ଆଣ୍ଟନ୍ ଚେକଭ୍ ଙ୍କ ଶେଷ କେତୋଟି ଦିନ – ୧

ମୂଳ ଲେଖା – ରେମଣ୍ଡ କାର୍ଭର || ଅନୁଵାଦ – ଜ୍ୟୋତି ନନ୍ଦ

ଚେକଭ୍। ୧୮୯୭ ସାଲ ୨୨ ମାର୍ଚ୍ଚର ସଂଜରେ ଡିନର ପାଇଁ ଯିବାବେଳେ ତାଙ୍କର ସାଥିରେ ଥାଆନ୍ତି ଅନ୍ତରଙ୍ଗ ବନ୍ଧୁ ଆଲେକ୍ସି ସୁଭୋରିନ । ସୁଭୋରିନ୍ ହେଉଛନ୍ତି ଜଣେ ସଂବାଦପତ୍ର ଏବଂ ପୁସ୍ତକ ପ୍ରକାଶକ, ଜଣେ ପ୍ରତିକ୍ରୀୟାଶିଳ, ସ୍ୱକୃତ ମଣିଷ ଯାହାଙ୍କର ପିତା ଥିଲେ ବୋରୋଦିନ ଯୁଦ୍ଧର ଜଣେ ଅତି ସାଧାରଣ ସୈନିକ। ସେ ବି ଠିକ୍ ଚେକଭ୍ ଙ୍କ ଭଳି ସେମିତି ଥିଲେ ଜଣେ କ୍ରୀତଦାସ କୃଷକ, ଯାହାକୁ ସେସମୟରେ କୁହାଯାଉଥିଲା ସର୍ଫ, ସେହିଭଳି ଜଣେ ସର୍ଫ ର ବଂଶଧର ,କହିବାକୁ ଗଲେ ନାତି। ଉଭୟଙ୍କ ଭିତରେ ସେଇ ଗୋଟିକ ହିଁ ସମାନତା। ଉଭୟଙ୍କ ଶିରାଧମନୀରେ ବହୁଛି କୃଷକର ରକ୍ତ। ଅନ୍ୟଥା ରାଜନୀତି ହେଉ କି ମିଜାଜର ପ୍ରସଂଗ ହେଉ ଏଇ ଦୁଇଜଣଙ୍କ ଭିତରେ ବିସ୍ତର ଫରକ। ତାହାର ସତ୍ତ୍ୱେ ସୁଭୋରିନ ଚେକଭ୍ ଙ୍କର ହାତଗଣତା ଅଳ୍ପ କେତେଜଣ ବନ୍ଧୁଙ୍କ ଭିତରେ ଅନ୍ୟତମ ପ୍ରମୁଖ ବନ୍ଧୁ। ସେ ସବୁବେଳେ ତାଙ୍କର ସଂଗ ଉପଭୋଗ କରିଥାନ୍ତି ।

ଏକଥା ସ୍ୱାଭାବିକ ଯେ ସେମାନେ ଡିନର ପାଇଁ ସହରର ସବୁଠାରୁ ବଡ ହୋଟେଲକୁ ଯିବେ,ହୋଟେଲ୍ ର ନାଆଁ “ହରମିଟେଜ୍”,ସେଇଟି କହିବାକୁ ଗଲେ ଗୋଟିଏ ବାସଭବନ ଭଳି ଯେଉଁଠି ଘଣ୍ଟା ପରେ ଘଣ୍ଟା ସମୟ ଅତିବାହିତ କରାଯାଇପାରିବ, ଦଶ କୋର୍ସ ବିଶିଷ୍ଟ ଖାଦ୍ୟ ଶେଷ କରିବା ପାଇଁ ରାତି ଅଧ ହୋଇଯିବ,ଆଉ ସାଥିରେ ଥିବ ପ୍ରଚୁର ମିଠା,ପ୍ରଚୁର ମଦ,ବେଶ୍ କଡା ମଦ ଆଉ ମଝିରେ ମଝିରେ କଫି। ସବୁବେଳ ଭଳି ଆଜିବି ଚେକଭ୍ ଙ୍କ ପୋଷାକରେ ଟିକିଏ ବୋଲି ଖୁଣ ନାହିଁ -କଳା ରଂଗର ସ୍ୟୁଟ୍,ୱେଷ୍ଟ କୋଟ୍ ଆଉ ଆଖିରେ ବାଡିବିହୀନ ସ୍ପ୍ରିଙ୍ଗ୍ ଜୋଡା ଚଷମା। ସେଇ ସମୟରେ ତାଙ୍କର ଯେତିକି ଯାହା ଫଟୋ ନିଆଯାଇଥିଲା ସେଥିରେ ସେ ସେମିତି ଦିଶୁଥିଲେ । ବେଶ୍ ସତେଜ, ପ୍ରାଣବନ୍ତ , ଟିକିଏ ବୋଲି ଚାପ ନାହିଁ । ହୋଟେଲ୍ ର ମ୍ୟାନେଜର୍ ସହିତ କରମର୍ଦ୍ଦନ କରିଥିଲେ,ଟିକିଏ ଚାରିଆଡକୁ ଚାହିଁ ବିଶାଳ ଡାଇନିଂ ହଲ ଭିତରକୁ ପ୍ରବେଶ କରିଥିଲେ ସେ। ଝାଡବତୀର ଉଜ୍ଜଳ ଆଲୁଅରେ ସୁସଜ୍ଜିତ, ଟେବୁଲ୍ ଗୁଡିକୁ ନିଜନିଜର ଦଖଲରେ ନେଇଛନ୍ତି ଏବେ ସହରର ନାରୀ ପୁରୁଷର ଦଳ,ସେମାନଙ୍କର ଦେହରେ ରହିଛି ସଂଭ୍ରାନ୍ତ ପୋଷାକ । ୱେଟର୍ ମାନଙ୍କର ଅବିରାମ ଯିବାଆସିବା ଲାଗିରହିଛି। ଏଇମାତ୍ର ସେ ସୁଭୋରିନ୍ ଙ୍କ ସାମ୍ନାରେ ବିପରୀତ ପଟେ ବସିଛନ୍ତି ସେତେବେଳେ ହଠାତ୍ କୌଣସି ବିପଦର ଆଭାସ ନଦେଇ ତାଙ୍କର ମୁହଁରୁ ରକ୍ତବାନ୍ତି ହେବାକୁ ଲାଗିଲା। ସୁଭୋରିନ ଦୁଇଜଣ ୱେଟର୍ ଙ୍କ ସହାୟତାରେ ତାଙ୍କୁ ସଂଭ୍ରାନ୍ତଜନଙ୍କ ପାଇଁ ଉଦ୍ଦିଷ୍ଟ ଗୋଟିଏ ସଂରକ୍ଷିତ ରୁମ୍ ଭିତରକୁ ନେଇଯାଇଥିଲେ,ସେଇଠି ଆଇସ୍-ପ୍ୟାକ୍ ଦେଇ ତାଙ୍କର ମୁହଁରୁ ଆସୁଥିବା ରକ୍ତର ଝଲକକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ। ରକ୍ତବାନ୍ତି ଟିକିଏ ଅଟକିଯିବାରୁ ସୁଭୋରିନ ତାଙ୍କୁ ଆଉ ଗୋଟିଏ ହୋଟେଲ୍ କୁ ନେଇଯାଇଥିଲେ, ଯେଉଁଠି ସୁଭୋରିନ୍ ଙ୍କ ପାଇଁ ଗୋଟିଏ ସ୍ୟୁଇଟ୍ ଟା ସବୁବେଳେ ସଂରକ୍ଷିତ ହୋଇ ରହିଥାଏ । ସେଇ ରୁମ୍ ଭିତରେ ବିଛଣା କରି ସେ ଚେକଭ୍ ଙ୍କୁ ଶୁଆଇଦେଇଥିଲେ। କିନ୍ତୁ ପୁଣି ଥରେ ରକ୍ତକ୍ଷରଣ ହେବାରୁ ଚେକଭ୍ ଙ୍କ କହିବା ଅନୁସାରେ ତାଙ୍କୁ ଗୋଟିଏ କ୍ଲିନିକ କୁ ହସ୍ତାନ୍ତରିତ କରାଯାଇଥିଲା ଯେଉଁଠି ଟିବି ଓ ତତ୍ ସଂଶ୍ଳିଷ୍ଟ ଶ୍ୱାସକ୍ରୀୟା ସଂକ୍ରାନ୍ତୀୟ ସମସ୍ତ ସଂକ୍ରମଣର ଚିକିତ୍ସା ହୁଏ । ପରେ ସୁଭୋରିନ୍ ଯେତେବେଳେ ତାଙ୍କୁ ସେଠିକୁ ଦେଖିବାକୁ ଯାଆନ୍ତି ତିନିରାତି ଆଗରୁ ସେଇ ରେସ୍ତୋରାଁରେ ଯେଉଁ ” କଳଙ୍କଜନକ ଘଟଣା” ଘଟିଥିଲା ସେଇଥିପାଇଁ ସେ ବାରଂବାର କ୍ଷମାପ୍ରାର୍ଥନା କରିଥିଲେ ଆଉ ଏକଥା ବି ବାରଂବାର କହିଥିଲେ ଯେ,ତାଙ୍କର ସେମିତି ଭୟଙ୍କର ଅସୁଖ ହୋଇନାହିଁ । ” ସେ ସବୁଦିନ ଭଳି ସେତେବେଳେ ହସଖୁସିର ମିଜାଜରେ ଥିଲେ” ନିଜ ଡାଏରୀରେ ସେଦିନ ସୁଭୋରିନ କିନ୍ତୁ ଲେଖିଥିଲେ,” ମାତ୍ର ସେତେବେଳେ ତାଙ୍କର ଛେପରେ ପଡିଥିଲା ବେଶ୍ ଦଳାଏ ରକ୍ତ ।”

ତାଙ୍କର ସାନ ଭଉଣୀ ମାରିଆ ମାର୍ଚ୍ଚମାସର ଶେଷ ଆଡକୁ ବଡଭାଇକୁ ଦେଖିବାପାଇଁ କ୍ଲିନିକକୁ ଯାଇଥିଲା। ବାଜେ ଆବହାୱା,ଝଡ ବତାସ ସହିତ ଚାରିଆଡ ତୁଷାର ଜମି ପାହାଡ। ତା’ ପକ୍ଷରେ ଏମିତି ସମୟରେ ଗାଡି ଚଲାଇ ଯିବା ବଡ ଦୁଷ୍କର। ଶେଷରେ କିନ୍ତୁ ଯେତେବେଳେ ସେ କ୍ଲିନିକ୍ ରେ ଯାଇ ପହଞ୍ଚେ ସେତେବେଳକୁ ତାହାର ସର୍ବାଙ୍ଗରେ ଭୟ ଆଉ ଉତ୍କଣ୍ଠା।

“ଆନ୍ତନ ପାଭଲୋଭିଚ୍ ବିଛଣାରେ ଚିତ୍ ହୋଇ ଶୋଇ ରହିଛନ୍ତି”,ମାରିଆ ତାହାର ସ୍ମୃତିକଥାରେ ଲେଖିଛି,” ତାଙ୍କୁ କଥା କହିବା ନିଷେଧ। ତାଙ୍କୁ ସମ୍ଭାଷଣ ଜଣାଇ ମୁଁ ଟେବୁଲର ସେପଟକୁ ଯାଇଥିଲି,ନିଜର ଆବେଗକୁ ଲୁଚାଇବା ପାଇଁ।” ସେଇଠି ଶାମ୍ପେନ ବୋତଲର ଧାଡି,କାଭିଅର୍ ମାଛର ମଂଜିରେ ଭର୍ତ୍ତି କିଛି କାଚଜାର୍ ଆଉ ତାହାର ମଝିରେ ରହିଛି ଶୁଭାକାଂକ୍ଷୀ ମାନେ ଦେଇଯାଇଥିବା କେତେଗୁଡିଏ ଫୁଲତୋଡା ଆଉ ସେହି ସବୁର ଭିତରେ ରହିଛି ଏମିତି ଗୋଟିଏ ଛବି ଯାହା ତାହାକୁ ଡରାଇଦେବ : ଗୋଟିଏ ହାତ ଅଂକା ସ୍କେଚ୍ ହୁଏତ ବଡଭାଇ ଚେକଭ୍ ର ଫୁସଫୁସର ବିଷୟରେ। ଏଇ ଭଳି ସ୍କେଚ୍ ଡାକ୍ତରବାବୁ ମାନେ ତାଙ୍କର ଚିକିତ୍ସାଧୀନ ରୋଗୀକୁ ଦେଖାଇବା ପାଇଁ ଅଥବା ରୋଗର ଗୁରୁତ୍ୱଟିକୁ ବୁଝାଇବାପାଇଁ ପ୍ରସ୍ତୁତ କରିଥାଆନ୍ତି। ଫୁସଫୁସର ଚାରିପଟ ନୀଳ କାଳିରେ ଅଂକା କିନ୍ତୁ ଉପରର ଅଂଶଟି ଲାଲ ରଂଗରେ ଭର୍ତ୍ତି। “ବୁଝି ପାରିଲି ,ଏଇ ଅଂଶଟି ଆକ୍ରାନ୍ତ” ମାରିଆ ଲେଖିଛି।

ଲିଓ ଟଲଷ୍ଟୟ ତାଙ୍କୁ ଦେଖିବାକୁ ଆସିଥିଲେ। ହାସପାତାଳର କର୍ମୀମାନେ ସେମାନଙ୍କ ମଝିରେ ଦେଶର ମହତ୍ତମ ଲେଖକକୁ ଦେଖି ଶ୍ରଦ୍ଧାମିଶ୍ରିତ ବିସ୍ମୟରେ ଅବନତ ହୋଇ ପଡିଥିଲେ। ଋଷିଆର ବିଖ୍ୟାତତମ ବ୍ୟକ୍ତି ବୋଲି କଥା ! ସେମାନେ ଅବଶ୍ୟ ଚେକଭଙ୍କୁ ଦେଖାଇବାପାଇଁ ତାଙ୍କୁ ତାଙ୍କର ଅତି ନିକଟକୁ ନେଇଯାଇଥିଲେ ଯଦିଓ “ଗୌଣ” ସାକ୍ଷାତପ୍ରାର୍ଥୀଙ୍କ ନିମନ୍ତେ ଏପରି ଭିତରକୁ ଯିବାପାଇଁ ନିଷେଧାଜ୍ଞା ରହିଥିଲା। ନର୍ସ ଏବଂ ରେସିଡେଣ୍ଟ ଡାକ୍ତରମାନଙ୍କ ଦ୍ୱାରା ଯଥେଷ୍ଟ ଅଭିନନ୍ଦିତ ହୋଇ ସେହି ଦାଢୀବାଲା ହିଂସ୍ର ଚେହେରାଧାରୀ ବୃଦ୍ଧ ଜଣକ ଚେକଭଙ୍କ ବେଡ୍ ନିକଟକୁ ଯାଇଥିଲେ। ଜଣେ ନାଟ୍ୟକାର ହିସାବରେ ଚେକଭ୍ ଙ୍କ ସାମର୍ଥ୍ୟ ସଂପର୍କରେ ନିହାତି ନିମ୍ନମାନର ମତାମତ ସତ୍ତ୍ୱେ (ଟଲଷ୍ଟୟ ମନେ କରନ୍ତି ଚେକଭ୍ ଙ୍କ ନାଟକ ସବୁ ସ୍ଥବିର ଏବଂ ନୈତିକଦୃଷ୍ଟିଭଂଗୀବର୍ଜିତ । “ତମର ସୃଷ୍ଟ ଚରିତ୍ରମାନେ ତମକୁ ଠିକ୍ କେଉଁ ଦିଶା ଦେଖାଏ ?” ଚେକଭ୍ ଙ୍କୁ ଥରେ ସେ ଏଇଭଳି ପ୍ରଶ୍ନ କରିଥିଲେ,” ସୋଫା ରୁ ଆବର୍ଜନା ରହୁଥିବା ଘର ଆଉ ସେଇଠୁ ପୁଣି ସୋଫା ପାଖକୁ ପ୍ରତ୍ୟାବର୍ତ୍ତନ !) ସେ ଚେକଭ୍ ଙ୍କର ଛୋଟଗଳ୍ପ ଗୁଡିକୁ ଯଥେଷ୍ଟ ପସନ୍ଦ କରିଥାନ୍ତି। ତାହା ଛଡା ସରଳ ଭାବରେ କହିଲେ ସେ ଏଇ ଲୋକଟିକୁ ବେଶ୍ ଭଲପାଆନ୍ତି । ସେ ଥରେ ଏ ବିଷୟରେ ଗର୍କିଙ୍କୁ କହିଥିଲେ,” କେତେ ସୁନ୍ଦର ଆଉ ଚମତ୍କାର ମଣିଷ ଇଏ,ସଦା ବିନୟୀ,ଶାନ୍ତ,ଲାଗିବ ଯେମିତି ଗୋଟିଏ କିଶୋରୀ। ଏପରିକି ତାହାର ଚାଲିଟା ବି ଝିଅଝିଅ । ସହଜ ଭାବରେ କହିଲେ ସେ ଜଣେ ବିସ୍ମୟକର ମଣିଷ ।” ଟଲଷ୍ଟୟ ତାଙ୍କର ଜର୍ଣ୍ଣାଲ୍ ରେ( ସେକାଳରେ ସଭିଏଁ ନିଜର ଡାଏରୀ ଅଥବା ଜର୍ଣ୍ଣାଲ୍ ମାନ ଲେଖୁଥିଲେ।)ଲେଖିଥିଲେ,”ଚେକଭ୍ କୁ ଭଲପାଇବସିଛି ବୋଲି ମୁଁ ଖୁସି।”

Anton Checkhov’s Illustration by Ramakanta Samantaray

ଟଲଷ୍ଟୟ ତାଙ୍କର ଉଲ୍ ର ସ୍କାର୍ଫ ଆଉ ଭାଲୁଚମଡାର କୋଟ୍ ଟିକୁ ଖୋଲି ଚେକଭ୍ ଙ୍କ ବେଡ୍ ର ପାଖରେ ତଳୁଆ ଥିବା ଗୋଟିଏ ଚେୟାର୍ ରେ ବସିଥିଲେ। ଚେକଭ୍ ଯେ ଏଇଲେ ଔଷଧର ପ୍ରଭାବରେ ଅଛନ୍ତି ଏବଂ ତାଙ୍କର କଥା କହିବା ବାରଣ ଏପରିକି ସାଧାରଣ ଆଳାପଚାରିତା ବି ପୁରାପୁରି ନିଷେଧ -ସେହି ବିଷୟଟି ଟଲଷ୍ଟୟ ନିଜ ମଥାରେ ରଖିନଥିଲେ । ଏହି କାଉଣ୍ଟ ମହୋଦୟ ଜଣକ ଯେତେବେଳେ ଆତ୍ମାର ଅମରତ୍ୱ ସଂପର୍କରେ ତାଙ୍କର ଯୁକ୍ତିତର୍କର ଥିଓରୀ ଶୁଣାଇବାକୁ ଲାଗିଲେ ,ଅବାକ ହୋଇ,ଚେକଭ୍ ଙ୍କୁ ତାହା ଶୁଣିବାକୁ ପଡିଥିଲା। ଏହି ପରିଦର୍ଶନ ବିଷୟରେ ପରେ ଚେକଭ୍ ଲେଖିଥିଲେ,”ଟଲଷ୍ଟୟଙ୍କ ଧାରଣା ଯେ,ଆମେ ସମସ୍ତେ ହିଁ (ମଣିଷ ଆଉ ସମସ୍ତ ପ୍ରାଣୀଜଗତ) ଗୋଟିଏ ନୀତି କୁ ଧାରଣକରି ବଂଚିବା (ଯେମିତି ଯୁକ୍ତି ବା ପ୍ରେମ ) ଯାହାର ନିର୍ଯ୍ୟାସ ତଥା ଲକ୍ଷ୍ୟ ଆମ ନିକଟରେ ରହସ୍ୟମୟ । ସେହି ଜାତୀୟ ଅମରତ୍ୱରେ ମୋର କୌଣସି ପ୍ରୟୋଜନ ନାହିଁ। ମୁଁ ଏଇ କଥାଟିକୁ ବୁଝିପାରୁନାହିଁ ଆଉ ଲେଭ୍ ନିକୋଲାଇଭିଚ୍ ମୋର ଏଇଭଳି ନେତିବାଚକତାରେ ପାରୁପର୍ଯ୍ୟନ୍ତ ଅବାକ ହୋଇଯାଇଥିଲେ !”

ତାହା ହୋଇଥିଲେ ବି ତାଙ୍କୁ ଦେଖିବାକୁ ଆସିବା ପଛରେ ଥିବା ଟଲଷ୍ଟୟଙ୍କର ଏକାନ୍ତ ଉତ୍କଣ୍ଠା ଚେକଭ୍ ଙ୍କୁ ଭାରି ଛୁଇଁଥିଲା। କିନ୍ତୁ ଟଲଷ୍ଟୟଙ୍କ ଭଳି ଚେକଭ୍ ପରଜନ୍ମରେ ବିଶ୍ୱାସ କରନ୍ତି ନାହିଁ ଏବଂ ତାଙ୍କର ସେହିଭଳି କୌଣସି ଆସ୍ଥା ନଥିଲା। ତାଙ୍କର ପଞ୍ଚେନ୍ଦ୍ରୀୟରୁ ଗୋଟିଏ ବା ଏକାଧିକ ଇନ୍ଦ୍ରୀୟର ନିକଟରେ ବୋଧ୍ୟ ହେବନାହିଁ,ଏଇଭଳି କିଛି ସେ ବିଶ୍ୱାସ କରନ୍ତି ନାହିଁ; ଏବଂ ଜୀବନ ଆଉ ଲେଖାଲେଖି ବିଷୟରେ ତାଙ୍କର ଦୃଷ୍ଟିକୋଣକୁ ବୁଝାଇବାକୁ ଗଲାବେଳେ ସେ ଥରେ କାହାକୁ କହିଥିଲେ,” ରାଜନୈତିକ ,ଧର୍ମୀୟ ଓ ଦାର୍ଶନିକ ଜଗତ ସଂପର୍କରେ ମୋର କୌଣସି ମତବାଦ ନାହିଁ। ପ୍ରତିମାସରେ ମୋ କ୍ଷେତ୍ରରେ ଏଗୁଡିକ ବଦଳି ଯାଏଁ ,ତେଣୁ ଆମର ବୀର ନାୟକମାନେ କେଉଁଭଳି ପ୍ରେମକରିଥାନ୍ତି,ବିବାହ କରିଥାନ୍ତି ,ଝିଅପୁଅଙ୍କର ଜନ୍ମ ଦେଇଥାନ୍ତି ,ମରିଯାଆନ୍ତି ଏବଂ କେଉଁଭଳି ସେମାନେ କଥା କହିଥାନ୍ତି -ସେଇ ସବୁ ବର୍ଣ୍ଣନା ଭିତରେ ମୁଁ ନିଜକୁ ସୀମାୟିତ ରଖିଥାଏ ।”

ତାହାର ଟିବି ଧରାପଡିବା ଆଗରୁ ଚେକଭ୍ ମନ୍ତବ୍ୟ କରିଥିଲେ,” ଯେତେବେଳେ କୌଣସି ଚାଷୀର କ୍ଷୟରୋଗ ହୁଏ ସେ କହେ,ତାହାର ଏଥିରେ କିଛି କରିବାର ନାହିଁ । ଆସନ୍ତାମାସର ବରଫ ଯେମିତି ତରଳିବା ସହିତ ମୁଁ ବି ଶେଷ ହୋଇଯିବି ।” ( ଚେକଭ୍ ଗ୍ରୀଷ୍ମକାଳର ପ୍ରଚଣ୍ଡ ତାପପ୍ରବାହ ର ଦିନମାନଙ୍କରେ ମୃତ୍ୟୁବରଣ କରିଥିଲେ ।) କିନ୍ତୁ ଥରେ ଯେତେବେଳେ ନିଜର କ୍ଷୟରୋଗ ଧରାପଡିଲା,ସେ ମଝିରେମଝିରେ ତାଙ୍କର ଅବସ୍ଥାର ଭୟାବହତାକୁ କମ୍ କରିବାକୁ ଚେଷ୍ଟା କରିଚାଲିଥିଲେ। ବାହ୍ୟତ ଯେତେଦୂର ମନେ ହୁଏ,ସେ ଯେମିତି ଅନୁଭବ କରୁଥିଲେ ଶେଷ ଯାଏଁ,ବିଳମ୍ବିତ କଫ ର କ୍ଷେତ୍ରରେ ଯେମିତି ,ସେ ତାଙ୍କର ଏଇ ଅସୁଖଟିକୁ ଆଉ କୁଆଡେ ଫୋପାଡିଦେବାକୁ ସକ୍ଷମ ହେବେ। ଯେତେ ହିଁ ଶେଷର ଦିନଗୁଡିକ ଆଗେଇ ଆସିବାକୁ ଲାଗିଲା,ସେ ଶାରୀରିକ ଉନ୍ନତିର ସମ୍ଭାବନା ବିଷୟରେ ମନେ ହୁଏ ଦୃଢତାର ସହ କଥାବାର୍ତ୍ତା କରୁଥିଲେ। କାର୍ଯ୍ୟତଃ ମରଣ ର ଠିକ୍ ଆଗରୁ ଭଉଣୀକୁ ଲେଖା ଗୋଟିଏ ଛୋଟ ଚିଠିରେ ସେ ଏମିତି ଲେଖିଥିଲେ ଯେ,ସେ କ୍ରମଶଃ “ମୋଟା” ହୋଇଯାଉଛନ୍ତି ଏବଂ ଯେହେତୁ ଏଇଲେ ସେ ବ୍ୟାଡେନଉଇଲର୍ ରେ ଅଛନ୍ତି ,ତେଣୁ ସେ ଅନେକଟା ସୁସ୍ଥ ଅନୁଭବ କରୁଛନ୍ତି ।

ବ୍ୟାଡେନଉଇଲର୍ ଗୋଟିଏ ସ୍ପା ଆଉ ରିଜର୍ଟ ସହର,ବ୍ଲାକ ଫରେଷ୍ଟ ର ପଶ୍ଚିମରେ,ବ୍ୟାସେଲ୍ ଠାରୁ ସେମିତି କିଛି ଦୂର ନୁହଁ। ସହରର ଯେ କୌଣସି ଜାଗାରୁ ଫ୍ରାନ୍ସ ର ଭୋସ୍ (vosges)ପର୍ବତମାଳା ଦେଖାଯାଏ ଆଉ ସେସମୟରେ ସେଠିକାର ପବନ ବେଶ୍ ନିର୍ମଳ ଆଉ ତେଜୋଦ୍ଦୀପକ। ଋଷୀୟମାନେ ବର୍ଷ ପରେ ବର୍ଷ ସେଠିକୁ ଯାଆନ୍ତି ସେଠିକାର ଖଣିଜ ଉଷ୍ଣପ୍ରସ୍ରବଣରେ ନିଜର ଦେହମୁଣ୍ଡ କୁ ବୁଡ ଦେବାପାଇଁ ଆଉ ପରିବ୍ୟାପ୍ତ ଉଦ୍ୟାନବିଥିରେ ମନଆନନ୍ଦରେ ଘୁରିବୁଲିବା ପାଇଁ। ୧୯୦୪ ସାଲ ର ଜୁନ୍ ମାସରେ ଚେକଭ୍ ସେଠିକୁ ଯାଇଥିଲେ ,ମୃତ୍ୟୁ କୁ ବରଣ କରିବା ପାଇଁ ।

ସେହି ମାସର ପ୍ରଥମରୁ ମସ୍କୋରୁ ବର୍ଲିନ ପର୍ଯ୍ୟନ୍ତ ତାଙ୍କୁ ଗୋଟିଏ କଷ୍ଟସାଧ୍ୟ ଯାତ୍ରା କରିବାକୁ ହୋଇଥିଲା। ସାଥିରେ ଥିଲେ ତାଙ୍କର ପତ୍ନୀ ଅଭିନେତ୍ରୀ ଓଲଗା ନିପର୍।ଓଲଗାଙ୍କ ସହିତ ତାଙ୍କର ପ୍ରଥମ ଦେଖା ୧୮୯୮ ସାଲ ରେ “ଦି ସିଗାଲ୍” ନାଟକର ରିହର୍ସାଲ୍ ସମୟରେ।ଏହି ମହିଳା ଜଣକ ସମସାମୟିକ ଅଭିନେତା ଅଭିନେତ୍ରୀଙ୍କ ଅନୁସାରେ ଜଣେ ଅସାଧାରଣ ଅଭିନେତ୍ରୀ । ପ୍ରତିଭାମୟୀ,
ସୁନ୍ଦରୀ ଏବଂ ନାଟ୍ୟକାରଙ୍କ ଠାରୁ ବୟସରେ ପ୍ରାୟ ଦଶବର୍ଷ ସାନ। ଚେକଭ୍ ତତକ୍ଷଣାତ୍ ତାଙ୍କର ପ୍ରେମରେ ପଡିଯାଆନ୍ତି କିନ୍ତୁ ଏଇ କଥାକୁ ପ୍ରକାଶ କରିବା କ୍ଷେତ୍ରରେ ସେ ଥିଲେ ଅତ୍ୟନ୍ତ ଧୀରଗାମୀ। ସବୁସମୟରେ ଯାହା ହୁଏ ,ସେ ବିବାହ ଆଗରୁ ପ୍ରେମର ଛଳ ଯାହାକୁ ଫ୍ଲଟ୍ ବୋଲି କୁହାଯାଏ ସେଇଭଳି କିଛି କରିବାକୁ ବେଶ୍ ପସନ୍ଦ କରୁଥିଲେ। ଶେଷପର୍ଯ୍ୟନ୍ତ ତିନିବର୍ଷର ପ୍ରେମ ନିବେଦନ,କେତେଥର ର ବିଚ୍ଛେଦ ,ଚିଠି ଲେଖାଲେଖି ଏବଂ ଅବଧାରିତ ଭୁଲ ବୁଝାବୁଝିର ଅନ୍ତ ହୁଅନ୍ତେ ଶେଷରେ ,୧୯୦୧ ସାଲ ୨୫ ମେ ରେ ,ମସ୍କୋର ଗୋଟିଏ ନିହାତି ଘରୋଇ ଅନୁଷ୍ଠାନରେ ସେମାନେ ବିବାହ କରନ୍ତି। ଚେକଭ୍ ତ ବହୁତ ଖୁସି। ଓଲଗାକୁ ସେ ନିଜର “ପୋନି” ବା ଟାଟୁ ଘୋଡା ବା ନିଜର ” ପପି ” ବା କୁକୁର ବୋଲି ଆଦରର ଢଙ୍ଗରେ ଡାକିଥାଆନ୍ତି । ପୁଣି କେତେବେଳେ ଅତ୍ୟନ୍ତ ଶ୍ରଦ୍ଧାରେ ତାହାଙ୍କୁ “ଛୋଟ ଟର୍କି” ବା କେବଳ “ମୋର ଆନନ୍ଦ” ବୋଲି ସମ୍ବୋଧନ କରିଥାଆନ୍ତି ।

ବର୍ଲିନରେ ଚେକଭ୍ ଜଣେ ବିଖ୍ୟାତ ଯକ୍ଷ୍ମାରୋଗବିଶେଷଜ୍ଞ ଡାଃ କାର୍ଲ ଇଭାଲ୍ଡ ଙ୍କୁ ନିଜର ଅସୁଖକୁ ଦେଖାଇଥିଲେ କିନ୍ତୁ ଜଣେ ପ୍ରତ୍ୟକ୍ଷଦର୍ଶୀ ର ବିବରଣୀ ଅନୁଯାୟୀ ଡାକ୍ତର ଜଣକ ତାଙ୍କୁ ଦେଖିବାପରେ ନିଜର ହାତଦୁଇଟିକୁ ଉପରକୁ କରିଦେଇ ଆଉ ପଦଟିଏ କିଛି ନକହି ଘର ଭିତରୁ ବାହାରକୁ ଚାଲିଯାଇଥିଲେ । ଚେକଭ୍ ସାହାଯ୍ୟ ପାଇଁ ତାଙ୍କର ପଛେପଛେ ଅନେକ ବାଟ ଯାଇଥିଲେ : ଏଇ ଡାକ୍ତର ଇଭାଲ୍ଡ ଅସୁସ୍ଥ ଚେକଭ୍ ଙ୍କ ନିମନ୍ତେ ଅଲୌକିକ କିଛି କରିନପାରୁଥିବାରୁ ନିଜ ପ୍ରତି ହିଁ ବିଶେଷ କ୍ଷୁବ୍ଧ ଥିଲେ ।

ଜଣେ ଋଷୀୟ ସାମ୍ବାଦିକ ଘଟଣାଚକ୍ରରେ ସସ୍ତ୍ରୀକ ଚେକଭ୍ ଙ୍କ ସହିତ ହୋଟେଲ୍ ରେ ଦେଖା କରିଥିଲେ ଏବଂ ସଂପୃକ୍ତ କାଗଜର ସଂପାଦକଙ୍କୁ ଚଞ୍ଚଳ ଲେଖି ପଠାଇଥିଲେ ,”ଚେକଭ୍ ଙ୍କ ସମୟ ଶେଷ ହୋଇ ଆସୁଛି । ସେ ଅତ୍ୟନ୍ତ ଅସୁସ୍ଥ,ଖୁବ୍ ଶୀର୍ଣ୍ଣ,ସାରାକ୍ଷଣ କାଶୁଛନ୍ତି,ଟିକିଏ ଏପଟସେପଟ ହେଲେ ଧଇଁସଇଁ ହୋଇଯାଉଛନ୍ତି ଏବଂ ଦେହରେ ତାଙ୍କର ସବୁବେଳେ ଜ୍ୱର ,ଜ୍ୱରର ମାତ୍ରା ତୀବ୍ର।” ସସ୍ତ୍ରୀକ ଚେକଭ୍ ଯେତେବେଳେ ବ୍ୟାଡେନଉଇଲର୍ ର ଉଦ୍ଦେଶ୍ୟରେ ପତ୍ସଡ୍ୟାମ୍ ଷ୍ଟେସନରୁ ଟ୍ରେନ୍ ଧରିଥିଲେ ସେତେବେଳେ ଏଇ ସମାନ ସାମ୍ବାଦିକ ଜଣକ ସହିତ ସେମାନଙ୍କର ଦେଖା ହୋଇଥିଲା। ତାହାର ବିବରଣୀ ଅନୁଯାୟୀ ,” ଷ୍ଟେସନ୍ ର ଛୋଟ ହାତଲବାଲା ସିଡି ରେ ଚଢିବା ପାଇଁ ଚେକଭ୍ ଙ୍କୁ ବହୁତ କଷ୍ଟ ହେଉଥାଏ । ଶ୍ୱାସ ନେବାପାଇଁ ମଝିରେ ମଝିରେ ତାଙ୍କୁ କିଛି ସମୟ ଅଟକି ତଳେ ବସିବାକୁ ହେଉଥାଏ ।” ଅସଲରେ ଚେକଭ୍ ଙ୍କ ପକ୍ଷରେ ଚଲାବୁଲା ଯନ୍ତ୍ରଣାଦାୟକ ମନେ ହେଉଥିଲା : ରହି ରହି ତାଙ୍କର ପାଦରେ ପ୍ରବଳ ବ୍ୟଥା ହେଉଥିଲା ଏବଂ ଭିତରେ ଭିତରେ ସେ ବହୁତ ଆଘାତ ପାଉଥିଲେ। ରୋଗ ତାଙ୍କର ଅନ୍ତ୍ର ଏବଂ ମେରୁଦଣ୍ଡକୁ ଆକ୍ରମଣ କରିଛି। ଏଇ ଅବସ୍ଥାରେ ହୁଏତ ତାଙ୍କ ପାଖରେ ଆଉ ମାସଟିଏ ବି ସମୟ
ନାହିଁ । ଏଇଲେ ଯେତେବେଳେ ଚେକଭ୍ ତାଙ୍କର ଅବସ୍ଥା ସଂପର୍କରେ ନିଜେ ଯାହା କହୁଛନ୍ତି ତାହା ଓଲଗାଙ୍କ ମତରେ,” ସଂପୂର୍ଣ୍ଣ ବେପରୁଆ ଉଦାସୀନତାର ନିଚ୍ଛକ ପ୍ରକାଶ ।”

ବ୍ୟାଡେନଉଇଲର୍ ର ଚିକିତ୍ସକ ମାନଙ୍କ ଭିତରେ ଅନ୍ୟତମ ହେଉଛନ୍ତି ଶୋୟେଗାର୍ ଯିଏ ନାନାରକମର ବ୍ୟାଧିର ଉପଶମ ନିମନ୍ତେ ସେଠିକାର ସ୍ପା କୁ ଆସୁଥିବା ସ୍ୱଚ୍ଛଳ ରୋଗୀମାନଙ୍କର ଚିକିତ୍ସା କରି ବେଶ୍ ଭଲ ଉପାର୍ଜନ କରିଛନ୍ତି। ତାଙ୍କର ରୋଗୀମାନଙ୍କ ଭିତରୁ କେତୋଟି ଥିଲେ ବେଶ୍ ରୁଗ୍ଣ, ବାକି ଅନ୍ୟମାନେ ସାଧାରଣଭାବରେ ବୃଦ୍ଧ ଓ ସ୍ନାୟୁରୋଗରେ ଉଦ୍ବିଗ୍ନ । କିନ୍ତୁ ଚେକଭ ଥିଲେ ଜଣେ ବିଶେଷ ରୋଗୀ: ତାଙ୍କର ଶେଷଦିନମାନଙ୍କର ଚିକିତ୍ସାରେ କିଛି ଫଳ ହେଉନଥିଲା। ତାହାଛଡା ସେ ତ ଜଣେ ବିଖ୍ୟାତ ବ୍ୟକ୍ତିତ୍ୱ। ଏପରିକି ଡାଃ ଶୋୟେଗାର୍ ଆଗରୁ ତାଙ୍କର ନାଆଁ ଜାଣିଥିଲେ : ଜର୍ମାନୀ ଭାଷାର କେତୋଟି ପତ୍ରିକାରୁ ସେ ତାଙ୍କର ଗପ ପଢିଥିଲେ । ଜୁନ୍ ମାସର ପ୍ରଥମ ଆଡକୁ ଲେଖକଙ୍କୁ ପରୀକ୍ଷା କରିବାବେଳେ ସେ ଚେକଭ୍ ଙ୍କର ଲେଖାଲେଖି ସଂପର୍କରେ ଅନେକ ପ୍ରଶଂସାସୂଚକ କଥା କହିଥିଲେ ; କିନ୍ତୁ ଚିକିତ୍ସା ସଂପର୍କରେ ଯାହା କହିବା କଥା ସେଇ ମତକୁ ନିଜର ଭିତରେ ରଖିଦେଇଥିଲେ। ଏହା ପରିବର୍ତ୍ତେ ସେ ତାଙ୍କୁ କୋକୋ, ଲହୁଣିମିଶା ଓଟସମିଲ୍କ ଏବଂ ଷ୍ଟ୍ରବେରି ଚା’ ଖାଇବାର ପରାମର୍ଶ ଦେଇଥିଲେ । ଷ୍ଟ୍ରବେରୀ ଚା’ ପାନ କଲେ ତାଙ୍କର ରାତିରେ ସୁନିଦ୍ରା ହେବ ବୋଲି ସେ କହିଥିଲେ।

ଜୁନ୍ ମାସର ୧୩ ତାରିଖରେ,ତାଙ୍କର ମୃତ୍ୟୁର ତିନିସପ୍ତାହରୁ କମ୍ ସମୟ ଆଗରୁ,ଚେକଭ୍ ମାଆଙ୍କୁ ଗୋଟିଏ ଚିଠି ଲେଖିଥିଲେ ଯେଉଁଠି ସେ କହିଥିଲେ ତାଙ୍କର ସ୍ୱାସ୍ଥ୍ୟ ଭଲ ହୋଇ ଉଠିଲାଣି। ଆହୁରି କହିଥିଲେ,” ହୁଏତ ଆଉ ଗୋଟିଏ ସପ୍ତାହ ଭିତରେ ମୁଁ ପୁରାପୁରି ସୁସ୍ଥ ହୋଇଯିବି ।” କିଏ ଜାଣେ,ସେ କାହିଁକି ଏମିତି କହିଥିଲେ ! କ’ଣ ଭାବି ଏମିତି କହିଥିଲେ ! ସେ ନିଜେ ଜଣେ ଡାକ୍ତର ଏବଂ ସବୁକିଛି କୁ ସେ ଅନ୍ୟମାନଙ୍କ ତୁଳନାରେ ବେଶ୍ ଭଲ ଜାଣନ୍ତି । ସେ ଯେ ମୁମୂର୍ଷୁ ତାହା ପରିଷ୍କାର ଆଉ ଅପ୍ରତିରୋଧ୍ୟ। ତା’ ସତ୍ତ୍ୱେ ସେ ହୋଟେଲ୍ ର ବାଲକୋନିରେ ବସି ରେଲଓୟେ ଟାଇମଟେବୁଲ୍ ଦେଖୁଥିଲେ । ଓଡେସା ଠାରୁ ମାର୍ସ କୁ ଯିବାର ନୌକାଯାତ୍ରାର ଖୋଜଖବର ନେଉଥିଲେ । ସେ କିନ୍ତୁ ଜାଣନ୍ତି। ଅସୁଖର ସେହି ପର୍ଯ୍ୟାୟରେ ଏହା ତାଙ୍କର ଜାଣିବାର ନିଶ୍ଚିତ କଥା। ତଥାପି ସେ ସାନ ଭଉଣୀ ପାଖକୁ ଲେଖିଥିବା ଶେଷ ଚିଠି ଗୁଡିକ ଭିତରୁ ଗୋଟିକରେ ଲେଖିଥିଲେ,ଦିନକୁ ଦିନ ତାଙ୍କର ଶରୀରରେ ଜୋର ଫେରିଆସୁଛି।

ଲେଖାଲେଖି ବ୍ୟାପାରରେ ତାଙ୍କର ଆଉ କୌଣସି ଆଗ୍ରହ ନଥିଲା ଏବଂ ଦୀର୍ଘ ସମୟ ସେ କିଛି ଲେଖିନାହାଁନ୍ତି । କାର୍ଯ୍ୟତ ତାଙ୍କର ମୃତ୍ୟୁର ଠିକ୍ ଆଗେକାର ବର୍ଷ ତାଙ୍କର ଶେଷ ନାଟକ,” ଦି ଚେରି ଅର୍ଚ୍ଚାଡ୍”,ଯେମିତି ଶେଷ ହେବାକୁ ଜମା ଚାହୁଁନାହିଁ । ଏଇ ନାଟକଟିର ଲେଖା ଥିଲା ତାଙ୍କର ଜୀବନର କଠିନତମ କାର୍ଯ୍ୟ। ଶେଷ ଆଡକୁ ସେ ସାରାଦିନ କେବଳ ଛଅ ସାତୋଟି ଲାଇନ୍ ଲେଖିପାରୁଥିଲେ । “ମୋର ଉତ୍ସାହରେ ଏଇଲେ ଭଟ୍ଟା ” ସେ ଓଲଗାକୁ ଗୋଟିଏ ଚିଠିରେ ଏମିତି ଲେଖିଥିଲେ। “ମନେ ହେଉଛି ମୋ ଦ୍ୱାରା ଆଉ କିଛି ହେବନାହିଁ “। ତଥାପି ସେ ନିଜର କଲମ ବନ୍ଦ କରିନାହାଁନ୍ତି । ୧୯୦୩ ରେ ସେହି ନାଟକଟି ସମାପ୍ତ ହୁଏ। ଏହା ହିଁ ତାଙ୍କର ଶେଷ ଲେଖା, କିଛି ଚିଠିପତ୍ର ଆଉ ଡାଏରୀର କିଛି ଲେଖାର ବାଦ ।

୧୯୦୪ ସାଲର ଜୁଲାଇ ଦୁଇ ତାରିଖର ରାତି ଅଧରେ ଓଲଗା ଡାଃ ଶୋୟେଗାର୍ ଙ୍କୁ ଡାକି ଆଣିବା ପାଇଁ ଜଣଙ୍କୁ ପଠାଇଥିଲା। ଖୁବ୍ ଜରୁରୀ : ଚେକଭ୍ ପ୍ରଳାପ କରୁଛନ୍ତି । ସେମାନଙ୍କର ପାଖ ଘରେ ରହୁଥିଲେ ସେଠିକୁ ବୁଲିବାକୁ ଆସୁଥିବା ଦିଜଣ ଋଷୀୟ ଯୁବକ : ଓଲଗା ସେମାନଙ୍କ ନିକଟକୁ ଯାଇ ସବୁକଥା କହିଥିଲା। ଦୁଇଜଣକ ଭିତରୁ ଜଣେ ବିଛଣାରେ ଘୁମନ୍ତ ଅବସ୍ଥାରେ,ଅନ୍ୟଜଣକ ଜାଗ୍ରତ,ଧୂମ୍ରପାନ ଆଉ ପଢାରେ ବ୍ୟସ୍ତ ଥିଲା। ସେ ତାହାପରେ ହୋଟେଲ୍ ରୁ ଦୌଡି ବାହାରିଯାଇଥିଲା ଡାଃ ଶୋୟେଗାର୍ ଙ୍କୁ ଖୋଜି ବାହାର କରିବାକୁ। “ଜୁଲାଇମାସର ସେହି ଦମବନ୍ଦକରା ରାତିରେ ନୀରବତାକୁ ଭାଙ୍ଗି ତାହାର ଜୋତା ତଳର ମଚମଚ ଗୋଡିପଥରର ଆବାଜ ଏବେବି ମୁଁ ଶୁଣିପାରେ” ଓଲଗା ତାହାର ସ୍ମୃତିକଥାରେ ଲେଖିଥିଲା ପରେ। ଚେକଭ୍ ଅଳୀକ ଅସ୍ତିତ୍ୱରେ ବିଶ୍ୱାସ କରିବାକୁ ଆରମ୍ଭ କରିଛନ୍ତି,ନାବିକମାନଙ୍କ ବିଷୟରେ କଥା କହୁଛନ୍ତି,ଜାପାନୀମାନଙ୍କ ବିଷୟରେ କିଛି ଟୁକୁଡା କଥା ତାଙ୍କର ମଥାରେ ଖେଳିବୁଲୁଛି।”ଖାଲି ପେଟର ଉପରେ ବରଫ ଚାପି ଧର୍ ନା ” ଓଲଗା ଯେତେବେଳେ ତାଙ୍କ ଛାତି ଉପରେ ଆଇସପ୍ୟାକ୍ ଦେବାକୁ ଚେଷ୍ଟା କରୁଥିଲା ସେତେବେଳେ ଏଇଭଳି କହିଥିଲେ ଚେକଭ୍ ।

ଡାଃ ଶୋୟେଗାର୍ ସେଇଠି ପହଞ୍ଚି ତାଙ୍କର ବ୍ୟାଗପତ୍ର ଖୋଲିବାବେଳେ ତାଙ୍କର ପୂରା ଦୃଷ୍ଟି ଥିଲା ଚେକଭ୍ ଙ୍କ ଉପରେ ଯିଏ ଶେଜରେ ଶୋଇ ଧଇଁସଇଁ ହେଉଥିଲେ । ଅସୁସ୍ଥ ଏଇ ଲୋକଟିର ଆଖିର ମଣି ସେତେବେଳେ ବେଶ୍ ବଡ,ଝାଳ ସରସର କପାଳ ଚକମକ କରୁଛି। ଶୋୟେଗାର୍ ଙ୍କ ମୁହଁରେ ସେସବୁର କିଛି ଛାପ ପଡିନଥିଲା । ସେ ମୋଟେ ଆବେଗପ୍ରବଣ ନୁହଁନ୍ତି ,କିନ୍ତୁ ସେ ଭଲଭାବରେ ଜାଣନ୍ତି ଚେକଭ୍ ଙ୍କ ଦିନକାଳ ଶେଷ ହେବାକୁ ଯାଉଛି। ତଥାପି ସେ ଜଣେ ଡାକ୍ତର ,ରୋଗୀକୁ ବଞ୍ଚେଇବା ପାଇଁ ଚେଷ୍ଟାର ଶେଷ ଦେଖିବେ ବୋଲି ଶପଥ ନେଇଛନ୍ତି ଆଉ ଅଣୁମାତ୍ର ହେଲେ ବି ଚେକଭ୍ ଜୀବନର ସୂତାକୁ ଏଇଠି ଜାବୁଡି ଧରିଛନ୍ତି। ତେଣୁ ଶୋୟେଗାର୍ ସିରିଞ୍ଜ ଆଉ ଇଂଜେକ୍ସନ କୁ ପ୍ରସ୍ତୁତ କରି ଚେକଭ୍ ଙ୍କୁ ଗୋଟିଏ କର୍ପୁରଯୁକ୍ତ ଇଂଜେକସନ ଦେଲେ ଯାହାଫଳରେ ତାଙ୍କର ହାର୍ଟ ର ଗତି ତ୍ୱରାନ୍ୱିତ ହୋଇପାରିବ। କିନ୍ତୁ ସେଇ ଇଂଜେକସନ୍ ରେ କିଛି କାମ ହେଲାନାହିଁ- ଅବଶ୍ୟ ଆଉ କିଛିରେ କିଛି ବି ହେଲାନାହିଁ । ତା ସତ୍ତ୍ୱେ ଡାକ୍ତରବାକୁ ଓଲଗାକୁ ଅକ୍ସିଜେନ୍ ଆଣିବା କଥା କହିଲେ। ହଠାତ୍ ଚେକଭ୍ ଜାଗିଉଠି ଶାନ୍ତଭାବରେ ସ୍ପଷ୍ଟ କହିଥିଲେ,” ଏ ସବୁ ଆଣିବାରେ ଆଉ ହେବ କ’ଣ ? ଅକ୍ସିଜେନ୍ ଆସିବା ଆଗରୁ ମୁଁ ଶବ ପାଲଟିଯାଇଥିବି ।”

ଡାଃ ଶୋୟେଗାର୍ ତାଙ୍କର ବିଶାଳ ଦାଢୀରେ ନିଜର ଆଙ୍ଗୁଳି ବୁଲାଇ ଆଣି ଚେକଭ୍ ଆଡକୁ ଏକଦୃଷ୍ଟିରେ ଚାହିଁଲେ। ଲେଖକଙ୍କ ଗାଲ ଶୁଖିଲା ଆଉ ଶେତା,ଚେହେରା ମହମ ଭଳି,ଶ୍ୱାସପ୍ରଶ୍ୱାସ ଏତେ ଖରଖର ଯେ କାନକୁ ଲାଗେ । ଡାଃ ଶୋୟେଗାର୍ ଜାଣିଛନ୍ତି ଲେଖକଙ୍କର ଅନ୍ତିମକାଳ ଏଇଲେ ମିନିଟ୍ ର ହିସାବରେ ଗଣାଯାଇପାରିବ। କୌଣସି କଥା ନକହି,ଓଲଗା ସହିତ କୌଣସି ପରାମର୍ଶ ନକରି ସେ କାନ୍ଥର ଚୋରକୋଠରୀରେ ଥିବା ଟେଲିଫୋନ୍ ଆଡକୁ ଆଗେଇଗଲେ। ତାହାର ବ୍ୟବହାର କରିବାର ନିୟମାବଳୀକୁ ପଢିଲେ। ଗୋଟିଏ ବୋତାମରେ ଆଙ୍ଗୁଳି ଚିପି ସକ୍ରିୟ କରି ଫୋନ୍ ର ପାଖରେ ଥିବା ହାତଲକୁ ଘୁରାଇଲେ ହୋଟେଲ୍ ର ତଳେ ଥିବା ରୋଷେଇଖାନା ସହିତ ସେ କଥା କହିପାରିବେ। ଏହି ନିର୍ଦ୍ଦେଶ ଅନୁସାରେ ସେ ରିସିଭର୍ ଉଠାଇ କାନ ପାଖକୁ ନେଲେ ଆଉ ଆରପଟରୁ ଯାହା ଯାହା କୁହାଯାଇଥିଲା ସେଇଭଳି କାମ ସାରିଥିଲେ। ଶେଷ ବେଳକୁ ଜଣକୁ ସେ ହୋଟେଲ୍ ରୁ ସବୁଠାରୁ ଉତ୍କୃଷ୍ଟ ଗୋଟିଏ ଶାମ୍ପେନ୍ ବୋତଲ ଆଣିବାକୁ କହିଥିଲେ। “କେତୋଟି ଗ୍ଲାସ୍ ?” ତାଙ୍କୁ ପଚରାଯିବାରୁ କହିଥିଲେ,”ତିନୋଟି ।” ଟେଲିଫୋନ୍ ରେ ମୁହଁ ରଖି ଏକପ୍ରକାର ଚିତ୍କାର କରି ସେ ଏଇ କଥା କହିଥିଲେ।”ଯେତେ ଚଞ୍ଚଳ ପାରିବ ଆସ,ଶୁଣିପାରୁଛ ତ ?” ଏହା ଏପରି ଏକ ଅନୁପ୍ରେରଣାର ଦୁର୍ଲଭ ମୁହୂର୍ତ୍ତ ଯାହା ପରେ ଯଥେଷ୍ଟ ଏଡାଇ ଯାଇ ପାରିଲେ ବି ଏଇଲେ ଏଇ କାମଟି ପୁରାପୁରି ଏତେଟା ଯଥାଯଥ ଯେ ତାହା ଅନିର୍ବାର୍ଯ୍ୟ ଥିଲା ମନେ ହୁଏ।

ସାଥିରେ ଶାମ୍ପେନ ବୋତଲ ସହ କବାଟ ପାଖରେ ଯିଏ ଉପସ୍ଥିତ ଥିଲା ସେ ଏକ କ୍ଳାନ୍ତ ଚେହେରାର ଯୁବକ ଯାହାର ମଥାର ଠିଆଠିଆ ଚୂଳ ଗୁଡିକ ଇଷତ ସୁନେଲି।ତାହାର ହୋଟେଲ୍ ୟୁନିଫର୍ମ ର ଟ୍ରାଉଜର୍ କୁଞ୍ଚାମୁଞ୍ଚା,ଭାଙ୍ଗ ନାହିଁ ଏବଂ ତରତର ହୋଇ ଆସିବା କାରଣରୁ ଜ୍ୟାକେଟ୍ ର ବୋତାମ ଭିତରୁ ଗୋଟିକୁ ଲଗାଇବା ଛାଡି ଯାଇଛି। ତା’କୁ ଦେଖି ମନେ ହେଉଥିଲା ଯେମିତି ସେ ବିଶ୍ରାମ ନେଉଥିଲା (ଧପ୍ କରି ଚେୟାର୍ ରେ ବସି ଘୁମେଇ ପଡିଥିଲା)ଯେତେବେଳେ ଟିକିଏ ଦୂରରେ ଏତେ ସକାଳରେ ଟେଲିଫୋନ୍ ଝଣଝଣ କରି ବାଜି ଉଠିଥିଲା- ହେ ଭଗବାନ -ଏବଂ ଏହାର ପରେ ପରେ ହୁଏତ କେଉଁ ସିନିଅର୍ ତାହାକୁ ତାଗିଦା କରି କହିଛି ୨୧୧ ନଂବର ରୁମ୍ ରେ ଗୋଟିଏ ବୋତଲ “ମୋୟେତ କୋଂ” ଶାମ୍ପେନ ଦେଇ ଆସିବାକୁ।”ଚଞ୍ଚଳ ଯା,ଶୁଣି ପାରୁଚୁ ତ !”

ରୂପାର ଆଇସ୍-ବକେଟ୍,ଗୋଟିଏ ବୋତଲ ଶାମ୍ପେନ ଆଉ ତିନୋଟି କଟ୍-ଗ୍ଲାସ୍ ନେଇ ତରୁଣଟି ଘର ଭିତରକୁ ପ୍ରବେଶ କରିଥିଲା। ଟେବୁଲ୍ ଉପରେ ସେଗୁଡିକୁ ରଖିବାପାଇଁ ଗୋଟିଏ ଜାଗା ଖୋଜି ବାହାର କରିଥିଲା ସେ,ଅନ୍ୟ ଘରେ ସେଇଠି କିଏ ଜଣେ ଭୟାନକ ଶ୍ୱାସକଷ୍ଟ ଭୋଗୁଛି ତାହାକୁ ଦେଖିବା ପାଇଁ ସଦାସମୟ ବଗ ଭଳି ନିଜର ଗଳାକୁ ଉହୁଙ୍କି ରଖିଛି ସେ। ଗୋଟିଏ ତୀବ୍ର ଯନ୍ତ୍ରଣାଦାୟକ ଶବ୍ଦ ଆଉ ପ୍ରଚଣ୍ଡ ଶ୍ୱାସକଷ୍ଟର ଘଡଘଡ ଆବାଜ ଯାହାକୁ ଶୁଣି ସେଇ ତରୁଣ ଜଣକ ନିଜର ଚିବୁକ ନିଜ ସାର୍ଟର କଲର୍ ଭିତରେ ଗୁଞ୍ଜି ଦେଇ ଟିକିଏ ଘୁରି ପଡିଥିଲା। ନିଜର କଥା ଭୁଲି ଯାଇ ସେ ଖୋଲା ଝରକା ଦେଇ ବାହାର ର ଅନ୍ଧାରରେ ବୁଡିରହିଥିବା ସହରକୁ ଚାହିଁରହିଥିଲା। ତାହାପରେ ସେ ଦାଢୀବାଲା ମୋଟା ଦମ୍ଭିଲା ମଣିଷ ଜଣକ ତାହାର ହାତରେ କିଛି କଏନ୍ ଗୁଞ୍ଜି ଦେଇଥିଲା -ଏକ ମୋଟାମାପର ବକଶିଶ୍,ଅନ୍ତତଃ ହାତମୁଠାରୁ ଯାହା ଜାଣି ହେଉଛି- ଆଉ ହଠାତ୍ ସେଇ ତରୁଣ ଜଣକ ଦେଖିଥିଲା କବାଟଟି ଖୋଲା। କିଛି ବାଟ ଆଗେଇ ଯାଇ ସେ ଲାଣ୍ଡିଙ୍ଗ୍ ରେ ଠିଆ ହେଲା ଆଉ ହାତର ମୁଠାକୁ ଖୋଲି ଅବାକ ବିସ୍ମୟରେ କଏନ୍ ଗୁଡିକୁ ଚାହିଁଥିଲା।

ଯାହା ଯେମିତି କରାଯାଏ ଠିକ୍ ସେଇଭଳି ଡାଃ ଶୋୟେଗାର୍ ଶାମ୍ପେନ ବୋତଲରୁ ଠିପିଟିକୁ ଖୋଲିବାକୁ ଲାଗିଥିଲେ। ସେଇ କାମଟିକୁ ସେ ଏମିତି ସତର୍କ ଭାବରେ କରିଥିଲେ ଯାହା ଫଳରେ ,ଯେତେଟା ସମ୍ଭବ,ଉଲ୍ଲାସର ବିକଟ ଆବାଜ ଅନେକଟା କମ୍ ହୋଇପାରିବ। ସେ ସେହି ତିନୋଟିଯାକ ଗ୍ଲାସ୍ ରେ ଶାମ୍ପେନ ଢାଳି ଅଭ୍ୟାସମତରେ ଠିପି ଟିକୁ ପୁଣି ଆଣି ଶାମ୍ପେନ ବୋତଲର ମୁହଁରେ ଚାପି ଦେଇଥିଲେ । ତାହାପରେ ଗ୍ଲାସ୍ ଗୁଡିକୁ ଟ୍ରେ ରେ ଧରି ରୋଗୀର ବେଡ୍ ପାଖକୁ ଗଲେ। ଓଲଗା ତତକ୍ଷଣାତ୍ ଚେକଭ୍ ଙ୍କର ଧରିଥିବା ହାତଟିକୁ ଛାଡି ଦେଇଥିଲେ- ସେଇ ହାତ ,ପରେ ସେ ବିଷୟରେ ସେ କହିଥିଲେ,ଯାହାକୁ ଧରି ରଖିବାରେ ତାଙ୍କର ହୃଦୟରେ ପୃଥିବୀ ଯାକର କଷ୍ଟ ହେଉଥିଲା। ଚେକଭ୍ ଙ୍କ ମଥାର ତଳେ ସେ ଆଉ ଗୋଟିଏ ଅଧିକ ତକିଆ ଗୁଞ୍ଜି ଦେଇଥିଲେ। ତାହାପରେ ଥଣ୍ଡା ଶାମ୍ପେନର ଗ୍ଲାସ୍ ଟିକୁ ଚେକଭ୍ ଙ୍କ ହାତର ପାପୁଲିକୁ ଠେଲି ଦେଇଥିଲେ ଆଉ ନିଶ୍ଚିତ ହେବାକୁ ଚାହିଁଥିଲେ ଯେ ତାଙ୍କର ଆଙ୍ଗୁଳିଗୁଡିକ ସେଇ ଗ୍ଲାସ୍ କୁ ଜାବୁଡି ଧରୁଛି କି ନାହିଁ । ଚେକଭ୍ ,ଓଲଗା ଆଉ ଶୋୟେଗାର୍-ଏଇ ତିନିଜଣ ପରସ୍ପରକୁ ଚାହିଁଥିଲେ। ସେମାନେ ସେତେବେଳେ ବି ନିଜନିଜର ଗ୍ଲାସ୍ କୁ ଛୁଆଇଁ ନାହାଁନ୍ତି । କାହାର ସ୍ୱାସ୍ଥ୍ୟ କାମନାରେ ସେମାନେ ଏଇଲେ ମଦ୍ୟପାନ କରିବେ ! ଏଇ ପୃଥିବୀରେ କିଏ ଏପରି ଅଛି ! କେମିତି ଅଛି ! ସିଏ କ’ଣ ମରଣ ! ନିଜର ଦେହର ଅବଶିଷ୍ଟ ଶକ୍ତି ସଞ୍ଚୟ କରି ଚେକଭ୍ କହିଲେ,”ବହୁଦିନ ତଳେ ଏମିତିକା ଶାମ୍ପେନ ପିଇଥିଲି !” ଓଠର ଧାରରେ ଗ୍ଲାସ୍ କୁ ଲଗାଇ ସେ ଚୁମୁକ ଦେବା ଭଳି ପାନ କରୁଥିଲେ। ପ୍ରାୟ ଦୁଇମିନିଟ୍ ପରେ ଓଲଗା ତାଙ୍କର ହାତରୁ ଖାଲି ଗ୍ଲାସ୍ ଟିକୁ ଆଣି ନାଇଟଷ୍ଟାଣ୍ଡ ଉପରେ ରଖିଥିଲା। ଚେକଭ୍ କଡ ମାଡି ଶୋଇବାକୁ ଚେଷ୍ଟା କଲେ। ଆଖିବୁଜି ଦୀର୍ଘଶ୍ୱାସ ଛାଡୁଥିଲେ । ଗୋଟିଏ ଦୁଇଟି ମିନିଟ୍ ପରେ ତାଙ୍କର ଦୀର୍ଘଶ୍ୱାସ ଅଟକିଗଲା। ବିଛଣାର ଚାଦର ଉପରେ ପଡିରହିଥିବା ତାଙ୍କର ହାତଟିକୁ ନିଜ ହାତରେ ଉଠାଇ ନେଲେ ଡାକ୍ତର ଶୋୟେଗାର୍। ନାଡୀ ଦେଖିବାର ଭଂଗୀରେ ଆଙ୍ଗୁଳିରେ ଚାପ ଦେଲେ,ଫତୁଆ ର ପକେଟ୍ ରୁ ଗୋଟିଏ ସୁନାର ଘଡି ବାହାର କରି ଯେମିତି ସେ କରିଥାଆନ୍ତି ସେଇଭଳି ତାହାର ଢାଙ୍କୁଣିକୁ ଖୋଲିଲେ। ଘଡିର ଦ୍ୱିତୀୟ କଣ୍ଟାଟି ଘୁରୁଛି,ଅତି ଆସ୍ତେ ଘୁରୁଛି । ତିନିଥର ସେଇଟି ଘୁରିଆସିବା ଯାଏଁ ନାଡୀର ଶବ୍ଦକୁ ଶୁଣିବାକୁ ଅପେକ୍ଷା କଲେ ସେ। ଘଡିରେ ସେତେବେଳେ ରାତି ତିନିଟା, ଘରେ ଅସହ୍ୟ ଗରମର ଗୁଳୁଗୁଳି । ବ୍ୟାଡେନଉଇଲର୍ ରେ ବହୁବର୍ଷ ପରେ ଏଇ ଭଳି କଦର୍ଯ୍ୟ ଗରମ ପଡିଛି। ଦୁଇଟି ଯାକ ଘରର ସବୁତକ ଝରକା ଖୋଲା ରହିଛି ହେଲେ ପବନର ବିନ୍ଦୁଏ ନାହିଁ । ଗୋଟିଏ ବଡ କଳା ଡେଣାଥିବା ଗୋଟିଏ ମଥ୍ ଗୋଟିଏ ଖୋଲା ଝରକା ଦେଇ ଭିତରକୁ ଆସି ଇଲେକ୍ଟ୍ରିକ୍ ଲାମ୍ପ ଦେହରେ ଧକ୍କା ଖାଇଥିଲା। ଡାଃ ଶୋୟେଗାର୍ ଚେକଭ୍ ଙ୍କ କବଜିକୁ ଛାଡିଦେଇ ଉଚ୍ଚାରଣ କରିବା ଭଳି କହିଥିଲେ, “ସବୁ ଶେଷ।” ଘଡିର ଢାଙ୍କୁଣିକୁ ବନ୍ଦ କରି ତାହାକୁ ସେ ନିଜର ଫତୁଆର ପକେଟ୍ ରେ ଭର୍ତ୍ତି କରିଦେଇଥିଲେ ।

ସେତେବେଳେ ଓଲଗା ଆଖିରୁ ଲୁହଧାରକୁ ପୋଛି ନିଜକୁ ପ୍ରବୋଧନା ଦେବାକୁ ଚେଷ୍ଟା କରୁଥାନ୍ତି । ଏତେ ରାତିରେ ଆସିଥିବା ପାଇଁ ସେ ଡାକ୍ତର ଶୋୟେଗାର୍ ଙ୍କୁ ଧନ୍ୟବାଦ ଜଣାନ୍ତି । ଡାକ୍ତର ଜାଣିବାକୁ ଚାହିଁଥିଲେ, ତାଙ୍କର ଏଇଲେ କିଛି ଔଷଧ ଦରକାର ପଡିବ କି ନାହିଁ, ଲଉଡାନମ୍ ବା କେତୋଟି ବୁନ୍ଦା ଭ୍ୟାଲେରିଆନ୍,ନିଦ ର ଔଷଧ । ମନା କରିବା ଭଳି ମଥା ହଲାଇଥିଲେ ସେ। ଡାକ୍ତର ଶୋୟେଗାର୍ ଙ୍କୁ ସେ କିନ୍ତୁ ଗୋଟିଏ ଅନୁରୋଧ କରିଥିଲେ : କର୍ତ୍ତୃପକ୍ଷ ଜାଣିବା ଆଗରୁ ଆଉ ଖବର କାଗଜର ନଜରରେ ଆସିବା ଆଗରୁ ଯେତେବେଳେ ଚେକଭ୍ ଆଉ ତାଙ୍କର ହେଫାଜତ୍ ରେ ରହିବେ ନାହିଁ ,ସେ ତାଙ୍କ ସହିତ କିଛି ସମୟ ଏକାନ୍ତରେ ରହିବାକୁ ଚାହାଁନ୍ତି । ଡାକ୍ତର ଶୋୟେଗାର୍ କ’ଣ ତାଙ୍କୁ ଏଇ ବିଷୟରେ କିଛି ସାହାଯ୍ୟ କରିପାରିବେ ? ଏଇମାତ୍ର ଯାହା ଘଟିଗଲା ସେହି ଦୁଃସମ୍ବାଦକୁ କ’ଣ କୌଣସି ପ୍ରକାରରେ ଚାପି ରଖିପାରିବେ ? ନିଜର ଆଙ୍ଗୁଳିକୁ ନିଜର ବୃହତକାୟ ଦାଢୀଉପରେ ଟିକିଏ ହାଲୁକା ଭାବରେ ବୁଲାଇଆଣି ସେ କହିଥିଲେ,”କାହିଁକି ନୁହଁ ?” ମୋଟ ଉପରେ ଏଇ ଦୁର୍ଘଟଣାର କଥା ଏଇଲେ ଜଣାଇବା ଆଉ ଘଣ୍ଟା ଦୁଇଟି ପରେ ଜଣାଇବା ମଧ୍ୟରେ ସେମିତି କ’ଣ ଫରକ ? ବାକି ଯାହା ଅଛି ତାହା ହେଉଛି ଡେଥ୍ ସାର୍ଟିଫିକେଟ୍ ଲେଖା ଯାହା ତାଙ୍କର ଅଫିସ୍ ଖୋଲିବା ପରେ କରାଯାଇପାରିବ, କିଛି ଘଣ୍ଟାର ବିଶ୍ରାମର ପରେ । ଏଇ ସବୁ ଭାବି ଡାକ୍ତର ଶୋୟେଗାର୍ ରାଜି ହୋଇ ବିଦାୟ ନେବାର ଆୟୋଜନ କରିବାକୁ ଲାଗିଲେ। ସେ ବିଡବିଡ୍ କରି ଶୋକପ୍ରକାଶ କଲେ। ଓଲଗା ମଥା ତଳକୁ କରିଥିଲେ। ଡାଃ ଶୋୟେଗାର୍ କହିଥିଲେ,”ମୁଁ ସମ୍ମାନିତ।” ତାହାପରେ ସେ ତାଙ୍କର ବ୍ୟାଗଟିକୁ ଧରି ଘର ଭିତରୁ ବାହାରି ଗଲେ; ଇତିହାସ ହୋଇ ରହିଗଲା ସେଇ କ୍ଷଣ।

ଠିକ୍ ସେତିକିବେଳେ ଶାମ୍ପେନ ବୋତଲର ଠିପିଟି ଫଟ୍ ଶବ୍ଦରେ ଛିଟିକି ଗଲା; ଟେବୁଲ୍ ଉପରେ ଫେଣ ପିଚକି ପଡିଲା। ଓଲଗା ଚେକଭ୍ ଙ୍କ ବେଡ୍ ନିକଟକୁ ଫେରି ଗଲେ ।ଗୋଟିଏ ଛୋଟ ଟୁଲ୍ ରେ ବସି ଚେକଭ୍ ଙ୍କ ହାତଟିକୁ ଧରି ମଝିରେ ମଝିରେ ସ୍ୱାମୀକୁ କିଛି ମନେପକାଇଦେବା ଭଳି ତାଙ୍କର ମୁହଁରେ ଟପା ଦେବାକୁ ଲାଗିଲେ । “କୌଣସି ମଣିଷର ଗଳା ଶୁଭିଲା ନାହିଁ ,ନିତ୍ୟନୈମିତ୍ତିକ ଶବ୍ଦ ନାହିଁ” ସେ ପରେ ଲେଖିଥିଲେ,”ସେଇଠି ରହିଛି କେବଳ ମରଣର ମହନୀୟତା,ଶାନ୍ତି ଆଉ ସୌନ୍ଦର୍ଯ୍ୟ।”

କ୍ରମଶଃ….

Raymond Carver

(ରେମଣ୍ଡ କାର୍ଭର (୧୯୩୮୧୯୮୮) ଚର୍ଚ୍ଚିତ ଆମେରିକୀୟ କଥାକାର। ତାଙ୍କର କାହାଣୀରେ ନିର୍ଜନତାର ଚିତ୍ରନାଟ୍ୟ,ଅବସାଦଗ୍ରସ୍ତ ଜୀବନ ଏବଂ ଅସହଜ ସଂପର୍କ ମାର୍ଜିତ ମୂଲ୍ୟାୟନ ଦେଖିବାକୁ ମିଳିଥାଏ। ଯାହା ଅପ୍ରକାଶ୍ୟ ତାହା ତାଙ୍କର କାହାଣୀମାଧ୍ୟମରେ ଆମକୁ ଚୋରାକଣ୍ଟା ଭଳି ବିନ୍ଧିବାକୁ ଲାଗିଥାଏ। ରେମଣ୍ଡ କାର୍ଭରଙ୍କ କାହାଣୀର ଦୁଇଟି ପ୍ରମୁଖ ବୈଶିଷ୍ଟ୍ୟ ରହିଛି ,ଗୋଟିଏ ହେଉଛିମିନିମାଲିଜମ୍ବା ଯଥାସଂକ୍ଷିପ୍ତଉପଯୋଗ ବାଦ ଅର୍ଥାତ୍ ଗୋଟିଏ କାହାଣୀ ପାଇଁ ଯେତିକି ତଥ୍ୟ ପଞ୍ଜିକୃତ ତଥା ପରିଭାଷିତ କରିବା ପ୍ରୟୋଜନ ରହିଛି ସେଥିରେ ଯଥାସମ୍ଭବ ମିତବ୍ୟୟିତା। ଏବଂ ତାଙ୍କର ଅନ୍ୟତମ ବୈଶିଷ୍ଟ୍ୟ ହେଉଛିଡାର୍ଟି ରିଅଲିଜମ୍ବାଅସହଜ ବାସ୍ତବତା

ରେମଣ୍ତ କାର୍ଭର ଏହି ଗଳ୍ପଟିର ଶୀର୍ଷକ ରଖିଥିଲେଏରାଣ୍ଡଯାହାର ଏଇ ଗଳ୍ପଟିର ପରିପ୍ରେକ୍ଷୀରେ ଅର୍ଥ ହେବ,”ଏକ ସଂକ୍ଷିପ୍ତ ଯାତ୍ରାରେ ବାହାରିଥିବା ଜଣେ ସମ୍ବାଦବାହକ ଯେହେତୁ ଏଇ ଗଳ୍ପଟି ବିଶ୍ୱସାହିତ୍ୟର ଅନ୍ୟତମ ଚର୍ଚ୍ଚିତ କଥାକାର ଆନ୍ତନ ଚେକଭ୍ ଙ୍କ ଶେଷ ଦିନମାନଙ୍କର ଏକ ଉପସ୍ଥାପନା ତେଣୁ ଆମମାନଙ୍କୁ ସହଜ ଲାଗିବା ପାଇଁ ଏଇ ଗପର ଏମିତି ଗୋଟିଏ ସହଜ ଶୀର୍ଷକ ଦିଆଯାଇଛି। ଏଇ କାହାଣୀ ରେ ଆମେ କାର୍ଭରଙ୍କ ମିନିମାଲିଜମ୍ ପ୍ରୟୋଗ କୁ ଦେଖିପାରିବା। ଗୋଟିଏ ପ୍ରଭାବୀ କେନ୍ଦ୍ରୀୟ ଚରିତ୍ରକୁ ପ୍ରତିଷ୍ଠିତ କରିବା ପାଇଁ ସେ ଏଠାରେ ଯଥାସମ୍ଭବ ପ୍ରଭାବୀ ତଥ୍ୟର ଆଧାରକୁ ବଖାଣ କରିଅଛନ୍ତି।

ଏଇ ଗପ ସଂପର୍କରେ ଆଉ ଗୋଟିଏ କଥା। କୌଣସି ଗପକୁ ପଢିବା ବେଳେ ଆମକୁ ଆଉ ଗୁଡିଏ କଥା ସହିତ ବିଚାର କରିବାକୁ ପଡେ ଯେ,ଅମୁକ କାହାଣୀଟି ଗୋଟିଏ ବିବରଣୀ ନା ଗୋଟିଏ ଇତିହାସ। ବିବରଣୀ ଆଉ ଇତିହାସ ରଚନା ଭିତରେ ଫରକ ଅଛି। ଇତିହାସ ରଚନାରେ ଜଣେ ତଥ୍ୟ ଏବଂ ବର୍ଣ୍ଣନା ଦୃଷ୍ଟିରୁ କଦାପି ଅସଂଜତ ହୋଇପାରିବ ନାହିଁ ଆଉ ଅନେକ ସମୟରେ କାହାଣୀଟି ଯଦି ଗୋଟିଏ ଇତିହାସ ରଚନାର ଆଙ୍ଗିକତାକୁ ଆଶ୍ରୟ କରିଥାଏ ତେବେ ତାହା ଅନେକ ସମୟରେ ଅଧିକ ପ୍ରଭାବୀ ହୋଇଥାଏ। ଏଇ କାହାଣୀରେ ଆନ୍ତନ ଚେକଭ୍ ଙ୍କୁ ସେମିତି ଏକ ଇତିହାସସ୍ୱରୂପ ପ୍ରଦାନ କରିଛନ୍ତି ରେମଣ୍ଡ କାର୍ଭର )

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →