ଏକ ବିଚିତ୍ର ବିଚାରର କ୍ରୁଶବିଦ୍ଧ କଥା

ସେଦିନ ଶୁକ୍ରବାର ଥିଲା । ତାରିଖ ହିସାବରେ ଦେଖିଲେ ଏପ୍ରିଲ୍ ମାସର ତିନି ତାରିଖ । କହିବାକୁ ଗଲେ ସେହି ଦୋଷୀ ଜଣକର ସେଦିନ ପ୍ରାୟ ଅପରାହ୍ନ ତିନିଟା ବେଳକୁ ପ୍ରାଣହାନୀ ହୋଇ ସାରିଥିଲା ।

ସେଦିନ ଦିନଟି ସାରା ଆକାଶରେ ଅଳ୍ପକିଛି ମେଘ ଥିଲା ଓ ସହର ସାରା ଲୋକେ ଏହି ଦୋଷୀଟିର ଦଣ୍ଡ ତଥା ଦଣ୍ଡ ଉପରାନ୍ତ ମୃତ୍ୟୁର କଥାକୁ ନେଇ ବେଶ୍ ଗୁମୁସୁମ୍ ଥିଲେ । ଯାହା କିଛି ଚର୍ଚ୍ଚା ହେଉଥିଲା ତାହା ଅତ୍ୟନ୍ତ ଚାପାଗଳାରେ ହେଉଥିଲା । ସେହି ସହରର ଶାସକ ଜଣକ ଏହିଭଳି ଏକ ଦୋଷୀର ଦଣ୍ଡ ପଛରେ ଯାହାଯାହା ଘଟିପାରେ ସେହିସବୁକଥାର ସଂଭାବିତ ଗୁରୁତ୍ୱକୁ ନିହାତି ଭଲ ଭାବରେ ବୁଝିଛନ୍ତି ବୋଲି ସହର ସାରା ସୈନ୍ୟମାନେ ପଇଁତରା ମାରିବା ସହିତ ସକ୍ଷମ ଗୁପ୍ତଚରମାନଙ୍କୁ ନିୟୋଜିତ କରିଛନ୍ତି । ତେଣୁ ସେହି ସହରର ଲୋକମାନଙ୍କର ଏହି ଘଟଣାର ପ୍ରତିକ୍ରିୟା ହିସାବରେ ଦେଖିବାକୁଗଲେ ସେମିତି କିଛି ନଥିଲା । ଏମିତିରେ କେହିକେହି କହୁଥିଲେ ସେହି ଦୋଷୀଟିର ମରଣ ଆଦୌ ସଂଭବ ନୁହଁ । ତାହାପାଖରେ ଯେତେବେଳେ ଅଶେଷ ଅଲୌକିକ ମହିମାର ଭଣ୍ଡାର ମହଜୁଦ୍ ହୋଇ ରହିଛି, ସେତେବେଳେ ଛାର ମରଣ ତାହାକୁ କବଳିତ କରିବା କେଉଁପରି ଘଟିପାରେ? ସେ ମହାତ୍ମା ନିଶ୍ଚିତ ମରଣକୁ ଫାଙ୍କି ଦେଇ ଶୂନ୍ୟକୁ ଉଭାନ ହୋଇଯାଇଛି ଗୋଟିଏ ଧଳାରଂଗର ଚଢ଼େଇ ପରି । ଆଉ କିଏ କିଏ କହୁଥାନ୍ତି ଏହି ଦୋଷୀଜଣକୁ ଗତ ତିନିବର୍ଷ ତଳରୁ ଦଣ୍ଡ ଦିଆସରିଛି । ଦଣ୍ଡ ତାହାର ସାମାନ୍ୟତମ କ୍ଷତି କରିବାକୁ ସାହସ କରିନାହିଁ । ସେ ତେଣୁ ଏବେ ବି ମୁକ୍ତ ରହିଛି । ଆଜି ଯାହା ସହରସାରା ଲୋକେ ପ୍ରତ୍ୟକ୍ଷ କରିଛନ୍ତି ତାହା ନିଶ୍ଚିତ ଏକ ଦୃଷ୍ଟିବିଭ୍ରମ, ଇନ୍ଦ୍ରଜାଲ । ନିଜେ ଗୋଟିଏ ବୃହତ କ୍ରୁଶକୁ କେତେ ମାଇଲ୍ ବୋହିନେଇ ଯିବାପରେ ଶେଷରେ ସେଥିରେ କ୍ରୁଶବିଦ୍ଧ ହେବା ଆଖିରେ ପ୍ରତ୍ୟକ୍ଷ କରିଥିଲେ ଯେ ସାଧାରଣ ମଣିଷର ଆଖିହଳକ ସବୁବେଳେ ସବୁକଥା ଠିକ୍ ଦେଖିପାରେ ଆଉ ଠିକ୍ ବୁଝିପାରେ, ସେମିିତି ଅବିକଳ ହେବ ଏକଥା ଜମା ନୁହଁ ।

ଦୋଷୀ ଜଣକ କ୍ରୁଶବିଦ୍ଧ ହୋଇ ପ୍ରାଣତ୍ୟାଗ କରିଛି ବୋଲି ସମସ୍ତେ ଜାଣିଥିଲେ ହେଁ ଏହାର କୌଣସି ବିଧିବଦ୍ଧ ନଥିିଗତ ପ୍ରମାଣ ଉପଲବ୍ଧ ନାହିଁ । ଦୋଷୀକୁ କୌଣସି ବିଧିବଦ୍ଧ ବିଚାରର ସାମ୍ନା କରିବାକୁ ଦିଆଯାଇନାହିଁ । ଆଉ ସେହି ତଥାକଥିତ ବିଚାରପରେ ଯେଉଁ ଦଣ୍ଡ ଘୋଷଣା କରାଯାଇଥିିଲା ତାହା ଅତ୍ୟନ୍ତ ନିର୍ଦ୍ଦୟତାପୂର୍ଣ୍ଣ ଥିଲା । ଏହି ତଥାକଥିତ ବିଚାରଟି ଯେତେ ଶିଘ୍ର ସଂପନ୍ନ ହୋଇପାରିବ ସେଥିପ୍ରତି ସମସ୍ତେ ଖୁବ୍ ବ୍ୟଗ୍ର ଥିଲେ । ସେହି ବିଚାରରେ ସବୁଠୁ ବଡ ପ୍ରଶ୍ନଟି ଥିଲା ଯେ ଯାହାକୁ ଅପରାଧୀ ବୋଲି ଏହି ବିଶେଷ ବିଚାରର ସାମ୍ନା କରାଯାଇଥିଲା, ସେ ହେଉଛି ଜଣେ ଇହୁଦୀ । ଇହୁଦୀମାନଙ୍କର ସେଇପ୍ରକାରର ଏକ ବିଚାରରେ ମୃତ୍ୟୁଦଣ୍ଡ ପ୍ରଦାନ କରିବା ତତ୍କାଳୀନ ପ୍ରଚଳିତ ଇହୁଦୀ ଆଇନ ଅନୁସାରେ ଜଟିଳ ଥିଲା । ତେଣୁ ସେମାନେ ଏହି ତଥାକଥିତ ଇହୁଦୀ ଅପରାଧୀର ବିଚାର ପାଇଁ ତାହାକୁ ରୋମୀୟମାନଙ୍କ ହାତରେ ପ୍ରଦାନ କରିଥିଲେ । ଆଉ ସେତେବେଳେ ରୋମୀୟ ଆଇନରେ ମୃତ୍ୟୁଦଣ୍ଡ ପ୍ରଦାନ କରିବାର ଅବସର ଯଥେଷ୍ଟ ସହଜ ଥିଲା।

ପ୍ରଥମରୁ ଜୁଦାର ରୋମୀୟ ଗଭର୍ଣ୍ଣର ଏହି ସମସ୍ତ ଘଟଣାଟିକୁ ଖୁବ୍ ଗୁରୁତ୍ୱର ସହିତ ନେଇଥିଲେ । ତଥାପି ତାଙ୍କ ମନରେ ଏହି ସଦ୍ୟ ହସ୍ତାନ୍ତରିତ କରାଯାଇଥିବା ବଂଦୀକୁ ତଥା ତାହାର ବିଚାର ଯାହା ରାଜ୍ୟପାଇଁ ମଂଗଳକାରୀ ହେବ ବୋଲି ଆଗରୁ ନିଷ୍ପତ୍ତି । ସେଇଠେ ସେ ଅଳ୍ପ କିଛି ସପ୍ତାହ ହେଲା ରହିଆସିଛି । ଏହା ଭିତରେ ସେ ପ୍ରାୟ ତିନିଲକ୍ଷ ଲୋକଙ୍କୁ ନିଜର ପ୍ରବଚନ ଦେଇଛି । ସେହି ପ୍ରବଚନ ମଂଦିରରେ ଦେଇଛି । ମଂଦିର ପାଖାପାଖି ଯେଉଁ ବେପାରୀ ମାନେ ପାସଓଭର୍ ପର୍ବରେ ଭଲ ବେପାର ହେବ ବୋଲି ଆଶାବାନ୍ଧି ବସିଥିଲେ ତାହାର ଏହି ପ୍ରବଚନରେ ଯଥେଷ୍ଟ ପ୍ରଭାବିତ ହୋଇଛନ୍ତି । ସେମାନଙ୍କୁ ନିଜର ମାଲମତା ସବୁକୁ ବାନ୍ଧି ନିଜ ଘରମୁହାଁ ହେବାକୁ ପଡିଛି । କାରଣ ସମସ୍ତେ ଏହି ତରୁଣ ବଂଦୀର ପ୍ରବଚନ ଶୁଣିବାରେ ମୁଗ୍ଧ । ଜଣେ କିଏ ସେଠାରୁ ମୁହଁବୁଲାଇ ଲୋଭନୀୟ ବଜାର ଆଡକୁ ଆସିବା ଆଦୌ ସଂଭବପର ହେଉନାହିଁ । ଗଭର୍ଣ୍ଣର ଜୁଦାଙ୍କ ପାଖରେ ଠୋସ୍ ଖବର ଅଛି,ଏହି ତରୁଣଟି ପ୍ରଚଳିତ ସାମାଜିକ ଧାରଣାର ଏକ ପ୍ରତିବାଦୀ ଚରିତ୍ର । ସେ ସବୁ କଥା ଠିକ୍ ଅଛି । ଜଣେ ସାଧୁସଂଥ ଚରିତ୍ରର ହେଲେ ରାଜ୍ୟର ସେମିତି କିଛି ଅସୁବିଧା ହେବ ନାହିଁ । ସେ ସାଧୁ ଜଣକ ଯଦି ନିଜକୁ ‘ଈଶ୍ୱରପୁତ୍ର’ ବୋଲି କହୁଛି ତେବେ ତାହା କୌଣସି ଶାସକର ମୁଣ୍ଡବିନ୍ଧାର କାରଣ କାହିଁକି ହେବ ? ଲୋକମାନେ ନିହାତି ସାଧାରଣ । ସେମାନେ କୌଣସି କଥାର ମର୍ମ ବୁଝିବାକୁ କେତେ ସମର୍ଥ? ଓାଧାରଣ ଲୋକମାନେ ଏହିଭଳି କିଛି ଲୋକଙ୍କ କଥାର ଅଲୌକିକତାରେ ସହଜରେ ଯେମିତି ବିହ୍ୱଳ ହୋଇଯାଇଥାନ୍ତି,ସେଇମିତି ସେହି ଅଲୌକିକ ଲୋକମାନଙ୍କ ପ୍ରତି ସେମାନଙ୍କର ମୋହଭଂଗ ହେବାକୁ ବି ବେଶି ସମୟ ଲାଗେନାହିଁ । ଏହାକୁ ନେଇ କୌଣସି ଶାସକ କାହିଁକି ବିଚଳିତ ହେବ ? ଜୁଦାର ରୋମୀୟ ଗଭର୍ଣ୍ଣରଙ୍କ ପାଖରେ ଖବର ଅଛି ଯେ ଏହି ସୌମ୍ୟ ଦର୍ଶନ ଯୁବକଟି ସବୁବେଳେ ଆନମନା ରହିଥାଏ । ଯେତେବେଳେ କଥାକହେ ସେ ଯେମିତି ଏକ ଶାନ୍ତ ସୁକୋମଳ ନଈର ଧାର, କୁଳୁକୁଳୁ ସ୍ୱରରେ ବହିଚାଲିଛି । ଗଭର୍ଣ୍ଣରଙ୍କର ଗୋଟିଏ କଥାରେ ଆପତ୍ତି । ସେହି ତରୁଣ ଆଉ ଏବେକାର ବଂଦୀ ନିଜକୁ ‘ଈହୁଦୀମାନଙ୍କର ରାଜା’ ବୋଲି କହେ । ଏହା ସଂପୂର୍ଣ୍ଣ ରାଜଦ୍ରୋହ ।

ଜୁଦାର ରୋମୀୟ ଗଭର୍ଣ୍ଣର ପଂଟିଅସ୍ ପାଇଲେତ୍ ଏହି ତରୁଣ ବନ୍ଦୀର ଲୋକପ୍ରିୟତାର କଥା ଜାଣିଛନ୍ତି । ପାସଓଭର୍ ପର୍ବର ଗହଳୀରେ ଏହି ‘ଈହୁଦୀମାନଙ୍କର ରାଜା’ଙ୍କୁ ଚିହ୍ନଟ କରିବା ସହଜ କଥା ନଥିଲା । ତେଣୁ ଯଥେଷ୍ଟ ପ୍ରଲୋଭନ ପରେ ରାଜି ହୋଇଥିଲା ସେହି ଅଲୌକିକ ତରୁଣର ଜଣେ ଅନୁଗାମୀ, ନାଆଁ ଜୁଡାସ୍ ଇସ୍କାରିଟସ୍ । ଜୁଡାସ୍ ଲୋକଗହଳି ଭିତରେ ସେହି ତରୁଣକୁ ଚୁମ୍ବନଦେଇ ନିକଟରେ ଥିବା ରକ୍ଷୀମାନଙ୍କୁ ସଂକେତ ଦେଇଥିଲା ଯେ,ଏହି ଚରିତ୍ରଟି ହେଉଛି ସେଇ ଚରିତ୍ର । ରକ୍ଷୀମାନେ ତାହାପରେ ଘେରିଯାଇ ତାହାକୁ ବଂଦୀ କରିଥିଲେ । ଜୁଡାସର ଏହି ଚୁମ୍ବନଟି ପରେ ‘ମୃତ୍ୟୁର ଚୁମ୍ବନ’ ନାଆଁରେ ବିଶ୍ୱବିଖ୍ୟାତ ହୋଇଥିଲା । ପଂଟିଅସ୍ ପାଇଲେତଙ୍କ ଭିତରେ ଏହି ବଂଦୀ ତରୁଣକୁ ନେଇ ଏକ ଆଶଙ୍କା ଥିଲା। ଅସମ୍ଭବ ଲୋକପ୍ରିୟ ଏହି ତରୁଣକୁ ମୃତ୍ୟୁଦଣ୍ଡ ଦେଲେ ତାହାର ସଂଭାବିତ ପ୍ରତିକ୍ରିୟାକୁ ସଂଭାଳିବା କଷ୍ଟକର ହୋଇପଡିବ ବୋଲି ସେ ବିଚାର କରୁଥିଲେ । ଜେରୁଜେଲମର ପାସ୍ଓଭର ପର୍ବ ସମୟରେ ଜଣେ ଅପରାଧୀକୁ ତାହାର ଅପରାଧରୁ କ୍ଷମାଦାନ କରିପାରିବାର କ୍ଷମତା ରୋମୀୟ ଗଭର୍ଣ୍ଣରଙ୍କର ରହିଥିଲା । ଏହି ପ୍ରକାର କ୍ଷମାଦାନ କାର୍ଯ୍ୟକ୍ରମ ସେହି ପର୍ବପାଳନର ଏକ ନିର୍ଦ୍ଧାରିତ ଅଂଶବିଶେଷ ହିସାବରେ ରହିଥାଏ । ଗଭର୍ଣ୍ଣର ପାଇଲେତଙ୍କ ମନ ଭିତରକୁ ଏହି ବିଚାର ଆସିଥିଲା ଯେ ଏହି ସଂପୃକ୍ତ ବଂଦୀ ଅଲୌକିକ ତରୁଣକୁ ତାହାର ରାଜଦ୍ରୋହ ଅପରାଧରୁ କ୍ଷମାଦେଇ ନିଜର ତଥା ନିଜ ରାଜ୍ୟଶାସନର ଏକ ଉଦାରବାଦୀ ଛବି ଜନସମକ୍ଷରେ ପ୍ରସ୍ତୁତ କରାଯାଇପାରେ ।

ଗଭର୍ଣ୍ଣର ପଂଟିଅସ୍ ପାଇଲେତ୍ କିନ୍ତୁ ଗୋଟିଏ ବିଚିତ୍ର ବିଚାର ପଦ୍ଧତି ଅନୁସରଣ କରିଥିଲେ ।

Christ of Saint John of the Cross (The Crucifixion)
Artist: Salvador Dali

ଗଭର୍ଣ୍ଣର ପଂଟିଅସ୍ ପାଇଲେତ୍ ପାସଓଭର ପର୍ବ ପାଇଁ ସମ୍ମିଳିତ ଉତ୍ସୃଙ୍ଖଳ ଜନତାଙ୍କୁ ସିଧାସଳଖ ପଚାରିଥିଲେ,ଏହି ତରୁଣ ବଂଦୀକୁ ମୃତ୍ୟୁଦଣ୍ଡ ଦିଆଯିବ କି ନାହିଁ ଏବଂ ଦ୍ୱିତୀୟରେ, ଏହି ପର୍ବର ପ୍ରଥା ଅନୁସାରେ ଯେଉଁ ଅପରାଧୀ ଜଣକର ଦଣ୍ଡକୁ ମାଫ୍ କରିବାର ବ୍ୟବସ୍ଥା ଅଛି ସେହି ଅନୁସାରେ ଉପସ୍ଥିତ ତରୁଣ ବଂଦୀକୁ ତାହାର ରାଜଦ୍ରୋହ ଅପରାଧରୁ ମୁକ୍ତି ଦିଆଯିବ ନା ନାହିଁ । ପାସଓଭର ପର୍ବ ପାଳନରେ ଏକପ୍ରକାର ଉନ୍ମତ୍ତ ଜନତା ହୁଏତ ଗଭର୍ଣ୍ଣରଙ୍କ ସବୁକଥାକୁ ଠିକରେ ବୁଝିପାରିନଥିଲେ । ସମସ୍ତେ ଏହି ଅଲୌକିକ ତରୁଣକୁ ମୃତ୍ୟୁଦଣ୍ଡ ଦେବାର ସପକ୍ଷରେ ହାତ ତଳକୁ କରିଥିଲେ ଏବଂ ସେହି ସଭାରେ ଭିନ୍ନ ଗୋଟିଏ ଅପରାଧୀକୁ ମୁକ୍ତି ଦେବାର ପ୍ରସ୍ତାବର ସପକ୍ଷରେ ହାତ ଟେକିଥିଲେ । ସେହି ଅପରାଧୀର ନାଆଁ ଥିଲା, ବାରାବାସ୍ । ବାରାବାସକୁ ତତକ୍ଷଣାତ୍ ମୁକ୍ତି ଦିଆଗଲା ଆଉ ସଦ୍ୟ ବଂଦୀ ହୋଇଥିବା ସେହି ଅଲୌକିକ ତରୁଣକୁ ମୃତ୍ୟୁଦଣ୍ଡ ଦେବାର ଆୟୋଜନ ହୋଇଥିଲା ।

ମୃତ୍ୟୁଦଣ୍ଡ ପୂର୍ବରୁ ସେହି ବଂଦୀ ସହିତ ଅତ୍ୟନ୍ତ ଅମାନବୀୟ ବ୍ୟବହାର କରାଯାଇଥିଲା । ତାହାକୁ ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରାଯାଇଥିଲା, ଶାରିରୀକ ଆଘାତ କରାଯାଇଥିଲା, ଯେତେ ସଂଭବ ଘୃଣା ଜଣେ ମଣିଷ ଆଉ ଜଣେମଣିଷକୁ ଦେଖାଇପାରିବ ସେହି ମୃତ୍ୟୁଦଣ୍ଡ ପାଳନ କରିବାକୁ ଯାଉଥିବା ଚରିତ୍ରଟି ପ୍ରତି ସମସ୍ତେ ସେତିକି ଘୃଣା ପ୍ରଦର୍ଶନ କରିଥିଲେ । ତାହାକୁ ଗୋଟିଏ ଓଜନଦାର କାଠନିର୍ମିତ କ୍ରୁଶକୁ ନିଜ କାନ୍ଧରେ ବୋହି ନେବାକୁ ହୋଇଥିଲା,ଯେଉଁ କ୍ରୁଶରେ ତାହାକୁ ଅବଶେଷରେ କଂଟାପିଟି ଝୁଲାଇ ହତ୍ୟା କରାଯାଇଥିଲା ।

ଏହି କରୁଣ ହତ୍ୟାକାଣ୍ଡର ଆୟୋଜନ ଆଉ ସମାପ୍ତି ପ୍ରାୟ ଛଅଘଂଟାର ସମୟ ମଧ୍ୟରେ ସଂପନ୍ନ ହୋଇଥିଲା ।

ଏହିଭଳି ବିଚାର ଆଉ ତ୍ୱରିତ ଦଣ୍ଡପ୍ରଦାନ ଯଦି ଆଜିର ଏକବିଂଶ ଶତାବ୍ଦୀରେ କୌଣସି ସ୍ଥାନରେ ଘଟିଥାନ୍ତା ତେବେ ମାନବାଧୀକାର କର୍ମୀଙ୍କଠାରୁ ଆରଂଭ କରି ସମସ୍ତ ଗଣମାଧ୍ୟମର ଏହା ଏକ ରୋଚକ ସକ୍ରିୟତାରେ ରୂପାନ୍ତରିତ ହୋଇଥାନ୍ତା
ନିଶ୍ଚୟ । ହୁଏତ ଏହି ବିଚିତ୍ର ବିଚାର ପଛରେ ଥିବା କେୟତେ ଗୋଟି ପ୍ରଶ୍ନ ନିଶ୍ଚୟ
ଉଠିଥାନ୍ତା। ଏକରେ, ଗଭର୍ଣ୍ଣର ପଂଟିଅସ୍ ପାଇଲେତ୍ କ’ଣ ସତରେ ଏହାର ମୁଖ୍ୟ ଖଳନାୟକ? ଦୁଇରେ, ସେ ସମୟର ଈହୁଦୀ ପୁରୋହିତ କାଇଆଫାସଙ୍କ ଅବକ୍ଷୟିଷ୍ଣୁ ସମ୍ମାନ ଯୋଗୁ ତାଙ୍କର ଏହିଭଳି ଏକ ‘କଂଗାରୁ କୋର୍ଟ’ରେ ଯୋଜନାବଦ୍ଧ ଚକ୍ରାନ୍ତ କ’ଣ ଏହାର ମୁଖ୍ୟକାହାଣୀର ଆଧାର ନୁହଁ? ତିନିରେ, ହଠାତ୍ ବାରବାସ୍ ଭଳି ଗୋଟିଏ ଅପରାଧୀକୁ ତୁରନ୍ତ ଉପସ୍ଥାପନ କରି ତାହାକୁ ଦୋଷମୁକ୍ତ କରିବା ସର୍ବସାଧାରଣକୁ ମୂଳ କଥାରୁ ଭିନ୍ନ ଦିଗକୁ ଲକ୍ଷ୍ୟଚ୍ୟୁତ କରିବା ପାଇଁ କ’ଣ ଉଦ୍ଦିଷ୍ଟ ନୁହଁ?

ଦୁଇହଜାର ବର୍ଷ ଧରି ଏହି ପ୍ରଶ୍ନ ଗୁଡିକ ଆମକୁ ଆନ୍ଦୋଳିତ କରି ଆସିଛି ।

ମନ୍ଦିର କର୍ତ୍ତୃପକ୍ଷ ବନାମ ନଜାରଥ୍ ଯୀଶୁ, ଏହି ବିଚାରଟି ଏକ ସର୍ବକାଳୀନ ଅଦ୍ଭୁତ ବିଚାର ହୋଇ ରହିଛି ପୃଥିବୀର ବିଚାର-ଇତିହାସରେ ଆଉ ସମଗ୍ର ପୃଥିବୀବାସୀ ଏହି ସମସ୍ତ ପ୍ରଶ୍ନର ଜଟିଳତାର ଊର୍ଦ୍ଧ୍ୱରେ ସେହି ଅଲୌକିକ ତରୁଣକୁ ତାହାର କ୍ରୁଶବିଦ୍ଧ ଅବସ୍ଥାରୁ ମୁକ୍ତି ଦେଇଛନ୍ତି ରେସରେକ୍ସନ ବୋଲି ଅମରତ୍ୱରେ, ନିଜ ନିଜର ବିଶ୍ୱାସରେ, ନିଃଶ୍ୱାସରେ ।

°°°°°

ଯୀଶୁ ଆମର ଚିରକାଳ ଲହୁଲୁହାଣ ର ଏକ ପ୍ରତୀକ।

ପୁରୁଣା ଗୋଆର “ପ୍ରୋଫେସଡ୍ ହାଉସ୍ ଆଣ୍ଡ ବାସିଲିକା ଅଫ୍ ବମ୍ ଯୀଶଶ୍ ” ବୋଲି ଏକ ଚର୍ଚ୍ଚିତ ଚର୍ଚ୍ଚରେ ଏମିତି ଲହୁଲୁହାଣ ଯୀଶୁଙ୍କୁ ଦେଖିବା ପରେ ଉପସ୍ଥିତ ଲେଖକ ଅସହଜ ହୋଇ ପଡିଥିଲା।

ସେଇ ଅସହଜ ଚିତ୍ର ପ୍ରତିମାଟି ଏଇଠି ।

ସଂପୃକ୍ତ ଆଲେଖଟି “ବର୍ଷା ପବ୍ଲିକେସନସ୍” ଆନୁକୂଲ୍ୟରେ ପ୍ରକାଶିତ ଉପସ୍ଥିତ ଲେଖକର ପୁସ୍ତକ “ଏକଦା ଏକ ଦିନ”ର ଅଂଶବିଶେଷ।

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →

Leave a Reply

Your email address will not be published. Required fields are marked *