ଭ୍ରମଣ କାହାଣୀ – ୩ (ଦ୍ୱାରକା)

ମୋ ସାମ୍ନାରେ ଥାଏ ବିରାଟ ପାଞ୍ଚ ତାଲା ବିଶିଷ୍ଟ ମନ୍ଦିର । ଆମ ପଟେ ସାଧାରଣତଃ ଏମିତି ଗଢଣ ଶୈଳୀର ମନ୍ଦିର ଦେଖିବାକୁ ମିଳେ ନାହିଁ ।ପଚିଶ ଶହ ବର୍ଷ ତଳର ମନ୍ଦିର । ଚାଲୁକ୍ୟ ବାସ୍ତୁକଳା ବା ଶିଳ୍ପ ରେ ସମୁଦ୍ରରୁ ପ୍ରାପ୍ତ ଭୂମିଖଣ୍ଡ ଉପରେ ଏହି ମନ୍ଦିର ଅବସ୍ଥିତ । ପୌତ୍ରିକ ରାଜବଂଶର ଶାସନ କ୍ଷେତ୍ର କାଳରେ ବିଭିନ୍ନ ଉନ୍ନତ କଳାର ନିଦର୍ଶନ, ଜଟିଳ ମୂର୍ତ୍ତି କଳାର ବିବରଣ ପ୍ରଦର୍ଶିତ । ପଥର ( limestone) ଏବଂ ବାଲିରେ ତିଆରି ଏକ ଉତ୍କୃଷ୍ଟ କଳାଶୈଳୀ ଯାହା ବାସ୍ତରୀଟି ଖମ୍ବ, ତଳୁ ମନ୍ଦିର ର ଶିଖର ପର୍ଯ୍ୟନ୍ତ ଉଚ୍ଚତା ୭୮.୩ ମିଟର , ଶିଖରତମ ମହଲା ୪୨ ମିଟର, ମନ୍ଦିର ର ଅଭୟ ବିଷ୍ଣୁ  ପତାକା ୫୨ ୟାର୍ଡ ଯାଏ (yard) ଯାଏଁ ଲହରୁଥାଏ । ପତାକାରେ ଚନ୍ଦ୍ର, ସୂର୍ଯ୍ୟ ଶ୍ରୀବିଷ୍ଣୁ ଦୁଇ ନୟନ ଚିହ୍ନିତ । ଏହା କୁହେ ଯେ ,ଯେତେ ଯାଏ ସୂର୍ଯ୍ୟ, ଚନ୍ଦ୍ର ଆତଯାତ ଏ ମହୀମଣ୍ଡଳେ ଶ୍ରୀବିଷ୍ଣୁ ଭକ୍ତି ସ୍ଥିର ନିଶ୍ଚଳ ସେଯାଏ । ଚତୁଷ୍କୋଣି ବିରାଟ ମହଲ ପରି ଖୋଲା ଖୋଲା ବଖରା ଯାହାର କବାଟ ନାହିଁ । ବିଭିନ୍ନ କଳାକୃତ୍ତି ସମ୍ପନ୍ନ ମୂର୍ତ୍ତି, ଛବି, ବରୋଠା, ପବିତ୍ର ସ୍ଥାନ, ମେଜ, କାନ୍ଥ, ସ୍ତମ୍ଭ, ଆଦି ମନ୍ଦିରର ଭବ୍ୟତା ବଢାଉଥିଲେ । ଗୋଟିଏ ପ୍ରବେଶ ଦର ଯାହାକୁ ସେମାନେ ସ୍ବର୍ଗ ଦ୍ବାର ( ମୁଖଶାଳା ବା ମୁଖ୍ୟଦ୍ୱାର) କହୁଥିଲେ ସେଇବାଟ ଦେଇ ସମସ୍ତେ ମନ୍ଦିରରେ ପ୍ରବେଶ କରୁଥିଲେ । ଧାଡି ଖଚାଖଚ ଭରି ଥିଲା । ପ୍ରାୟ ଲୋକେ ହଳଦିଆ ଝୀନ, ଛିଟ, ଜରିକିମ, ବାନ୍ଧଣୀ, ରାଜସ୍ଥାନୀ ବସ୍ତ୍ର କଳା କୁଟେଇଥିବା ଲୁଗାପଟା ପିନ୍ଧି ଥିଲେ। କାରଣ ମୁଁ ଜାଣିନି । ହେଇପାରେ ଏମାନେ ଗୋଟିଏ ସଂସ୍ଥା ବା ସଂପ୍ରଦାୟର ଲୋକେ ହେଇପାରନ୍ତି ବା ହୋଇପାରେ ହରି ବସନ୍ତରଙ୍ଗ ଭଲପାନ୍ତି ବୋଲି ତାଙ୍କ ତୃପ୍ତି ନିମନ୍ତେ ପିନ୍ଧି ଥାଇପାରନ୍ତି । ମୁଁ ଘିଅ ସବୁଜ ରଙ୍ଗର ଶାଢୀଟିଏ ପିନ୍ଧି ଥାଏ, ଯଦିଓ ଅଳଙ୍କାର ପ୍ରିୟ ବିଷ୍ଣୁ ବୋଲି ଶ୍ଲୋକଶାସ୍ତ୍ର କହେ କାଳିଆ ପାଖକୁ ହି ଗଲାବେଳେ ମତେ ସଜ ହେବାକୁ ଭଲଲାଗେ ବା କହି ପାରିବା ମନ ଡାକେ ଏକ ପ୍ରିୟପଣରେ ….. ସେ ଝୁରାମନ ରାଧିକାର ହୋଇପାରେ। ପ୍ରେମର ସତ୍ତା ତ ପବନରେ ଅତର ପରି ମହକୁଥାଏ ଅନନ୍ତକାଳ ।

ଏଠି ବାଳଗୋପାଳ ଛବି ମନରେ ଆସୁନଥାଏ । ଯଦିଓ ମୋ କୋଳରେ ମୋ ଆଣ୍ଠୁଆ ଗୋପାଳ ଲଲ୍ଲା ଚକାପାରି ବସିଥାଏ । ଭାବରେ ରଜା ରଜା ଦ୍ୱାରକାଧୀଶଙ୍କ ଭାବ ଆସୁଥାଏ । ତେଣୁ ମମତା, ଆଦର, ସ୍ନେହ, ଭକ୍ତି, ଆପଣାପଣର ସ୍ଥାନ ସଂଭ୍ରମତା ନେଇ ସାରିଥାଏ । ପ୍ରଜା ପରି ବୋଧ ହେଉଥାଏ। ଗହଳ ପଛରୁ ମୁଁ ମୁଣ୍ଡ ଏପଟ ସେପଟ କରୁଥାଏ । ମୋ ପିଲେ ଦିଜଣ ଗହଳରେ ଗଳି ଗଳି ଦି ଥର ଦର୍ଶନ ସାରିଲେଣି କିନ୍ତୁ ଆସି ପଚାରୁଥାନ୍ତି, “ବୋଉ ଲଲ୍ଲା କାଇଁ ସେଇଠି? କାଳିଆ ପରି ବି ତ ଦିଶୁନାହାନ୍ତି ଏଇ ଠାକୁର? ” ଓଠରେ ଆଙ୍ଗୁଳି ରଖି ଠାରରେ କହିଲେ ପରେ ବୁଝେଇ କହିବି । ସେମାନେ ଉଡିଗଲେ ଦିଅଁଙ୍କ ଅଗଣାରେ ଡିଆଁ ମାରିବାକୁ । ପୁରଷ ଓ ନାରୀମାନଙ୍କର ଅଲଗା ଅଲଗା ଧାଡି ଲାଗିଥାଏ ଜଗମୋହନରେ। ସମସ୍ତେ ଦର୍ଶନ କରି ଗୋଟିଏ ଚେକାରେ ବାହାରି ଯାଉଥାନ୍ତି । ଧାଡି ଲମ୍ବିଛି ନା । ମୁଁ ଥିରେ ଥିରେ ଅଧା ଲେଖେଁ ପାଦ ପକଉଥାଏ, ଯେମିତି କି ଆଉ ଟିକେ ବେଶୀ ସମୟ ଧାଡିରେ ରହି ପାରିବି ଦେଖି ପାରିବି । ପଛେଇ ପଛେଇ ଅନ୍ୟ ଲୋକଙ୍କୁ ଆଗକୁ ଛାଡୁଥାଏ । ଦୁଇଟି ବଖରାରେ ରାଜକୀୟ ଠାଣିରେ ପଡିଥାଏ ଗଦି, ଗୋଲତକିଆ ସଫା ଜରିଦିଆ ମଖମଲି ଚଦର ଆଉ ଚଦର ଉପରେ ଫୁଲ ତୁଳସୀର ଗଦା କୁନି ପାହାଡ । ସେଇ ପାହାଡ ଉପରେ ଛନ୍ଦା ପୟରେ ଗୋଟେ ହାତରେ ବଂଶୀ  ଆର ହାତରେ ଅଭୟ ମୁଦ୍ରା, ଆଉ ଦୁଇ ହାତରେ ଶଙ୍ଖ, ଚକ୍ର ଧାରଣ କରି ଚତୁର୍ଭୁଜ ନାରାୟଣ ଶ୍ରୀବିଷ୍ଣୁ । ରଜା ପରିପାଟି । ରାଜକୀୟ ବସ୍ତ୍ର ଭୂଷଣ । ମଥାରେ ପଗଡି, ପଗଡିମକୁଟରେ ମୟୁର ଚନ୍ଦ୍ରିକା ,କପାଳରେ ଚନ୍ଦନ ତିଳକ ଚିତା, ରଙ୍ଗ ଅଧରରେ ମନ୍ଦ ମଧୁର ମୁସକାନ । ବେଶ ପଟା ସିନା ମୋ କାଳିଆ ସାଆନ୍ତ ଠୁ ଭିନ୍ନ ହେଲେ ସେଇ ଆଖି ସେଇ ଅଧର ଚାନ୍ଦରେ ଜଗତଜିଣା ବାଙ୍କ ହାସ । ସେଇ ଆକର୍ଷଣ, ସେଇ ମନଜିଣା ଚିତ୍ତଚୋର ମୋହନୀପ୍ରେମ । ଫେରି ଆସିବାକୁ ତାଠୁ ମନ ଡାକୁନଥାଏ । ଆଖି ଲାଖିଥାଏ ତାର ସୁନ୍ଦର ମୁହଁରେ । କାହାର ନଜର ଫେରିବାର ସାଧ୍ୟ ଅଛି ଏ ସଂସାରେ ସେ ଆଖିର ମାୟାରେ ଥରେ ପଡିଗଲେ ।

ଚାମର, ଆଲଟ ବିଞ୍ଚି ଦେଉଥାନ୍ତି ସେବାକାରୀ ବ୍ରାହ୍ମଣ ସ୍ୱାମୀ । ଲୋକଙ୍କ ହାତରୁ ଶ୍ରଦ୍ଧା ସୁମନ, ନୈବେଦ୍ୟ ନେଇ ଅର୍ପଣ କରୁଥାନ୍ତି ମଣିମାଙ୍କ ଶ୍ରୀଚରଣେ । କଳା ମୁଗୁନି ରଙ୍ଗର ଗୋବିନ୍ଦ ହସୁଥାଏ ତାର କୃଷ୍ଣ କଳାରେ । ମୁଖ୍ୟ ମନ୍ଦିରରେ ମହାପ୍ରଭୁଙ୍କ ସିଂହାସହ । ପାଦୁକ ପାଇ ବେଢା ଦର୍ଶନକୁ ଆସିଲି । ବେଢାରେ ଶ୍ରୀ ବଳରାମ, ଦେବୀ ସୁଭଦ୍ରା, ଦେବୀ ରେବତୀ, ଦେବୀ ଦେବକୀରାଣୀ,  ଶ୍ରୀ ବାସୁଦେବ, ଦେବୀ ରୁକ୍ମଣୀ, ଓ ଅନ୍ୟାନ୍ୟ ଦେବଦେବୀଙ୍କ ଦର୍ଶନ ସୁରୁଖୁରୁରେ ସରିଲା ।

ଗୋଟିଏ ଅଜବ ବେଶଧାରୀ କୀର୍ତ୍ତନ ଦଳ ଯାହାର ମୁଖ୍ୟ ଜଣେ ସାଧ୍ୱୀ ଥିଲେ ସେମାନେ ସମସ୍ତେ ମୁଣ୍ଡ ଉପରେ ବାଉଁଶ ଡାଲାଟିଏ ମାନରେ ପାଟରେଶମ କନା ପକେଇ ବାଳ ଗୋପାଳ, ବଂଶୀକୃଷ୍ଣ, ଠିଆକୃଷ୍ଣ, ମଦନଗୋପାଳ, ଲଡୁଗୋପାଳକୃଷ୍ଣ ଆଦି ଅନେକ ରୂପମାଧୁର୍ଯ୍ୟର ପ୍ରତିମା ସବୁକୁ ଉପବେଶନ କରାଇ ଫୁଲ ତୁଳସୀରେ ସଜେଇ ମହାଆନନ୍ଦେ ନୃତ୍ୟ କରୁଥାନ୍ତି ପାଟ ଅଗଣା ମଝିରେ ଝୁମି ଝୁମିକା। ବେଢା କରୁଥାନ୍ତି ନାଚି ନାଚିକା । ତାଙ୍କ ପଛେ ପଛେ ମୁଁ ମୋର ଦୁଇ ପିଲା ବି ଆପେ ଭାଲୁ ମ଼ହୁଫେଣା ଆଡ଼କୁ ଟାଣି ହେଲାପରି ଆକର୍ଷିତ ହେଲା ପରି ଜୋଡି ହେଇଗଲୁ ଓ ସବୁ ଭୁଲିଯାଇ ନାଚିଲୁ । ତାଳରେ ତାଳ ପାଦରେ ପାଦ ମିଶେଇ କୃଷ୍ଣ ନାମରେ ମଜ୍ଜି ହଜି ଯାଇ ସମସ୍ତେ ଯଶୋଦା, ସୁଦାମା, ଗୋପକୁମାର, ମୀରା ପାଲଟି ଯାଇଥାନ୍ତି । ମୋର ଆଉ କେଉଁ ଆଡକୁ ଲକ୍ଷ୍ୟ ନଥାଏ । ସୁଧବୁଧ ହଜିଯାଏ ଯୋଉ କୁହନ୍ତି ସେଇ ଅବସ୍ଥା । ସବୁ ଭୁଲିଯାଇଥାଏ କୀର୍ତ୍ତନ ମଗ୍ନ ଅବସ୍ଥାରେ । ଟୋଲି ସହ ଆଗଉଥାଏ ପାଦ ଛାଁ । କିଏ କୋଉଠି ମୋର ଆଉ ଚେତା ନାହିଁ । ସଂସାର ମାୟାରୁ କିଛି ପବିତ୍ର କ୍ଷଣର ମୁକ୍ତି ଅନୁଭବ । ଭୁଲି ଯାଇଥାଏ ମୋ ସାଙ୍ଗରେ କିଏ ସବୁ ଆସିଛନ୍ତି ଅବା ମୁଁ କାହା ସହ ଆସିଛି । ଏମିତିକି ପିଲାଙ୍କୁ ବି ବିସ୍ମରି ଗଲି କ୍ଷଣାକେତେ।    

ହଠାତ୍ ଝିଙ୍କିହେଇ ଆସିଲି କାହାର ଡାକରେ ଜାଣିନି । ଦେଖୁଛି ମାର୍ବଲ ଅଗଣାର ପାହାଚରେ ମୋ ବାପା, ଶଶୁର ଆଉ ଭାଇ ମତେ ଚାହିଁଛନ୍ତି । ଶାଶୁ ସେଇଠି ଠିଆ ହେଇଛନ୍ତି ଆଉ ଆଶ୍ଚର୍ଯ୍ୟ ସହ ହାଲୁକା ବିରକ୍ତିପଣ ତାଙ୍କ ମୁହଁରେ ସ୍ପଷ୍ଟ । ପିଲେ ମନ୍ଦିର ଉପର ମହଲାକୁ ଯିବାକୁ ଥିବା ପାହାଚ ପାଖରେ ଉପରକୁ ଯିବାକୁ ଅନୁମତି ଚାହୁଁଛନ୍ତି ଆଉ ଇଏ….. କୀର୍ତ୍ତନ ଦଳ ପଛେ ପଛେ ହାତତାଳି ମାରି ନିମଗ୍ନ ଅଛନ୍ତି ହରିନାମ ଜପରେ । ଶାଶୁ ଆସି ପାଖକୁ କହିଲେ, ” ଶଶୁର ସାଙ୍ଗରେ ଆସିଛନ୍ତି ବୋଲି ଭୁଲିଯାଇନୁ ତ ? ତୋର ତ ଯୋଉ ଭୁଲାମନ ।” ଛଲକୁଥିବା ଭକ୍ତିରେ ସଂଠଣାକୁ ନେଇ ତାଙ୍କର ଟିକି ଟିକି ବିରକ୍ତିପଣକୁ ମୁଁ ହସିଦେଇ ଦୂରେଇ ଦେଲି । ମୋର ବା ଏଥିରେ କି ଦୋଷ ଯେ । ଏଥିରେ କାହାର ବା ଦୋଷ କାଇଁ! ସବୁତ ପ୍ରେମରସ ଭିଜା ମତୁଆଲା ମନ ହୋଇଯାଇଛନ୍ତି। କେବଳ ହୃଦୟ ମାନେ ଚାଲୁଛନ୍ତି, ନାଚୁଛନ୍ତି, ଜପୁଛନ୍ତି ।

ମୁଁ ମୋ ଶାଢୀ କାନିରୁ ତୁଳସୀ କାଢି ସମସ୍ତଙ୍କୁ ଦେଉ ଦେଉ କହିଲି, ” ହଁ ବୋଉ , ଦର୍ଶନ ସୁନ୍ଦର ହେଲା । ନୁହେଁ !” ପିଲାଙ୍କୁ ତଳକୁ ଡାକି ଆଣିଲି । ବହୁତ ଲୋକ ଚଢୁଥାନ୍ତି ଉପର ମହଲାଯାଏ । ଫଟୋ ଉଠଉଥାନ୍ତି ବିଭିନ୍ନ ଭଙ୍ଗିରେ । ଏବେ ତ ଦିଅଁ ଦେଖା ପରେ ଆଗେ ସେଲଫି । ନହେଲେ ସୋସିଆଲ ମିଡିଆରେ ନାକଟି ମାନ ଖସିଯିବନି ନା ! ନିଜକୁ ଶ୍ରେଷ୍ଠ ସୁନ୍ଦର କରି ଦେଖେଇହବାର ମାନସିକତା ଘୁଣଖିଆ ପୋକ ପରି ବ୍ୟାପୁଛି।

ଧସ୍ତାଧସ୍ତି ବଢୁଥାଏ ସରୁକିଆ ପାହାଚଟିରେ । କିଏ ଜଣେ କହିବାର କାନରେ ପଡିଲା,”  ଉପରୁ ଦୃଶ୍ୟ ଅତୀବ ମନୋରମ, ଦେଖିବା କଥା । ପୁରା ଦ୍ୱାରକା ସହର ଦିଶେ ।” ମୁଁ ଚାହିଁଲିନି ମୋ ରୁଗ୍ଣ ଆଣ୍ଠୁ ଯୋଗୁଁ କି ମୋ ପରିବାର ରେ କାହାକୁ ଛାଡିଲିନି, କାରଣ ତଳ ମନ୍ଦିର ରେ ଈଶ୍ୱର ଥିବା ବେଳେ ମୋର ପାଦ ତାଙ୍କ ଉପର ଛାତରେ ରଖିବାକୁ ମୋର ଅନ୍ତର ଆତ୍ମା ଅନୁମତି ଦେଲାନି । ଉପର ବାଲକୋନୀ ସବୁ କିନ୍ତୁ ଭବ୍ୟ ଦିଶୁଥିଲେ ତଳୁ। ହାତ ଠାରି ଡାକୁଥିଲେ ସତେ।

ଏବେ ଭାବିଲୁ ଅନ୍ନ ଭୋଗ କଥା ବୁଝିବା । କୁଡୁକୁଡିଆ ଭୋକଟେ ଅନ୍ତନାଡିରେ ଦସ୍ତକ୍ ଦେଲାଣି। ଆମକୁ ଆଶ୍ଚର୍ଯ୍ୟ କରି ଜଣେ ଧୋତି ପିନ୍ଧା ସୁଦର୍ଶନ ଯୁବକ ଥାଳିଟିଏରେ ବିବିଧ ଭୋଗ ରଖା ଥାଳିଟିଏ ଆମ ପଟକୁ ଆବିର୍ଭୂତ ହେଲେ ଓ ତୁରନ୍ତ ତୁରନ୍ତ  ସେପଟର ଭାଷାରେ କିଛି କହିଲେ । ତୁରନ୍ତ ସମସ୍ତଙ୍କ ହାତରେ ଭୋଗ ଥାଳିରୁ ମିଷ୍ଟାନରୁ ଗୋଟିଏ ଲେଖାଏଁ ଆମ ସଭିଁଙ୍କ (ସେଠି ଗଦେଇ ହେଇଥିବା ସବୁ ଲୋକ, ରୁଣ୍ଡ ଗହଳି) ପାପୁଲିରେ ଦେଇ ଅଦୃଶ୍ୟ ହବା ଭିତରେ ଯିଏ ଯାହା ଦକ୍ଷିଣା ରୂପେ ତାଙ୍କ ଥାଳିରେ ରଖୁଥିଲେ ସେଥିକୁ ତାଙ୍କ ନଜର ନଥିଲା । କୁଞ୍ଚୁ କୁଞ୍ଚୁଆ ଗହଳ କେଶ ରାଶି ପିଠିଯାକ ମେଲେଇ ହେଇ ପଡିଥାଏ । ଗାରପକା ପଟାପଟାଳିଆ ହଳଦୀ, ନୀଳ, ଲାଲି ମିଶା ପାଟଧୋତିଟିଏ ପିନ୍ଧି ଥାନ୍ତି । ଆକର୍ଷଣୀୟ ହସଟିଏ ବାଣ୍ଟିବା ବେଳେ ସଞ୍ଚରୁଥାଏ ସବୁ ଓଠକୁ ଭୋଗ ସହ । ଅଦୃଶ୍ୟ ହେଇଗଲେ ସିଏ ଗହଳ ମୁଣ୍ଡ ମାଳ ମଝିରୁ । ମୁଁ ଚାହିଁ ରହିଥାଏ କେଣେ ଗଲେ ବୋଲି । ଇଏ ଆସି କହିଲେ, ” ଥାଳିରେ କିଛି ଦକ୍ଷିଣା ଦେବି ବୋଲି ଚାହିଁଲା ବେଳକୁ ଯିଏ ଭୋଗ ବାଣ୍ଟୁଥିଲେ ଯାଇସାରିଲେଣି । ମୁଁ ଭିତରେ ଥରେ ଦେଖି ଆସେ । ତମେମାନେ ଏଇଠି ଥିବ ।”

ଆମେ ବସିଥାଉ ପିଣ୍ଢାରେ । ପିଲେ ଖେଳୁଥାନ୍ତି ବାଳଲୀଳାମୟ ବାଳମୁକୁନ୍ଦ ଟୋଲି ପରି । ପବନ ମଧୁର ଶୀତଳ ବହୁଥାଏ । ମନରେ ସେଇ ଯୋଉ ଅପୂର୍ବ ଆନନ୍ଦ ଲହର କାଳିଆର ପାଟ ଅଗଣା ଆନନ୍ଦ ବଜାର ମନେ ପକେଇଦେଉଥାଏ । ଇଏ ଫେରିଲେ  କହିଲେ, ” କାଇଁ ଆଉ ଦେଖିଲିନି ସେଇ ବ୍ରାହ୍ମଣଙ୍କୁ । ଥାଳିରେ ରଖି ଆସିଲି ।” ମୋ ଆଖି ଖୋଜୁଥିଲା ମନ୍ଦିର ର ଅନ୍ଦିସନ୍ଦି ଆଉ ଥରଟେ ମାତ୍ର ସ୍ୱଚକ୍ଷୁରେ …… ।  ମନ ଗାଉଥିଲା- ଅଧର ସୁନ୍ଦର, ନୟନ ସୁନ୍ଦର/ ସୁନ୍ଦର କଳାବଦନ

ଏଠୁ ଗଲା ପରେ ଜାଣିଲୁ ଯେ ଆନ୍ତରିକ ପବିତ୍ରତା, ମୌନ ସମର୍ପଣ ଓ ଭକ୍ତି ସହ ଗୋମତୀ ନଦୀରେ ବୁଡ ପକେଇ ମୁଖ୍ୟ ଦ୍ୱାର ବାଟେ ଦେବଦର୍ଶନ ରେ ପ୍ରବେଶର ବିଧି ରହିଛି ଏବଂ ମନ୍ଦିରର ଦକ୍ଷିଣ ଦିଗରେ ରହିଛି ଛପନଟି ପାହାଚ ଗୋମତୀ ନଦୀ ବାଲୁକା ବକ୍ଷକୁ ଯାହା ମନ୍ଦିର ପ୍ରବେଶର ଅନ ଏକ ଦିଗ ।

ମନ୍ଦିର ବେଢାରୁ ବାହାରକୁ ବାହାରିଲୁ ମୁଖ୍ୟ ଦରଜା ଦେଇ । ସିଂହ ଦରଜାର ଭାବ ଦେଉଥାଏ। ମତେ ଲାଗୁଥାଏ ମୁଁ କିଛି ଛାଡିଆସୁଛି ଯେମିତି । ମନ ନଥାଏ ପାର୍ଥୀବ ପୃଥିବୀକୁ ଫେରିବାକୁ । ସେହି କୀର୍ତ୍ତନ ବେଳାର ତନ୍ମୟତାକୁ ଧରିରଖିବାର ଅଭୀପ୍ସା ଜାଗୁଥାଏ ଅନ୍ତଚେତନାରେ ବାରମ୍ବାର ପଛକୁ ପେଲିଦେଇ।

ବାହାର ବେଢାର ଜୋତା ରଖା ଦୋକାନରୁ ସମସ୍ତେ ଜୋତା ପିନ୍ଧୁଥିବା ବେଳେ ମୋ ନଟଖଟ ଗୋବିନ୍ଦ ପୁଅଟି ଗଳିଗଲା ସେଇ ପାଖକୁ ଥିବା ଏକ ବିରାଟ କମକୂଟ ଦୁଆର ପେଲି ତା ଭିତରକୁ । ସେ କାରୁକାର୍ଯ୍ୟରେ ମନ ଲାଖିଯିବ। ଲଟାଫୁଲ, କୁନ୍ଦକାମ, ପଶୁପକ୍ଷୀ କଳାକାର ହାତର ନିହାଣ ସ୍ପର୍ଶରେ ନିଖୁଣ ଓ ଜୀବନ୍ତ। ପଥରରେ ଜୀବନ ଫୁଙ୍କିପାରେ କଳାର ଚାତୁର୍ଯ୍ୟ। ଧଳା ଶଙ୍ଗମରମର କବାଟ ସତେ।

ସେ ବାଟ କୋଉଠିକୁ ଫିଟିଛି,ସେ କବାଟ ପଛରେ କଣ ଅଛି କଣ ନାହିଁ, କିଛି ଜଣା ନାହିଁ । ମୁଁ “ହେ ହେ ରହ ରହ ” କହୁ କହୁ ସିଏ ଯାଇ ଭିତରେ । ବାଧ୍ୟ ହେଇ ମୁଁ ଆଉ ମୋ ପଛେ ପଛେ ମୋ ଝିଅ ବି,  ଗଲୁ ଦୁଆରଟିକୁ ଥିରେକି ପେଲି । ଖୋଲିଯାଉଥିଲା ଏକ ରହସ୍ୟମୟ ଦୁନିଆର ଦୁଆର। ଏଇଲେ ହାତ ଧରି ନେଇଯିବ ହଜାର ସହସ୍ର କଳ୍ପ ତଳର ଅପରୂପ ଓ ଭିନ୍ନ ଏକ ଦୁନିଆର ଅଗଣାକୁ। ରୋମାଞ୍ଚ ଭରୁ ଥିଲେ କଳ୍ପନାମାନେ ଡେଣା ଲଗେଇ।

କ୍ରମଶଃ …….