ମୂଳ ଲେଖା : ଜୁଆନ ଭିଲୋରୋ || ଅନୁବାଦ : ଜ୍ୟୋତି ନନ୍ଦ
ଯେବେ ମେକ୍ସିକୋ ସହର ତଥାପି ଥିଲା ମୁଁ ଗୋଟିଏ ହଳଦି ରଂଗର ହେଲମେଟ ପିନ୍ଧୁଥିଲି। ଖୁଣ୍ଟି ଉପରେ ଚଢି ଟେଲିଫୋନ୍ ର କଥାବାର୍ତ୍ତାକୁ ଶୁଣୁଥିଲି। ଆକାଶଟା ଥିଲା ଏକ କେବୁଲ ଭର୍ତ୍ତି ସକାଳ,ବିଦ୍ୟୁତଶକ୍ତିର କମ୍ପନ,ପତଳା ପ୍ଲାଷ୍ଟିକ ରେ ଗୁଡାହୋଇ ରହିଛି। ଥରକୁ ଥର ସେଥିରୁ ଉଜ୍ଜଳ ନୀଳ ଝରିମାନ ଖସିପଡୁଛି ପୃଥ୍ୱୀ ଉପରେ। ଏହି ସମୟଟି ମୋର ଖୁଣ୍ଟି ଉପରେ ରହିଥିବାକୁ ସାର୍ଥକ କରେ। ମୁଁ ଯେଉଁ ବେଲ୍ଟଟି ପିନ୍ଧିଛି ସେଥିରେ ଭରି ରହିଛି ଅନେକଗୁଡିଏ ଯନ୍ତ୍ରପାତି ହେଲେ ମୁଁ ସେଥିରୁ ଗୋଟିଏ ଶୁଆଥଣ୍ଟିଆ ଛୋଟ ଚିମୁଟାକୁ ଭାରି ପସନ୍ଦ କରେ। ତାହାର କାମୁଡା କ୍ଷତର ଉପଶମ କରେ,ବିଦ୍ୟୁତଶକ୍ତିର ପୁନଃ ସଂସ୍ଥାପନ ହୁଏ।
ସାମ୍ନାରେ ଗୋଟିଏ ଥିଏଟର ହଲ ଥିଲା ଯେଉଁଠି ଗୋଟିଏ ବଡ ତମ୍ବୁର ଉପରକୁ ଉଠିଥିଲା ପଟିକାଗଜରେ ଗୋଟିଏ ପ୍ରାସାଦ। ଏହାର ପଛରେ ଥିଲା ଗୋଟିଏ କୋଠା ଯାହାର ନାଲି ଆଲୁଅ ଫକଫକ ହୋଇ ଏହାକୁ ଉଡାଯାହାଜ ମାନଙ୍କ ଠାରୁ ରକ୍ଷା କରୁଥିଲା। ଏହାର ଇଞ୍ଜିନମାନେ ନିରନ୍ତର ଶବ୍ଦ କରୁଥିଲେ,ହେଲେ ଏଇ ବହଳ ଆକାଶରେ ତାହାକୁ ଦେଖିବା ସମ୍ଭବପର ନୁହଁ।
ଇଲେକ୍ଟ୍ରିକାଲ ସୁପରଭାଇଜରଙ୍କ ନିର୍ଦ୍ଦେଶ ଆମକୁ ଏଇ କେବୁଲ୍ ସବୁକୁ ସତର୍କ ଭାବରେ ଶୁଣିବାକୁ ହେବ। ଆମର ଶତ୍ରୁମାନେ ଆମ ଆଡକୁ ଆଗେଇ ଆସୁଛନ୍ତି : ସେମାନଙ୍କର କଥାବାର୍ତ୍ତାକୁ ଶୁଣିବା ଅପରିହାର୍ଯ୍ୟ, ସେଥିରେ କିଛି ଯଦି ଅଦ୍ଭୁତ ରହିଛି ତାହାକୁ ଖୋଜିବା ଉଚିତ। ଦିନେ ଅପରାହ୍ନରେ ଭାରି ବର୍ଷା,ଖୁଣ୍ଟ ସହିତ ବନ୍ଧା,ମୁଁ ଗୋଟିଏ ଅଦ୍ଭୁତ ସ୍ୱର ଶୁଣିଥିଲି। ନାରୀ ଜଣକ କିଛି କହୁଛି ଆଉ କହିବାବେଳେ ସେ ଯେମିତି ଅନେକ କିଛିକୁ ଲୁଚାଇଦେବାକୁ ବସିଛି; ଭାରି ନରମ ଗଳା,ଭୟାର୍ତ୍ତ,ସେ କହୁଛି ” ପକ୍ଷୀଖିଆ”,
“ଉଜ୍ଜଳ “,”ତରାଟ”,”ଭଙ୍ଗା ବାଲକୋନି”। ମୁଁ ସେଇଠି କଥାବାର୍ତ୍ତା ସବୁକୁ ଶୁଣୁଥିଲି ଆଉ ହଲପ କରି କହିପାରିବି ଯେ ସେଇ କଥାଗୁଡିକ ବିନା ବାଧାରେ ଚାଲିଥିଲା। ମୁଁ ସେଇ ଇତସ୍ତତଃ ଶବ୍ଦମାନଙ୍କୁ ଶୁଣିଥିଲି,କଂପନରେ ଯେମିତି କୌଣସି ଏକ ନିରର୍ଥକ ସଂକେତ ବା ଯାହାକୁ ଇଂରେଜୀରେ କହିବା କୋଡ୍। ମୋତେ ସେଇ କଥାକୁ ଉପରିସ୍ଥଙ୍କ ନିକଟରେ ରିପୋର୍ଟ କରିବାକୁ ହେବ,ହେଲେ ମୁଁ ସେମିତି କିଛି କରିନାହିଁ; ମୁଁ ଜଣେ କାହାକୁ ଅନୁମତି ଦେଉଛି,ଅନ୍ୟତ୍ର କେଉଁଠି,ସେଇ ସବୁକିଛିକୁ ବୁଝିପାରିବା ନିମନ୍ତେ ଯାହାକୁ ମୁଁ ବୁଝିପାରୁନାହିଁ ।
କିଛିଦିନ ପରେ ମୁଁ ଧୂ ଧୂ ହୋଇ ଜଳିଯାଇଥିବା ତାଳଗଛଗୁଡିକୁ ଦେଖିବାକୁ ପାଇଥିଲି। ଶତ୍ରୁମାନେ ପାର୍ଶ୍ୱବର୍ତ୍ତି ଇଲାକାକୁ ଜାଳି ଦେଇଛନ୍ତି ଯେଉଠି ଏବେବି ତଥାପି କିଛି ଗଛ ରହିଛି। ଖୁଣ୍ଟ ସହିତ ପୂରାପୁରି ଜଡିତ,ମୁଁ କହିପାରିବି ନାହିଁ ଯେ ସହରଟା ଅସଲରେ ବଢୁଛି ନା କମୁଛି। ବେଳେ ବେଳେ,ଭେରୀତୂରୀର ମଧ୍ୟରେ ,ଅନୁଗତ ସୈନ୍ୟବାହିନୀ କେବୁଲ୍ ରେ କଥାବାର୍ତ୍ତା କରିଥାନ୍ତି; ତାହାପରେ ବୋମାମାଡ,ଭିନ୍ନ ଏକ ସାମରିକ ବାହିନୀର କର୍କଶ ଗଳା।
ପ୍ରତିପକ୍ଷର କୋଣକୁ ଦେଖିଲେ ସେଇଠି କିଛି ଅଦ୍ଭୁତ ଘଟିଥାଏ; ହଳଦି ରଂଗର ହେଲମେଟଟି ବେଶ୍ କିଛି ଘଣ୍ଟା ଧରି ନିଶ୍ଚଳ। ମୁଁ ଚେଷ୍ଟାକରେ ଆଉ କାହାକୁ ଜଣାଇଦେବା ପାଇଁ ଯେ ମୋର ସହକର୍ମୀ ଜଣକ ଆଉ ନାହିଁ ; ଅନେକ ବ୍ୟସ୍ତ ନମ୍ବରସବୁକୁ ଘୁରାଇ ଘୁରାଇ ମୋର ଆଙ୍ଗୁଳିରୁ ରକ୍ତ ଝରୁଥାଏ। ଯେବେ ମୁଁ ସେଇ ନିଶ୍ଚଳ ହେଲମେଟ୍ କୁ ଦେଖୁଥାଏ,ମୁଁ ସେଇ କୋମଳ ଭୟାବହ ଶବ୍ଦମାନଙ୍କୁ ପୁଣି ଶୁଣିବାକୁ ପାଏ: “ଶୋଇବା ଘର”, “ସିନାମମ୍” ,”ମୂର୍ତ୍ତି”। ମୁଁ କଳ୍ପନା କରେ,ଯଦିଓ ଈର୍ଷା ଜରଜର,ଯେ ସେଇ ଶବ୍ଦଗୁଡିକ ଆଉ କାହା ପାଇଁ ସନ୍ଦେଶ ଥିଲା। ମୋ ପାଇଁ ତାହା କେବଳ ଦୁଃଖଦ। ମୁଁ ଇଲେକ୍ଟ୍ରିକାଲ ସୁପରଭାଇଜର୍ କୁ ସେତେବେଳେ ବି କିଛି କହିନଥିଲି।
ଦିନେ ବଡି ଭୋରରେ ଗୋଟିଏ ବିଷ୍ଫୋରଣ ମୋତେ ବିପର୍ଯ୍ୟସ୍ତ କରିଦେଲା। ମୁଁ ଓୟାରିଙ୍ଗ ବକ୍ସକୁ ଖୋଲିଲି: ସେଥିରେ ଥିବା ଫୋଟୋ ଇଲେକ୍ଟ୍ରିକ ସେନସର୍ ରୁ ପୋଡିବା ଭଳି ଗନ୍ଧ ଆସୁଥାଏ। ମୁଁ ଫ୍ଲାସଲାଇଟ୍ ଟାକୁ ଜଳାଇଲି; ମୋ ପାଖରେ ଯେଉଁ ବ୍ୟାଟେରି ଅଛି ତାହାର ଚାର୍ଜ ସପ୍ତାହେ ଖଣ୍ଡେ ସେମିତି ଥିବ,ହେଲେ ମୋର କାହିଁକି ମନେ ହେଲା ଯେ ଲୋକମାନେ ସେତିକି ଦିନ ଆଉ ତିଷ୍ଠିବେ ନାହିଁ ।
ତାଙ୍କର କଲ୍ ରେ,ସୁପରଭାଇଜର୍ ମୋତେ କହିଲେ,” ଯିଏ କେବୁଲ୍ କୁ କଂଟ୍ରୋଲ୍ କରୁଛି,ଜାଣିବ ସିଏ ସାରା ସହରକୁ କଂଟ୍ରୋଲ୍ କରୁଛି ।” ଶତ୍ରୁମାନେ ବିଦ୍ୟୁତ ସରବରାହକୁ ବିଚ୍ଛିନ୍ନ କରି ସାରିଲେଣି,ସିନେମା ଦେଖାଉଥିବା ଥେଟର୍ ହଲ୍ ଟି ଜଳି ସେଥିରୁ ଲାଲଚିଆ ଧୂଆଁ ଉଠୁଛି,ମାତ୍ର ଫୋନ୍ ସବୁ କାର୍ଯ୍ୟକ୍ଷମ ଅଛନ୍ତି। ମୁଁ ଶୁଣିଲି ଜଣେ ନାରୀର କଂଠ “ସୁବାସ”, “ଗ୍ରହ”, “ଲେମନଚୁଷ”,”ନରମ ପଥର”। ମୁଁ ତାହା ବିଷୟରେ କୌଣସି ରିପୋର୍ଟ କରିପାରି ନାହିଁ । ଆସ୍ତେ ଆସ୍ତେ,ଛାତି ଦକ ଦକ ଏବଂ ସଞ୍ଜମିତ ନିଷ୍ଠୁରତାର ସହ,ମୁଁ ବୁଝିପାରିଲି ଶତ୍ରୁର ସ୍ୱରଟି କେତେ ମଧୁର ଥିଲା।
ମୁଁ ନିଶ୍ଚିତ ଭାବରେ ଶୋଇପଡିଥିଲି ଯେତେବେଳେ ସେମାନେ ମୋର ବିପରୀତରେ ଥିବା ଖୁଣ୍ଟରୁ ମୋର ସହକର୍ମୀକୁ ତଳକୁ ଓହ୍ଲାଇ ନେଇଥିବେ। ଏହାପରେ ମୋର ପାଳି,ଗୋଟିଏ ଗ୍ଲୋଭସ୍ ପିନ୍ଧା ହାତ ମୋତେ ପଛପଟରୁ ଓଟାରିଚାଲିଛି। ଉତ୍କଟ ପବନକୁ ଶ୍ୱାସପ୍ରଶ୍ୱାସରେ ଭରିଥିବା କାରଣରୁ ମୁଁ ମାତାଲ,ଆଉ ମୁଁ କେବେହେଲେ ଜାଣିପାରିନାହିଁ କେଉଁଭଳି ମୁଁ ଏଇ ଜ୍ୱଳନ୍ତ ସହରକୁ ଅତିକ୍ରମ କରି ଆସିଛି।
ସପ୍ତାହ ପରେ ସପ୍ତାହ,ହୁଏତ ମାସ ପରେ ମାସ,ମୁଁ ଏପରି ଗୋଟିଏ ଘରେ ବସବାସ କରୁଛି ଯାହାର କାନ୍ଥମାନ ଧାତୁରେ ଗଢା। ସେମାନେ କମ୍ପୁଟର୍ ରେ ଗୋଟାଏ ବିକଟାଳ ଛବି ମୋତେ ଦେଖାଇଥିଲେ। ତାହାର ନାଆଁ ଥିଲା “ସିଟି ଅଫ୍ ପାଲେସେସ୍” ଆଉ କାଗଜପଟିରେ ତିଆରି ଦୁର୍ଗ ଭଳି ଗୋଟିଏ ସିନେମା ହଲ ସେଥିରେ ଦେଖାଯାଉଥିଲା ,ତାହାର ପଛରେ ଥିଲା ଗୋଟିଏ ଉଚ୍ଚା ବିଲଡିଙ୍ଗ୍,ଆଉ ଯାହାର କେବୁଲ୍ ମାନଙ୍କର ଦାୟିତ୍ୱ ଏକଦା ମୋ ହାତରେ ଥିଲା। “ସତଷଠି ଜଣ ରହିଛନ୍ତି” ମୋତେ ଅବରୁଦ୍ଧ କରିଥିବା ଲୋକଜଣକ କହେ। ଏହା ସତ। ମୁଁ ସତଷଠିଟା କେବୁଲ୍ ର ଦାୟିତ୍ୱରେ ରହିଥିଲି ଏବଂ ମୁଁ ସେସବୁକୁ ଅନିର୍ଦ୍ଦିଷ୍ଟ ଶତ୍ରୁର କବଳରୁ ସୁରକ୍ଷା ପ୍ରଦାନ କରିଛି। ସେଇ ରାତିମାନ ଯେତେବେଳେ ମୁଁ ବିଦ୍ୟୁତ ସଂଚୟ କରିଚାଲିଥିଲି ଆଉ ସେଇ କଲ୍ ଗୁଡିକ ମଧ୍ୟରେ ଅନେକଦିନ ଧରି କୌଣସି ପ୍ରକାରର ଫରକ ବାରି ହେଉନଥିଲା। କେବଳ ଥରେ ମୁଁ ଗୋଟିଏ କେବୁଲ୍ ର କ୍ଷତି କରିଥିଲି। ମୁଁ ଖୁଣ୍ଟରୁ ତଳକୁ ଓହ୍ଲାଇ ଆସିବାର କିଛିଦିନ ପୂର୍ବର କଥା ଥିଲା ସେଇଟା।
ସହରଟିର ଏବେ ଯାହା କିଛି ରହିଛି ତାହା ଖାଲି ଫଟୋଗ୍ରାଫ। ମୁଁ ଯଦି ସେଇ କେବୁଲ୍ ର କ୍ଷତି କଥା କହି ବସିବି,ମୋର ପ୍ରହରୀମାନେ ଗୋଲକଧନ୍ଦା ଭିତରକୁ ପ୍ରବେଶ କରି ଯିବେ,ସେଇଠୁ ଖିଅ ଧରି ଫଟୋଗ୍ରାଫ ଯାଏଁ,ସେଇ ଘରକୁ ଯେଉଁଠି ଭିନ୍ନ ଭିନ୍ନ ସ୍ୱର ବାସ କରୁଥିଲା। ମୋର ସାମ୍ନାରେ ରହିଛି ସତଷଠିଟି କେବୁଲ୍ ଯାହା ଏକଦା ଥିଲା ମୋର ଜୀବନ। ସେଥିରୁ ଗୋଟିଏ ସେମାନଙ୍କୁ ସେଇ ନାରୀର ନିକଟକୁ ନେଇ ଯାଇ ପାରିବ। ତାହା ଭିତରୁ କେଉଁଟି ମୁଁ ତାହା ଠିକ୍ ଜାଣେ। ହେଲେ ମୁଁ କହିବି ନାହିଁ ।
Juan Antonio Villoro Ruiz (born 24 September 1956, in Mexico City) is a Mexican writer and journalist.