ଏକ
ସବୁଠୁ ଅଧିକ ଉଚ୍ଚ
ସବୁଠୁ ଅଧିକ ଉଚ୍ଚତା
ତାହା କେଉଁଭଳି
ମୋତେ ଜଣାନାହିଁ।
ଚଢିଲେ ହେବ କ’ଣ
ପାହାଡର ସବୁଠୁ ଉଚ୍ଚ ଶୀର୍ଷକୁ
ହାତରେ ଛୁଇଁଲେ
ହିମାଳୟ ସାଗରମଥା
ଜର ତ ନୁହଁ ।
ଏତିକି ଥଣ୍ଡା ସେ ଉଚ୍ଚତା
ଯେ ଆଉ ସେମିତି ହେବାର ଆଶା ବି ନାହିଁ ।
ମୁଁ ଚାଲି ଯାଏ
ବହୁତ ଉଚ୍ଚ
କୌଣସି ମହାକାଶ ଯାନରେ ସବାର ହୋଇ
ସାଥିରେ ଥାଆନ୍ତି ଦି ଚାରିଜଣ ଘନିଷ୍ଠ ବନ୍ଧୁ
ଆଉ ଖରିଦ କରି ରଖିଥାଏ
ସ୍ମରଣ ନିମନ୍ତେ
ଗୋଟିଏ ବଢିଆ ଶସ୍ତା ଦୂରବୀଣ ।
ହୁଏତ ସମଗ୍ର ପୃଥ୍ୱୀକୁ
ନେଇଯାଏ ସାଥିରେ ଗୋଟିଏ ରକେଟ୍ ଭଳି
ନିଜର ଦୁନିଆ ଜାହାନ ସହ
ଅନନ୍ତ କାଳ ଧରି ଯାହାର ଶେଷ ନାହିଁ
ଖଣିଜ ଇନ୍ଧନର ସେ ଶକ୍ତି
ଦୁନିଆ ସହିତ ଏକାଠି ବସି ଖାଇବା ପାଇଁ
ଭର୍ତ୍ତି ଟିଫିନ୍ ର ଡବା ରଖିଥାଏ
କେତେବେଳେ ତ ନିଶ୍ଚୟ ଯାଇ ପହଞ୍ଚିଯିବି
ସେଇ ଅନ୍ତିମ ଉଚ୍ଚତାରେ
ବାସ୍ ସେଇଠୁ ବାହାର କରିବି ମୋ ଦୁରବୀଣ
ଦେଖିବି ମୋ ପଛନ୍ତେ ଏହାପରେ ହେଉଛି କ’ଣ ।
ଏତିକିରେ ତ ମୁଁ ଥକିଯିବି
ମରିଯିବି ପୁରାପୁରି
ମାତ୍ର ଦୁରବୀଣକୁ ରଖିଦେଇଥିବି
ପେଡିରେ ଅତି ଯତନରେ ।

ଦୁଇ
ଚିତ୍ରକାରକୁ ମୋ କବିତା ପସନ୍ଦ ନୁହଁ
ଚିତ୍ରକାରକୁ ମୋ କବିତା ପସନ୍ଦ ନୁହଁ,
ଦିନରେ ଦିନର ଉଜ୍ଜଳତାର ରଂଗ
ରାତିରେ ରାତିର ଉଜ୍ଜଳତାର
ଅଂଧାର ତ ଦିନ ରାତି ର ଏମିତିକା ।
ସଂଗୀତକାରକୁ ବି ମୋ କବିତା ପସନ୍ଦ ନୁହଁ
ରାତିର ସବୁ ତାରାଙ୍କ ଠାରୁ
ଗୋଟିଏ ଗୋଟିଏ ତାରକୁ ଟାଣି ଆଣି
ଗୋଲ ପୃଥିବୀରେ ବେଶ୍ ସୁରରେ କସି
ବାନ୍ଧିଛି ସିଏ ଯେଉଁ ତାନପୁରା
ଅଥବା ନିଜର ସଭିଙ୍କ ପସନ୍ଦର
ଏକାନ୍ତ ଧ୍ରୁବତାରା କୁ ଟାଣି ଆଣି ଏକତାରା
ତାହାକୁ ସାଥିରେ ଧରି ଘୁରି ବୁଲୁଛି ଏଇ ଗଳିରୁ ସେଇ ଗଳି
ଗଳି ଗଳି ସାରା ସୁରର ସମାରୋହ।
ଚିତ୍ରକାରର ଚିତ୍ର
ସଂଗୀତ ସଂଗୀତକାରର ମୋର ଭାରି ପସନ୍ଦ।
ତିନି
କେଉଁ ଅଧା ପୂରା ହୁଏନାହିଁ
କେଉଁ ଅଧା ପୂରା ହୁଏନାହିଁ
ଆଉ ଗୋଟିଏ ନୂଆ କ’ଣ ଆରମ୍ଭ ହୋଇ
ନୂଆ ଅଧାଟିଏ ଛାଡି ଯାଏ
ଆରମ୍ଭରୁ ସେମାନେ ଏତେ ଯେ
ଗଣି ବସିଲେ ବି ଛାଡିଯିବାକୁ ପଡିବ ଅଧା
ମାତ୍ର ଏହିଭଳି ଅସମାପ୍ତ
ଅଧାମାନଙ୍କରେ ଗଢା ଥିବା ଜୀବନକୁ
ଅଧା ନୁହଁ ପୂରା ବୋଲି ମାନିନିଆଯାଏ
ଯେମିତି ଜୀବନକୁ ଆମେ ଭରପୁର ବଂଚିଥାଉ
ଏଇ ଭରପୂର ଜୀବନରେ
ମରଣର ଠିକ୍ ଆଗରୁ ବି ମୁଁ
ଗୋଟିଏ ନୂଆ କବିତା ଆରମ୍ଭ କରି ପାରିବି
ମରଣର ଅନେକ ଅନେକ ଆଗର କବିତା ଭଳି
ଜୀବନର ପ୍ରଥମ କବିତା ଭଳି ମୋର
କେଉଁ ନୂଆ ଅଧା ତେଣୁ ଅନ୍ତିମ ନୁହଁ।

ଚାରି
ମୋ ଘରକୁ ଯେଉଁମାନେ କେଉଁଦିନ ଆସିବେ ନାହିଁ
ମୋ ଘରକୁ ଯେଉଁମାନେ କେଉଁ ଦିନ ଆସିବେ ନାହିଁ
ସେମାନଙ୍କ ସହିତ ଦେଖା କରିବାକୁ ଯିବି ।
ବନ୍ୟାରେ ଫୁଲି ଉଠିଥିବା ନଈ ମୋ ଘରକୁ ଆସିବ ନାହିଁ କେଉଁ ଦିନ,ଜାଣେ
ସେଇ ନଈ ସହିତ ଦେଖା କରିବାକୁ ଯିବି ମୁଁ,
ଅନ୍ୟ ସବୁ ମଣିଷ ପରି,
ନଈ ପାଖକୁ ଯିବି,କିଛି ସମୟ ପହଁରିବି,ଡୁବ ଦେବି ।
ବାଲୁଚର ଭୂଇଁ,ପଥର,ପାହାଡ ଗୋଟିଏ ,
ଗୋଟିଏ ପୁଷ୍କରିଣୀ,ଅନନ୍ତ ବୃକ୍ଷଶ୍ରେଣୀ, ସବୁଜ ପ୍ରାନ୍ତର
କେହି ଆସିବେନି ଘରକୁ ମୋର,ଜାଣେ ।
ମୁଁ ଖୋଜିନେବି ସମସ୍ତ ଆରୋହଣ ଅବରୋହଣ,
ବାଲୁଚର ଭୂଇଁ,ପାହାଡ ଆଉ ପଥର ର ପାଇଁ,
ଅନ୍ୟ ସବୁ ମଣିଷଙ୍କ ଭଳି ।
ଯେଉଁମାନେ ସାରାକ୍ଷଣ କାମ କରନ୍ତି,
ସେମାନଙ୍କ ନିକଟକୁ ମୁଁ ଯିବି,
ମୋର ଅବସର ସମୟରେ ନୁହଁ ,
ଯେମିତି ସେଇଟି ଏଇଲେ ଏକ ନିହାତି ଜରୁରୀ କାମ,
ସେଇ ଭଳି ଭାବି ।
ଏଇ ପ୍ରଥମ ଇଚ୍ଛାଟିକୁ ଧରି ରଖିବି,
ଯେମିତି ଇଏ ମୋର ଅନ୍ତିମ ଇଚ୍ଛା ।

ପାଞ୍ଚ
ମଜଦୁର ଏଇ ପଟକୁ ଚାଲ
ମଜଦୁର ଏଇ ପଟକୁ ଚାଲ
ଚାଲୁଥାଅ ନିରସ୍ତ୍ର
ଅଟକାଇ ଦେବାକୁ ଯେଉଁ ପଟେ
ରାସ୍ତାକୁ ଜଗି ହତିଆରବନ୍ଦ ପୁଲିସ ଛିଡା ହୋଇଛି
ଚାଲୁଥାଅ ଆଗକୁ ଏଇ ପଟକୁ ନିରସ୍ତ୍ର ଏପରି
କି ହାତରେ ସେଇ ଫୁଲର ଡାଳଖଣ୍ଡିକ ବି ନଥିବ
ଯେଉଁଠି ରହିଥିବ ଗୋଟିଏ ଫୁଟିଲା ଫୁଲ
ଦୁଇଟି ଅଧଫୁଟା କଢି ।
ନିରସ୍ତ୍ର ଆଗେଇ ଚାଲ ଏପରି
କି ପକେଟରେ ବି ଘରର ସେଇ ଚିଠି ଖଣ୍ଡିକ ନଥିବ
ସେଥିରେ ତମକୁ କିଛି ମାଗିବାକୁ ଲେଖାନାହିଁ
ଆଉ ବୁଝି ବିଚାରି ପଚରା ଯାଇ ନାହିଁ
କି ଭାତିଆ ମିଳିଲା କି ନାହିଁ ଆଜି ଯାଏଁ
ଆଉ ଏତେ ସବୁ ଦୁଃଖ ତକଲିଫ
ସେସବୁର ଗୋଟିଏ ବୋଲି ଧାଡି ଲେଖା ନଥିବ ସେଥିରେ।
ଖାଲି ହାତରେ ନିରସ୍ତ୍ର ଏକଦମ ଆଗକୁ ଚାଲ
କି ଗୋଟିଏ ଖାଲି ବୁଜୁଳି ବି ନଥିବ ହାତରେ ତମର
ଲେଉଟାଇ ଦେଖାଅ ବାହାରକୁ ତମର ଖାଲି ପକେଟ
ବିଡି,ମାଚିସ୍ କୁ ବି ସେଥିରୁ ଖାଲି କରିଦିଅ
ଯଦି ପକେଟରେ ରହିଛି ଆଠଣି କି ଚାରଣି
ତେବେ ତାହାକୁ ତୁରନ୍ତ ଦୋକାନଦାରକୁ ଦେଇ ପକାଅ
ଯାହାର ଉଧାରି କେବେଠୁ ତମର ଉପରେ ଭାରି
କିଏ ଜାଣେ କେତେ ଟଙ୍କା ହେବ
କହୁଚି ଦେହରୁ ଉତ୍ତାରି ଫୋପାଡି ଦିଅ ନିଜର କାମିଜ
ତାହାର ବେକକୁ ଯଦି ଠିକଠାକ ମାପର ହେଉଛି
ଫଟା ତାଳିପକା ହେଉ ପଛକେ
ଆଉ ଆଗକୁ ଚାଲ ଉଧାରୀ ଛାତିଟିକୁ ନେଇ ଏକା ସାଙ୍ଗରେ ସଭିଏଁ
ଏପରି ହିଁ ନିରସ୍ତ୍ର ଖାଲି ପେଟ ଏଇ ପଟରେ
ଯେଉଁ ପଟେ ହତିଆରବନ୍ଦ ପୁଲିସ ଛିଡା ହୋଇଛି ରାସ୍ତାର ଉପରେ
ତମ ଉପରେ ତଥାପି ବି ଗୁଳି ଚାଲିବ।

ଛଅ
ହତାଶାରେ ଦବିଯାଇଥିବା ଲୋକଟିଏ
ହତାଶାରେ ଜଣେ ଲୋକ ଦବିଯାଏ
ଲୋକଟି କୁ ମୁଁ ଜାଣି ନଥିଲି
ହତାଶାକୁ ଜାଣିଥିଲି
ସେଇଥିପାଇଁ ମୁଁ ସେଇ ଲୋକଟିର ପାଖକୁ ଗଲି
ମୁଁ ହାତ ବଢାଇଦେଲି
ମୋ ହାତକୁ ଧରି ସେ ଛିଡା ହୋଇଗଲା
ମୋତେ ସେ ଜାଣେ ନାହିଁ
ମୋର ହାତ ବଢାଇଦେବାକୁ ଜାଣେ
ଆମେ ଦିଜଣ ସାଙ୍ଗ ସାଙ୍ଗ ହୋଇ ଚାଲିଲୁ
ଦିଜଣ ଭିତରେ ଜଣେ ଆରଜଣକୁ ଜାଣି ନଥିଲା
ସାଙ୍ଗ ସାଙ୍ଗ ହୋଇ ଚାଲିବାକୁ ଜାଣିଥିଲୁ।
ସାତ
ଉପନ୍ୟାସର ଆଗରୁ ଥିଲା କବିତାଟିଏ
ଅଗଣିତରୁ ବାହାରି ଆସେ ଗୋଟିଏ ତାରା।
ତାରାଟି ଅଗଣିତରୁ କେମିତି
ବାହାରି ଆସିଥିଲା ?
ଅଗଣିତରୁ ଅଲଗା ହୋଇ
ଗୋଟିଏ ଏକାକୀ
ରହିଥିଲା ପ୍ରଥମେ କିଛି ସମୟ।
ଦମକାଏ ବତାସ ଆସେ ଯେମିତି
ସିଏ ବି ଥିଲା ଅଗଣିତ ବତାସର ଝାମ୍ପ
ତାହାର ଭିତରୁ
ଦମକାଏ ପ୍ରଥମେ କିଛି ସମୟ।
ଅଗଣିତରୁ ବାହାରି ଗୋଟିଏ ଲହରୀ ବି
ପ୍ରଥମେ,ବାସ୍ କିଛି ସମୟ।
ଅଗଣିତରୁ ଏକେଲା
ଅଗଣିତ ଏକେଲା ଅଗଣିତ।
ଅଗଣିତ ରୁ ଏକେଲା ଏକ
ସଂଗିନୀ ଜୀବନ ସାରା।
°°°°°

ସଂପ୍ରତି ୫୯ ତମ ସମ୍ମାନଜନକ ଭାରତୀୟ ଜ୍ଞାନପୀଠ ପୁରସ୍କାରର ପ୍ରାପକ ହେଉଛନ୍ତି ଛତିଶଗଡରେ ଜନ୍ମିତ ଶ୍ରୀ ବିନୋଦ କୁମାର ଶୁକ୍ଳ ( ଜ:୧୯୩୭) ।
ଶ୍ରୀଶୁକ୍ଳ ହିନ୍ଦି ଭାଷାର ଜଣେ ଅତ୍ୟନ୍ତ ଚର୍ଚ୍ଚିତ କଥାକାର ଓ କବି । ତାଙ୍କର କବିତା ଗ୍ରନ୍ଥ ମାନଙ୍କ ଭିତରେ “କବିତା ସେ ଲଂବି କବିତା” ଏବଂ ତାଙ୍କର ଉପନ୍ୟାସ ମଧ୍ୟରେ “ନୌକର କି କାମିଜ” ଏବଂ ” ଦରବାଜା ମେଁ ଖିଡକି ରହତା ହୈ ” ଯଥେଷ୍ଟ ପାଠକୀୟ ଆଦୃତି ଏବଂ ସମାଲୋଚନାମୂଳକ ଉଲ୍ଲେଖ ଅର୍ଜନ କରିଅଛି। ତାଙ୍କର ପଦ୍ୟ ଏବଂ କାହାଣୀରେ ଶ୍ରୀ ଶୁକ୍ଳ ଅତ୍ୟନ୍ତ ସାଧାରଣ ମଣିଷର ସୌନ୍ଦର୍ଯ୍ୟବୋଧ ଏବଂ ଯାତନାକୁ ଅତ୍ୟନ୍ତ ସାବଲୀଳ ଭଂଗୀରେ ଆଉ ନିହାତି ସହଜ ଭାଷାରେ ଶ୍ରୀଶୁକ୍ଳ ତାଙ୍କର କାହାଣୀରେ ,ପଦ୍ୟରେ ଉପସ୍ଥାପନା କରିଥାନ୍ତି।
ତାଙ୍କର ଲେଖାରେ ଗୁମୁରି ରହିଥିବା ଆନନ୍ଦ,କହିହେଉନଥିବା ଯାତନା ଏବଂ ଅଣନିଃଶ୍ୱାସୀ କରିଦେଉଥିବା ପ୍ରତିବାଦ ଆମକୁ ଏକାସାଙ୍ଗରେ ଆକର୍ଷଣ ଆଉ ଅସହଜ କରିଥାଏ। ନିଜର ଲେଖନ ସଂପର୍କରେ ଥରେ ସେ କହିଥିଲେ,”କହିବାକୁ ଅନେକ କିଛି ରହିଛି କିନ୍ତୁ ଏଇ ସବୁ ଏତେ ଅସଜଡା ଯେ ମୁଁ ନିଜକୁ ନିଜ ଭିତରକୁ ସାଉଁଟି ନେଇ ପାରୁନାହିଁ। ମୁଁ ନିଜର ବିଚାରକୁ ନିଜର ପୁସ୍ତକର ମାଧ୍ୟମରେ ବ୍ୟକ୍ତ କରିବାକୁ ପସନ୍ଦ କରେ।”
ସାହିତ୍ୟ ର ସମସ୍ତ ଆଡମ୍ବର ଆଉ କୋଳାହଳମୟ ଭବ୍ୟ ପ୍ରଦର୍ଶନୀଗୁଡିକ ଠାରୁ ସବୁବେଳେ ଦୂରତା ରକ୍ଷା କରିଆସୁଥିବା ,ପ୍ରଚାରବିମୁଖ ଏଇ ଲେଖକ ଜଣକ ନିଜର ପରିଣତ ଅଶୀତିପର ବୟସରେ ବି ପ୍ରତ୍ୟହ ଦୈନିକ ସାତ ଆଠ ଘଣ୍ଟା ଅଧ୍ୟୟନ ଆଉ ଲେଖନ କାର୍ଯ୍ୟରେ ନିଜକୁ ବିନିଯୋଗ କରିଥାନ୍ତି।
ଶ୍ରୀଯୁକ୍ତ ବିନୋଦ କୁମାର ଶୁକ୍ଳଙ୍କୁ ଅଭିନନ୍ଦନ।