ଭ୍ରମଣ କାହାଣୀ – ୬ (ଦ୍ୱାରକା)

ରଙ୍ଗିଲା ର ସ୍ବପ୍ନ ଓ ବର୍ତ୍ତମାନ ର ଆମ ଦୁନିଆର ମଝିରେ ଗାଡି ର ଚକ ତିନୋଟି ଗଡି ଚାଲିଥାଏ।ସହର ଠୁ ବହୁତ ଦୂର ।ଗହଳି କି  ଚହଲପହଲ ପ୍ରାୟ ନାହିଁ କହିଲେ ଚଳିବ । ଆମରି ଗାଡି ପରି ଆହୁରି ଅନ୍ଯ ରଙ୍ଗିଲା ମାନଙ୍କର ଅଟୋ, ଅଳ୍ପ କାର୍ ଆଉ ଅନ୍ଯ ବାହାନ ସବୁ କେବେ କେମିତି ଆମ ଆଗରେ ପୁଣି ପଛକୁ ଦିଶୁଥାନ୍ତି । ନ୍ୟାସନାଲ ହାଇୱେ ପରି ଲାଗୁଥାଏ । ଆମେ ( ପିଲେ ଆଉ ମୁଁ )  ଗାଡିମାନଙ୍କର ଗୋଡାଗୋଡି ଖେଳ ପ୍ରତିଯୋଗିତାର କାଳ୍ପନିକ  ରେସ୍ କରଉଥିଲୁ ।ଖୁସି ରେ ତାଳି ମାରି ଚିଲଉଥିଲେ ପିଲେ ଆମ ଗାଡି ଆଉ ଗୋଟେ ଗାଡିକୁ ପାରିକରି ଆଗକୁ ଚାଲିଗଲେ …. ପୁଣି ମୁହଁ ଶୁଖଉଥିଲେ ଆଉ କୋଉ ଗାଡିଠୁ ପଛରେ ପଡିଗଲେ ।

ଏସବୁ ମଣିଷ ର ଆଦିମ ପ୍ରକୃତି । ଜିତିବାର ନିଶା ରକ୍ତରେ ।ସ୍ବତଃପ୍ରବୃତ୍ତ । ନିଜକୁ ପ୍ରତିପାଦିତ କରିବା, ପ୍ରମାଣିତ କରିବା, ପ୍ରତିଷ୍ଠିତ କରିବାରେ ମଣିଷ ତାର ଜୀ_ ଜାନ୍ ଲଗେଇଦିଏ ।କଳେ, ବଳେ, କୌଶଳେ ସାମ,ଦାମ,ଦଣ୍ଡ, ଭେଦ ଲଗେଇ କେବଳ ଜିତିବାକୁ ହି ଚାହେଁ । ଚାହେଁ ଯେ ତାକୁ ହି ବିଜେତା ବୋଲି ପୃଥିବୀ ମୁଣ୍ଡ ଉଚ୍ଚ କୁ ତୋଳି ଚାହୁଁ । କିନ୍ତୁ ଭୁଲିଯାଏ ଯେ ଏଇ ମୂଷା ବିଲେଇର ଖେଳ ନିମିତ୍ତ ମାତ୍ର ମନୋରଞ୍ଜନ ରୁ ଆରମ୍ଭ ହେଇ ଆଜି ବିଭୀଷିକାରେ ପହଞ୍ଚି ସାରିଛି ।ହସ ଖୁସି ଯାଏ, ଆନନ୍ଦ ଯାଏ ଟଣାଥିବା ସିମା ରେଖା ଭିଡି ହେଇ ଅହଂ ଯାଏ ପହଞ୍ଚୁଛି ।ବ୍ଯାଘାତ ହେଉଛି ମାନବିକତା ର ଈଶ୍ବରୀୟ ଗୋଲକ ଉପରେ । Neutral ବା ନିରାସକ୍ତ ଚେତନାରେ / ବୁଦ୍ଧି ରେ ରହିବା ଏକ ତପସ୍ୟା ପରି ।

ଛାଡ, ମଜା ନିଆ ଯାଉ ଏବେର । ବଞ୍ଚିବା ବର୍ତ୍ତମାନରେ ।

ଏବେ ଦିଶିଲା କିଛି କିଛି ଗାଡି ଆଗ ପଛ ହେଇ ଗୋଟିଏ ଛୋଟିଏ ବଜାର ପରି ଅଞ୍ଚଳରେ ଅଟକୁଛନ୍ତି ।ଆମ ଗାଡି ମଧ୍ୟ ସେଇ ଦିଗକୁ ବୁଲେଇଲା ।ତିନି ଚାରୋଟି ଉଠା ଦୋକାନ ।ଏଇ ପଇଡ, କଣ୍ଢେଇ, ଟୋପି ,କୁରକୁରେ, ଅନ୍କଲ୍ ଚିପ୍ସ  ଆଉ କଣ ସବୁ ।ସେ ସବୁ ଉପରେ ଏଇଲେ ନଜର ପଡିଗଲା ମାନେ ଏ ଦିଟା ଆଉ ନ ହଲନ୍ତି ।ମାଟିରେ ପାଦ ଲାଖିଯିବ ଯେ ଯାଏଁ ସେ ଜରିରୁ ଦିଟା ନ ଆଣିକି ଦେଇଛ ।ମତେ ଯମା ଭଲଲାଗେନି ଏ ସବୁ ଖାଇବା ଦେବାକୁ ।କେବେ କେମିତି ଗୋଟେ ଅଲଗା କଥା ।ହଁ , ଏକଥା ବି ସତ ଯେ ମୋ ଛଡା ଆଉ କାହାରି କଥା ଏତେ ସହଜରେ ମାନନ୍ତିନି ଏ ଦିଟା ।ରୁଷାରୁଷି ଆରମ୍ଭ ହୁଏ ।ତେଣୁ ମୁଁ ତାଙ୍କୁ ବାଛୁରି ଆଡେଇଲା ପରି ଏଇଟା ସେଇଟା ଗପ କରି ଗାଡିରୁ ଓହ୍ଲାଇ ଯୋଉ ଦିଗକୁ ନେବା କଥା ସେପଟକୁ ମୁହେଁଇ ଦେଲି ।

ଆଖି ଆଗରେ ଆକାଶ ଛୁଆଁ ବିରାଟ ଭବ୍ଯ ସମାଧିସ୍ଥ ତ୍ରିଲୋକିନାଥ ମହାଦେବଙ୍କ ବିରାଟକାୟ ପ୍ରତିମା ଦେଖି ପିଲେ ତଟସ୍ଥ ଆଉ ଖୁସି ହେଇଗଲେ ଏକାସାଙ୍ଗେ । ପୁଅ ମୋର କହିଲା, ” ବୋଉ ଦେଖେ ସତ ଶିବଶମ୍ଭୁ । ଆମେ କଣ କୈଳାସ ପର୍ବତ ଉପରକୁ ଆସିଗଲୁ ?” ତା ଆଖି ରେ ଲେପା ଆଶ୍ଚର୍ଯ୍ୟ ଭାଗକକୁ ଦେଖି ଝିଅ ମହାଜ୍ଞାନୀ ପରି ଉତ୍ତର ଫେରେଇବା,” ଏଇ ଏଇଟା ତତେ mountain ପରି ଲାଗୁଛି କି ? ଏଇଟା ତ plane ଜାଗା ।” ପିଲାମାନେ ସବୁବେଳେ ଖୁସି ହି ବାଣ୍ଟିପାରନ୍ତି ନା । ତାଙ୍କ କଥାରେ, ହସରେ, ଚାଲିରେ, ବୋଲିରେ ।ସେଥିପାଇଁ ବୋଧେ ସେମାନେ ଈଶ୍ବର ରୂପେ ଗଣା ।ଆମେ ବି ଚିରଦିନ ଶିଶୁ ହେଇ ରହିହନ୍ତାନି ।

ସମସ୍ତେ ହସିଲେ ଆଉ ସେ ଦିଜଣ ଆମ ହାତ ଛାଡି ଉଡିଗଲେ ଭିତର ବେଢାକୁ ।ଆମେ ନଜର ଆଗରେ ରଖିଥାଉ । ଭିତରେ ଖୁବ୍ ଗହଳି ଥାଏ । ଖରା ଜୋର୍ ଫୋଡିହେଇଯାଉଥାଏ । ଆଉ କଳା ପଲିସ୍ ଗ୍ରାନାଇଟ୍ ତଳ ଟିରେ ଖାଲି ପାଦ ଚେଙ୍ଗି ଚେଙ୍ଗି ଲାଗୁଥାଏ ।ତଥାପି ଲମ୍ବ ରୁ ଲମ୍ବିଥିବା ଏତେ ଲମ୍ବା ଧାଡି ତା’ ସହ ଜୟ ଶିବ ଶମ୍ବୁ, ହରହର ମହାଦେବ, ବମ୍ ଭୋଲେ … ଭୋଲେ ବମ୍, ପାର୍ବତୀ ମୟା କି ଜୟ ହୋ ଆଦି ଆଦି ଶକ୍ତିଭରଣୀ ଚତୁଃପାର୍ଶ୍ବ ରେ ଗୁଞାୟମାନ ହେଉଥାଏ ।ମନର ଦମ୍ଭ କୁ ବଳ ଦେଉଥାଏ ଭିଡରେ ସାମିଲ ହେଇ ବମ୍ ଭୋଲେ, ବମ୍ ଭୋଲେ ବଡ ପାଟିରେ ମିଳିତ ସ୍ବର ସହ ମିଶିକି କହିବାକୁ ।ଚଞ୍ଚଳ ଚଞ୍ଚଳ ପାଦ ଚଳେଇଲୁ ।ଚପଲ ସବୁ ଗଦା ହେଇଥାଏ ପାହାଡ ପରି ଯଦିଓ ଚପଲ ଷ୍ଟାଣ୍ଡଟିରେ ପିଲାଟିଏ ଟିକଟ କାଉଣ୍ଟର ଖୋଲି ବସିଥାଏ ।ଆମ ଲୋକେ…. ଆମ ଲୋକେ। ତାଙ୍କ ର ଯୁକ୍ତି ଅଲଗା ।ତାଙ୍କ ଲଜିକ୍ ଆଗରେ କାହାର ଚଳେନି । ଭାରତ ମାତା କି ଜୟ । ହା ହା ।ଫେରିଲେ କେମିତି ପାଇବେ ନିଜ ପଟକ, ସେଇ ହେଲା ଚିନ୍ତା ।

ଏତେ ବଡ ଲାଇନ ଦେଖି ବାପା, ଆଉ ଶାଶୁମାଆ ଆମର ରାଜି ହେଲେନି । ସେମାନଙ୍କ ଗୋଡର ଅସୁବିଧା ।ଠିଆ ହେବା ଏତେ ପ୍ରଖର ଖରାରେ କଷ୍ଟକର । ଆବଶ୍ୟ ବିରାଟ ବେଲ ଗଛ ସବୁ ବାହା ମେଲେଇ ଛାୟା ପ୍ରଦାନ କରୁଥାଏ କୋଉଠି କୋଉଠି । ଦିଶୁଥାଏ ଭିତର ବେଢାରେ ବହୁତ ଗଛ ଅଛି । ପ୍ରବଳ ଛାଇ ଓ ପବନ ବି ।  ଶାଶୁବୋଉଙ୍କୁ ଆମର ମୁଁ କହିଲି, ” ଆସୁନାହାନ୍ତି ବୋଉ ଏତେ ବାଟ ତ ଆସିଛ । ଦୁଆରୁ କାଇଁ ଲେଉଟିଯିବ? ଇଏ ହେଉଛନ୍ତି ଦ୍ବାଦଶ ଜ୍ଯୋତ୍ରିଲିଙ୍ଗ ମଧ୍ୟରୁ ଅନ୍ଯତମ ଜ୍ଯୋତି ଲିଙ୍ଗ । ପ୍ରତ୍ୟକ୍ଷ ଦିଅଁ,  ଯାହା ମନାସିବ ତାହା ପାଇ । ଆସନ୍ତୁ । ମୁଁ ଅଛି ପରା । ବସି ବସି ଯିବା ।କିଛି ହବନି ।” ମୋ କଥା ରଖି ସିଏ ଆସିଲେ ଧାଡିକୁ ମତେ ଖୁସି ଲାଗିଲା ।

ସେହି ବିରାଟ ଶିବଶମ୍ଭୁଙ୍କ ପ୍ରତିକୃତି ପାଖରେ ଏକ ବିରାଟକାୟ ମୟୁର ଆକାରର ପାରାଭାଡି ତିଆରି ହେଇଥାଏ ।ପାଖରୁ ଦେଖିଲେ ହି ଦିଶୁଥାଏ ସେ ମୟୁର ମୂର୍ତ୍ତି ଭିତରେ କେତେ ଜୀବନ୍ତ ପାରା ଘର କରିଥାନ୍ତି । ସୁସଂଯୋଜିତ ରଙ୍ଗମୟ ଭାଡି ସବୁରେ ଘୁଡୁରୁ ଘୁଡୁରୁ ଘୁଟୁରୁ ଘୁଁର ଗୀତ । ଏତେ ଜନସମାଗମ ଭିତରେ ବି ନିର୍ଦ୍ବନ୍ଦେ ଘୁରିବୁଲୁଥାନ୍ତି ଏଇ ଘୁମୁରି ପାରୁଲ୍ ମାନେ ।

ପିଲେ ସବୁ ଭାରି ଖୁସି । ବାପା ମୋର ବାଘଛାଲରେ ବସିଥିବା ଶିବଶମ୍ଭୁଙ୍କ ପ୍ରତିମା ତଳେ ଏକ ଆଶ୍ରୟ ସ୍ଥଳୀ ରେ ବସିଲେ ।ସୁଲୁସୁଲିଆ ବାଆ ବହୁଥାଏ। ତାଙ୍କରି ଜିମା ସବୁତକ ଚପଲ ଥୋଇ ଆମେ ବାହାରିଲୁ । କଳଟିଏ ଥିଲା । ମୁହଁ ହାତରେ ପାଣି ଛାଟି ଧୋଇ ଦି ଆଞୁଳି ଲେଖେଁ ପିଇ ଦେଲୁ । ଓହୋ! ଜୀବନ ରହିଗଲା ହୋ ।ବାପା ସେପଟେ ବସିଥାନ୍ତି । ମୋ ମନଟା ସେଠିକୁ ଟାଣୁଥାଏ ହଜାରେ ଥର । ଯେତେଯେତେ ପାଖଉଥାଏ ସେତେ ଜୋର ଧରୁଥାଏ ଜୟଜୟକାର ଦେବ ଦେବ ମହାଦେବଙ୍କର । ମୋର ମଗ୍ନତା ସେ ଦିଗକୁ ଟାଣିଲା । ମୁଁ ବିଭୋରମଗ୍ନ ହେଲି । ” ତ୍ରୟଂବକମ୍ …. ” ଜାପରେ ତନ୍ମୟ ହେଲି । ଭୁଲିଗଲି ପୁଣି ମୋ ଚାରିପଟେ କିଏ ,କଣ ,କୋଉଠି । ଧାଡିରେ ଚାଲି ଥାଏ ପାଦ ମାନ ସାଥି ହେଇ ଗୋଟି ଗୋଟି । କେତେ ଆଗରେ କିଏ କେତେ ପଛରେ କିଏ ଆଉ ବନ୍ଧନ ନାହିଁ,ଭାବଶୂନ୍ଯ, ଅମ୍ଲାନ ଭାବରେ ଭାସୁଥାନ୍ତି ଭକ୍ତଗଣ ।ଗୋଟିଏ ଗୋଟିଏ ହେଇ ସିଂହଦରଜା ପାଖ ପାହାଚରେ ଚଢିଲୁ ।ବିରାଟ ହଲ୍ । ପ୍ରଭୁଙ୍କ ଯାଏ ଧାଡି ଲମ୍ବିଛି ପିମ୍ପୁଡି ଧାଡି ମଧୁଖଣ୍ଡ ପାଖକୁ ଯେମିତି, ଯେମିତି ମଧୁମକ୍ଷୀ ଗଣ ଫୁଲରସକୁ । ଛୋଟିଆ ପଟା ଉଠାଣି ଟିଏ ତଳକୁ ଚାହିଁ ଦେଖେ ପରମେଶ୍ବର ପରମାତ୍ମା ସ୍ବରୁପ ସ୍ବୟଂଭୂ ଶମ୍ବୁ । ଦର୍ଶନ ମାତ୍ରେ ପ୍ରଶାନ୍ତିରେ ଭରିଗଲା ମନ । ” ହେ ! ଅକର୍ମକର୍ମ ଦାୟକ ମହାଦେବ ଆପଣଙ୍କ ସୁନ୍ଦର ଇଛ୍ଛା ପୂର୍ଣ୍ଣ ହେଉ ।ଏ ସଂସାର ମଙ୍ଗଳମୟ ହେଉ ।” ଶିଖେଇଥିଲା ବୋଉ । ହେଲେ ମୋର ଯୋଉ ଭୁଲାମନ । କୋଉ ମନେ ପଡିଲା ଏତେ କଥା ! ଶାନ୍ତଚିତ୍ତ ରେ , ଆନନ୍ଦମୟତାରେ ଧନୀ କରିଦେଲେ ପ୍ରଭୁ ମତେ । କିଛି କହିନି କି ମାଗିନି । ଦର୍ଶନ କରି କୃତାର୍ଥ ହେଉଥିଲି ଯାହା । ସେ ପାବନୀ ଅନୁଭୂତି କଥା ଶବ୍ଦ ରେ ବର୍ଣ୍ଣି ହୁଏ କି ! କିଏ କହେ ଶୈବ, ବୈଷ୍ଣବ, ଶାକ୍ତ, ଗାଣପତ୍ଯ, ସୌର୍ଯ୍ଯ ଆହୁରି କଣ କଣ କେତେ ମତ କେତେ ପଥ ଥାଏ ବୋଲି , ମତେ ଗଛ ମୂଳର ସିନ୍ଦୁର ବୋଳା ଠାକୁରାଣୀ ଠାରୁ ମସଜିଦ, ଗୁରୁଦ୍ବାରା ଠାରୁ ଚର୍ଚ ଯାଏ ସବୁଠି ଏଇ ସମାନ ଅଭୁଲା ପ୍ରଶାନ୍ତି ହି ମିଳେ । ଏଇ ହଜିଯିବା ଯୋଉଠି ଅନୁତାପ ନଥାଏ, ଖୋଜିବା ନଥାଏ କି ନଥାଏ ଏକାପଣ । ଥାଏ ତ କେବଳ ଏକ ଅନୁଭବ । ମୁଁ ଏଇ ସବୁ ଯାଗାକୁ ଯାଏ ସୁଯୋଗ ପାଇଲେ ଆଉ ଏକା ଏଇ ସବୁ ଅନନ୍ଯତା କୁ ଅନୁଭବିବାକୁ ଭଲପାଏ । ସଂସାର ବନ୍ଧନ ମାୟା ରୁ କାହିଁ କେତେ ଦୂର । ଏକ ମୁକ୍ତ ଅବସ୍ଥା । ଶୂନ୍ଯ ଅବସ୍ଥା ।

ଦର୍ଶନ ରେ ମଗ୍ନ ଥାଏ କି ” ଚଲିଏ ,ଚଲିଏ …. ଆଗେ ନିକଲେ ।” ଶବ୍ଦ ଜୋର୍ ଝାଙ୍କି ଆଣିଲା ପୁଣି ବଜାର ମଝିର ଘୋ ଘୋ କୁ ସେତେବେଳେ ମୁଁ ସଚେତନ ହେଲି, ଏହେ ଏମାନେ ସବୁ କୁଆଡେ ଗଲେ? ମୋ ଶାଶୁ? ” ଅଣ୍ଡାଳିହେଲି । ଫେରିଆସିଲି ବର୍ତ୍ତମାନକୁ ।

ଚାରିପଟେ ଅଜଣା ଅଚିହ୍ନା ମଣିଷ ମୁହଁ । କିଏ କାହା ସାଥିରେ ତ କିଏ ଏକା । କିଏ ହସୁଛି ତ କିଏ ଭାବୁଛି, ପୁଣି କିଏ ଚାଲୁଛି ତ କିଏ ଖୋଜୁଛି କାହାକୁ । ସେଇ ହଲ୍ ର ଗୋଟିଏ କୋଣକୁ ଲଗେଇ ଗଢିଉଠିଛି ଏକ ସାନ ଉଠା ବଜାର ଯେଉଁଠି ତ୍ରିଶିଖା ବେଲପତ୍ରି,ସ୍ପଟିକ ଲିଙ୍ଗ,ଅରଖ, ଦୁଦୁରା, କଞ୍ଚା ଖିର, ଦହି, ମହୁ, ଶାକର, ବହିଖାତା, ଖେଳନା, ବନ୍ଧେଇ ଫ୍ରେମ ଫଟୋ ଠାରୁ ରୁଦ୍ରାକ୍ଷ ଯାଏ ସବୁ ମିଳୁଛି । କିଏ କିଏ କିଣୁଛନ୍ତି, ଆଉ କିଏ ସବୁ ଦେଖି ଲେଉଟିଯାଉଛନ୍ତି । ଏପଟେ ନଜର ବୁଲେଇ ଦେଖେ ତ ବିରାଟ ନନ୍ଦି ବୃଷଭ ବାବାଙ୍କ ପଟକୁ ଆଣ୍ଠୁ ନତ କରି ଭକ୍ତି ମୁଦ୍ରାରେ ବସିଛନ୍ତି ଓ ତାଙ୍କ ଠିକ୍ ପଛକୁ ବିରାଟ ସୁନେଲି ତ୍ରୀଶୂଳ …. ସତେ ଯେମିତି ସ୍ବୟଂ କୈଳାସପତିଙ୍କ ହାତରୁ ଆସି ଏଇଠି ବିଶ୍ରାମରେ ଅଛନ୍ତି ତ୍ରିଶୂଳ ରାଜ ।

ସେଇ ତ୍ରୀଶୂଳ କୁ ପଛପଟକୁ ରଖି ଲୋକେ ଗଦା ହେଇ ସେଲ୍ଫି (selfie)ଉଠେଇ ଚାଲିଥାନ୍ତି ।ଆଉ ପଛ ପଟକୁ ଦେଖେ ତ ଭିଡ ଭିତରେ ଗଳିକି କୁନି ହାତ ଦିଟି ସେଇ ତ୍ରୀଶୂଳ କୁ ଉଠେଇବାର ଚେଷ୍ଟା ରେ ଝାଳନାଳ । ଆଉ ବୁଝିବା ବାକି ଥିଲା କଣ ଯେ ଏଇ ଗୋଟିଏ ମୋରି ପୁଅ । ମତେ ଦୂର ରୁ ଦେଖିଦେଇ ଦଉଡି ଆସିଲା ।ମୁଁ ପଚାରିଲି ଆଉ ସମସ୍ତେ? ହାତ ଠାରି ଦେଖଉ ଦେଖଉ ବଡ ନିର୍ବିକାର ସ୍ବରରେ କହିଲା, ” ତତେ ଖୋଜୁଛନ୍ତି ” ।ମୁଁ ବ୍ଯସ୍ତ ହେବି କଣ ମତେ ହସ ଲାଗିଲା । ମୁଁ ଆଣ୍ଠେଇ ପଡି ତାକୁ କୋଳକୁ ଟାଣି ଆଣି ପଚାରିଲି, ” କିରେ ସମସ୍ତେ ମତେ ଖୋଜୁଛନ୍ତି ଟି , ଆଉ ତୁ ଖୋଜୁନୁ ?” ସେମିତି ଖୁସି ଖୁସି କହିଲା, ” ମୁଁ ତ ଦେଖିଛି, ତୁ ଏଇଠି ଅଛୁ ।ଆ ନା ମତେ help କର । ଏଇ ତ୍ରୀଶୂଳ ଟା ନେବି । ବାହାରୁନି ।” ଏତିକି ବେଳେ ବାକି ସମସ୍ତେ ଆମ ପାଖକୁ ଆସି ସାରିଥାନ୍ତି । ମୁଁ ଶିବଶମ୍ଭୁଙ୍କୁ ପଚାରିକି ତାକୁ ସେ ତ୍ରୀଶୂଳ ଟା ଦେବି କହି କାଖେଇଆଣିଲି । ସିଏ ଅଝଟ ଲଗେଇଥିଲା । ଇଏ ତାକୁ ଗୋଟେ କୁନି ପ୍ଲାଷ୍ଟିକ  ତ୍ରୀଶୂଳ କିଣି ଆଣି ଦେଲେ ଆଉ କହିଲେ, ” ସେଇଟା ବହୁତ ବଡ ହେଲେ ହି ଟେକି ପାରିବୁ ନା । ଏବେ ଏଇଟା ତୋ ହାତକୁ ଠିକ୍ ହବ । ନେ ।” ତାର ଖୁସି ଆକାଶ ସେପାରି ଯାଏଁ ମେଲେଇଗଲା ।

କୁନି ପିଲା ମନ କେତେ ନିର୍ଭେଜାଲ ଆଉ ସରଳ । ସଦା ଆନନ୍ଦମୟ ନା ।

…………କ୍ରମଶଃ