ଓଃ ମଲ୍ଲିକା!

ଓଃ ମଲ୍ଲିକା!

ଦେବଦାସ ଛୋଟରାୟ ସମକାଳୀନ ଓଡ଼ିଆ ସାହିତ୍ୟରେ ଜଣେ ପରିଚିତ ନାମ ତଥା ଓଡ଼ିଆ ଗୀତି କବିତାର ମହାନାୟକ। ରୋମାଣ୍ଟିକ ଆବେଗର ଅନନ୍ୟ କବି ସେ। ନୀଳ ସରସ୍ଵତୀ, ଲାଲ୍ ମାଛ, ରମାକୁ ମାରିବାର ପାଞ୍ଚଟି ଉପାୟ, ମଲ୍ଲିକା, ଚୁମ୍ବନ, ବଡଘରର ଦାସୀ, ହଳଦିଆ ଉଡାଜାହାଜ, ଦୀର୍ଘଶ୍ୱାସ ଇତ୍ୟାଦି ତାଙ୍କର ଚର୍ଚ୍ଚିତ ପୁସ୍ତକ।

ତେବେ ୨୦୧୫ରେ ତାଙ୍କ କବିତା ପୁସ୍ତକ ମଲ୍ଲିକା ଟାଇମ୍ ପାସ୍ ବେଷ୍ଟ ସେଲର ପୁରସ୍କାର ପାଇଛି।

ମଲ୍ଲିକା ହେଉଛି ଦେବଦାସ ଛୋଟରାୟଙ୍କ କାବ୍ୟନାୟିକା । ଅନେକ କବିତା ତାଙ୍କର ଏଇ ମଲ୍ଲିକାକୁ କେନ୍ଦ୍ର କରି ରଚିତ। ‘ ମଲ୍ଲିକା ‘ ପୁସ୍ତକରେ ସେଇ ମଲ୍ଲିକାକୁ ନେଇ ଲେଖା ହୋଇଥିବା ଅଧିକାଂଶ କବିତା ସଂକଳିତ ହୋଇଛି। ଓଡ଼ିଆ ସାହିତ୍ୟରେ ଅନେକ ପ୍ରସିଦ୍ଧ କାବ୍ୟ ନାୟିକା ଅଛନ୍ତି ସେହି କ୍ରମରେ ଦେବଦାସଙ୍କ ମଲ୍ଲିକା ମଧ୍ୟ ପ୍ରସିଦ୍ଧ ଓ ଅନେକ ସମୟରେ ତାଙ୍କୁ ମଲ୍ଲିକାର କବି ଭାବେ ପରିଚିତ କରାଯାଇଥାଏ। ପାଞ୍ଚଟି ପର୍ଯ୍ୟାୟ ଯେପରିକି ଦୁଇ ମିନିଟ୍ ରେ ମଲ୍ଲିକା, ସ୍ବର୍ଗ, ନର୍କ ଓ ମଲ୍ଲିକା, ମଲ୍ଲିକା ପରିକା, ତୁମେ କି ଆଣିପାର ଦୁଃଖ ଛଡା ଆଦିରେ ଏ ସଙ୍କଳନଟି ସମୃଦ୍ଧ।

ମନୋଜ ଦାସଙ୍କ ଭାଷାରେ ମୃତ୍ୟୁର ଅପର ପାର୍ଶ୍ଵ ହେଲା ପ୍ରେମ। ଯାହାକୁ ଆମେ ଜୀବନ କହୁ ତାହା ଯଦି ଏ ପ୍ରେମ ନାହୋଇଥିବ ତାହେଲେ ସେଇଟା ମୃତ୍ୟୁର ବିପରୀତ ନୁହେଁ । ଅତଏବ ଯାହା ପ୍ରେମ ତାହା ହିଁ ଜୀବନ। ଏହି ଜୀବନ ଆଉ ପ୍ରେମର କଥା ମଲ୍ଲିକାରେ ରହିଛି। କେତେବେଳେ କବି ରୋମାଣ୍ଟିକ ଆବେଗ ଭିତରେ ପାଠକକୁ ବୁଡ଼େଇ ରଖିପାରନ୍ତି ତ ପୁଣି କେତେବେଳେ ବିଷାଦର ବନ୍ଧନୀ ଭିତରେ ହୃଦୟକୁ ଆବଦ୍ଧ କରିପାରନ୍ତି ତାଙ୍କର ଏ କବିତାରେ। ଏ କବିତାରେ ଅଛି ଜୀବନ ପ୍ରତି ପ୍ରେମ ପ୍ରତି ସକାରାତ୍ମକ ଦୃଷଟିକୋଣ ଅଛି ତ ପୁଣି ଅଛି ନିରାଶା ଭିତରେ ଆଶାର ଆଲୁଅ ଟିଏ। ଏ କବିତା ମାନଙ୍କରେ ମୋଟା ମୋଟି ଭାବେ ପ୍ରେମ ବିଷାଦ, ଜୀବନ, ଆଶାବାଦ, ନୈରାଶ୍ୟ, ପ୍ରତ୍ୟାଖାନ, ଈର୍ଷା, ପାଇବାର ଆକୁଲତା ପୁଣି ପାଇ ହଜେଇଦେବାର ଗ୍ଲାନି ଆଉ ପୁଣି କେତେବେଳେ ବାସ୍ତବତାରୁ ମୁହଁ ଫେରେଇ ନେ଼ଇ କଳ୍ପନାରେ ନିଜକୁ ହଜେଇ ଦେବାର ଅନେକ ନିଶା ରହିଛି।

ଅନେକ କବିତାରେ କୈଶୋର ପ୍ରେମର ନସ୍ତାଲଜିକ କଥା ସବୁ ରହିଚି ଯେମିତି ମଲ୍ଲିକା, ମଲ୍ଲିକାର ଘର ଇତ୍ୟାଦି କବିତା । ମଲ୍ଲିକା କବିତା ର ଏଇ ପଦ ଉଦ୍ଧାର କରାଯାଇପାରେ –

” ତୋର କଣ ମନେ ଅଛି ଆମେ ଦୁହେଁ ଛୋଟ କ୍ୱାର୍ଟରରେ

ତମ ବାପା ଆମ ବାପା ପାଖାପାଖି ରହୁଥିଲା ବେଳେ

ଗୀର୍ଜା ଆଡେ ବୁଲିଯାଉ, ନିସ୍ତୁକ ସନେଟ୍ ପଢ଼ୁ ଜହ୍ନ ଆଲୁଅରେ

ଓ କେବେ ହଠାତ୍ କେଉଁ ଅନ୍ଧାରର ସିଡି ବାରନ୍ଦାରେ

ତୋ ଦେହ ଜାବୁଡ଼ି ଧରି , କାଉଣ୍ଟ ଅଫ ମଣ୍ଟେକ୍ରିଷ୍ଟୋ ପରି

ମୁଁ କେବେ ଖାଇଲେ ଚୁମା, ବୁଜୁଥିଲୁ ତୁ ତୋ ଦୁଇ ଆଖି (ସିନେମାରୁ ଶିଖି)”

ମଲ୍ଲିକା କେତେବେଳେ କୈଶୋର ଜୀବନର ବିସ୍ମୟ ଓ ପ୍ରଥମ ପୁଲକ ତ ପୁଣି ଯୌବନ ସମୟର ଉତ୍ତାପ।କେତେବେଳେ କବି ଏଇ ମଲ୍ଲିକା ପାଇଁ ସ୍ୱର୍ଗକୁ ଯାଇପାରନ୍ତି ତ ପୁଣି କେତବେଳେ ନର୍କକୁ।କେତେବେଳେ ମଲ୍ଲିକାକୁ କଟକରେ ଭେଟନ୍ତି ତ ପୁଣି କେତେବେଳେ ନ୍ୟୁୟାର୍କରେ। ମଲ୍ଲିକା ପାଇଁ କବି ବେଳେ ବେଳେ ବିଷାଦରେ ବୁଡି ଯାଆନ୍ତି। ଦୁଃଖ ତାଙ୍କ ପାଇଁ ନୀଳ ରଙ୍ଗର ତ ପୁଣି କେବେ ଧୂସର ରଙ୍ଗର। ମଲ୍ଲିକାର ପ୍ରେମ ଭିତରେ ଦେହ, କାମନା, ବିଷାଦ, ଲୋଭ, ଭୟ, ସ୍ୱପ୍ନ,କଳ୍ପନା, ଦୁଃଖ, ଆନନ୍ଦ ସବୁ ଯେମିତି ସବୁବେଳେ ମିଶିକରି ଥାଏ। ଯେମିତି କବି ତାଙ୍କ ‘ଧୂସର ରଙ୍ଗର ଦୁଃଖ’ କବିତାରେ କୁହନ୍ତି;

“ଧୂସର ରଙ୍ଗର ଦୁଃଖ ଝରିପଡେ

ତା ଆଖିର ଜଳପ୍ରପାତରୁ

ସେ ଆଖିରେ ମେଘ ଅଛି, ବିଜୁଳି ବି ଅଛି

ରୂପା ଭୂତ ପରି ଶବ୍ଦହୀନ ମଟର ଗାଡ଼ିଟେ

ଗଡିଯାଏ ଅସ୍ତରଙ୍ଗ ସୂର୍ଯ୍ୟାସ୍ତ ଭିତରେ

ତାର ଚାରିକଡେ ହାୱା ଅଛି, ବାସ୍ନା ଅଛି

ଭୁଲି ହୋଇଯାଇଥିବା ଭୂଗୋଳର

ଭଙ୍ଗାରୁଜା ସହର ଓ ନିଖୋଜ ନଈର “

ମଲ୍ଲିକା କେବେ ଦୁଇ ମିନିଟ୍ ପାଇଁ ଆସି ଦୀର୍ଘଦିନ ଯାଏଁ ଆଚ୍ଛନ୍ନ କରି ରଖିପାରୁଥିବା ଝିଅ। ମଲ୍ଲିକା ସବୁବେଳେ ଗୋଟାଏ ନିର୍ଦ୍ଦିଷ୍ଟ ରୂପ ରଙ୍ଗ ଧରି ଛିଡ଼ା ହୋଇ ନାହିଁ ବରଂ ଯେଉଁଠି ପ୍ରେମ ଅଛି, ପାଇବାର ସୁଖ ସାଙ୍ଗରେ ହରେଇବାର ଭୟ ଅଛି ସେଠି ମଲ୍ଲିକା ଉଭା ହୋଇଛି। କବିତାରେ କବିଙ୍କର ଶବ୍ଦ ବସାଣ ପଦସଂଯୋଜନାର ଭିନ୍ନତା ପାଠକ ସହଜରେ ବାରିପାରିବ ଓ ବିଭୋର ହୋଇପାରିବ। ଚମତ୍କାର ଚିତ୍ରକଳ୍ପ ମନଙ୍କରେ ବେଶି ବେଶି ସୁନ୍ଦର ହେଇଚି ତେବେ ଆଉ ଏକ ବିଶେଷତ୍ଵ ହେଉଛି କବିଙ୍କର ଭାଷା ପ୍ରୟୋଗ ଅତି ସହଜ ସରଳ କିନ୍ତୁ କବିତା ସେତିକି ସରଳ ନୁହେଁ। ପ୍ରେମର ଯେଉଁ ଗଭୀରତା ଓ ତାର ରହସ୍ୟମୟତା ରେ କବି ଛନ୍ଦି ହୋଇଛନ୍ତି ତାକୁ ପାଠକଙ୍କୁ ମଧ୍ୟ ଅନୁଭବ କରିବାକୁ ହେବ। ତେବେ ଏସବୁ କବିତା ଏତେ ରସସିକ୍ତ ଯେ ଅନେକ ସମୟରେ ବୁଝିନପାରିଲେ ବି ତାହା କିଛି କ୍ଷଣ ନିଶ୍ଚୟ ଆଚ୍ଛନ୍ନ କରି ରଖିପାରେ।