ଷ୍ଟୁଡିଓ ବା ଚିତ୍ରକରର କର୍ମଶାଳା ଯେଉଁଠାରେ ଶିଳ୍ପୀ ସମଗ୍ର ସଂସାରଠୁ ଅଲଗା ହୋଇ ନିଜର ଭିନ୍ନ ଏକ ଜଗତକୁ ପ୍ରବେଶ କରିଯାଏ । ଏଥିପାଇଁ ଶିଳ୍ପୀକୁ ଅତିକ୍ରମ କରିବାକୁ ହେଇଥାଏ ବନ୍ଧନ ଓ ବିମୁକ୍ତି ମଧ୍ୟର ସେଇ ଅର୍ଗଳି ଯେଉଁଠାରେ ସଂସାରର କୋଳାହଳ ଧିରେ ଧିରେ ନିରବ ନିଷ୍ପ୍ରଭ ହୋଇପଡ଼େ । ଯେଉଁଠାରେ ତାର ସାଂସାରିକ ସତ୍ତା ଆପେ ଆପେ ରୂପାନ୍ତରିତ ହେଇଉଠେ ଶୈଳ୍ପିକ ସତ୍ତାକୁ । ଷ୍ଟୁଡିଓର ସେଇ ଘୋର ନିରବତା ଭିତରେ ଚାଲେ ଜପ, ତପ, ସାଧନା । ଚାଲେ କେତେକଣ ପରୀକ୍ଷା ନିରୀକ୍ଷା । ସଫଳତାର ଅନ୍ୱେଷଣରେ ବିଫଳ ହୁଏ ଆଉ ଲକ୍ଷ୍ୟହୀନ ଅନ୍ୟମନସ୍କତାରୁ ସୃଷ୍ଟି ହେଇଯାଏ ସଫଳତାର ଅଧ୍ୟାୟଟିଏ ।
ଭାରତର ଜଣେ ସ୍ୱନାମଧନ୍ୟ ଚିତ୍ରଶିଳ୍ପୀ ଶ୍ରୀ ଜତୀନ ଦାସ ଯାହାଙ୍କ ଷ୍ଟୁଡିଓ, ପରିଦର୍ଶନ କଲାଭଳି ଏକ ଯାଗା । ଜୋତା ଖୋଲି ଷ୍ଟୁଡିଓ ଭିତରକୁ ପ୍ରବେଶ କରିବାକୁ ହେଇଥାଏ । ପ୍ରବେଶ କରୁ କରୁ ସାମ୍ନାରେ ଷ୍ଟୁଡିଓ ଅଫିସ । ଯେଉଁଠାରେ ଚାରି ପାଂଚଟି ଡେସ୍କଟପ୍ କମ୍ପ୍ୟୁଟର୍ ଥାଏ । ଚାରି ପାଂଚଜଣ କର୍ମଚାରୀ ସଦାବେଳେ କାମ କରୁଥାନ୍ତି । ମୁଖ୍ୟ ପ୍ରବେଶ ଦ୍ୱାର ପାଖରେ ଜର୍ମାନ କବି ୟୋହାନ ୱଲଫଗାଙ୍ଗ୍ ଭନ୍ ଗ୍ୟୂଟେଙ୍କ ଏକ ଉଦ୍ଧୃତିକୁ ଫ୍ରେମରେ ବନ୍ଧେଇ କରି ରଖାଯାଇଛି । ଉଦ୍ଧୃତିଟି ହେଲା, “Whatever you do, or dream you can do, begin it. Boldness has genius, power and magic in it.” ଜତୀନ ଦାସଙ୍କ ହାବଭାବ ସହ ଏଇ ଉଦ୍ଧୃତିଟିର ସାମଂଜସ୍ୟତା ଥିବାଭଳି ମନେହୁଏ ଏବଂ ତାଙ୍କ ବ୍ୟକ୍ତିତ୍ୱର ପ୍ରଭାବ ଷ୍ଟୁଡିଓର କୋଣ ଅନୁକୋଣରେ ପ୍ରତିବିମ୍ବିତ ହୋଇଥାଏ । ସଦାବେଳେ କ୍ରିୟାଶୀଳ, କାର୍ଯ୍ୟବ୍ୟସ୍ତ, ସତର୍କ ଓ ସକ୍ରିୟତା ଭିତରେ କାମ ଚାଲିଥାଏ । ନିଷ୍କ୍ରିୟତାର କୌଣସି ସ୍ଥାନ ନାହିଁ । ଷ୍ଟୁଡିଓ ଭିତରେ ଦୁନିଆଟା ଯାକର ଜିନିଷ ଖୁନ୍ଦାଖୁନ୍ଦି ହେଇ ରଖା ଯାଇଥିଲେ ସୁଦ୍ଧା ଆଖିକୁ ଆଦୌ ଅଖାଡ଼ୁଆ ଅବାଗିଆ ମନେ ହୁଏନି । ସବୁକିଛି ଗୋଟେ ସୁନିୟୋଜିତ ଢ଼ଙ୍ଗରେ ସଫାସୁତୁରା ସଜଡ଼ାହୋଇ ରଖା ଯାଇଥାଏ । ଷ୍ଟୁଡିଓର ଯାବତୀୟ କାର୍ଯ୍ୟ ବିଶୃଙ୍ଖଳା ପଛେ ପଛେ ଶୃଙ୍ଖଳା ଛାଇ ଭଳି ଲାଗି ରହିଥାଏ । ସ୍ୱଚ୍ଛତା ତାଙ୍କ ଜୀବନର ଅନ୍ୟ ଏକ ମୂଳମନ୍ତ୍ର । ଅତିଥି ଆଗନ୍ତୁକମାନଙ୍କୁ ଖୁବ ଆତ୍ମୀୟତାର ସହ ଅଭ୍ୟର୍ଥନା ସତ୍କାର କରନ୍ତି ସେ । ସୁସ୍ୱାଦୁ ଖାଦ୍ୟ ବ୍ୟଂଜନ ପ୍ରସ୍ତୁତ କରି ଅତିଥିଗହଣଙ୍କ ମଧ୍ୟରେ ପରିବେଷଣ କରିବାରେ ସେ ଅପାର ଆନନ୍ଦ ପାଆନ୍ତି । ତାଙ୍କ ଆତିଥ୍ୟତାର ସୌଭାଗ୍ୟ ମୋତେ ଅନେକଥର ମିଳିଛି ।
ଏଇ ଅଳ୍ପ କିଛି ଦିନ ତଳର କଥା । କୌଣସି ଗୋଟେ କାମରେ ଖରାବେଳଟାରେ ଯାଇ ପହଂଚିଲି ମେହରୌଲି ଗାଁର ଅମ୍ବାୱାଟ୍ଟା କମ୍ପ୍ଲେକ୍ସଠାରେ ଅବସ୍ଥିତ ଜତୀନ ଦାସଙ୍କ ଷ୍ଟୁଡିଓରେ । ଷ୍ଟୁଡିଓର ଉତ୍ସାହଜନକ ପରିବେଶ ଭିତରେ ଗପସପ କଥାବାର୍ତ୍ତା ଚାଲିଲା । ମଧ୍ୟାହ୍ନ ଭୋଜନ ପରେ ଶ୍ରୀ ଦାସ ମୋର ଗୋଟେ ପଟ୍ରେଟ ଆଙ୍କିବାପାଇଁ ଇଚ୍ଛା କଲେ । ତାହା ନିଶ୍ଚିତଭାବେ ମୋ ପାଇଁ ଗୋଟେ ସୌଭାଗ୍ୟର କଥା ଥିଲା । ସେ ତାଙ୍କ ଝର କଲମରେ ପାର୍କର କାଳି ଭରିଲେ । ମୁହଁର ପୋଜ୍ ଠିକ କରିନେବା ପାଇଁ ଗୋଟେ ନିର୍ଦ୍ଧିଷ୍ଟ କୋଣକୁ ଚାହିଁ ରହିବା ପାଇଁ କହିଲେ । ସେ କହିବା ଅନୁସାରେ ମୁଁ ସ୍ଥିର ହେଇ ବସିରହିଲି । ମୋ ପ୍ରତିକୃତି ଆଙ୍କିବା ପାଇଁ A3 ସାଇଜର ଚିତ୍ର ଖାତାଟିଏ ବାଛିଲେ । ଅଙ୍କା ଆରମ୍ଭକରିବା ପୂର୍ବରୁ ଚିତ୍ର ଖାତାଟିର କାଗଜ ମସୃଣ ଅଛି କି ନାହିଁ କାଗଜଟିକୁ ଅଣ୍ଡାଳି ପରଖିନେଲେ । କାରଣ ଅମସୃଣ କାଗଜରେ ସରୁ କଲମ ବାରମ୍ବାର ଅଟକିବ । ସ୍କେଚ ଅଙ୍କା ଆରମ୍ଭ ହେଲା । ସାଁଇ ସାଁଇ କଲମ ଚାଲିଲା । ନିରବତା ଭିତରେ କଲମର ଖରଖର ଆୱାଜ୍ ମୋ କାନରେ ପଡ଼ିଲା । ଏକାଅଶୀ ବର୍ଷ ବୟସରେ ମଧ୍ୟ ସକ୍ରିୟତାର ସହ ଏଭଳି ବଳିଷ୍ଠ ରେଖା ଚାଳନା ଦେଖିଲେ ଯେକେହି ଆଚମ୍ବିତ ହେବ । ଏକଥା ଯେ କେବଳ ଏକ ମାଷ୍ଟର ଚିତ୍ରଶିଳ୍ପୀ ପକ୍ଷରେ ହିଁ ସମ୍ଭବ । ଚିତ୍ର ମଝିରେ ନିରବତାକୁ ଭାଙ୍ଗି ସାମାନ୍ୟ ବିରକ୍ତିର ସହ ସେ କହିଉଠିଲେ, “କଲମଟା ଅନେକ ଦିନ ହେବ ବ୍ୟବହାର ହୋଇନାହିଁ ତେଣୁ, ଚାଲିବାରେ ଅସୁବିଧା ହେଉଛି ।“ ପର୍ଟ୍ରେଟ ସ୍କେଚଟି ଶେଷ ହେବା ପାଇଁ ପାଖାପାଖ କୋଡ଼ିଏ ମିନିଟ୍ ଲାଗିଥିଲା ।
ତତ୍କାଳୀନ ଭାରତୀୟ ଲଳିତ କଳା ଶିକ୍ଷା ପଦ୍ଧତିରେ ସ୍କେଚ୍ ବା ଆଭାସ ଚିତ୍ର ବା ମୂଳ ରେଖାଚିତ୍ର ଅଭ୍ୟାସ ଗୋଟେ ଅତି ଗୁରୁତ୍ୱପୂର୍ଣ୍ଣ କଥା ଥିଲା । ଯାହାର ପାଖାପାଖି ସ୍ୱରୂପ ହେଲା ଆମ ପାରମ୍ପରିକ ଓଡ଼ିଶୀ ପଟଚିତ୍ରର ଟିପଣା । ଶିଳ୍ପୀର ଅନ୍ତର୍ନିହିତ ଭାବ ଓ ପ୍ରବୃତ୍ତିର ନିକଟତର ଅଭିବ୍ୟକ୍ତି ହେଲା ସ୍କେଚ୍ । ସ୍ୱଳ୍ପରୁ ସ୍ୱଳ୍ପତର ରେଖାର ପ୍ରୟୋଗରେ ଅଧିକରୁ ଅଧିକତମ ଅଭିବ୍ୟକ୍ତିକୁ ପରିପ୍ରକାଶ କରିପାରିବା ହେଲା ସ୍କେଚର ମୂଳ ଉଦ୍ଧେଶ୍ୟ । ଅନ୍ୟ ଅର୍ଥରେ, ଶିଳ୍ପୀ ଆଙ୍କିକରି ଯାହା ଦର୍ଶାଇଲା ଆଉ ଯେଉଁ କଥାକୁ ନ ଆଙ୍କି ଶୂନ୍ୟରେ ଛାଡ଼ିଦେଲା, ସ୍କେଚରେ ସେଇ ଦୁଇଟି ଯାକ କଥା ଗୁରୁତ୍ୱପୂର୍ଣ୍ଣ । ଯାହା ରେଖା ମାଧ୍ୟମରେ କହିହୁଏନା ତାହା ମହାଶୂନ୍ୟର ବିସ୍ତୀର୍ଣ୍ଣ ସମ୍ଭାବନା ଭିତରେ ଛାଡ଼ି ଦିଆଯାଏ । ଏଣୁ ପ୍ରତ୍ୟେକ ସମ୍ବେଦନଶୀଳ କଳାକାର ଚିତ୍ରରେ ରହିଥିବା ସେଇ ମହାଶୂନ୍ୟର ଗଭୀରତାକୁ ନେଇ ସଚେତନ । ସ୍କେଚର ଏହି ପ୍ରକ୍ରିୟା ଚିତ୍ରସାଧନାରେ ଭିଟାମିନ୍ ସଦୃଶ । ଏହା ଶିଳ୍ପୀ ଜୀବନର ମୂଳଦୁଆ । ନିର୍ଭରଶୀଳ ନ ହୋଇ ବିମୁକ୍ତି ପଥରେ ଆତ୍ମବିଶ୍ୱାସର ସହ ଅଗ୍ରସର ହେବାଲାଗି ଏହା ଅସୀମ ଶକ୍ତି ଯୋଗାଇ ଦେଇଥାଏ । ଶ୍ରୀ ଜତୀନ ଦାସ ଏହି ମାର୍ଗର ଜଣେ ଶିଳ୍ପୀ । ପରିଶ୍ରମ ସାପେକ୍ଷ ଶ୍ରମସାଧ୍ୟ କାମର ଚାପରେ ନ ପଡ଼ି ଆଜୀବନ ସ୍ୱାଭାବିକ ସାବଲୀଳ ଚିତ୍ତରେ କାମ କରିଆସୁଥିବା ଚିତ୍ରଶିଳ୍ପୀ ହେଉଛନ୍ତି ଶ୍ରୀ ଦାସ । ଏଇ ସନ୍ଦର୍ଭରେ କେ.ଜି ସୁବ୍ରମଣ୍ୟନ, ଭୂପେନ ଖାଖରଙ୍କ ଭଳି କିଛି କିଛି ଚିତ୍ରଶିଳ୍ପୀଙ୍କ କଥା ମନକୁ ଆସେ ଯେଉଁମାନେ ଆଜୀବନ ସ୍କେଚ୍ କରିବା ଛାଡ଼ି ନଥିଲେ । ଦେଖିବାକୁ ଗଲେ, ଏମାନଙ୍କ ଚିତ୍ରଧାରା ମୂଳ ପ୍ରାରମ୍ଭିକ ସ୍କେଚର ଅସୀମ ସମ୍ଭାବନାକୁ ନେଇ ସମୃଦ୍ଧ । ସ୍କେଚ୍ ଚିତ୍ରକୁ ନେଇ ଶ୍ରୀ ଦାସ କୁହନ୍ତି, “ହୀରା କାରିଗର ଯେଭଳି ସତର୍କତାର ସହ ହୀରା କାଟିଥାଏ, କଂସେଇ ଯେଭଳି ସଜାଗ ହେଇ ମାଂସକୁ କାଟେ ଠିକ୍ ସେଭଳି ଆଙ୍କିଲାବେଳେ ଶିଳ୍ପୀ ନିମଗ୍ନ ଚିତ୍ତରେ ଗାର ଟାଣିବାକୁ ହେଇଥାଏ ।“
ବସ୍ତୁର କେବଳ ଆକ୍ଷରିକ ନିରୀକ୍ଷଣ ସ୍କେଚ୍ ନୁହଁ । ସ୍କେଚ୍ ହେଉଛି ତାହା ଯାହା ମାଧ୍ୟମରେ ବିଜୁଳିବତ୍ ପଲକର ଅଭିବ୍ୟକ୍ତିକୁ ଧରିନେବାକୁ ହେଇଥାଏ । ଏହାରି ମାଧ୍ୟମରେ ଶିଳ୍ପୀ ଭାବ ଓ ବସ୍ତୁ, ଆକାର ଓ ନିରାକାର ମଧ୍ୟର ସନ୍ଧିକ୍ଷଣ ଆବସ୍ଥାକୁ ଉପନୀତ ହୋଇଥାଏ । ଉପନୀତ ହୋଇଥାଏ ଏକ ସଂଜ୍ଞାହୀନ ସମ୍ମୋହିତ ଅବସ୍ଥାକୁ । ସେଭଳି ଏକ ଅବସ୍ଥାରେ ହିଁ କ୍ଷଣସ୍ଥାୟୀ ସତ୍ତାର ସଜୀବରୂପକୁ ନିଜ ରେଖା ମାଧ୍ୟମରେ ତୋଳି ଧରିବାରେ ସମର୍ଥ ହେଇଥାଏ ଶିଳ୍ପୀ । ସାଧାରଣ ରେଖାଠାରୁ ଭିନ୍ନ ସେଇ ରେଖା, ଯା