ପଥରରେ  ସ୍ୱପ୍ନ

ମୂଳ ଲେଖା : ଇୟୋନ ଫସସେ || ଅନୁବାଦ : ଜ୍ୟୋତି ନନ୍ଦ

କେହି ସେ ତୁଷାରପାତ କୁ ଦେଖିନାହାଁନ୍ତି କାରଣ ଏହାର ଅବପାତ ଖୁବ୍ ଆସ୍ତେ ଏପରି ହେଉଥିଲା ଯେ,ଦିନ ପରେ ଦିନ ନୁହଁ,ଏପରିକି ଘଣ୍ଟା ପରେ ଘଣ୍ଟା ନୁହଁ, ମିନିଟ ପରେ ମିନିଟ ନୁହଁ, କିନ୍ତୁ ଏହା ଝରି ପଡୁଥିଲା,ପୂରା ସମୟକୁ ବାଦ ଦେଇ ଏହା ଝରି ପଡୁଥିଲା ଆଉ ତମେ ଏହାକୁ ଦେଖିପାରିବ ,ଯଦି ତମେ ଏହାକୁ ଦେଖିବାକୁ ଚାହୁଁଥିଲ ,ଯଦି ତମେ ଏହାକୁ ଦେଖିବା ପାଇଁ ଅସ୍ୱୀକାର କରି ଦେଇଥିଲ,ତାହାହେଲେ ତମେ ଏହାକୁ ଝରୁଥିବାର ଦେଖିପାରିବ କାରଣ ସେଇଟା ଥିଲା ଗୋଟାଏ ତୁଷାରପାତ, ଏହାକୁ ତୁଷାରପାତ ହେବାକୁ ପଡିବ କାରଣ ଏହାଛଡା ଇଏ ଆଉ କ’ଣ ହୋଇପାରିବ ? ହେଲେ ଇଏ କ’ଣ କାଦୁଅ ପରି ଧସି ପଡିଥିଲା ? ନା, ଇଏ କାଦୁଅ ପରି ଧସି ପଡିଲା ନାହିଁ, ଇଏ ଥିଲା ଅକସ୍ମାତ ଗୋଟିଏ ଅନନୁଭବ ଝଟକା । ହେଲେ କେହି ତ ଏହାକୁ ଦେଖିଥିବ ? ନା, କେହି ଏହାକୁ ଦେଖି ନାହାଁନ୍ତି, ବା କେହି ହୁଏତ ଏହାକୁ ଦେଖିଥାଇ ପାରେ ହେଲେ ସେମାନେ ଏହାକୁ ଦେଖି ନଥିଲେ, ହୁଏତ, ଅଥବା ହୁଏତ କେହି ଏହାକୁ ଦେଖିନାହାଁନ୍ତି କାରଣ ଝଟକା ଗୁଡିକ ଖୁବ୍ ତ୍ୱରିତ ଥିଲା, ହେଲେ ଯେତେବେଳେ ତାହା ଆସୁଥିଲା ଖାଲି ଝଟକା ପରେ ଝଟକା।


ହେଲେ ସେମିତିକା କ୍ଷେତ୍ରରେ ତମେ ତମେ ସହଜରେ ଏହାକୁ ତୁଷାରପାତ ବୋଲି କହିପାରିବ ନାହିଁ, ତମ କଥାରେ। ହଁ ଏଇଟା, ଏଇଟା ଏକ ତୁଷାରପାତ, ମୁଁ କହୁଛି ଏଇଟା ଏକ ତୁଷାରପାତ ଥିଲା, ଏଇଟା ଥିଲା ଏକ ତୁଷାରପାତ ଆଉ ତମେ କହିବ ଯେ ଯଦି ଏଇଟା ମୁଁ ଯେମିତି କହୁଛି ସେଇଭଳି ଗୋଟିଏ ତୁଷାରପାତ ନଥିଲା, ଏଇଟା ଅଲଗା ଆଉ କ’ଣ କିଛି।ଏବଂ ମୁଁ କହୁଚି, ତମେ ଠିକ୍।ଏବଂ ତୁଷାରପାତର ଭିତରେ, ସେଇଠି ଘଟିଥିଲା କ’ଣ ? ଏଇଟା କ’ଣ ଗୋଟିଏ ପୂରା ପଦାର୍ଥ ଯାହା ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଯାଉଥିଲା,ଅଥବା ଏହା କ’ଣ କିଛି ଯାହା ଅଭଙ୍ଗା ଥିଲା ଏବେ ଭାଙ୍ଗିଯାଉଛି,ଏଇ ତୁଷାରପାତରେ । ଏହାର ମଝିରେ କେଉଁଠି କ’ଣ କିଛି ଖୁଣ ରହିଯାଇଛି ? ହେଲେ ତମେ ମୋତେ ଏତେ କଥା ପଚାରୁଛ କାହିଁକି ? କାରଣ ତମେ ଏଇସବୁକଥା ଏଇଲେ ହଠାତ୍ ଭାବୁଛ ବୋଲି ? ତମେ କହ । ମୁଁ ଭାବୁଛି ତୁଷାରପାତ ଘଟିଥିଲା କାରଣ କେଉଁଠି କିଛି ଖୁଣ ଥିଲା , ଆଉ ଏଇ ଖୁଣ ଶେଷରେ ଏହାକୁ ତଳକୁ ଝରିପଡିବାକୁ ଦେଇଛି।ହଁ,ଏହା ସେମିତି ଘଟିଛି ଠିକ୍  ତମେ କହ। ହେଲେ ଏହାର ମଝିରେ, ହଁ, ନାହିଁ, ହଁ,ଏହା ସେଇ ଭଳି କିଛି, ହୁଏତ, ମୁଁ କହୁଛି, କିନ୍ତୁ ମୁଁ ଭାବୁଛି ଏହା ବଡ ଫାଟ ନଥିଲା,କେବଳ ଅନେକ ଗୁଡାଏ ଛୋଟଛୋଟ ଫାଟ,ଅନେକ ଗୁଡିଏ ଦେଖାଯିବା ଭଳି ଛୋଟଛୋଟ ଫାଟ। ହଁ,ଏହା ସେଇଭଳି ମଧ୍ୟ ହୋଇଥାଇପାରେ,ତମେ କହ।ମୁଁ କିଛିକହୁନାହିଁ । ହେଲେ ଏଇ ଛୋଟିଆ ,ପାଖାପାଖି ଆଖିକୁ ଦିଶୁନଥିବା ଫାଟ ଗୁଡିକ ଏକାଠି ମିଶି ଗୋଟିଏ ବଡ ଫାଟ ତିଆରି କରୁଛନ୍ତି, ବୃହତ ଫାଙ୍କ, ତମେ କହ, ଏବଂ ତମର ସ୍ୱରରେ ଆନନ୍ଦ ଭଳି କିଛି ଶୁଣାଯାଇଥିଲା। ଗୋଟିଏ ଫାଙ୍କ,ମୁଁ କହୁଛି। ହଁ, ହଁ, ଗୋଟିଏ ଫାଙ୍କ ଭଳି, ତମେ କହିବ ।

Illustration by Ramakanta Samantaray

ମୁଁ ସେଇ ଭାବନାରୁ ବିରତ ହୋଇ ରହିପାରୁ ନାହିଁ ଏହା ଏପରି ଆସ୍ତେ କେମିତି ଯେ ଝରିପଡୁଥିଲା, କେହି ନଜାଣିପାରିବା ଭଳିକା ଏପରି ଆସ୍ତେ, ମୁଁ କହୁଛି। ହଁ, ତମେ ସେକଥା ଆଗରୁ କହିଥିଲ, ତମେ କହୁଛ। ହେଲେ ସେହି ତୁଷାରପାତ ଆପେ ଆପେ, ଏହା ଏପରି ଅଚାନକ ଆସିଥିଲା । ହଁ, ମୁଁ କହୁଛି।ହଁ, ତମେ କହୁଛ। ଆଉ ତମେ କହୁଛ, ସେଇଠି ଗୁଡାଏ ତୁଷାରପାତ ହୋଇଥିଲା ଆଉ ତାହାପରେ ତାହା ଏମିତି ସେଇଠି ପଡିରହିଛି । ମୁଁ ସେଇଠି ପଡିରହିଛି, ମୁଁ କହୁଛି। ତମେ ସେଇଠି ପଡିରହିଛ, ତମେ କହୁଛ, ହଁ ମୁଁ ଠିକ୍ ସେଇଠେ ମୋ ଘରକୁ ଯିବାର ପହିଲି ପାହାଚରେ ପଡିରହିଛି। ଆଉ ତାହାପରେ, ତମେ କହୁଛ। ଏବଂ ତାହାପରେ ସେଇଠି କିଏ ଜଣେ ମୋତେ କିଛି କହିଥିଲା , ଏବଂ ମୁଁ ଉଠି ଠିଆ ହେବାକୁ ଚେଷ୍ଟା କଲି ହେଲେ ମୁଁ ପାରିଲି ନାହିଁ, ଆଉ ତାହାପରେ ଆଉ ଜଣେ କିଏ ମୋତେ ଉଠାଇ ଠିଆ ହେବାରେ ସାହାଯ୍ୟ କରିଥିଲା। ଆଉ ତାହାପରେ ମୁଁ ସେଇଠି ଠିଆ ହୋଇଥିଲି। ଆଉ ତାହାପରେ ମୁଁ ଗୋଟିଏ କବାଟକୁ ଖୋଲିଥିଲି। ଆଉ ତାହାପରେ ମୁଁ କବାଟ ପାଖକୁ ଗଲି ଆଉ ମୋ ପଛରେ ତାହାକୁ କିଳିଦେଲି।ଆଉ ତାହାପରେ, ତମେ କହୁଚ।ଆଉ ମୁଁ କହୁଚି ଯେ ମୋର କିଛି ମନେରହେ ନାହିଁ, ଆଉ ତାହାପରେ ମୁଁ ମନେ ପକାଏ ଯେ ମୁଁ ନିଦରୁ ଉଠି ବସିଥିଲି ଆଉ ମୁଁ ଚଟାଣରେ ପଡିରହିଥିଲି। ମୁଁ ଉଠି ବସିଲି।ମୁଁ ଠିଆ ହୋଇଥିଲି। ମୁଁ ଚାଲିଥିଲି। ଆଉ ତାହାପରେ ? ତମେ କହୁଚ । ମୋର ଚିନ୍ତା ଥିଲା ମୋତେ ପଡିରହିବାକୁ ହେବ। ଆଉ ତାହାପରେ କେହି କିଛି କହନ୍ତି ନାହିଁ। ହଁ, ତମେ କହୁଚ। ହଁ ଆଉ ତାହାପରେ ମୁଁ ନିଦରୁ ଉଠିପଡିଥିଲି ଆଉ ଥରେ, ହେଲେ ତାହାପରେ ମୁଁ ରୋଷେଇଘରେ ଥିବା ଟେବୁଲ୍ ର ଖୁବ୍ ନିକଟରେ ପଡିରହିଥିଲି। ଆଉ ତାହାପରେ ମୁଁ ଭାବିଥିଲି ଯେ ମୋତେ ଯାଇ କି ପଡି ରହିବାକୁ ହେବ। ମୁଁ ଠିଆ ହେଲି । ମୁଁ ସୋଫାକୁ ପାଇଗଲି ଆଉ ବସି ପଡିଲି।

ତିନିଥର ଏହା ଖସି ପଡିଥିଲା। ସବୁକିଛି ଥିଲା କଳା ଆଉ ଗୋଟିଏ ପ୍ରକାରର କୁହୁଡି ମୋ ନିଦରେ ମାତ୍ର ଗୋଟିଏ ପ୍ରକାର ଥୁରୁଥୁରୁ ଭିତରେ କେଉଁଠି ,ଛୋଟ ଛୋଟ ପଥର ଖଣ୍ଡ ଭଳି, ଛୋଟ ଛୋଟ ଗତିଶୀଳ ପଥର ଖଣ୍ଡ ଭଳି, ଛୋଟ ଛୋଟ ପଥରଖଣ୍ଡ ଏକ ମନ୍ଥର ତୁଷାରପାତରେ,ଏପରି ମନ୍ଥର ତୁଷାରପାତ ଯେ ତାହାକୁ ତୁଷାରପାତ ବୋଲି କୁହାଯାଇପାରିବ ନାହିଁ । ହଁ ତମେ ସେପରି କହିଥିଲ, ତମେ କହୁଚ। ହଁ,ମୁଁ କହୁଚି । ଆଉ ତାହାପରେ ? ତମେ କହ। କେହି ତୁଷାରପାତକୁ ଦେଖିନାହାଁନ୍ତି, ମୁଁ କହେ । ତମେ ଏକେଲା ଥିଲ, ତମେ କହ। ହଁ ମୁଁ ଥିଲି, ହଁ, ମୁଁ କହେ, ହଁ। ସେଇଥିପାଇଁ ତ ହୁଏତ ଏହା ତୁଷାରପାତ ନଥିଲା, ତମେ କହ। ନା, ନହୋଇ ପାରେ, ମୁଁ କହେ।ହେଲେ ସେଇଭଳି କିଛି, ତମେ କହ।ହଁ, ମୁଁ କହେ।ଆଉ ତାହାପରେ ଆମେ ଘଡିଏ ଚୁପଚାପ।ଆଉ ଏବେ,ତମେ କହ। ଏବେ,ମୁଁ କହେ। ତମେ କ’ଣ ଭାବୁଚ ? ତମେ କହ। ତୁଷାରପାତ ବିଷୟରେ, ତମେ କହ। ପଥରଖଣ୍ଡମାନ ଗଲେ କୁଆଡେ ? ସେମାନେ ସେଇଠି ବସିଥିଲେ ମାତ୍ର ତାହାପରେ ସେମାନେ ଅଲଗା ଅଲଗା ଖସିପଡିଲେ ଆଉଥରେ, ମୁଁ କହେ। ହଁ, ତମେ କହ।

Illustration by Ramakanta Samantaray

ପଥରରୁ କିଛି, ଏଇ ପଥରଖଣ୍ଡମାନ, ଛୋଟ ଛୋଟ ପଥରଖଣ୍ଡ, ସେଇଠି ବସିଥିଲେ ଆଉ ସେମାନଙ୍କର ଧୂସର କୁହୁଡିରେ ଉଜ୍ଜଳି ଉଠୁଥିଲେ, ଫିକା ସେ ଉଜ୍ଜଳତା ମାତ୍ର ସେମାନେ ଉଜ୍ଜଳି ଉଠୁଥିଲେ, ଆଉ ତାହାପରେ ମୁଁ ଆଲୋକ ସଂଗ୍ରହ କଲି ଆଉ ମୁଁ ଦେଖିଲି ମୁଁ ଗୋଟିଏ ସୋଫାରେ ବସିରହିଛି । ମୁଁ ଠିଆ ହେଲି । ମୁଁ ଗୋଟିଏ କବାଟ ପାଖକୁ ଗଲି।ମୋ ପଛରେ କବାଟକୁ କିଳିଦେଲି।ମୁଁ ଚାଲିଥିଲି।ମୁଁ ଗୋଟିଏ ବସ୍ ର ଅପେକ୍ଷାରେ ଛିଡା ହୋଇଛି । ଏବଂ ଏପରି ଛିଡା ହେବା କଷ୍ଟକର।ଏବଂ ତାହାପରେ ଏହା ଆଉଥରେ ଖସିପଡିଲା।ମୁଁ ପେଭମେଣ୍ଟରେ ପଡିରହିଛି। କିଏ ଜଣେ ଦୌଡି ଦୌଡି ମୋ ପାଖକୁ ଆସିଲା। ସେ ମୋତେ ଉଠି ଠିଆ କରିବାରେ ସାହାଯ୍ୟ କଲା। ମୁଁ ଠିଆ ହୋଇଥିଲି। ମୁଁ ଗୋଟିଏ ବସ୍ ରେ ଚଢିବାକୁ ଚେଷ୍ଟା କରୁଥିଲି କିନ୍ତୁ ଆଉ ଜଣେ କିଏ ଦୌଡି ଦୌଡି ମୋ ନିକଟକୁ ଆସିଲା ଆଉ କହିଲା ଯେ ମୁଁ ବସ୍ ଦ୍ୱାରା ଯାଇପାରିବି ନାହିଁ,ଏଇ ବସ୍ ଟି ମୋ ଭଳି କିଏ ଜଣେ ପାଇଁ ନୁହଁ ,ସେ ଲୋକ ଜଣକ କହିଲା, ମୁଁ ପଚାରିଲି ଯଦି ମୁଁ ଏଇ ବସ୍ ରେ କେବଳ ବସିଯିବି,ନା,ନା,ଏଇ ବସ୍ ଟି ମୋ ଭଳି ଜଣେ କିଏ ପାଇଁ ନଥିଲା,ଲୋକ ଜଣକ କହିଲା। ମୁଁ ଡ୍ରାଇଭର୍ କୁ ପଚାରିଲି,ସେ ଜଣେ ମହିଳା ,ସେ ହସିଲା ଆଉ ସମ୍ମତିରେ ନିଜର ମଥାକୁ ହଲାଇଥିଲା। ସେ ପଦଟିଏ କିଛି କହିନଥିଲା ଅବା ସେ ହୁଏତ କହିଥିଲା ନା। ଆଉ ତାହାପରେ,ମୋର ମନେ ହୁଏ ଏହା ଏହିଭଳି ଘଟିଥିଲା, ଯଦି ମୁଁ ମୋର ସ୍ମରଣକୁ ଅପବ୍ୟବହାର ନକରୁଥିବି ,ସେଇ ଲୋକଟି ଯିଏ ମୋତେ ଉଠି ଠିଆ ହେବାରେ ସାହାଯ୍ୟ କରିଥିଲା ପାଖକୁ ଆସିଥିଲା ଆଉ ମୋତେ ଗୋଟିଏ କାର୍ ର ନିକଟକୁ ନେଇଥିଲା, ସେଇଟା ଥିଲା ଗୋଟିଏ ଟାକ୍ସି। ସେ ମୋତେ ଟାକ୍ସିରେ ପୂରାଇଦେଲା ଆଉ ମୁଁ ସେଇଠି ବସିଗଲି ଏବଂ ଡ୍ରାଇଭର୍ ଆଉ ମୁଁ ଚାଳିତ ହେଲୁ ଦୂରକୁ। ଟାକ୍ସି ଡ୍ରାଇଭର୍ କହିଲା ଯେ ସେ ବେଳେବେଳେ ନଥିବାକୁ ନେଇ ଭାବେ, କେଉଁ ଭଳି ଅବିଦ୍ୟମାନତା ସବୁ ପ୍ରକାଶରେ ରହିଛି। ଅବିଦ୍ୟମାନତା ସବୁକିଛି ରେ ବିଦ୍ୟମାନ,ଡ୍ରାଇଭର୍ କହିଲା। ହଁ,ତମେ କହ। ମୁଁ ତାହାକୁ ଏଇ ସବୁ ପଥରଖଣ୍ଡ ଉପରେ କିଛି କହିନାହିଁ । ନା ର ଅର୍ଥ ନା, ତମେ କହ, ତୁଷାରପାତ ଉପରେ କିଛି ନୁହଁ, ମୁଁ କହେ, ନା ବିଶେଷରେ ତମେ ଏହା କହି ନାହିଁ, ତମେ କହ। ଆଉ ତାହାପରେ ଆମେ ସେଇଠି ବସିଥିଲୁ ଆଉ ଆମ ଭିତରେ କେହି ଜଣେ ପଦଟିଏ କିଛି କହିନଥିଲା। ଆମେ ସେଇଠି ସେମିତି ଦୀର୍ଘସମୟ ଯାଏଁ ବସିରହିଥିଲୁ। ମୁଁ ତମର ପଥର ବିଷୟରେ ଏଇ ତୁଷାରପାତ ବିଷୟରେ କିଛି କହିବା ଭଳି କଥାକୁ ପସନ୍ଦ କରେ ନାହିଁ, ତମେ କହ, ଏହା ଗୋଟିଏ ଦୃଷ୍ଟିରୁ ମିଛ, ତମେ ଯେମିତି ମିଛ କହୁଅଛ ସେଇ ଭଳି। ହଁ ,ମୁଁ କହେ। ଏହା ବସ୍ତୁତଃ ସେଇଭଳି, ମୁଁ କହେ। ତାହାହେଲେ ତମେ ଏମିତି କାହିଁକି କରୁଛ ? ତମେ କହ। ମୁଁ ଅସଲରେ ଜାଣେ ନାହିଁ, ମୁଁ କହେ । ନା ଏଇଟି ହୁଏତ ଜାଣିପାରିବା ଏତେ ସହଜ ନୁହଁ, ତମେ କହ।

ପଥରମାନେ ଗୀତ ଗାଆନ୍ତି ଆଉ ସେମାନେ ଗାଆନ୍ତି ନାହିଁ । ଏପରିକି ଯେତେବେଳେ କୁହୁଡି ଅପସରି ଯିବ ପଥରର କିଛି ସେଇଠି ବସିଥିବେ,ବସିଥିବେ ଆଉ ପରସ୍ପରକୁ ଆଉଜି ବସିଥିବେ,ସେମାନେ ଏତେ ସୁନ୍ଦର ଭାବରେ ବସିଥିବେ ଯେ ଲାଗିବ ଯେମିତି ସେମାନେ କୌଣସି ନିପୁଣ କାରିଗରର ହାତରେ ଗଢା, ସେମାନେ ସେଇଠି ବସିରହିଥିବେ ତୁଷାରପାତ ପରେ ବି। ଅଲଗା ଅଲଗା ଝରିପଡୁଥିବେ,ତମେ କହ,ହଁ ହଁ,ମୁଁ କହେ।ଆଉ ତାହାପରେ ଆମେ ଦୁହେଁ ହସୁ ,ହଁ ଆମେ ହସୁ। ତୁଷାରପାତ ପରେ ବି। ସେତେବେଳେ ତମେ ତ ଗୋଟିଏ କାରରେ ବସିଥିଲ,ତମେ କହ। ଆଉ ଡ୍ରାଇଭର କହୁଥିଲା ଯେ ସେଇଠି ସବୁକିଛି ଥିବାର ଭିତରେ ଗୋଟିଏ ନଥିବା ଥିଲା, ଆଉ ତାହାପରେ କ’ଣ ,ତମେ କହ। ସେଇଟା ଥିଲା ଗୋଟିଏ ଟାକ୍ସି,ମୁଁ କହେ,ଆଉ ତାହାପରେ ଆମେ ନଥିବା ବିଷୟରେ କଥା ହୋଇଥିଲୁ ଆଉ ପଛରେ କ’ଣ ରହିଛି ତାହାରି ବିଷୟରେ ଏବଂ ସବୁରି ଭିତରେ ଯାହା ରହିଛି ,କେଉଁଠୁ ଏଇ ସବୁ ଆସିଛି ,ଏହା ସେଇଠି ଅଛି,ଲୋକ ଜଣକ କହିଥିଲା,ସେହି ଟାକ୍ସି ଡ୍ରାଇଭର୍ ,ତମେ କହିଥିଲ,ହଁ ସେ,ହଁ ,ସେ କହିଥିଲା ଯେ ସେଇଠି ଈଶ୍ୱର ବୋଲି  କିଛି ନାହିଁ ଆରମ୍ଭର ଆଗରୁ,ଆଉ ତାହାପରେ ଏହା ଆରମ୍ଭ ହୁଏ ଶବ୍ଦ ସହିତ,ସେ କହିଥିଲା,ହଁ ସେଇ ଲୋକ ଯିଏ କାର୍ ଚଳାଉଥିଲା,ସେ ତାହା କହିଥିଲା,ମୁଁ କହେ । ଖୁବ୍ ଭଲ ଭାବରେ ଏତକ କୁହାଗଲା,ତମେ କୁହ। ଏହା  ଯେପରି କିଛି  ଅଲଗା ଅଲଗା ହୋଇ ଝରିପଡୁନାହିଁ ,ମୁଁ କହେ। ହେଲେ ସବୁକିଛି ଏଇଠି ଏତେ ଧୂସର,କୁହୁଡିରେ ଯେମିତି ସେଇ ଭଳି। ଧୂସର ରଂଗର ପଥର ଭଳି,ଗ୍ରାନାଇଟ୍,ତମେ କହ। ହଁ ମୁଁ କହେ। ହେଲେ ଏହା  ଟିକିଏ ଫିକା ଥିଲା ସେଇଠି କାର୍ ର  ଭିତରେ ନିକଟରେ । ସେଇ ଟାକ୍ସିର ଭିତରେ,ତମେ କହ।ହଁ ,ମୁଁ କହେ। ଆଉ ତାହାପରେ ? ହଁ,ତାହାପରେ ମୁଁ ଟାକ୍ସିର ଭିତରୁ ବାହାରି ଆସିଥିଲି ଆଉ ବିମାନବନ୍ଦର ଆଡକୁ ଚାଲି ଯାଇଥିଲି। ଆଉ ତାହାପରେ ଏହା ଝରିବାକୁ ଲାଗିଥିଲା ଆଉ ଥରେ।ମୁଁ ଚଟାଣରେ ପଡି ରହିଥିଲି ଆଉ ଯେତେବେଳେ ମୁଁ ଦେଖିଲି ସେଇଠି ମୋ ଚାରିପାଖରେ ଗୁଡାଏ ଲୋକ ଥିଲେ ଆଉ ସେମାନଙ୍କ ଭିତରୁ ଜଣେ ମୋ ନାଡୀକୁ ଚିପିଧରି ଦେଖୁଥିଲା ଆଉ ସେ କହିଥିଲା ସେ ଭାରି ଦୁର୍ବଳ ଆଉ ତାହାପରେ ଜଣେ ଲୋକ ଗୋଟିଏ ହ୍ୱିଲ୍ ଚେୟାର୍ ସହ ପାଖକୁ ଆସିଥିଲା ଆଉ ମୋତେ ସେଇ ଚେୟାର୍ ରେ ବସାଇଲା ଆଉ ମୋତେ ଠେଲି ଠେଲି ଗୋଟିଏ ରୁମ୍ କୁ ନେଇଗଲା ଆଉ ମୁଁ ସେଇଠି ବସିରହିଥିଲି ଆଉ ସେ କହିଥିଲା ଯେ ମୁଁ ହୁଏତ ପ୍ଲେନ୍ ରେ ଚଢିବାପାଇଁ ସକ୍ଷମ ହେବି ,ସେମାନେ ମୋତେ ପରୀକ୍ଷା କରିବେ ସେ କହିଥିଲା ,ଏବଂ ସେ ମୋତେ ପାଣି ପିଇବାକୁ ଦେଇଥିଲା ଆଉ ତାହାପରେ ସେ ଠେଲି ଠେଲି ମୋତେ ପ୍ଲେନ୍ ଭିତରକୁ ହ୍ୱିଲ୍ ଚେୟାର୍ ରେ ନେଇଗଲା ,ଅନ୍ୟ ସମସ୍ତ ଯାତ୍ରୀଙ୍କ ଆଗରୁ ,ଆଉ ଯେତେବେଳେ ଆମେ ଉଡାଜାହାଜର ଦ୍ୱାର ପାଖରେ ପହଞ୍ଚିଗଲୁ କିଏ ଜଣେ ମୋତେ ସାକ୍ଷାତ କରିବାକୁ ଆସିଲା,କିଏ? ତମେ ପଚାର,ଜଣେ ଉଡାଣ ସହାୟତାକାରିଣୀ ଫ୍ଲାଇଟ୍ ଆଟେଣ୍ଡାଣ୍ଟ ,ମୁଁ କହେ,ଆଉ ସେ ମହିଳା ଜଣକ କହିଥିଲା ସେ ପ୍ଲେନ୍ କୁ “ବୋର୍ଡ” କରିପାରିବେ ,ଆଉ ତାହାପରେ ସେମାନେ ମୋତେ ଜାହାଜ ଭିତରକୁ ଠେଲି ନେଇଗଲେ ଆଉ ମୋତେ ଗୋଟିଏ ପ୍ରଥମ ଧାଡିର ସିଟ୍ ରେ ବସାଇଦେଲେ ଆଉ ଜଣେକିଏ ,ଆଉ ଜଣେ ଉଡାଣ ସହାୟତାକାରିଣୀ,ତମେ କହ,ପଚାରିଥିଲା ମୁଁ ଆଉ କ’ଣ କିଛି ଚାହୁଁଛି କି ଆଉ ମୁଁ କହିଥିଲି ହୁଏତ ମୋର ଆଉ ମୁନ୍ଦାଏ ପାଣି ଲୋଡା। ଆଉ ତାହାପରେ ମୋତେ ଆଉ ମୁନ୍ଦାଏ ପାଣି ଦିଆଗଲା। ପଥର ଆଉ ପାଣି,ମୁଁ କହେ। ପଥର,ପଥର ଆଉ ପାଣି। ଏବଂ ମୁଁ ଥିଲି ଗୋଟିଏ ତୁଷାରପାତ,ପଥର ରୁ କିଛି,ଆଉ ସମସ୍ତ ପଥର ଖଣ୍ଡ ଥିଲେ ଯେମିତି ଗୋଟିଏ ଧୂସର କୁହୁଡିରେ ଯାହା ତଥାପି ଟିକିଏ ଉଜ୍ଜଳି ଉଠିବା ଭଳି ଦିଶୁଥିଲା ସେଇ ଚୂନା ଚୂନା ପଥରରୁ,ଏବଂ ସେମାନେ ଚମତ୍କାର ଭାବରେ ବସିଥିଲେ ପରସ୍ପର ଉପରେ ଆଉଜି ଯେପରିକି  ଆପେ ଆପେ ଯଥାଯଥ ଭାବରେ ଗୋଟିଏ ପ୍ରକାର ପ୍ରାଚୀରରେ ସେମାନେ ନିଜକୁ ବିନ୍ୟସ୍ତ କରିନେଇଛନ୍ତି ,ଏକ ଚମତ୍କାର ପ୍ରାଚୀର,ହଁ ତମେ ଆଗରୁ ତାହା କହଥିଲ ,ତମେ କହ,ଆଉ ମୁଁ ଭାବେ ଯେ ଏଇ ଭଳି ପଥର ବିଷୟରେ ଆଉ ତୁଷାରପାତ ବିଷୟରେ କଥାବାର୍ତ୍ତା ଆଉ କିଛି ନୁହଁ କେବଳ ଗୋଟିଏ ମିଛ ଏବଂ ଏକ ଗୋପନତା କିନ୍ତୁ ତଥାପି ସେଥିରେ ଏମିତି କିଛି ରହିଅଛି,ମୁଁ ଭାବେ।ଗୋଟିଏ ସୁନ୍ଦର କାନ୍ଥ,ମୁଁ କହେ। ଆଉ ତାହପରେ ? ତମେ କହ। ଆଉ ତାହାପରେ ମୋତେ ଉଡାଜାହାଜରୁ ଧକ୍କା ଦେଇ ବାହାର କରିଦିଆଯାଇଥିଲା ଗୋଟିଏ ହ୍ୱିଲ୍ ଚେୟାର୍ ରେ।ମୁଁ କହିଥିଲି ମୁଁ ଚାଲିପାରିବି ମାତ୍ର ମୋତେ ଚାଲିବାକୁ ଦିଆଯାଇନଥିଲା କାରଣ ମୁଁ ହୁଏତ ତଥାପି କେତେବେଳେ ଖସିପଡିପାରେ, ସେଇଥିପାଇଁ ଏଇଟି ସବୁଠୁ ଭଲ ହେବ ଯେ ମୁଁ ହ୍ୱିଲ୍ ଚେୟାର୍ ରେ ବସେ ଆଉ ତାହାପରେ ମୋତେ ନିଆଯାଇଥିଲା ,ହଁ ତମେ ମନେରଖିଛ ସେକଥା ,ନୁହଁ ,ନା ସେଇ ଲୋକଟା ମୁଁ ନଥିଲି ଯିଏ ତମକୁ ନେଇଥିଲା,ତମେ କହ,ନା,ନା ସେଇ ଲୋକ ତମେ ନୁହଁ ,ଇଏ ଆଉ କିଏ ଜଣେ ଯିଏ ମୋତେ ନେଇଥିଲା ,ତମେ କହ ଆଉ ସେ ମୋତେ ତାହାର କାର୍ ରେ ପୂରାଇ ଦେଇଥିଲା ଆଉ ମୋତେ ନେଇ ଘର ଆଡକୁ ଗାଡି ଚଳାଇଥିଲା, ଏବଂ ମୋତେ ଭିତରକୁ ନେଇଥିଲା,ଆଉ ମୁଁ ସେଇଠି ଶୋଇପଡିଥିଲି ଏବଂ ମୁଁ ତୁଷାରପାତ ହୋଇଥିଲି,ମୁଁ ଖଣ୍ଡିଏ ପଥର ହୋଇଗଲି ଯାହା ଅନେକ ଖଣ୍ଡ ହୋଇଯାଇଥିଲା,ଗୋଟିଏ ତୁଷାରପାତ,ଗୋଟିଏ ତୁଷାରପାତ ଯାହା ଜାରି ରହିଥିଲା ଆଉ ମୁଁ ସେଇଠି କେବଳ ପଡିରହିଥିଲି ,ଆଉ ତାହାପରେ ତୁଷାରପାତ ଯିବାକୁ ଆରମ୍ଭ କରିଥିଲା ଆଉ ଆପେ ଆପେ ଏପଟ ସେପଟ ହେଉଥିଲା।,ମୁଁ ଥରୁଥିଲି ଆଉ ଥରୁଥିଲି ଆଉ ତାହାପରେ ଟିକିଏ କମ୍ ଥରୁଥିଲି ଆଉ ମୁଁ ଥରୁଥିଲି ଏବଂ ସବୁକିଛି କୁହୁଡିରେ ଧୂସର ପଥର ଆଉ ସବୁକିଛି ହେଉଛି ଏକ ମନ୍ଥର ତୁଷାରପାତ,ମନ୍ଥର ,ଏବଂ ସେହି ଧୂସରର ଦେହରେ କିଛି ଧଳା ରହିଥିଲା,ଏହା ଧଳା ଭଳି ଦେଖାଯାଏ ନାହିଁ ମାତ୍ର ଏହା କ’ଣ ଧଳା ଏହା କ’ଣ ? ଏହା କ’ଣ ଧଳା ବରଫ ଭଳି ? ନା ଏହା ବରଫ ଭଳି ନୁହଁ,ଏବଂ ଏହା ଧଳା ନୁହଁ,ମାତ୍ର ଏହା ଧଳା ଭଳି ,ଏହା ବରଫ,ଏହା ବରଫ ନୁହଁ,ନା ଏହା ଧଳା ନୁହଁ,ଏହା ବରଫ ନୁହଁ,ଏହା ଧୂସର,କେବଳ ଧୂସର,ଏହା ଧୂସରତର,ଠିକ୍ ଯେମିତି ସାଧାରଣ ଧୂସର ଯଦି ଏହା ପଥର ପରି ହୋଇନଥିବ ତଥାପି ସେଇଠି ସେମାନଙ୍କର ସେଇ ତୁଷାରପାତରେ ,ଯାହା ସେମାନଙ୍କୁ ଚମତ୍କାର ଭାବରେ ବ୍ୟବସ୍ଥିତ କରିଥିଲା,ସେମାନେ ସେଇଠି ବସିଥିଲେ ଏତେ ସୁନ୍ଦର ଭାବରେ ଏତେ ନୀରବରେ ଯଦିଓ ମୁଁ ଥରୁଥିଲି ଆଉ ଥରୁଥିଲି ଆଉ କିଏ ଜଣେ ମୋ ପାଇଁ ରାତ୍ରିଭୋଜନ ପ୍ରସ୍ତୁତ କରିଦେଇଥିଲା ମାତ୍ର ମୁଁ ଖାଇ ପାରିଲି ନାହିଁ ,କିଏ ଜଣେ ବୋତଲରେ ମୋ ପାଇଁ କ’ଣ ପିଇବାପାଇଁ ଆଣିଥିଲା ଏବଂ ମୁଁ ଟିକିଏ କମ୍ ଥରୁଥିଲି ଆଉ ଶାନ୍ତ ଥିଲି ଆଉ ତାହାପରେ ସେଇଠି ଗୋଟିଏ ଭଲ ନିଦରେ ଶୋଇପଡିଥିଲି ,ଉପରେ ,ଅବା ଠିକ୍ ଭିତରେ, ଉଜ୍ଜଳି ଉଠୁଥିବା ସେଇ ପଥରଖଣ୍ଡମାନ, ମୁଁ ଶୋଇପଡିଥିଲି, ମୋର ଆଉ ଅଧିକ କିଛି ମନେ ନାହିଁ ,ମୋର ଅଳ୍ପ କିଛି ମନେ ପଡୁଛି ଆଉ ତାହାପରେ ସେମାନେ ଗୋଟିଏ ଷ୍ଟ୍ରେଚର୍ ଧରି ଭିତରକୁ ଆସିଲେ ଏବଂ କହନ୍ତି ଯେ ମୋତେ ପୋଷାକ ପିନ୍ଧିବାକୁ ହେବ ଆଉ ତାହାପରେ ତମେ କହ ସେ ସେପରି କରିପାରବ ନାହିଁ ,ସେ ଏପରି କରିପାରିବ ବୋଲି ଲାଗୁନାହିଁ,ତମେ କହ ଆଉ ମୁଁ ଥରୁଥିଲି ଆଉ ଥରୁଥିଲି ଆଉ ମୁଁ କହିଲି ମୁଁ ମୋ ଗାଧୁଆ ପୋଷାକକୁ ପିନ୍ଧି ପାରିବି ,ଏବଂ ସେଇଟା ସହଜ ଥିଲା ,ଏବଂ ତାହାପରେ ସେମାନେ ମୋତେ ଷ୍ଟ୍ରେଚର୍ ରେ ଶୁଆଇ ଦେଇଥିଲେ। ଏବଂ ମୁଁ ଥରୁଥିଲି ଆଉ ଥରୁଥିଲି । ମୁଁ ଦେଖିଲି ସେଇ ତୁଷାରପାତ ବନ୍ଦ ହୋଇ ଗଲାଣି। ମୁଁ ଥିଲି ଗୋଟିଏ ତୁଷାରପାତ । କିନ୍ତୁ ପଥରମାନେ ସେଇଠି ବସି ରହିଥିଲେ,ପ୍ରାଚୀରରେ,ଯଦିଓ ସେମାନେ ଖସି ପଡୁଥିଲେ,ତମେ କହ। ମୁଁ ସେମିତି ଭାବେ,ମୁଁ କହେ ।  କାରଣ  ତୁଷାରପାତ ର ଭିତରେ ଥିବା ପଥରଖଣ୍ଡ ମାନ ଏହା  ମୁଁ ବୋଲି ମନେ ହେଉଥିଲା।

ତମେ ଥିଲ ଗୋଟିଏ ଫାଙ୍କ ଯାହା ଫାଟିଯାଇଥିଲା ଆଉ ପାଲଟିଯାଇଥିଲା ପଥରଗଣ୍ଡ ,ଆଉ ତାହାପରେ ସେଇ ପଥରଖଣ୍ଡମାନ ସେଇଠି ବସି ରହିଥିଲେ ,ଚମତ୍କାର ଭାବରେ ଏକାଠି ଗୋଟିଏ ପ୍ରାଚୀରରେ,ତମେ କହ। ହଁ । ହଁ ସେଇଭଳି ଏଇଟି ଦିଶେ ,ସେଇଭଳି ଏଇଲେ ଦିଶୁଛି ,ମୁଁ କହେ। ହଁ,ତମେ କହ। ଏବଂ ସେଇ ଫାଙ୍କ କ’ଣ ଚାଲି ଗଲାଣି ? ତମେ କହ। ସେଇ ଫାଙ୍କ ଆଉ ନାହିଁ ,ମୁଁ କହେ। ଆଉ ପଥରଖଣ୍ଡମାନ ସେମାନଙ୍କର ଆପଣା ନୂତନ ପ୍ରତିରୂପରେ ଝଲସି ଉଠୁଛନ୍ତି,ତମେ କହ। ହଁ,ମୁଁ କହେ। ଯାହା ଗୋଟିଏ ଫାଙ୍କ ଆକାରରେ ଥିଲା ତାହା ଏଇଲେ ପଥରଖଣ୍ଡମାନଙ୍କ ଭିତରେ ରହିଛି ,ମୁଁ କହେ। ପଥରଖଣ୍ଡ ଗୁଡିକ ଏକାଠି ପଡିରହି ଗୋଟିଏ ମୁକୁଳା ଘର ତିଆରି କରିଛନ୍ତି ? ତମେ ପଚାର। ହଁ,ମୁଁ କହେ। ଘର ଭିତରେ କ’ଣ କିଛି ଅଛି? ତମେ କହ।ମୋର ସେମିତି ମନେ ହୁଏ,ମୁଁ କହେ ।ମୁଁ ସେଇଠି ସେମିତି କିଛି ଦେଖିପାରୁଛି ,ମୁଁ କହେ।ଆଉ ତାହାପରେ ଆମେ ଚୁପଚାପ ବସିଥାଉ। ସେଇ ଲୋକ ଯିଏ କହୁଥିଲା ଯେ ଅବିଦ୍ୟମାନତା ସବୁଥିରେ ପ୍ରକାଶିତ,ତମେ କହ। ହଁ,ମୁଁ କହେ। ତାଙ୍କ ବିଷୟରେ କ’ଣ,ମୁଁ କହେ। ନା,କିଛି ନାହିଁ,ତମେ କହ।

ଏହି ସବୁ ମନ୍ଥର ଅବପାତର ବାଦ ,ଆଉ ତାହାପରେ ଏହି ଅକସ୍ମାତ ଗୋଟିକ ପରେ ଗୋଟିଏ ,ଅବିଶ୍ୱାସ୍ୟକର ଦ୍ରୁତତା ,ହଠାତ୍ ବେଶ୍ ଦମକାଏ ବତାସ ଭଳି । ତାହାପରେ ପ୍ରଶାନ୍ତି। ସେଇ ବଡ ଫାଟ ତାହାର ଉଜ୍ଛଳ ଆଲୋକ ସହିତ,ତାହାପରେ ସେହି ମନ୍ଥର ଅନନୁଭୂତ ତୁଷାରପାତ,ଆଉ ତାହାପରେ ଏଇସବୁ ଆକସ୍ମିକ ଅବପାତର ବାଦ । ଆଉ ତାହାପରେ ସେହି ପଥରଖଣ୍ଡମାନ,କୁହୁଡି ଭଳି ଧୂସର ,କିନ୍ତୁ ତଥାପି ସେଥିରେ କିଛି ନଥିବା ସତ୍ତ୍ୱେ ରହିଥିବା ଛିଟାଏ ଆଲୋକ,କିଛି ରହିନଥିବାର ଟିକିଏ ଆଲୋକ , ତେଣୁ ଦୁର୍ବଳ, ତେଣୁ  ପାଖାପାଖି ପାଉଁଶ ଭଳି,ତେଣୁ ପାଖାପାଖି ପଥର ଦେହରେ ଉଜ୍ଜଳି ଉଠୁଥିବା ପାଉଁଶ ଭଳି । ଆଉ ତାହାପରେ ପଥରର ଉପରେ ପଥର । ମୁଁ ଘର ଭିତରେ ରହିଛି ପଛର ପ୍ରାଚୀରରେ ପଥରଖଣ୍ଡ ମାନ ପଡିରହିଛନ୍ତି , ମୋର ପଥରଖଣ୍ଡମାନ, ଅନ୍ୟ ଲୋକମାନଙ୍କର ପଥରଖଣ୍ଡମାନ, ଏବଂ ତାହାର ଭିତରେ ସେଇ ଆଲୋକ ରହିଛି, ସେହି ଦୃଢ ଅଦୃଶ୍ୟ ଆଲୋକ ଯାହା ଆକାଶରୁ ଆସୁଛି ଆଉ ଆସୁଛି ପଥରଖଣ୍ଡ ମାନଙ୍କର ଆଖପାଖରୁ । ଅବିଦ୍ୟମାନତାର ଆଲୋକ। ଅବିଦ୍ୟମାନତାର ଆଲୋକ ପଥରରେ । ପଥରରେ ପ୍ରେମର ଆଲୋକ।

ଏବଂ ମୁଁ ସେମିତି ଚାଲିଥାଏ,ପଥରଗୁଡିକର ପଛେପଛେ,ଆଉ ବସି ପଡେ। ମୁଁ ବସି ପଡେ ଆଉ ପଥରଗୁଡିକୁ ଦେଖେ। ମୁଁ ଦେଖେ ଯେ ସେଇ ପଥରଗୁଡିକ ମୁଁ ମାତ୍ର ଅସଲ ମୁଁ ନୁହଁ ,ସେହି ମୁଁ ଯାହା ମୋ ଭିତରେ ଅଛି । ମୁଁ ପଥରଗୁଡିକ ମଧ୍ୟଦେଇ ଯାଏ ଆଉ ମୋ ସ୍ଥାନକୁ ଗ୍ରହଣ କରେ ଆଉ ସେଇଠି ଛିଡା ହୁଏ ହାତ ଦୁଇଟି ମୋର ପ୍ରସାରିତ,ଯେମିତି ଗୋଟିଏ କ୍ରୁଶ । ଏବଂ ମୁଁ କ୍ରୁଶକୁ ଚାହେଁ । ତଳକୁ ଦେଖେ। ଉପରକୁ
ଦେଖେ । ମୁଁ ଯାଇ ବସିପଡେ। ମୁଁ ପଥରକୁ ଦେଖେ ,ପ୍ରାଚୀରରେ କେତେ ଚମତ୍କାର ଭାବରେ ପଥର ଉପରେ ପଥର ସଜ୍ଜା ହୋଇ ରହିଛି। ମୁଁ ଉଠି ଠିଆ ହୁଏ ଆଉଥରେ। ମୁଁ ଛିଡାହୋଇଥାଏ।

ଆଉ ତାହାପରେ ତମେ ମୋର ହାତକୁ ଧର । ଏବଂ ପଥରମାନେ କହନ୍ତି ଯେ ପ୍ରେମର ଅସ୍ତିତ୍ୱ ଅଛି , ପ୍ରେମ ରହିଛି। ତମକୁ ଡରମାଡୁ ନାହିଁ, ତମେ ପଚାର । ମୁଁ ମରଣକୁ କେବେ ଡରିନଥିଲି, ମୁଁ କହେ। ନା, ତମେ କହ। ମୁଁ ବି ମରିବାକୁ କେବେ ଡରିନଥିଲି, ତମେ କହ ନା, ମୁଁ କହେ।

Jon Olav Fosse (born 29 September 1959) is a Norwegian author, translator, and playwright.

°°°°

ଆଶା ଏବଂ ବିଶ୍ୱାସ ଆପଣମାନେ ଏଇ କାହାଣୀକୁ ଶ୍ରଦ୍ଧାର ସହ ପଢିବେ।

ଏଇ କାହାଣୀକୁ ପଢିଲାବେଳେ ଆମକୁ କିନ୍ତୁ ଯଥେଷ୍ଟ ମନୋଯୋଗ ସହକାରେ ପଢିବାକୁ ହେବ ତାହାର କାରଣ ହେଉଛି ଆମେ ସାଧାରଣତଃ ଯେଉଁ କାହାଣୀମାନଙ୍କ ସହିତ ବିଶେଷ ଭାବରେ ପରିଚିତ ସେହି କାହାଣୀ ମାନଙ୍କ ଭିତରେ ରହିଥାଏ ଏକ ଘଟଣାର କ୍ରମନ୍ୱୟତା,ଘଟଣାର ହାଲୋଳରେ ଆମେ ଆମର ଆବେଗ ସମୂହର ଏକ ପ୍ରକାର ଉଦଘୋଷଣା ଆଉ ଉନ୍ମୋଚନ ଦେଖିଥାଉ ମାତ୍ର କାହାଣୀରେ ଯେତେବେଳେ ଘଟଣା ଗୁରୁତ୍ୱ ନାହିଁ ,ଅବଶ୍ୟ ଗୁରୁତ୍ୱନାହିଁ କହିଲେ କଥାଟି ଠିକ୍ ହେବ ନାହିଁ ,ଯେଉଁଠି ଆମକୁ କାହାଣୀର ବଖାଣ ଭିତରୁ ଆମର ବୁଝିବା ଶକ୍ତିର ଯବକାଚର ଆଧାରରେ ଘଟଣା ମାନଙ୍କୁ ଖୋଜିବାକୁ ପଡେ ଆଉ ଯଦି କାହାଣୀ ଭିତରୁ ଆମେ ଘଟିଯାଇଥିବା ଘଟଣା କୁ ଖୋଜିପାଇଯାଉ ତାହାହେଲେ ଆମର ଆବିଷ୍କାରକର ଆନନ୍ଦ ସାତକାହାଣ। ଏଇ ଭଳି କାହାଣୀରେ ସମସ୍ତ ନିର୍ଘଟଣାର ସ୍ୱପ୍ନଚିତ୍ର,ସରରିଆଲିଷ୍ଟିକ ପାରିପାର୍ଶ୍ୱିକରେ ଆମର ବସ୍ତୁତଃ ଅବସ୍ଥାନ ତେଣୁ କହିବାର କଥା ହେଉଛି,ଆମର ଚିରାଚରିତ ଘଟଣା ପରକ କାହାଣୀରୁ ଏଇ ଭଳି ଚିତ୍ରପରକ  କାହାଣୀ ପ୍ରତି ଝୁଙ୍କ ଟିଏ ଆସିବା ଭଳି ବିବର୍ତ୍ତନକୁ ଅସଲରେ ଆମ ସୃଜନଶୀଳତାରେ କେତେ ପରିମାଣରେ ଗ୍ରହଣ କରିପାରିବା ? ଏଇ ଭଳି କାହାଣୀର ପାଠକ ହେବା ପାଇଁ ଆମକୁ ବସ୍ତୁତଃ ସ୍ୱାଧୀନ,ଅସଂପୃକ୍ତ ଏବଂ ସଂପୂର୍ଣ୍ଣ ପାଠକ ହେବା ଆବଶ୍ୟକତା ରହିଛି।

ଲେଖକ ଇୟୋନ ଫସସେ ନରଓୟେର  ଏକ ସ୍ୱତନ୍ତ୍ର ଧର୍ମୀ ଭାଷା (ଡାଇଲେକ୍ଟ) ବ୍ୟବହାର କରିଥାନ୍ତି। ଆଉ ସେହି ଭାଷା ଫଳରେ ତାଙ୍କର ଚରିତ୍ରମାନେ ଜୀବନ୍ତ ହୋଇ ଉଠନ୍ତି। ସେ ତାଙ୍କର ଅନୁବାଦକମାନଙ୍କୁ ସତର୍କ କରିଥାଆନ୍ତି ଯେ ସେମାନେ ତାଙ୍କର ଲେଖାକୁ ଅନୁବାଦ କଲାବେଳେ ମୂଳ ପାଠକୁବୋଧ୍ୟକରିବାପାଇଁ କୌଣସି ପ୍ରକାର ଅଧିକପରିଚ୍ଛେଦ ଆକୃତି ଦେବା ଭଳି ଅପକର୍ମ ଯେମିତି ନକରନ୍ତି।

ଏଇ କାହାଣୀ ଭାଷା ଦୃଷ୍ଟିରୁ ଯେତିକି ସଂକ୍ଷିପ୍ତ ଆଉ ତତସଂଲଗ୍ନ ଚିତ୍ର ଦୃଷ୍ଟିରୁ ଯେତିକି ସଂକ୍ଷିପ୍ତ ସେହି ବଖାଣ ରୁ ଆମେ ଇୟୋନ ଫସସେଙ୍କମିଲିମାଲିଜମ୍ବୋଲି ଯେଉଁ ବଖାଣ କଥା କୁହାଯାଉଛି ତାହାକୁ ହୁଏତ କିଛି ପରିମାଣରେ ବୁଝି ପାରିବା। କାହାଣୀରେ ସଂପୂର୍ଣ୍ଣ ଆବହଟିମୁଁ କହେଆଉତମେ କହଏଇ ଭଳି ଦୁଇଟି ସୂତ୍ରଧରକଥକ ବିନ୍ଦୁ ଉପରେ ଆଧାରିତ ହୋଇଥିଲେ ହେଁ ଅନେକ ସମୟରେ ଆମକୁ ଲାଗିବ ଯେମିତି ଏଇଠି ଦିଜଣ ବ୍ୟୈୟକ୍ତିକତା ନିରଙ୍କୁଶ ଶାସନ ନାହି,ଗୋଟିକର ଦୁଇଟି ପ୍ରତିରୂପ ଗୋଟିଏ ନାଟକୀୟତାର ନିର୍ମାଣ କରୁଛନ୍ତି। ସେଇ କାରଣରୁ ଇୟୋନ ଫସସେ ଙ୍କୁ ସମକାଳର ସାମୁଏଲ୍ ବେକେଟ୍ ବୋଲି କୁହାଯାଏ ସେ ଯାହାହେଉ ଏଇ ଭଳି ଦୁଇଟି/ଗୋଟିଏ ସୂତ୍ରଧର ପରେ ଆଉ ଯେଉଁ କେତୋଟି କଥା କାହାଣୀରୁ ଆମକୁ ଜଣାପଡେ,ତାହାହେଉଛି ତୁଷାରପାତ,ପଥର,ପ୍ରାଚୀର କାହାଣୀକୁ ପାଠ କଲେ ଆପଣମାନେ ଦେଖିପାରିବେ ଯେ ଏଇଠି ଶବ୍ଦ ଆଉ ଚିତ୍ର ଭିତରର ବ୍ୟବଧାନ ନାହିଁ ତୁଷାରପାତ ମଣିଷ ହୋଇଯାଉଛି,ମଣିଷ ପଥର ହୋଇଯାଉଛି ,ପଥର ତୁଷାରପାତ ହୋଇଯାଉଛି ,ସମସ୍ତଙ୍କର ସବୁଠି ଭିତରକୁ ଅବାରିତ ଗତି। କାହାଣୀ ରେ କୁହାଯାଇଥିବା ଭଳି ସମସ୍ତେ ଯେମିତି କୌଣସି ସମର୍ଥ କାରିଗରର ହାତରେ ଗଢା ସୁନ୍ଦର ପଥରର କାରୁକାର୍ଯ୍ୟ ଭଳି ପରସ୍ପର ଉପରେ ଆଉଜି ବସିଛନ୍ତି। ସବୁ କିଛିକୁ କଥାକାର ଇୟୋନ ଫସସେ ଦେଖୁଛନ୍ତିଅବିଦ୍ୟମାନତାର ଆଲୋକରେ।

ଏଇଟି ହେଉଛି ତାଙ୍କର କାହାଣୀକୁ ବୁଝିବାର ସୂତ୍ର,ଅବିଦ୍ୟମାନତାର ଆଲୋକ। ଆମେ କାହାଣୀରେ ଯେଉଁ ବାସ୍ତବତା ସହିତ ପରିଚିତ ସେଇଠି ସେଇ ବାସ୍ତବତାର ଉହାଡରେ ତାହାକୁ ନିୟନ୍ତ୍ରିତ କରୁଥିବା ବିନ୍ଦୁ ମାନଙ୍କ ପ୍ରତି ହୁଏତ ଏକ ପ୍ରକାର ଉଦାସୀନ। ସ୍ୱରରେ ଶବ୍ଦଟି ବସିଗଲେ ଶବ୍ଦଟି ସ୍ୱରର ପ୍ରମୁଖ ଆଧାର ହୋଇଯାଏ ମାତ୍ର ଶବ୍ଦହୀନ  ସ୍ୱରକୁ ଏଇଠି ଉପସ୍ଥାପନା କରାଯାଇଛି ଏଇ କାହାଣୀରେ ଯେଉଁ ଅବିଦ୍ୟମାନତା ଆସିଛନ୍ତି ତାହା ଚଟାଣରେ ପଡିରହିଥିବା ଅକ୍ଷମ ଚରିତ୍ର,ହ୍ୱିଲଚେୟାରରେ ଉଡାଜାହାଜ ଚଢିବାକୁ ଯାଉଥିବା ଚରିତ୍ର,ଉଡାଜାହାଜ ଯାତ୍ରାରୁ ବଞ୍ଚିତ  ଚରିତ୍ର , ଶାରିରୀକତାରେ ବିପର୍ଯ୍ୟସ୍ତ ଚରିତ୍ର,ପ୍ରେମର ସୁନ୍ଦର ଚରିତ୍ର। ଏହି ସବୁକୁ ଘେରି ରହିଛି ତୁଷାରପାତ,ପଥର ଖଣ୍ଡ ଆଉ ପ୍ରାଚୀର।

ସମକାଳରେ ଯେତେବେଳେ ଆମେ ଉତ୍ତରଆଧୁନିକତାର ପ୍ରଭାବରେ କେନ୍ଦ୍ରରୁ ବିଚ୍ୟୁତ ଆଉ ବିଚ୍ଛିନ୍ନତାର ଯନ୍ତ୍ରଣାରେ ମୁହ୍ୟମାନ ସେତେବେଳେ ଆମେ ଏପରିଏକ ଆଧୁନିକତାବାଦରେ ଜୀବନର ନିଦାନ ଖୋଜୁଛୁ ଯେଉଁଠି ଆମର ଆଗ ରୋମାଣ୍ଟିକ ଭାବାଦର୍ଶ ପଛରେ ରହିଯାଇଛି ,ଏଇଠି ଜୀବନ ଆଉ ଦର୍ଶନର ଏକ ପ୍ରକାର ସଂଶ୍ଳେଷଣ ଘଟୁଛି ଯାହାକୁ ଆମେ ମେଟାମଡର୍ଣ୍ଣିଜିମ୍ ବୋଲି କହିପାରିବା।

ଇୟୋନ ଫସସେଙ୍କୁ ଥରେ ପଚରାଯାଇଥିଲା ,ଲେଖିବାପାଇଁ ଏଇ ଭିନ୍ନ ଧାରାର ଆଙ୍ଗିକଟି ଆପଣ ଖୋଜି ପାଇଛନ୍ତି କେମିତି ? ଆଉ ଏହାର ଉତ୍ତରରେ ସେ କହିଛନ୍ତି: “ଲେଖିବା କାର୍ଯ୍ୟଟି ମୋ ପାଇଁ ଶବ୍ଦ ଶୁଣିବା ଭଳି କାମ। ନାନା ଦିଗରୁ ନାନା ଆବାଜ ଭାସି ଆସୁଛି ମୋ ଆଡକୁ,ମୁଁ ଠିକ୍ ଜାଣି ପାରୁନାହିଁ ଯେ,ମୁଁ ଶୁଣୁଛି ,ତାହାର ଉତ୍ସ କେଉଁଠି କିନ୍ତୁ ମୁଁ ଏତିକି ଜାଣେ,ମୁଁ ଶୁଣୁଛି   ଭିତରୁ ଉଠି ଆସୁଥିବା ଏଇ ଆବାଜ ଗୁଡିକୁ ଧରି ପକାଇବା ହିଁ ମୋର ଅସଲ ଲେଖାକାମ।

ଲେଖା ଆରମ୍ଭ କରିବା ଆଗରୁ ଖୁବ୍ ଟିକିନିଖି ପରିକଳ୍ପନା କରି ନେବାଟା ମୋର କୌଶଳ ନୁହଁ ମୋର ଏକମାତ୍ର ସିଦ୍ଧାନ୍ତ ,ମୁଁ କେବଳଧୀରଗତି ଗଦ୍ୟବାସ୍ଲୋପ୍ରୋଜ୍ଲେଖିବି ମୋର ଭାଷା ସମୁଦ୍ରର ବିଶାଳ ଢେଉ ଭଳି ଧୀରେ ଧୀରେ ଫେରିବାକୁ ଲାଗିବ ନିଜର ଉତ୍ସମୁଖକୁ। ସଂପୂର୍ଣ୍ଣ ପ୍ରକ୍ରିୟାଟି ଶାନ୍ତ ଆଉ ଧ୍ୟାନସ୍ଥ ହୋଇ ଆୟତ୍ତକୁ ଆଣିବାକୁ ପଡିବ।

ଲେଖକ ଇୟୋନ ଫସସେ ୧୯୯୪ ବେଳକୁ କେତୋଟି କାହାଣୀ ରଚନା କରିଥିଲେ ପରେ ସେଇ କାହାଣୀଗୁଡିକସିନସ୍ ଫ୍ରମ୍ ଚାଇଲ୍ଡହୁଡ୍ରେ ଏକାଠି ରହିଛି।  ସେହି ପୁସ୍ତକରୁ ଗୃହିତଡ୍ରେମଟ୍ ଇନ୍ ଷ୍ଟୋନ୍କାହାଣୀଟି ଏଇଠି ଅନୁସୃଜିତ

କହିବା ବାହୁଲ୍ୟ କଥାକାର,ନାଟ୍ୟକାର ଏବଂ କବିଇୟୋନ ଫସସେ (:୧୯୫୯) ନରଓୟେ ରେ ଜନ୍ମିତ ଏବଂ ଚଳିତବର୍ଷ ଅର୍ଥାତ୍ ୨୦୨୩ ସାହିତ୍ୟରେ ନୋବେଲ ପୁରସ୍କାରର ପ୍ରାପକ।

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →