେ ଗ୍ରହଣ କରିବାର ମନୋଭାବ।ଧରିତ୍ରୀ ହେଉଛି ଶସ୍ୟ ପ୍ରଦାନକାରିଣୀ ଆଉ ନାରୀ ପ୍ରଦାନ କରେ ସନ୍ତାନ।ତେଣୁ ସ୍ୱାଭାବିକ ଭାବେ ପୃଥିବୀ ଓ ନାରୀ ଅଭିନ୍ନ ଏବଂ ପରସ୍ପର ସହ ତୁଳନୀୟ।ନିଜର ବ୍ୟକ୍ତିଗତ ଅନୁଭବ ରେ ନାରୀର ସନ୍ତାନଜନ୍ମର ପ୍ରକ୍ରୀୟା କୁ ବିବେଚନା କରି ତାହାକୁ ପୃଥିବୀର ଶସ୍ୟ ଉତ୍ପାଦନ ପ୍ରକ୍ରୀୟା ରେ କାଳ୍ପନୀକ ବିନ୍ଯାସ ଓ ପ୍ରକ୍ଷେପଣ କରିବା ଫଳରେ ପ୍ରାଚୀନ ଗୋଷ୍ଠୀର ଧର୍ମ ବିଶ୍ୱାସରେ ଧରିତ୍ରୀ ନାରୀ ସ୍ୱରୂପିଣୀ ହୋଇଗଲା।ସେଇଥି ପାଇଁ ପ୍ରାଚୀନ ମିଶରରେ ଆଇସିସ୍,ମେସୋପୋଟାମିଆରେ ଇସ୍ତାର୍,ଆଉ ଗ୍ରୀକ୍ ମାନଙ୍କର ଦିମିତର ଭଳି ମାତୃକାଦେବୀ ମାନେ ଉଦ୍ଭବ ହେଲେ।ସେମାନେ ସମସ୍ତେ ସେ ସମୟର ସବୁ ପ୍ରମୁଖ ସଂସ୍କୃତିର ଶସ୍ୟଦାୟିନୀ ଦେବୀ।ସେମାନଙ୍କୁ ଆରାଧନା କରାଯାଉଥିଲା ଭରପୁର ଶସ୍ୟ ନିର୍ବିଘ୍ନ ରେ ଯେମିତି ମଣିଷକୁ ଉପଲବ୍ଧ ହେଉ ସେଇଥିପାଇଁ।

ଏଇଠେ ଉଲ୍ଲେଖ କରିବା ଅପ୍ରାସଂଗିକ ହେବ ନାହିଁ, ସର୍ବଦା ମଣିଷର ଯାବତୀୟ ଚିନ୍ତା ଚେତନାକୁ ଆନ୍ଦୋଳିତ କରିରଖିଥାଏ ତିନୋଟି କଥା,କ୍ଷୁଧା,ଯୌନତା ଓ ମୃତ୍ୟୁଭୟ।ଆମର ଦେବଦେବୀ ମାନେ ସେହି କାରଣରୁ ଆମ ମନଭିତରେ ଜନ୍ମ ନିଅନ୍ତି ଆଉ ତାହାର ଫଳଶ୍ରୁତି ଆମର ଯାବତୀୟ ଧର୍ମାଚରଣ। ତେଣୁ ଖାଦ୍ୟ ବା ଶସ୍ୟ-କାମନା ଆମର ଧର୍ମାଚାର ସହ ଆରଂଭରୁ ଅଂଗାଂଗୀ।ଅନ୍ୟ ଭାବରେ କହିଲେ ଆମର ଆଦିମ ମାତୃକା ଉପାସନା ର ଧାରା କୃଷିପୂର୍ବ କାଳ ଠାରୁ ପ୍ରବାହିତ ହେଇ ପ୍ରାଚୀନ କାଳରେ ଶସ୍ୟ-କାମନାର ଧର୍ମାଚାର ରେ ମିଶିଯାଇଛି।

ବହୁ ପରେ ସେଇ ଦେବୀମାତୃକା ପୌରାଣିକ ଦୁର୍ଗାର ରୂପ ନେଇଛନ୍ତି,କହିବାକୁ ଗଲେ ବିବର୍ତ୍ତିତା ହୋଇଛନ୍ତି ଏମିତି ଏକ ରୂପରେ। ସେହି ରୂପ ଭିତରୁ ଗୋଟିଏ ପ୍ରଧାନ ରୂପ ହେଉଛି ଶାକମ୍ବରୀ ରୂପ। ମାର୍କଣ୍ଡେୟ ପୁରାଣ ଅନୁସାରେ ଦେବୀ ସ୍ୱୟଂ ନିଜକୁ “ଶାକମ୍ବରୀ”ରୂପରେ ପରିଚିତା କରାଇଛନ୍ତି। ଏହି ପୁରାଣର “ଦେବୀ ମାହାତ୍ମ୍ୟ”ଅଂଶରେ ସେ ନିଜର ଶରୀରରୁ ଫଳ,ମୂଳ,ଶାଗ,ଶସ୍ୟ ଆଦି ସମୁତ୍ପନ୍ନ କରି ଜଗତକୁ ପରିପାଳନ କରିବାର ପ୍ରସଂଗ ଉତଥାପନ କରିଛନ୍ତି।ତେଣୁ ସେ ଶସ୍ଯଦେବୀ ଆଉ ଯେହେତୁ ଏଇ ସବୁ ଦ୍ରବ୍ୟର ମୌଳିକ ମାଲିକାନା ଟି କୌଣସି ବୃକ୍ଷବିଶେଷ ରେ ଉପଲବ୍ଧ ହୋଇଥାଏ ସେଦୃଷ୍ଟିରୁ ଆମର ଶାକମ୍ବରୀ ଶସ୍ଯଦେବୀ ସହିତ ଏଇ ବୃକ୍ଷ ର ପ୍ରତୀକାତ୍ମକ ରୂପ ବିଶେଷ।

ତେଣୁ ଆମେ ଏଯାଏଁ ଯେଉଁ ଦେବୀମାତୃକାର ବିବର୍ତ୍ତନର ସ୍ୱରୂପଟିକୁ ଦେଖିଲେ ତାହା ଏହିପରି,ପ୍ରଥମରେ ଗୋଟିଏ ଲୌକିକ ସ୍ତ୍ରୀ-ଦେବତା ଯାହା ଗୋଟିଏ ସାଧାରଣ ନାରୀଟିର ଛାଂଚରେ ତିଆରି ହୋଇଛି,ତାହାପରେ କ୍ରମଶଃ ସେ ମଣିଷର ଶିକାର ଓ ଖାଦ୍ଯ ସଂଗ୍ରହ ସୁନିଶ୍ଚିତ କରିବାର ଦେବୀ,ଶସ୍ୟଦେବୀ ଏବଂ ଏକ ବୃକ୍ଷର ପ୍ରତୀକ।

ଇତିହାସ ଦୃଷ୍ଟିରୁ ମଣିଷର ଲୌକିକ ରୀତି ଗୁଡିକ ରୂପାନ୍ତରିତ ହୋଇ ତାହାର ନିଜର ଗୋଷ୍ଠୀ-ଭାବନାରେ ସଂଗୁପ୍ତ ହୋଇ ରହିଥାଏ।ଏଇ ରୂପାନ୍ତର ଗୁଡିକ ମଣିଷର ବାହାରର କିଛି ଆଚାର ଅନୁଷ୍ଠାନ ରେ ପ୍ରକାଶ ପାଇଥାଏ।ମଝିରେ ମଝିରେ କିଛି କିଛି ପୌରାଣିକ କାହାଣୀ ଆରୋପିତ ହୋଇ ଏଇ ଲୌକିକ ରୀତି ଗୁଡିକର ରୂପାନ୍ତରିତ ପ୍ରକ୍ରୀୟା ଗୁଡିକୁ ଏକ ପ୍ରକାରର ସାଂସ୍କୃତିକ ବୈଧତା ପ୍ରଦାନ କରିଥାଏ।

ସଂସ୍କୃତି ସର୍ବଦା ଏକ ଗତିଶୀଳ ଏବଂ ସମସ୍ତ ପ୍ରକାରର ବାହ୍ୟ ପ୍ରଭାବ କୁ ଆତ୍ମସ୍ଥ କରି ପାରିବାର ଏକ ଅବଧାରଣା।ସେହି ମହାସମୁଦ୍ରରେ ସବୁ ପ୍ରଥା,ଆଚାର ଅନୁଷ୍ଠାନ ଓ ସଂସ୍କାର ଆଦି ମିଶିଥାଏ।ତାହାକୁ ଆଖିଆଗରେ ରଖି ଦେଖିଲେ ଆମେ ଆମର ଏଇ ପରମପ୍ରିୟ ଶାକମ୍ବରୀ ଅର୍ଥାତ୍ ଶସ୍ଯ ଦେବୀକୁ କେଉଁ ସମୟରେ ଆବାହନ କରିବାକୁ ଆବଶ୍ୟକ ମନେକରିବା ?

ଏମିତିରେ ଦେଖିଲେ ଦେବୀପୂଜାର ପ୍ରାରମ୍ଭିକ ଅନୁଷ୍ଠାନ ହିସାବରେ ଦେବୀଙ୍କର ଆବାହନ ଅର୍ଥାତ୍ ଜାଗରଣ ତଥା ବୋଧନର ପ୍ରଥା ପ୍ରଚଳିତ ହୋଇ ଆସୁଅଛି ।ପ୍ରାଥମିକ ଭାବେ ଦେବୀଦୁର୍ଗାଙ୍କ ପୁଜା ବସନ୍ତକାଳରେ ହେଉଥିଲା।କାରଣ ଶୀତ ଶେଷରେ ନୂଆକରି ଶିକାର ଓ ଖାଦ୍ଯ ସଂଗ୍ରହ ର ଆଦିମ ଅଭ୍ୟାସକୁ ଭିତ୍ତି କରି ଏମିତି ଏକ ଧର୍ମଧାରାର ବିବର୍ତ୍ତନ ହୋଇ ଆସିଥିଲା।ବସନ୍ତକାଳରେ ଖାଦ୍ୟର ଅମଳ ଜନୀତ ସୁଲଭତା ପର୍ବ ପାଳନ କୁ ଏକ ଆନନ୍ଦମୁଖର ପରିବେଶ ପ୍ରଦାନ କରୁଥିଲା।କୌଣସି ପର୍ବ ପାଳନ ବେଳେ ଯଦି ଚରିତ୍ରଟି ନିଶ୍ଚିନ୍ତ ହୋଇ ରହିବାର ମନଃସ୍ଥିତିରେ ଥାଏ ତେବେ ସେହି ପର୍ବ ପାଳନର ବିଭୋରତାର ମାତ୍ରା ଯଥେଷ୍ଟ ଅଧିକ।ତେଣୁ ପୃଥିବୀର ସବୁ ଗୋଷ୍ଠୀର ସମସ୍ତ ମୂଖ୍ୟ ଗୋଷ୍ଠୀଭିତ୍ତିକ ଉତ୍ସବ ଗୁଡିକ ଶସ୍ଯ-ଅମଳ ହୋଇସାରିବାର ଠିକ୍ ପରେ ପରେ ଅନୁଷ୍ଠିତ ହୋଇଥାଏ ।ଏ ଗୁଡିକ ସବୁ ଯେମିତି ଶସ୍ୟ ଅମଳ ପାଇଁ ଦେବଦେବୀଙ୍କୁ ଧନ୍ୟବାଦ ପ୍ରଦାନ କରିବାର ଉତ୍ସବ।ଆଜିବି ଆମର ବିଭିନ୍ନ ସ୍ଥାନରେ ବାସନ୍ତୀ ଦୁର୍ଗାପୂଜାର ବିଧାନ ଅନୁସୃତ ହେଉଛି।

ବାସନ୍ତୀ ପୂଜା ତେଣୁ ଦେବୀ ପୂଜାର ପ୍ରଥମ କାଳ।

ଶସ୍ୟମୟୀ ଶାକାମ୍ବରୀ ତେଣୁ ଆମର ଅତୀତ କାଳରେ ଗ୍ରାମରେ ଥାଆନ୍ତି ଆଉ ଯେତେବେଳେ ଆମେ ଗାଆଁରୁ ସହରକୁ ଛିନ୍ନ ମୂଳ ହୋଇ ଚାଲି ଆସିଲୁ ସେଇଠି ଆମର ଦେବୀପୂଜାର ଏକ ଭିନ୍ନ ରୂପୀ ବିବର୍ତ୍ତନ ଘଟିଲା।ଆମେ ଆଉ ଦେବୀଙ୍କୁ ଶାକାମ୍ବରୀ କରି ରଖିଲୁ ନାହିଁ। ଆମର ଅସତ ଉପରେ ବିଜୟ ଭଳି ନୈତିକତାକୁ ମହିଷାସୁରମର୍ଦ୍ଦିନୀ ରୂପରେ ସଂସ୍ଥାପନ କରିଦେଲୁ।ସହର ପୂଜାର ସାର୍ବଜନୀନତା ଟିର ମୂଳ କଥା ଏଇଠି।ଫଳ ମୂଳ ଧାରିଣୀ ଶସ୍ୟପୂର୍ଣ୍ଣା ଦେବୀ ଏଇଠି ଦଶ ପ୍ରହରଣଧାରିଣୀ ହୋଇଗଲେ ଯାହା ଆମର ବିସ୍ଥାପନ ର ଅସଲ ରୂପ ଯେଉଁଠି ଆମେ ଆଉ ପ୍ରାଥମିକ ଉତ୍ପାଦକ ବା ପ୍ରାଇମେରୀ ପ୍ରଡ୍ୟୁସର ହୋଇ ରହିଲୁ ନାହିଁ, ଆମେ ଉପଭୋକ୍ତା ପାଲଟିଗଲୁ।ଉପଭୋକ୍ତା ପାଇଁ ଅସତସଂହାର ସବୁବେଳେ ଅପରିହାର୍ଯ୍ୟ ଆବଶ୍ୟକତା ଆଉ ସାଧାରଣତଃ ଉପଭୋକ୍ତା ଭୀରୁ ହୋଇଥିବା କାରଣରୁ ଏଇ କାମଟିକୁ ସେ ନିଜେ କରିବାକୁ ପଛଘୁଂଚା ଦେଇଥାଏ ,ଆଉ କାହାଦ୍ୱାରା ଏଇ କାମ କରିବାକୁ ସେ ଅଧିକ ସୁଖ ପାଏ।ସେଇଥିପାଇଁ ମାଆ ଆବିର୍ଭୂତା ହେଲେ ଏବଂ ଦନୁଜଦଳନ କଲେ।

କାଳକ୍ରମେ ଏହା ହେଉଛି ସେହି ପ୍ରାଚୀନ ବାସନ୍ତୀ ଦେବୀମାତୃକାର ପୂଜାର ବଦଳରେ ଅକାଳ ବୋଧନ ପୂଜାର ସୃଷ୍ଟି ହେବାର ପରିବର୍ତ୍ତନର ସ୍ୱରୂପ।

ଅନ୍ୟ ଭାବରେ ଦେଖିଲେ ,ଗୋଟିଏ ଶସ୍ୟର ଜୀବନରେ ଦୁଇଟି ସମୟ ଗୁରୁତ୍ୱପୂର୍ଣ୍ଣ,ଯେତେବେଳେ ମଂଜିରୁ ତାହାର ଅଙ୍କୁରୋଦଗମ ଘଟିଲା ଓ ଆରଟି ହେଉଛି ଯେତେବେଳେ ସେ ତାହାର ପୂର୍ଣ୍ଣ ରୂପଟିରେ ଶସ୍ଯ ଆକାରରେ କୃଷକର ଅକ୍ତିଆର୍ କୁ ଆସିଲା। ଆଗରୁ କୁହାଯାଇଛି ଯେ ମଣିଷ ଶସ୍ୟ ଅମଳ ପରବର୍ତ୍ତୀ ସମୟକୁ ଉତ୍ସବମୁଖର କରୁଥିଲା ବା ସେଇଭଳି ପର୍ବର ବ୍ୟବସ୍ଥାରେ ଅଭ୍ୟସ୍ତ ଥିଲା।ବର୍ତ୍ତମାନ କିନ୍ତୁ ବର୍ଷା ପରବର୍ତ୍ତୀ ଶସ୍ୟଶ୍ୟାମଳା ସମୟକୁ ସେ ଉତ୍ସବରୂପରେ ପାଳନ କରିବାକୁ ଲାଗିଲା।ଏଇ ପରିବର୍ତ୍ତିତ ବିଧି ବ୍ୟବସ୍ଥା ର କାରଣ ହିସାବରେ କୁହାଯାଇପାରିବ ଯେ ଏହା ମଣିଷର ଦୁଇଟି ଭିନ୍ନଜାତୀୟ ଭୂମୀ-ସଂପର୍କ ଭିତରର ପାରସ୍ପରିକ ସଂଘାତର ଉପଜ।ମଣିଷର ପ୍ରାଚୀନତମ ଭୂମୀ-ସଂପର୍କ ହେଉଛି ଖାଦ୍ୟ ସଂଗ୍ରହ ଆଉ ତଦନୁଯାୟୀ ମଣିଷର ମାନସିକତା ।ପରବର୍ତ୍ତୀ ଭୂମୀ-ସଂପର୍କ ହେଉଛି ଭୂମୀରୁ ଖାଦ୍ୟ ଉତ୍ପାଦନ କରିବାର ମାନସିକତା।ଏଇ ଦୁଇ ମାନସିକତା ସମାନ ନୁହଁ।ଥେସିସ୍ ଆଉ ଆଣ୍ଟିଥେସିସ୍ ର ସଂପର୍କ।ତେଣୁ ବର୍ଷାର ର ପରବର୍ତ୍ତୀ ସମୟରେ ଅକାଳ ବୋଧନ ହେଲା।ଲୌକିକ ଶସ୍ୟଦେବୀର ନାରୀ ମୂର୍ତ୍ତୀଟି କ୍ଲାସିକାଲ ଦୁର୍ଗାର ରୂପଗ୍ରହଣ କଲେ ଆମର ମାର୍କଣ୍ଡେୟ ପୁରାଣ ତଥା ଅନ୍ୟାନ୍ୟ ଦେବୀ ପୁରାଣରେ।

ଆଶ୍ୱିନର ଶୁକ୍ଳା ଷଷ୍ଠୀ ତିଥିରେ ମାଆ ଦୁର୍ଗାଙ୍କର ଅକାଳ ବୋଧନ ବା ଆବାହନ କରାଗଲା ବୃକ୍ଷ ରୂପରେ। ମାର୍କଣ୍ଡେୟ ପୁରାଣର ଦେବୀ ଶାକମ୍ବରୀକୁ ଆଉ କେଉଁ ବିଶେଷ ପ୍ରତୀକରେ ଯଥାଯୋଗ୍ୟ ଆବାହନ କରାଯାଇ ପାରନ୍ତା ଗୋଟିଏ ବୃକ୍ଷ ବ୍ୟତୀତ ? ଏହି ଭଳି ବୃକ୍ଷ ରୂପରେ ମାଆଙ୍କର ଆବାହନ ହେଉଛି ନିଜର ଅତୀତ ସହ ସଂପୃକ୍ତିକୁ ପ୍ରତୀକାତ୍ମକ ଭାବରେ ସାର୍ବଜନୀନ ଉପସ୍ଥାପନ ।ଏହା ଦ୍ୱାରା ନିଜର ଅତୀତ ସଂପର୍କଟି ପ୍ରତିଷ୍ଠା ହେବା ସହିତ ଆମେ ଯେ ଛିନ୍ନ ମୂଳ ନୁହଁ ସେଇ କଥାକୁ ଜାବୁଡି ଧରିବା ର ଏକ କ୍ଷୀଣ ପ୍ରଚେଷ୍ଟା।

ଆପଣମାନେ ଜାଣନ୍ତି ବର୍ଷା ଚାରିମାସ ଆମର ଦେବଦେବୀଙ୍କର ବିଶ୍ରାମର ସମୟ।ସାଧାରଣତଃ ଆମେ ସ୍ୱାର୍ଥାନ୍ୱେଷୀ ମଣିଷ ମାନେ ଦେବଦେବୀଙ୍କୁ ଘଡିଏ ହେଲେ ବିଶ୍ରାମର ସୁଯୋଗ ଦେବାକୁ ପ୍ରସ୍ତୁତ ନଥାଉ।ଠିକ୍ ସେହିଭଳି ମଣିଷ ମାନଙ୍କର ସ୍ୱାର୍ଥରେ ଦେବୀ ଦୁର୍ଗାଙ୍କର ଆବାହନ ବା ଅକାଳ ବୋଧନ କରିବାକୁ ପଡେ।

ବାଲ୍ମିକୀ କୃତ ରାମାୟଣ ରେ ଏଇ ଘଟଣାର ଉଲ୍ଲେଖ ନାହିଁ।ଅନ୍ଯାନ୍ଯ କିଛି ପୁରାଣରେ ଏହାର ଉଲ୍ଲେଖ ଅଛି।ମହାପ୍ରତାପୀ ବିଶ୍ରବାନନ୍ଦନ ରାବଣର ଅତ୍ୟାଚାରରେ ଅତିଷ୍ଠ ହୋଇ ତାହାର ନିବାରଣ ପାଇଁ ପ୍ରଭୂ ଶ୍ରୀରାମଚଂଦ୍ର ଦେବୀ ଦୁର୍ଗାଙ୍କ ଅକାଳ ବୋଧନ କଲେ।ଆରାଧନା କଲେ।ଦେବୀଙ୍କ କୃପାରୁ ନବମୀ ତିଥିରେ ରାବଣ ବଧ ହେଲା ଆଉ ତାହାପରେ ସମସ୍ତ ଦେବକୂଳ ଦେବୀ ଦୁର୍ଗାଙ୍କୁ ସସମ୍ମାନେ କୈଳାଶପୁରକୁ ବିଦାୟ ଦେଲେ।

ଏହା ହେଉଛି ଦେବୀ ଦୁର୍ଗାଙ୍କର ବାସନ୍ତୀକ ବୋଧନ ଏବଂ ଶାରଦୀୟ ଅକାଳବୋଧନ ର ସାମାଜିକ ଆଉ ସାଂସ୍କୃତିକ ପ୍ରେକ୍ଷାପଟ।

ଆପଣମାନଙ୍କୁ ବାସନ୍ତୀକ ଦଶହରାର ଶୁଭକାମନା ଜଣାଇବା ସହିତ ମାଆ ଶାକାମ୍ବରୀ ଆମ ସମସ୍ତଙ୍କର ବିଜୟକୁ ସବୁବେଳେ ସୁନିଶ୍ଚିତ କରିବେ ବୋଲି ଆଶା ପୋଷଣ କରୁଛି।

ଶୁଭ ଦଶହରା।

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *