ମୂଳ ଲେଖା : ଲିନ ଡିନ || ଅନୁବାଦ : ଜ୍ୟୋତି ନନ୍ଦ
ଏ କଥା ସତ, ଯେ କୌଣସି ସମାଜରେ ତାହା ପ୍ରାଚୀନ ହେଉ ବା ସର୍ବାଧୁନିକ, ଲୋକଟିର ହାତରେ ଯଦି ବହି ଖଣ୍ଡିଏ ରହିଛି ତାହେଲେ ସେ ନିଶ୍ଚୟ କିଛି ପରିମାଣର ସମ୍ମାନ ଦାବୀ କରି ବସିବ, ସମ୍ମାନ ନହେଲେ ବି ଗୋଟିଏ ଆତଙ୍କ ମିଶା ସଂଭ୍ରମ । ଏଇ ତଥ୍ୟଟି ଜାଣିବା ପରେ ପିଅର ବୁଇ, ମେକାଙ୍ଗୋ ତ୍ରିକୋଣଭୂମୀ ଅଂଚଳର ଫଟ ଦାଟ ଗାଆଁର ଜଣେ ଅଶିକ୍ଷିତ ସାଇକେଲ ମରାମତିବାଲା ଯୁଆଡେ ଯାଏ ସାଥିରେ କିଛି ବହି ଧରି ଯିବାକୁ ଆରମ୍ଭ କରେ।
ଏହାର ଯାଦୁ ଯଥାଶିଘ୍ର ପ୍ରତୀୟମାନ ହୁଏ: ଭିଖାରୀମାନେ ହୁଅନ୍ତୁ କି ଦେହଜୀବୀ, ସେମାନେ ତାହାକୁ ଆଉ ସେମିତି ଉଚ୍ଚଗଳାରେ ମୁକାବିଲା କରିବା ଭଳି କଥା କହିଲେ ନାହିଁ, ଛିନତାଇବାଜମାନେ ତାହାକୁ ଏଡାଇଯିବାକୁ ଲାଗିଲେ, ଆଉ ବିଶେଷରେ ପିଲାମାନେ ତାହାକୁ ଦେଖିବାମାତ୍ର ଅସ୍ୱାଭାବିକ ଭାବରେ ତୁନି ପଡିଯାଉଥିଲେ।
ପିଅର ବୁଇ ପ୍ରଥମେ ସାଥିରେ ଖଣ୍ଡିଏ ବହି ଧରି ବାହାରିପଡୁଥିଲା, ତାହାପରେ ସେ ଅନୁଭବ କଲା ସାଥିରେ ଅଧିକ ବହି ରହିଛି ମାନେ, ସେ ଆଖପାଖର ଅନ୍ୟମାନଙ୍କ ଉପରେ ଅଧିକ ପ୍ରଭାବ ପକାଇ ପାରିବ। ସେଇଥିପାଇଁ ସେ ଥରକରେ ଅନ୍ୟୁନ୍ୟ ତିନୋଟି ବହି ହାତରେ ଧରି ବାହାରେ ଚାଲିବାକୁ ଆରମ୍ଭ କରେ। ମାତ୍ର ଭୋଜିଭାତ ଜନ୍ତାଳ ଦିନମାନଙ୍କରେ ଯେତେବେଳେ ରାସ୍ତାରେ ବହୁତ ଲୋକ ମହଯୁଦ ଥାଆନ୍ତି, ସେତେବେଳେ ପିଅର ବୁଇର ହାତରେ ଅନ୍ତତଃ ଡଜନେ ହେବ ବହି ରହିଥାଏ।
ଏଇ ବହିଗୁଡିକ କେଉଁ ପ୍ରକାରର ବହି ସେଥିରେ କିଛି ଯାଏ ଆସେ ନାହି- କେଉଁ ଭଳି ବନ୍ଧୁ ଅର୍ଜନ କରିବ ଏବଂ ଲୋକମାନଙ୍କୁ ପ୍ରଭାବିତ କରିବ, ଆମର ଶରୀର ଆଉ ଆମେ, ସୂର୍ଯ୍ୟାଲୋକର ତଳେ – ଯେଉଁ ପର୍ଯ୍ୟନ୍ତ ତାହା ବହି ହୋଇ ରହିଛି, ସେତିକିରେ ହିଁ ଚଳିଯିବ। ପିଅର ବୁଇ ବିଶେଷରେ ବେଶ୍ ମୋଟା ଆଉ ଛୋଟ ଅକ୍ଷରରେ ଛପା ବହିକୁ ବେଶି ପସନ୍ଦ କରୁଥିଲା, ସେ ଯାହାହେଉ। ହୁଏତ ସେ ମନେକରୁଥିଲା ଯେ ଏମିତିକା ବହିଗୁଡିକରେ ପାଣ୍ଡିତ୍ୟ ଅଧିକ ପରିମାଣରେ ରହିଛି। ତାହାର କ୍ରମବର୍ଦ୍ଧମାନ ପୁସ୍ତକାଗାରରେ ଜଣେ ହିସାବ ସମୀକ୍ଷା ତଥା ପୃଥିବୀର ଶ୍ରେଷ୍ଠ ସହରଗୁଡିକ ସଂପର୍କରେ ଅନେକ ଉଚ୍ଚକୋଟିର ବହିକୁ ଦେଖିବାକୁ ପାଏ।
ସାଇକେଲ ମରାମତି ଭଳି ଗୋଟିଏ ଛୋଟ ଦୋକାନରୁ ମିଳୁଥିବା ସ୍ୱଳ୍ପ ଆୟରେ ଏତେଗୁଡିଏ ବହି ସଂଗ୍ରହ କରିବା ପିଅର୍ ବୁଇ ପକ୍ଷରେ ଆଦୌ ସହଜ ନଥିଲା। ସେଇଥିପାଇଁ ତାହାକୁ ନିଜର ଅନ୍ୟାନ୍ୟ ଖର୍ଚ୍ଚକୁ ମୁଲତବୀ ରଖିବାକୁ ପଡୁଥାଏ, କେବଳ ଖାଇବା ପିଇବା ଖର୍ଚ୍ଚ ସେଥିରୁ ବାଦ। ଏମିତି ସବୁ ଦିନମାନ ବିତିଛି ଯେଉଁଠି ତାହାକୁ କେବଳ ରୁଟି ଆଉ ଚିନିରେ ଚଳେଇନେବାକୁ ହୋଇଛି । ଏହା ସତ୍ତ୍ୱେ ପିଅର୍ ବୁଇ ଯେତେ ଅସୁବିଧା ପଡୁ ପଛକେ ତାହାର ଏହି ଉଚ୍ଚମାନର ବହି-ସଂଗ୍ରହରେ ଆଦୌ ହାତ ମାରିବାର ଦେଖାଯାଇନି। ପେଟରେ ଯେତେ ମୂଷା ନାଚୁଥିଲେ ବି ତାହାକୁ ଆଖପାଖର ଗାଆଁ ଆଦିରେ ଯେଉଁ ସମ୍ମାନ ମିଳୁଥିଲା ତାହା କହିବାକୁ ଗଲେ ଇପସିତ କ୍ଷତିପୂରଣ ଠାରୁ ଯଥେଷ୍ଟ ଅଧିକ।
ପିଅର୍ ବୁଇର ଏମିତି ବହିର ଉପରେ ଥିବା ସଂପୂର୍ଣ୍ଣ ବିଶ୍ୱାସ ୧୯୭୨ ସାଲରେ ସମ୍ମାନୀତ ହୁଏ, ଯେତେବେଳେ, ଗୋଟିଏ ଭୟାବହ ଯୁଦ୍ଧର ଘଡିସନ୍ଧି ମୁହୂର୍ତ୍ତରେ, ତାହାର ଛୋଟ ଘାସ କୁଡିଆକୁ ଛାଡି ସମଗ୍ର ଗାଆଁଟି ହୁତୁହୁତୁ ହୋଇ ଜଳିଯାଏ, ଯେଉଁଠି ପିଅର୍ ବୁଇ ଚକାମାଡି ବସି ଥରଥର ହୋଇ କମ୍ପୁଥିଲା, ତାହାକୁ ଘେରି ରହିଥାଏ ଅନ୍ତତଃ ଦଶହଜାର ବହି।