ମୂଳ ଲେଖା: ସିନ୍ଥିଆ ଓଜିକ୍ || ଅନୁବାଦ: ଜ୍ୟୋତି ନନ୍ଦ
ଷ୍ଟେଲା, ଶୀତ, ଭାରି ଶୀତ, ନରକଠୁ ବଳି ଶୀତ। କେମିତି ସେଥିରେ ସେ ତିନିହେଁ ରାସ୍ତାରେ ଯାଉଛନ୍ତି ଏକାଠି, ରୋଜା ମାଗଦାର ଫୁଙ୍ଗୁଳା ଛାତିକୁ ଆଙ୍କୁଡି ଧରିଛି ଆଉ ମାଗଦା ତାହାକୁ ଘୋଡାଇ ଦେଇଛି ଶାଲ ଖଣ୍ଡିକରେ । ବେଳେବେଳେ ମାଗଦାକୁ ସେମିତି ଧରିବା ପରି କାମ ପଡେ ଷ୍ଟେଲା ଉପରେ । ମାତ୍ର ମାଗଦାକୁ ସେ ସେମିତି ସହିପାରେ ନାହିଁ । ଚଉଦ ବର୍ଷର ନିହାତି ପତଳା ଝିଅଟିଏ ସେ, ବାଙ୍ଗରୀ ,
ଛାତିଉପରେ ଥନ ଦୁଇଟି ଭାରି ଛୋଟ,ଷ୍ଟେଲା ଚାହେଁ ଶାଲ ଖଣ୍ଡିକରେ ଘୋଡିଘାଡି ହୋଇ,ଯେମିତି ତା’କୁ କେହି ନଦେଖିପାରନ୍ତି, ନିଦରେ ଟଳମଳ, ମାର୍ଚ୍ଚମାସର ଆମୋଦ, ପିଲାଟିଏ, ଛାତିକୁ ଆଙ୍କୁଡି ଧରିବା ପିଲାଟିଏ । ମାଗଦା ରୋଜାର ଥନକୁ ଧରିଛି ,ରୋଜା ଚାଲିବା କାମ ଜାରି ରଖିଛି, ଇଏ ଚଳନ୍ତା ଦୋଳି। ସେଥିରୁ ଆଉ ଏତେ ଦୁଧ ନାହିଁ , ବେଳେବେଳେ ମାଗଦା ଶୂନ୍ୟକୁ ଚୋଷୁଥାଏ, ତାହାପରେ ପାଟିକରି କାନ୍ଦେ । ତାହାର ଆଣ୍ଠୁରେ ଟ୍ୟୁମର, କହୁଣୀହାଡ ନିହାତି ସରୁ।
ରୋଜା କୁ ଭୋକ ଲାଗୁନଥିଲା, ତା’କୁ ଭାରି ହାଲୁକା ଲାଗୁଥାଏ, ଜଣେ ଚାଲିବାବେଳେ ଯେମିତି ସେହିଭଳି ନୁହଁ ହେଲେ ସେମିତି ଜଣକ ପରି ଯାହାର ଚେତା ନାହିଁ, ଯିଏ କାଳିସୀ ପରି ଗୋଟିଏ ଆବେଶରେ ବନ୍ଦୀ,ସେହିଭଳି ଜଣେ ଯିଏ ଆଗରୁ ଗୋଟିଏ ଭାସମାନ ପରୀ,ସତର୍କ ଆଉ ଚାରିଆଡକୁ ଦେଖିପାରୁଛି, ମାତ୍ର ସେ ଶୂନ୍ୟବାସୀ, ସେଇଠି ନାହି, ସେଇଠି ମାନେ ରାସ୍ତାକୁ ଛୁଇଁବା ଭଳି କଥା ନୁହଁ। ଯେମିତି ଆଙ୍ଗୁଳି ଅଗରେ ଠିଆହେବା ର ଟଳମଳ । ଶାଲର ଫାଙ୍କରେ ସେ ମାଗଦାର ମୁହଁକୁ ଚାହିଲା, ନିଜ ବସାରେ ଗୋଟିଏ ଗୁଣ୍ଡୁଚି, ସୂରକ୍ଷିତ, ଶାଲର ବନ୍ଧନୀକୁ ଡେଇଁ କେହି ତାହାର ଛୋଟିଆ ଘର ଭିତରକୁ ପ୍ରବେଶ କରିପାରିବ ନାହିଁ । ମୁହଁଟି ଗୋଲଗାଲ, ମୁହଁର ଯେମିତି ପକେଟ୍ ଦର୍ପଣ; ମାତ୍ର ଏହା ରୋଜା ଭଳି ମଳିଛିଆ ରଂଗର ନୁହଁ, ହଇଜା ଭଳି କଳା, ଏହା କହିବାକୁ ଗଲେ ଅନ୍ୟ ପ୍ରକାରର ମୁହଁ, ଆଖି ବତାସ ଭଳି ନୀଳ, ନରମ ପର ଭଳି ହଳଦୀ ବର୍ଣ୍ଣର କେଶ ରୋଜାର ପିନ୍ଧା କୋଟ ରେ ଯେମିତି ତାରକା ଭଳି ସିଲେଇ ହୋଇଛି । ତମେ ମନେ କରିପାର ସେ ସେମାନଙ୍କର ସନ୍ତାନ ଭିତରୁ ଗୋଟିଏ।
ରୋଜା, ଭାସମାନ, ସ୍ୱପ୍ନ ଦେଖୁଥାଏ ସେ ଯେମିତି ମାଗଦାକୁ ଗାଆଁର ଆଉ କାହାର ହାତକୁ ସମର୍ପି ଦେଇଛି। ସେ ଧାଡିରୁ ଘଡିଟିଏ ଅଲଗା ହୋଇ ମାଗଦାକୁ ରାସ୍ତାକଡରେ ଛିଡା ହୋଇଥିବା ଆଉ କୌଣସି ମହିଳାର ହାତକୁ ବଢାଇଦେବ। ମାତ୍ର ଯଦି ସେ ବାହାରି ଆସେ ତାହାହେଲେ ସେମାନେ ତାହାକୁ ଗୁଳି କରିଦେବେ। ଆଉ ଯଦି ସେ ଟିକିଏ ଦୌଡିଯାଇ ସେହି ଶାଲ-ବଣ୍ଡିଲ୍ ଟିକୁ ଆଉ କାହା ଆଡକୁ ଫୋପାଡି ଦିଏ ତାହାହେଲେ କ’ଣ ସେଇ ଅଜଣା ମହିଳା ଜଣକ ଏଇ ଅଜଣା ବଣ୍ଡିଲ୍ ଟିକୁ ସାଥିରେ ନେବ ? ସେ ଆଶ୍ଚର୍ଯ୍ୟ ହେବ,ହୁଏତ ବି ଭୟଭୀତ ହୋଇପାରେ; ହୁଏତ ସେ ଶାଲବଣ୍ଡିଲ ଟିକୁ ଭୂଇଁକୁ ଖସାଇ ଦେଇପାରେ,ଆଉ ଏହାଫଳରେ ମାଗଦା ଭୂଇଁରେ ପଡିଯିବ,ତାହାର ମୁଣ୍ଡ ଛେଚି ହୋଇ ତାହାର ପ୍ରାଣବାୟୁ ଉଡିଯାଇପାରେ। ସେହି ଛୋଟିଆ ଗୋଲାକାର ମଥା। ଭାରି ଶାନ୍ତ ସୁଧାର ପିଲା, କାନ୍ଦିବା ବନ୍ଦ କରିଦେଲା, ଆଉ ଚୋଷିବାକୁ ଲାଗିଲା କେବଳ ଶୁଖିଲା ଥନର ସ୍ୱାଦ ପାଇଁ । ଶିଶୁର ଦାନ୍ତ ଭାଡିର ନିଖୁଣ ଚାପ। ଗୋଟିଏ ମୁନିଆଁ ଦାନ୍ତ ତଳ ଦାନ୍ତଭାଡିକୁ ଜାବୁଡି ଧରିଛି, କେମିତି ଝଟକି ଉଠୁଛି,ଲୋକକଥାର ଚଗଲା ଜୀବ ଏଲଫ୍ ର ମାର୍ବଲ ର ସମାଧିଫଳକ ସେଇଠି ଚହଟି ଉଠୁଛି। କୌଣସି ଅଭିଯୋଗ ନାହିଁ, ମାଗଦା ନିଜକୁ ମାଗଦା ର ଥନ ନିକଟରୁ ନିଜକୁ ପ୍ରତ୍ୟାହାର କରିନେଲା,ପ୍ରଥମେ ବାଆଁ,ତାହାପରେ ଡାହାଣ; ଉଭୟ ଫଟା, ଟୋପାଏ ବୋଲି କ୍ଷୀର ନାହିଁ । କ୍ଷୀରବାହୀ ନଳୀ ମାନ ଅବଲୁପ୍ତ, ଗୋଟିଏ ମୃତ ଆଗ୍ନେୟଗିରି, ଦୃଷ୍ଟି ଦେବାର ନାହିଁ, ତେଣୁ ମାଗଦା ଶାଲ ର ଗୋଟିଏ ନେଲା ଆଉ ବଦଳରେ ତାହାକୁ ଦୁହିଁବାକୁ ଲାଗିଲା। ସେ ଶୋଷି ଚାଲିଲା ଆଉ ଚାଲିଲା, ସୂତାଗୁଡିକୁ ବିସ୍ଫୋରଣରେ ଓଦା କରିଦେଲା। ଶାଲ ଖଣ୍ଡିକର ମଧୁର ବାସ୍ନା, ଲିନେନ୍ ର କ୍ଷୀର।
ସେଇଟି ଗୋଟିଏ ଜାଦୁର ଶାଲ ଥିଲା,ଗୋଟିଏ ଶିଶୁକୁ ତିନିଦିନ ତିନି ରାତି ଧରି ପୋଷଣ ଦେଇଛି । ମାଗଦା ମରି ନଥିଲା, ସେ ବଞ୍ଚିଥିଲା, ଯଦିଓ ଭାରି ଶାନ୍ତ ଭାବରେ। ଗୋଟିଏ ଅଦ୍ଭୁତ ବାସ୍ନା, ଡାଲଚିନି ଆଉ ପେସ୍ତାବାଦାମର, ତାହାର ମୁହଁରୁ ବାହାରି ଆସୁଥାଏ । ସେ ପ୍ରତି ମୁହୂର୍ତ୍ତରେ ତାହାର ଆଖିକୁ ଖୋଲା ରଖୁଥିଲା, ଭୁଲିଯାଉଥିଲା କେମିତି ଶୋଇବା ପାଇଁ ଆଖିପତା ବନ୍ଦ କରିବାକୁ ହୁଏ ବା ଅନ୍ୟବେଳେ କେମିତି ଆଖି ମିଟି ମିଟି କରାଯାଏ ଆଉ ରୋଜା ଏବଂ ଷ୍ଟେଲା ସେମାନଙ୍କର ବିଷର୍ଣ୍ଣତାକୁ ପଢିନେଉଥାନ୍ତି ବେଳେବେଳେ । ରାସ୍ତାରେ ଥିଲାବେଳେ ସେମାନେ ନିଜର ଓଜନକୁ ଗୋଟିଏ ପାଦରୁ ଆର ପାଦ ଉପରେ ବଦଳାଇ ନେଉଥାନ୍ତି ଆଉ ମାଗଦାର ମୁହଁକୁ ଚାହୁଁଥାନ୍ତି । “ଆର୍ଯ୍ୟାନ୍” ଷ୍ଟେଲା କହିଲା,ସୂତାଠୁ ଆହୁରି ପତଳା ଗୋଟିଏ ଗଳାରେ; ଆଉ ରୋଜା ଭାବୁଥିଲା ଷ୍ଟେଲା କେମିତି ମାଗଦାକୁ ଚାହିଁ ରହିଛି ସେଇ ଆଦିମ ନରଭକ୍ଷୀର ଆଖିରେ ଯେମିତି ତାହାକୁ ଏଇଲେ କଞ୍ଚା ଚୋବେଇ ଯିବ । ଆଉ ସେଇ ସମୟରେ ଷ୍ଟେଲା ଯେତେବେଳେ କହିଥିଲା, “ଆର୍ଯ୍ୟାନ” ଏହା ରୋଜାକୁ ଏମିତି ଶୁଭୁଥିଲା ଯେମିତି ଷ୍ଟେଲା କହୁଥିଲା, ” ଆସ୍,ଆମେ ଦୁହେଁ ତାହାକୁ ତୁରନ୍ତ ଗିଳିଦେବା।”
Drawing by Artist Chittaprosad Bhattacharya
ମାତ୍ର ମାଗଦା ଚାଲିବା ପାଇଁ ବଞ୍ଚିଥିଲା। ସେ ସେତିକି ସମୟ ବଞ୍ଚିଥିଲା ,ହେଲେ ସେ ସେତେ ଭଲ ଚାଲିପାରୁନଥିଲା, ସେଥିରୁ ଅଧେ ହେଉଛି ତାହାର ବୟସ ସେତେବେଳକୁ ପନ୍ଦର ମାସ ଆଉ ହୁଏତ ଆର ଅଧକ ହେଉଛି ତାହାର ଗୋଡର ମାଂସପେଶୀ ଯାହା ତାହାର ପିହୁଳା ପେଟକୁ ଠିକ୍ ରେ ଧରିପାରୁନଥିଲା । ପେଟଟି ପବନରେ ଭରପୂର,ପୂରିଲା ଆଉ ଗୋଲାକାର। ରୋଜା ତାହାପାଖରେ ଯେତିକି ଖାଦ୍ୟ ଥିଲା ସବୁତକ ମାଗଦାକୁ ଦେଇଛି,ଷ୍ଟେଲା କିଛି ଦେଇନି; ସବୁକିଛିକୁ ଲୁଟିନେଇ ଖାଇଦେବା ଭଳି ଭୋକିଲା ସେ , ସେ ଆପେ ଆପେ ବଢିଉଠୁଥିବା ଗୋଟିଏ ଶିଶୁ, ମାତ୍ର ସେତିକି ବଢି ଉଠି ନାହିଁ। ଷ୍ଟେଲା ଋତୁମତୀ ହୁଏନାହିଁ । ରୋଜା ଋତୁମତୀ ହୁଏନାହିଁ । ରୋଜା ସବୁକିଛିକୁ ଲୁଟି ଏକା ଖାଇଦେବା ଭଳି ଭୋକିଲା ସତ,ହେଲେ ସେ ଏତିକି ଜାଣିନି; ମାଗଦାଠାରୁ ସେ ଶିଖିପାରିନି କେମିତି ନିଜର ପାଟିରେ ପିଇହେବ ଗୋଟିଏ ଆଙ୍ଗୁଳିର ସ୍ୱାଦ । ସେମାନେ ଏମିତି ଗୋଟିଏ ସ୍ଥାନରେ ଅଛନ୍ତି ଯେଉଁଠି ଦୟା ନାହିଁ,ସମସ୍ତ ଦୟା ଯେମିତି ରୋଜା ଭିତରେ ନିଶ୍ଚିହ୍ନ ହୋଇଯାଇଛି ,ସେ ନିହାତି ନିର୍ଦ୍ଦୟ ଭାବରେ ମାଗଦାର କଅଁଳି ହାଡକୁ ଦେଖେ । ସେ ନିଶ୍ଚିତ ଯେ ଏଇଲେ ଷ୍ଟେଲା ଅପେକ୍ଷା କରିଛି କେତେବେଳେ ମାଗଦା ମରିବ ଆଉ ସେ ମରିବା ମାତ୍ରକେ ଷ୍ଟେଲା ତାହାର କଅଁଳି ଜଂଘରେ ନିଜର ଦାନ୍ତ ବସାଇଦେବ।
ରୋଜା ଜାଣେ ମାଗଦା ଆଉ ବେଶି ସମୟ ବଞ୍ଚିବ ନାହିଁ; ଏହା ଭିତରେ ସେ ମରିଯାଇ ସାରନ୍ତାଣି, ମାତ୍ର ସେ ଗୋଟିଏ ଜାଦୁର ଶାଲ୍ ଭିତରେ ରହିଛି, ତାହାକୁ ରୋଜାର ଥରଥର ଥନ ର କୁଦ ବୋଲି ଧରିନେଇଛି; ରୋଜା ସେଇ ଶାଲଟିକୁ ଜାବୁଡି ଧରିଛି ଯେମିତି ସେହି ଶାଲ ଖଣ୍ଡିକ ହେଉଛି ସେ ନିଜେ । ତାହାଠାରୁ ଏହାକୁ କେହି ଆଉ ଛଡାଇନେଇ ପାରିବେ ନାହିଁ । ମାଗଦା ଏଇଲେ ମ୍ୟୁଟ୍। ସେ କେବେ କାନ୍ଦି ନାହିଁ । ରୋଜା ତାହାକୁ ସେନାଛାଉଣୀରେ ଲୁଚାଇ ରଖିଥିଲା, ଶାଲ ର ଭିତରେ,ମାତ୍ର ସେ ଜାଣିଥିଲା ଦିନେ କିଏ ନା କିଏ ଏହାର ସୂଚନାକୁ ବାହାରେ ପ୍ରଘଟ କରିଦେବ, ଅଥବା ଦିନେ କେହି ଜଣେ, ହୁଏତ ଷ୍ଟେଲା ନୁହଁ, ମାଗଦାକୁ ଚୋରିକରି ଖାଇଦେବ। ଯେବେ ମାଗଦା ଚାଲିବାକୁ ଆରମ୍ଭ କଲା ରୋଜା ଜାଣିଥିଲା ଆଉ ବେଶିଦିନ ନୁହଁ ମାଗଦା ଖୁବ୍ ଶିଘ୍ର ମରିଯିବ, କିଛି ଗୋଟାଏ ଘଟିଯିବ। ଶୋଇପଡିବାକୁ ତା’କୁ ଡର ଲାଗୁଥିଲା, ଶୋଇଲାବେଳେ ତାହାର ଜଙ୍ଘକୁ ମାଗଦା ର ଦେହ ଉପରେ ପକାଉଥିଲା, ତାହାର ଡର ରହୁଥିଲା କାଳେ ତାହାର ଜଙ୍ଘର ଚାପରେ ମାଗଦା ଅଣନିଃଶ୍ୱାସୀ ହୋଇଯିବ। ରୋଜା ଦିନକୁ ଦିନ ହାଲୁକା ହୋଇଯାଉଥିଲା; ରୋଜା ଆଉ ଷ୍ଟେଲା ଆସ୍ତେ ଆସ୍ତେ ପବନ ପାଲଟି ଯାଉଥିଲେ।
ମାଗଦା ଚୁପ୍ ଥିଲା,ମାତ୍ର ତାହାର ଆଖି ହଳକ ଭାରି ଚଞ୍ଚଳ ଭାବେ ଜୀବନ୍ତ ଯେମିତି ନୀଳ ରଂଗର ବାଘ। ସେ ଦେଖୁଥିଲା। ବେଳେବେଳେ ସେ ହସୁଥିଲା – ଏହା ହସ ଭଳି ଦିଶେ,ମାତ୍ର ଏହା ସେମିତି କେଉଁ ପରି ହେବ ? ମାଗଦା କେବେ କାହାକୁ ହସିବାର ଦେଖିନାହିଁ । ତଥାପି ମାଗଦା ତାହାର ଶାଲକୁ ଦେଖି ହସେ ଯେତେବେଳେ ପବନ ଏହାର ଫାଙ୍କଦେଇ ଭିତରକୁ ପ୍ରବେଶ କରୁଥିଲା, ଦୁଷ୍ଟ ପବନ ସେଥିରେ ଥାଏ ଖଣ୍ଡଖଣ୍ଡ ଅଂଧାର, ଯାହା ଷ୍ଟେଲା ଆଉ ରୋଜାଙ୍କ ଆଖିକୁ ଲୁହ ବହି ଆଣୁଥିଲା। ମାଗଦାର ଆଖି ସବୁବେଳେ ସ୍ୱଚ୍ଛ ଆଉ ସେଥିରେ ଲୁହ ର ଚିହ୍ନବର୍ଣ୍ଣ ନଥାଏ । ତାହାର ଗୋଟିଏ ବାଘ ଭଳି ଚାହାଁଣୀ । ସେ ନିଜର ଶାଲକୁ ଜଗିରହୁଥିଲା । ଏହାକୁ କେହି ଛୁଉଁ ନଥିଲେ,କେବଳ ରୋଜା ଏହାକୁ ଛୁଉଁଥିଲା । ଷ୍ଟେଲାକୁ ଏଇ କାମ ନିଷେଧ ।ଏହି ଶାଲ ଖଣ୍ଡିକ ହେଉଛି ମାଗଦା ର ନିଜର ପିଲା,ନିଜର ପୋଷା,ତାହାର ସାନ ଭଉଣୀ । ସେଥିରେ ସେ ଛନ୍ଦିବାନ୍ଧି ଅଲରା ହୋଇଯାଉଥିଲା ଆଉ ଏହାର ଗୋଟିଏ କାନିକୁ ଚୋଷୁଥିଲା ଯେତେବେଳ ସେ ଖୁବ୍ ଶାନ୍ତ ହେବାକୁ ଚାହେଁ ।
ତାହାପରେ ଷ୍ଟେଲା ଶାଲ ଖଣ୍ଡିକୁ ଟାଣି ନେଇଗଲା ଆଉ ତାହା ମାଗଦା ର ମୃତ୍ୟୁ।
ତାହା ପରେ ଷ୍ଟେଲା କହିଲା,” ମୋତେ ଭାରି ଶୀତ ହେଉଥିଲା ।”
ଆଉ ତାହାପରେ ସେ ସବୁବେଳେ ଶୀତରେ ଥରୁଥିଲା,ସବୁବେଳେ । ଶୀତ ତାହାର ହୃଦୟ ଭିତରକୁ ପ୍ରବେଶ କରିରାଇଥିଲା : ରୋଜା ଦେଖେ ଷ୍ଟେଲାର ଛାତି ଭିତରେ ଶୀତ। ମାଗଦା ତାହାପରେ ନିଜର ଛୋଟ ପେନସିଲ୍ ଗୋଡରେ ଶାଲକୁ ଖୋଜିବାପାଇଁ ଏବାଟ ସେବାଟକୁ ଗାରେଇଯିବା ବେଳେ ହଠାତ୍ ଝୁଣ୍ଟି ପଡୁଥାଏ ; ଛାଉଣୀ ଖୋଲିବାବେଳକୁ ପେନସିଲ୍ ର ଭୁଲଭାଲ , ସେଇଠି ଆଲୁଅ ଜଳିଲାଣି । ରୋଜା ଦେଖେ ଆଉ ଆଗେଇଯାଏ । ମାତ୍ର ମାଗଦା ଯଥେଷ୍ଟ ଆଗରୁ ଛାଉଣୀ ବାହାର ଛକରେ ପହଞ୍ଚିଯାଇଥିଲା, ମୃଦୁ ଆଲୁଅର ଇଲାକାକୁ । ସେଇଟି ରୋଲ୍-କଲ୍ ହେବାର ଅଂଚଳ । ସବୁଦିନ ସକାଳେ ରୋଜା ମାଗଦାକୁ ଶାଲ ଭିତରେ ଭଲଭାବରେ ଲୁଚାଇ ନେବାକୁ ହୁଏ ଛାଉଣୀର ସେଇ କାନ୍ଥ ନିକଟକୁ,ସେଇ ଇଲାକାକୁ ଯାଇ ସେଇଠି ଛିଡା ହେବାକୁ ପଡେ, ଷ୍ଟେଲା ଭଳି ଆଉ ଶହେ ଙ୍କ ସହ, ବେଳେବେଳେ ଘଣ୍ଟା ଘଣ୍ଟା ଧରି, ଆଉ ମାଗଦା, ପରିତ୍ୟକ୍ତ, ଶାଲ ଭିତରେ ଚୁପଚାପ୍ ଥାଏ, ତାହାର ଗୋଟିଏ କାନିକୁ ଚୋଷୁଥାଏ । ସବୁଦିନ ମାଗଦା ନୀରବ ଥାଏ, ଆଉ ସେଇଥିପାଇଁ ସେ ମରିନଥିଲା । ରୋଜା ଦେଖିଥିଲା, ଆଜି ମାଗଦା ମରିବାକୁ ଯାଉଛି, ଆଉ ଠିକ୍ ସେତିକିବେଳେ ଗୋଟିଏ ଭୟମିଶ୍ରିତ ଆନନ୍ଦ ତାହାର ଦୁଇହାତର ପାପୁଲିରେ ଖେଳିଗଲା, ତାହାର ଆଙ୍ଗୁଳିମାନ ଯେମିତି ଜଳିବାରେ ଲାଗିଛି, ସେ ଆଶ୍ଚର୍ଯ୍ୟ ହୋଇଗଲା, ଭାରି ଜ୍ୱର : ମାଗଦା ,ସୂର୍ଯ୍ୟାଲୋକରେ, ତାହାର ପେନସିଲ୍ ଗୋଡକୁ ହଲାଉଥିଲା, ଚିତ୍କାର କରୁଥିଲା । ଯେବେଠୁ ରୋଜା ର ଥନ ଶୁଖିଲା,ଯେବେଠୁ ମାଗଦାର ଶେଷ ଚିତ୍କାର ରାସ୍ତାରେ,ମାଗଦା ନିକଟରେ ସ୍ପଷ୍ଟତା ବୋଲି ଆଉ କିଛି ନାହିଁ; ମାଗଦା ଗୋଟିଏ ମ୍ୟୁଟ୍ । ରୋଜା ମନେକରୁଥିଲା ହୁଏତ ତାହାର ସ୍ୱରନଳୀରେ କିଛି ଅସୁବିଧା ଅଛି,ତାହାର ଶ୍ୱାସନଳୀର,ତାହାର ସ୍ୱରଯନ୍ତ୍ରର ଗୁମ୍ଫାରେ,ମାଗଦାର ଖୁଣ ଥିଲା,ତାହାର ପାଟିରେ ଶବ୍ଦ ନଥିଲା; ହୁଏତ ସେ ଗୋଟିଏ ବଧିର; ତାହାର ବୁଦ୍ଧିରେ କିଛି ଅସୁବିଧା ଥିଲା, ମାଗଦା ମୂକ ଥିଲା। ଏପରିକି ଯେଉଁ ହସ ଯେତେବେଳେ ପାଉଁଶମିଶା ପବନ ରୁ ଭାସିଆସି ମାଗଦା ର ଶାଲ ଭିତରୁ ଗୋଟିଏ ବିଦୂଷକକୁ ଟାଣି ଆଣୁଥିଲା ତାହା କେବଳ ସେହି ପବନବହିବା କାରଣରୁ ତାହାର ମେଲା ପାଟିର ଦାନ୍ତମାନ। ଏପରିକି ଯେତେବେଳେ ମଥା ଉକୁଣୀ ,ଚମ ଉକୁଣୀ ତାହାକୁ ଏତେ ଅସ୍ତବ୍ୟସ୍ତ କରିପକାଉଥିଲେ ଯେ ସେ ଏପରି ଅସ୍ଥିର ପାଲଟିଯାଉଥିଲା ଯେମିତି ଗୋଟିଏ ମୂଷା ଦିନ ବେଳା ଛାଉଁଣୀରୁ ପଚାମାଂସ ଲୁଣ୍ଠନ କରିବାକୁ ଚାହୁଁଛି ,ସେ ସେମିତି ଛାଟିପିଟି ହେଉଥିଲା ଯଥେଷ୍ଟ ନୀରବରେ,ବିନା ଯନ୍ତ୍ରଣାକ୍ତ ଶବ୍ଦରେ । ମାତ୍ର ଏଇଲେ ମାଗଦା ର ମୁହଁରୁ ବାହାରିଗଲା ଗୋଟିଏ ଲମ୍ବା ଅଠାଳିଆ କଥା ।
“ମାଆଆଆ”
ଏଇଟି ଥିଲା ପ୍ରଥମ କୋଳାହଳ ଯାହା ମାଗଦାର ମୁହଁରୁ କେବେ ବାହାରିଥିଲା ରୋଜାର ଥନ ଶୁଖଯିବାର ପୂର୍ବରୁ।
“ମାଆଆଆଆ…ଆଆଆ”
ଆଉଥରେ ! ମାଗଦା ସେଇ ଅରାକ ବିପଦସଂକୁଳ ସୂର୍ଯ୍ୟାଲୋକରେ ମିଞ୍ଜିମିଞ୍ଜି କରୁଥିଲା, ତାହାର ଆଲିଙ୍ଗନରୁ ବାହାରୁଥିଲା କେବଳ ସେତିକି । ରୋଜା ଦେଖିଥିଲା। ସେ ଦେଖିଥିଲା ମାଗଦା ସେଇ ଶାଲ ଖଣ୍ଡିକୁ ଖୋଜି ନପାଇ ବେଦନାରେ ଆହତ,ସେ ଦେଖିଥିଲା ମାଗଦା ମରିବାକୁ ଯାଉଛି । ତାହାର ଥନ ଦୁଇଟିରେ ଆଦେଶର ଜୁଆର ଆଘାତ ଦେବାକୁ ଲାଗିଲା : ଧର୍, ଆଣ, ଛାତି ଉପରକୁ ଟାଣିନେ ! ମାତ୍ର ସେ ଠିକ୍ ବୁଝିପାରୁନଥାଏ ,କାହା ପାଖକୁ ଆଗ ଯିବ,ଶାଲ ନିକଟକୁ ନା ମାଗଦା ପାଖକୁ। ଯଦି ସେଇ ଇଲାକାକୁ ଡେଇଁ ପଡିବ ମାଗଦାକୁ ଧରିବା ପାଇଁ , ସେଇ ଚିତ୍କାର ଥମିଯିବ ନାହିଁ ,କାରଣ ମାଗଦା ତଥାପି ସେଇ ଶାଲ ଖଣ୍ଡିକୁ ପାଇବ ନାହିଁ ; ମାତ୍ର ସେ ଯଦି ଛାଉଁଣୀ ଭିତରକୁ ଯାଇ ଶାଲକୁ ଖୋଜିବ, ଆଉ ଯଦି ସେ ସେଇଟିକୁ ପାଇଯାଏ, ଆଉ ଯଦି ସେ ସେଇଟିକୁ ସାଥିରେ ଧରି ଏଇଠିକୁ ଆସେ ତାହାହେଲେ ସେ ମାଗଦାକୁ ଫେରି ପାଇଯିବ, ମାଗଦା ତାହାର ମୁହଁରେ ଶାଲ୍ ର କାନି ପୂରାଇଦେବ ଆଉ ଆଗ ଭଳି ଚୁପ୍ ହୋଇଯିବ।
ରୋଜା ଅଂଧାର ଭିତରକୁ ପ୍ରବେଶ କଲା। ଶାଲକୁ ପାଇବା ଏବେ ଭାରି ସହଜ।ଷ୍ଟେଲା ତାହା ଭିତରେ ଗଦା ହୋଇ ରହିଛି,ନିଜର ପତଳା ହାଡରେ ଶୋଇଛି ନିଘୋଡ ନିଦ । ରୋଜା ଶାଲ ଖଣ୍ଡିକୁ ଟାଣି ତାହାଠାରୁ ମୁକ୍ତ କରିଦେଲା ଆଉ ଉଡାଇଦେଲା -ସେ ଏବେ ଉଡିପାରିବ,ସେ ତ ପବନ -ସେଇ ଇଲାକାକୁ। ସୂର୍ଯ୍ୟତାପ ଆଉ ଗୋଟିଏ ଜୀବନର ବଖାଣ କରୁଛି,ଗ୍ରୀଷ୍ମକାଳର ପ୍ରଜାପତି। ଆଲୁଅ ଏଇଲେ ଶାନ୍ତ,ସ୍ନିଗ୍ଧ । ଇସ୍ପାତରେ ତିଆରି ବାଡ ର ଆରପଟେ, ଦୂରରେ, ପ୍ରାନ୍ତରରେ ଅଜଣା ବାଇଗେଣୀ ଫୁଲ ର ସମ୍ଭାର; ତାହାର ପଛରେ, ଆହୁରି ଦୂରରେ, ସ୍ଥଳପଦ୍ମ। ଛାଉଁଣୀରେ ସେମାନେ “ଫୁଲ” ବିଷୟରେ କଥା ହୁଅନ୍ତି,”ବର୍ଷା” ବିଷୟରେ କଥା ହୁଅନ୍ତି; ବର୍ଜ୍ୟବସ୍ତୁ, ଟାଉଁଷା ବେଣୀ, ଆଉ ରୋଜାର ଦେହରୁ ଆସୁଥିବା ଦୁର୍ଗନ୍ଧ ବିଷୟରେ କଥା ହୁଅନ୍ତି । ସେ ସେଇ ଇଲାକାରେ ଧାରରେ ଏକଦମ୍ ସ୍ଥିର ହୋଇ ଛିଡା ହୋଇଥାଏ। ବେଳେବେଳେ ବାଡର ଭିତରୁ ବିଜୁଳିବତୀ ଗୁଣୁଗୁଣୁ କରୁଥିବା ଭଳି ଲାଗେ, ଏପରିକି ଷ୍ଟେଲା କହେ, ଏଇଟା ହେଉଛି ନିଚ୍ଛକ କଳ୍ପନା, ହେଲେ ରୋଜା ତାରରୁ ଆସୁଥିବା ଶବ୍ଦକୁ ନିଜେ ଶୁଣିଛି; ଖଦଖଦଡିଆ ବିଷାଦର ସେଇ ସ୍ୱର। ତାର ବାଡ ଠାରୁ ଯେତେ ଯେତେ ଦୂରରେ ସେ ଥାଏ ,ଏଇ ସ୍ୱର ସେତିକି ସେତିକି ତା’ଭିତରେ କୋଳାହଳ ହିଁ ସୃଷ୍ଟି କରୁଥିଲା । ସେହି କାନ୍ଦଣାର ସ୍ୱର ଖାମଖିଆଲି ଭାବରେ ଏତେ ପ୍ରଭାବଶାଳୀ,ଏତେ ଭାବ ବ୍ୟଞ୍ଜକ ଥିଲା ଯେ ତାହାକୁ କୌଣସି ଭୂତର ବୋଲି ସନ୍ଦେହ କରାଯାଇପାରିବ ନାହିଁ । ସେହି ସ୍ୱରମାନେ ତା’କୁ କହୁଥିଲେ,ତୋହର ଶାଲ କୁ ତୁ ସାଉଁଟି ନେ, ଉପରକୁ ; ସେହି ସ୍ୱରମାନେ ତା’କୁ କହୁଥିଲେ ସେହି ଶାଲକୁ ଭଲକରି ଝାଡି ଦେବାକୁ ଆଉ ଉଡାଇବାକୁ ଉପରେ ଗୋଟିଏ ପତାକା ପରି। ରୋଜା ତାହାକୁ ଉଠାଇନେଲା,ଭଲକରି ଝାଡିଦେଲା ଆଉ ତାହାକୁ ପତାକା ଭଳି ଉଡାଇଥିଲା । ଦୂରରେ ,ବହୁଦୂରରେ ମାଗଦା ତାହାର ପବନ ଭର୍ତ୍ତି ଫୁଲିଲା ପେଟ ଉପରେ ଭାରା ଦେଇ ତାହାର ନିକଟରେ ପହଞ୍ଚିବା ପାଇଁ ତାହାର ନଳୀ ହାତକୁ ବଢାଇ ଦେଉ ଥାଏ। ସେତେବେଳେ ସେ ଖୁବ୍ ଉଚ୍ଚରେ,କାହାର କାନ୍ଧ ଉପରେ ଚଢି ବସିଥିଲା। ହେଲେ ଯାହା ମାଗଦାକୁ ବୋହି ଦୂରକୁ ଦୂରକୁ ନେଉଥିଲା ସେଇ କାନ୍ଧ ରୋଜାର କି ସେଇ ଶାଲ ର ନିକଟକୁ ଆସୁ ନଥାଏ ,ଦୂରରୁ ଦୂରକୁ ଅପସରି ଯାଉଥାଏ ,ମାଗଦା ଗୋଟିଏ କୁହୁଡିଆ ଦୂରତ୍ୱର ଦୃଶ୍ୟ ଭିତରକୁ ପ୍ରବେଶ କରି ଯାଉଥାଏ । କାନ୍ଧର ଉପରେ ଗୋଟିଏ ଶିରସ୍ତ୍ରାଣ ଝଲମଲ କରି ଉଠିଲା। ଆଲୁଅ ସେହି ଶିରସ୍ତ୍ରାଣରେ ଧକ୍କା ଖାଇ ତାହାକୁ ଗୋଟିଏ ପାନପାତ୍ରରେ ଝଲସାଇଦେଉଥିଲା,ସେହି ପାନପାତ୍ରର ପାଦ ଆଉ ଡେମ୍ଫ ଥିଲା ଯାହାକୁ ଧରି ସହଜରେ କେହି କିଛି ପାନ କରିପାରିବ ସେଥିରୁ। ଶିରସ୍ତ୍ରାଣର ଠିକ୍ ତଳକୁ ଗୋଟିଏ କଳାରଙ୍ଗର ସୈନିକ ପୋଷାକ ଆଉ ତାହାର ତଳକୁ ହଳେ ବୁଟ୍ ଯୋତା ବିଦ୍ୟୁତବାହିତ ତାର ବାଡ ଆଡକୁ ମଚମଚ କରି ଆଗେଇ ଚାଲିଛନ୍ତି। ବିଦ୍ୟୁତବାହିତ ସ୍ୱରମାନେ ଅସଂଲଗ୍ନ ଭାବରେ ବକରବକର କରୁଛନ୍ତି,”ମାଆଆ ମାଆଆଆ ମାଆଆଆଆ”,ଏକାଠି । ଏବେ ମାଗଦା ରୋଜାଠାରୁ କେତେ ଦୂରରେ ଅଛି ,ସେଇ ଇଲାକାର ପାଖାପାଖି ,ସେନାଛାଉଣୀମାନଙ୍କୁ ଅତିକ୍ରମ କରିବା ପରେ,ସେପଟରେ ! ସେ ଏବେ ଗୋଟିଏ ରାତ୍ରିଜଗା ପୋକ ଠାରୁ ଆକାରରେ ବେଶି ବଡ ନୁହଁ ।
ହଠାତ୍ ମାଗଦା ଶୂନ୍ୟରେ ପହଁରିବାକୁ ଆରମ୍ଭ କଲା। ମାଗଦାର ସର୍ବାନ୍ତ ଏଇଲେ ଉଦାରପୂରକ ଯାତ୍ରାରେ ଗତିଶୀଳ ।ସେ ଏଇଲେ ଗୋଟିଏ ପ୍ରଜାପତି ଯାହା ରୂପାର ପାନପାତ୍ରକୁ ସ୍ପର୍ଶ କରୁଛି । ଆଉ ଯେଉଁ ମୁହୂର୍ତ୍ତରେ ମାଗଦା ର ଡେଣାଲଗା ଗୋଲାକାର ମଥା ଆଉ ତାହାର ପେନସିଲ୍ ଗୋଡ ଆଉ ବେଲୁନରୂପୀ ପେଟ ଆଉ ଅଂକାବଂକା ବାହୁ ତାରବାଡ ପାଖରେ ଉଛୁଳି ପଡିଥିଲା,ଇସ୍ପାତର ସ୍ୱରମାନ ନିଜର ଆର୍ତ୍ତନାଦରେ ପାଗଳ ହୋଇ ଉଠିଲେ ,ଜୋର୍ କଲେ ରୋଜାକୁ ଦୌଡିଯିବାପାଇଁ ସେଇ ଜାଗାକୁ ଯେଉଁଠି ମାଗଦା ତାହାର ବିଦ୍ୟୁତବାହିତ ତାରବାଡର ବିପକ୍ଷ ଉଡାଣରେ ତଳକୁ ଖସିପଡିଥିଲା,ବାସ୍ତବରେ ରୋଜା ସେମାନଙ୍କ କଥାକୁ ମାନି ନାହିଁ । ସେ କେବଳ ଛିଡା ହୋଇ ରହିଥିଲା,କାରଣ ସେ ଦୌଡିଲେ ସେମାନେ ତା’କୁ ଗୁଳି କରିଦେବେ , ଆଉ ଯଦି ସେ ମାଗଦା ର ଦେହକୁ ତଳୁ ସଂଗ୍ରହ କରିବାକୁ ଚେଷ୍ଟା କରେ ସେମାନେ ତା’କୁ ଗୁଳି କରିଦେବେ ,ଆଉ ଯଦି ସେ ନିଜର କଙ୍କାଳସାର ଦେହ ର ସିଡିରେ ଚଢି ସବୁଠାରୁ ଉଚ୍ଚକଂଠରେ ଗଧିଆର ଚିତ୍କାର କରେ ତାହାହେଲେ ସେମାନେ ତା’କୁ ଗୁଳି କରିଦେବେ ; ତେଣୁ ସେ ମାଗଦାର ଶାଲ ଖଣ୍ଡିକୁ ଆପେ ଉଠାଇନେଲା ଆଉ ତାହାକୁ ନିଜର ପାଟିରେ ଭର୍ତ୍ତି କରିଦେଲା,ତାହାକୁ ନିଜର ପାଟିରେ ଠୁସି ଚାଲିଥାଏ, ଠୁସି ଚାଲିଥାଏ, ଯେଉଁପର୍ଯ୍ୟନ୍ତ ସେ ସେହି ଗଧିଆର ତୀକ୍ଷ୍ଣ ଚିତ୍କାରକୁ ପୁରାପୁରି ଗିଳି ନଦେଇଛି ଆଉ ମାଗଦା ର ଲାଳରୁ ଦାଲଚିନି ଆଉ ପେସ୍ତାବାଦାମର ସ୍ୱାଦ ନପାଇଛି; ଏବଂ ରୋଜା ମାଗଦା ର ଶାଲ କୁ ପୁରାପୁରି ଶୁଖିଲା ହେବାଯାଏଁ ପିଇ ଚାଲିଥିଲା ।
Cynthia Ozick (born on April 17, 1928), American short story writer, novelist, and essayist.
(“ଦି ଶାଲ୍ ” ବିଶ୍ୱର ଅନ୍ୟତମ ଚର୍ଚ୍ଚିତ କାହାଣୀ। ଏହାର ଲେଖିକା ସିନ୍ଥିଆ ଓଜିକ (ଜନ୍ମ ୧୯୨୮) ହେଉଛନ୍ତି ଜଣେ ଆମେରିକୀୟ ଇହୁଦୀ ।
ଏହି କାହାଣୀ ବିଶ୍ୱ ସାହିତ୍ୟରେ ଅତି ପରିଚିତ ଏବଂ ପଠିତ କାହାଣୀ ମଧ୍ୟରୁ ଅନ୍ୟତମ। ୧୯୮୦ ମସିହାରେ ପ୍ରକାଶିତ ଏହି କାହାଣୀଟି ଗୋଟିଏ ଇହୁଦୀ ମାଆ ଆଉ ତାହାର ଶିଶୁକନ୍ୟା ଏବଂ ତାହାର ଝିଆରୀ ଏଇଭଳି ତିନୋଟି ଚରିତ୍ରକୁ ନେଇ ଲିଖିତ। ଏଇ ତିନିଜଣ ନାଜୀ ଅଧ୍ୟୁଷିତ ଇଉରୋପ୍ ରେ ଦ୍ୱିତୀୟ ମହାଯୁଦ୍ଧ ସମୟରେ ବାସ କରୁଛନ୍ତି।
କାହାଣୀରେ ମାଆ ରୋଜା ,ଶିଶୁକନ୍ୟା ମାଗଦା ଏବଂ ଝିଆରୀ ଷ୍ଟେଲା ଏହି ତିନିଜଣ ଏକାଠି ଯାତ୍ରା କରୁଛନ୍ତି । ଏହି ଯାତ୍ରା ନାଜି ମାନଙ୍କର ଇହୁଦୀ ମାରଣ ଯଜ୍ଞ ଅର୍ଥାତ୍ କନସେଣ୍ଟ୍ରେସନ୍ କ୍ୟାମ୍ପ ର ଭିତରକୁ । ସେମାନେ ସମସ୍ତେ ଦୀର୍ଘଦିନ ଧରି କ୍ଷୁଧାର୍ତ୍ତ। ଏଇ ତିନିଜଣଙ୍କର ଏମିତି ମରଣଯାତ୍ରାରେ ଗୋଟିଏ ଗୋପନୀୟତା ରହିଛି। ମାଆ ରୋଜା ଏବଂ ଝିଆରୀ ଷ୍ଟେଲାକୁ ସମସ୍ତେ ଦେଖୁଛନ୍ତି ମାତ୍ର ମାଆ ତାହାର ଛାତିରେ ଖଣ୍ଡିଏ ଶାଲରେ ସଂପୂର୍ଣ୍ଣ ଆଢୁଆଳ ରେ ଜାବୁଡି ଧରି ରଖିଛି ତାହାର ଶିଶୁକନ୍ୟା ମାଗଦା କୁ। ମାଗଦା ବିଷୟରେ ନାଜି ସୈନ୍ୟମାନେ କିଛି ହେଲେ ଜାଣନ୍ତି ନାହିଁ । କାହାଣୀରେ ମାଗଦାକୁ ଦେଖିପକାଏ ଜଣେ ନାଜୀ ଅଫିସର ଆଉ ସେ ତାହାକୁ ବିଦ୍ୟୁତବାହିତ ତାରବାଡ ଆଡକୁ ଫୋପାଡି ଦିଏ ଆଉ ମରଣପୂର୍ବରୁ ସେ ଚିତ୍କାର କରି କହେ, ମାଆଆ।
ଏଇ କାହାଣୀରେ ଶାଲ ର ଏକ ପ୍ରମୁଖ ଭୂମିକା ରହିଛି। ଏହା କାହାଣୀର ସରରିଆଲିଷ୍ଟିକ୍ ପରିପ୍ରେକ୍ଷ୍ୟ ଟିକୁ ତୋଳି ଧରିବାରେ ସାର୍ଥକ ଉପଲକ୍ଷ୍ୟ ସାଜିଛି। ସିନ୍ଥିଆ ଓଜିକ ଏଇ କାହାଣୀର ପରେ ଏକ “ସିକ୍ୱେଲ୍” ରଚନା କରିଥିଲେ ଯାହାର ନାଆଁ ଥିଲା “ରୋଜା“। ଗୋଟିଏ ଧାଡିରେ କହିଲେ , ଏଇ କାହାଣୀଟି ବିଷାଦର ଏକ କାରୁଣ୍ୟ ବିଜଡିତ ସ୍ୱପ୍ନଚିତ୍ର ।)