ଓଂ ନମୋ ଆଦ୍ୟାୟୈ

ଓଂ ନମୋ ଆଦ୍ୟାୟୈ।
ହେ ଆଦ୍ୟରୂପା ମୁଁ ତମକୁ ପ୍ରଣିପାତ କରୁଅଛି ।

ପ୍ରଖ୍ୟାତ ସଂସ୍କୃତ ବିଦ୍ୱାନ ଖ୍ରୀଷ୍ଟୀୟ ସପ୍ତଦଶ ଶତାବ୍ଦୀର ଆଦ୍ୟ ଭାଗର ତନ୍ତ୍ର ସାଧକ ଶ୍ରୀଶ୍ରୀ କୃଷ୍ଣାନନ୍ଦ ଆଗମବାଗୀଶ ଙ୍କ ରଚିତ ଏକ ବିଖ୍ୟାତ ପୁସ୍ତକ ହେଉଛି ” ତନ୍ତ୍ରସାର” ।

“ତନ୍ତ୍ରସାର” ର ପ୍ରକାଶିତ ସମୟ ୧୬୦୪ ଖ୍ରୀଅ। ଭାରତରେ ସେତେବେଳେ ମୁଗଲ ଶାସନ । ଇଉରୋପରୁ ଭିନ୍ନ ଭିନ୍ନ ବଣିକ ଦଳ ଆସି ଏଠାରେ ବାଣିଜ୍ୟ ବ୍ୟବସାୟ କରି ବେଶ୍ ଦୁ ପଇସା ଲାଭ ଅର୍ଜନ କରୁଥାନ୍ତି । ଅନ୍ୟପକ୍ଷରେ ଭାରତୀୟ ଦ୍ରବ୍ୟର ଚାହିଦା ପାଇଁ ଗୋଟିଏ ସମର୍ଥ ଇଉରୋପୀୟ ବଜାର କ୍ରମଶଃ ଖୋଲିବାକୁ ଆରମ୍ଭ କରୁଥାଏ ।ପରେ ଯେଉଁ ବଣିକ ଦଳ ଇଉରୋପରୁ ଆସି ଏଠାରେ ପ୍ରଭୂ ହୋଇଗଲେ ସେମାନେ ଏଇ ସମୟ ବେଳକୁ ଅତ୍ୟନ୍ତ ଅନାମ।

ସମସ୍ତ ଗହନ ଏବଂ ଜଟିଳ କଥାକୁ ଅନାୟାସରେ ପ୍ରକାଶକରିପାରିବା ଭଳି ତାଙ୍କର ଦକ୍ଷତା ଥିଲା ବୋଲି ସମସ୍ତେ ତାଙ୍କୁ କହୁଥିଲେ ସେ ଆଗମବାଗୀଶ । ସମସ୍ତ ଆଗମ ବାକ୍ ର ଈଶ ଅର୍ଥାତ୍ ଦକ୍ଷ ସେ । ସେଇଥିପାଇଁ ସେ ଆଗମବାଗୀଶ । ତାଙ୍କର ପିତୃଦତ୍ତ ନାମ କିନ୍ତୁ କୃଷ୍ଣାନନ୍ଦ ମୁଖୋପାଧ୍ୟାୟ । ୧୫୩୩ ଖ୍ରୀଅରେ ବଙ୍ଗଳାର ନବଦ୍ୱୀପର ଏକ କୁଳୀନ ବ୍ରାହ୍ମଣ ପରିବାର ରେ ଜନ୍ମ । ପରିବାର ବୈଷ୍ଣବ, ସେଇଥିପାଇଁ ନାଆଁ କୃଷ୍ଣାନନ୍ଦ । ଖାଲି ବୈଷ୍ଣବ ନୁହଁ ପରିବାର ଟି ହେଉଛି ଏକ କାବ୍ୟ ଶାସ୍ତ୍ର ବିନୋଦନରେ କାଳ ଅତିବାହିତ କରୁଥିବା ପଣ୍ଡିତ ଙ୍କ ପରିବାର । ସବୁବେଳେ ସଂସ୍କୃତ ଆଉ ଭକ୍ତି ରସର ଫୁଆରା ଚାରିଆଡେ । କୃଷ୍ଣାନନ୍ଦ କିନ୍ତୁ କ୍ରମଶଃ ଶାକ୍ତ ହୋଇ ଉଠିଲେ ଏବଂ ତନ୍ତ୍ର ଆରାଧନାରେ ନିଜର ଋଚି ଜାହିର କରିବାକୁ ଲାଗିଲେ । ସେତିକିବେଳେ ସେ ଆଗାମବାଗୀଶ,ସବୁ ଗହନ କଥା କରିପାରିବାର ଦକ୍ଷତା ତାଙ୍କର କିମ୍ବଦନ୍ତୀ ପର୍ଯ୍ୟାୟର ।

ଗୋଟିଏ ଅଦ୍ଭୁତ ଘଟଣା ଘଟିଥିଲା ।

କୃଷ୍ଣାନନ୍ଦ ଦିନେ ପାହାନ୍ତାପହର ବେଳକୁ ଗୋଟିଏ ଅଲୌକିକ ସ୍ୱପ୍ନ ଦେଖିଥିଲେ । ତାଙ୍କର ସ୍ୱପ୍ନରେ ଆଦ୍ୟାଶକ୍ତି ଆବିର୍ଭୂତା ହୋଇଗଲେ ଏବଂ କହିଲେ,”ଦେଖ୍ କୃଷ୍ଣ ,ଏବେ ମୋତେ ଏକ ନିର୍ଦ୍ଦିଷ୍ଟ ରୂପରେ ପରିଚିତ କରାଇବାର ଦାୟିତ୍ୱ ଖାସ୍ ତୋର । ତୋ ଉପରେ ଏହି ଭାର ରହିଲା । ମନେ ରଖିଥିବୁ ” । କୃଷ୍ଣାନନ୍ଦଙ୍କ ନିଦ ହଠାତ୍ ଭାଙ୍ଗିଗଲା । ବ୍ରାହ୍ମ ମୁହୂର୍ତ୍ତ ହେବାକୁ ଆଉ କିଛି ସମୟ ବାକି ଅଛି । ଅଂଧାରରୁ ଆଲୋକିତ ହେବାର ଆୟୋଜନରେ ଛଟପଟ ହେଉଛି ସମୟ । ଯେମିତି ପହରାଦାର ମାନେ ନିଜନିଜର କର୍ତ୍ତବ୍ୟ ହସ୍ତାନ୍ତର କରିବା ପୂର୍ବର,ହଁ ଏମିତି ତ ସବୁଦିନ ହୁଏ” ସେହି ଭଳି ସ୍ୱାଭାବିକତା ର କାରଣରୁ ଅଳସ ଭାଙ୍ଗୁଛନ୍ତି । କୃଷ୍ଣାନନ୍ଦଙ୍କ ଶେଜ ନିକଟରେ ଭିନ୍ନ ପ୍ରକାରର ବାସ୍ନା । ସାଧକ ର ସାଧନା ବିଘ୍ନିତ ହେବ ବୋଲି ଅନେକ ଦିନରୁ ତାଙ୍କର ପୃଥକ ଶଯ୍ୟା । ତାଙ୍କର କୁଶରେ ତିଆରି ଶେଜଟି କିନ୍ତୁ ସବୁଦିନ ତାଙ୍କର ପତ୍ନୀ ପ୍ରସ୍ତୁତ କରି ଆଢୁଆଳକୁ ଚାଲିଯାଆନ୍ତି । ସାଧକ ତାହାର ସାଧନାରେ ଭିନ୍ନ ଲୋକରେ ନିମଜ୍ଜିତ ହୋଇ ରହିଥାଏ ।କୃଷ୍ଣଚନ୍ଦ୍ରଙ୍କ ଦାମ୍ପତ୍ୟ ଜୀବନ ରହିଥାଏ କେବଳ ଗୋଟିଏ ବାସ୍ନାରେ । ମଲ୍ଲୀଫୁଲର ବାସ୍ନାରେ ତାଙ୍କର ନିଦ ବ୍ରାହ୍ମମୁହୂର୍ତ୍ତ ପୂର୍ବରୁ ଭାଙ୍ଗିଥାଏ । ରାତି ଅଂଧାରରୁ ମାଳେ ମଲ୍ଲୀଫୁଲ ତୋଳି କୌଣସି ନିଦ୍ରିତ ସାଧକ ସ୍ୱାମୀର ଶେଜରେ ପକାଇବା ଏମିତିରେ କୌଣସି ପତ୍ନୀ ର ଏକ ଗର୍ହିତ କାର୍ଯ୍ୟ ବୋଲି ଧରାଯିବନାହିଁ । ସବୁଦିନ ତ ଆଉ ମଲ୍ଲୀ ଫୁଲ ଫୁଟିବ ନାହିଁ । ଗମ୍ଭୀର ଆଉ ଜଟିଳ କଥା କହିବାରେ ବିଦ୍ୱଜ୍ଜନଙ୍କ ସମକ୍ଷରେ ଶାର୍ଦ୍ଦୁଳ ସମ ଏହି ଆଗମବାଗୀଶ କିନ୍ତୁ ବ୍ରାହ୍ମ ମୁହୂର୍ତ୍ତ ରେ ମଲ୍ଲୀଫୁଲର ଅଦିନିଆ ସମୟରେ ସେଇ ପରିଚିତ ବାସ୍ନାକୁ ନିଜ ଶେଜରେ କାହିଁକି ଅନୁଭବ କରିଥାନ୍ତି ସେ କଥା କୁ ସେ ନିଜକୁ ସେମିତି ପରିଷ୍କାର ଭାବରେ ବୁଝାଇ କହି ପାରନ୍ତି ନାହିଁ ।

ସେଦିନ ର ବାସ୍ନା କିନ୍ତୁ ଭିନ୍ନ ପ୍ରକାରର । ତାଙ୍କର ଶେଜ ନିକଟରେ ସେଦିନ ଥିଲା ଝୁଣା ଗୁଗୁଳର ବାସ୍ନା । ଅଗନାଅଗନି ବନସ୍ତରୁ ଯେମିତି ସେଇ ବାସ୍ନାରେ କାହାର ଆଗମନୀ ।

କୃଷ୍ଣାନନ୍ଦଙ୍କ ସର୍ବାଙ୍ଗରେ କମ୍ପନ । ସେ ବୁଝି ପାରୁନଥିଲେ ଦେବୀଙ୍କୁ କେମିତି ଗୋଟିଏ ରୂପରେ ଉପସ୍ଥାପନ କରାଯାଇପାରିବ ? ଆଦ୍ୟାଶକ୍ତି ସେ। ଆରମ୍ଭର ଶକ୍ତିରୂପ କେମିତି ସମ୍ଭବ ? ଗୋଟିଏ ବିନ୍ଦୁ କି ଗୋଟିଏ ଶୂନ୍ୟ ଛଡା କେମିତି ଆଦ୍ୟାଶକ୍ତି ର ରୂପ ପ୍ରତିମା ଉଦ୍ଭାସିତ ହେବ ?

ଏମିତି ସମୟ ଅଛି ଯେଉଁଠି ଆଗାମବାଗୀଶମାନେ ଅନୁଭବ କରନ୍ତି ଯେ ସେମାନେ ନିରର୍ଥକ ଆଉ ଅପଦାର୍ଥ ।

କୃଷ୍ଣାନନ୍ଦ ନିଜର ସ୍ମୃତି ଉପରେ ଚାପ ଦେଲେ । ସ୍ମରଣ କରିବାକୁ ଚାହିଁଲେ ଟିକିଏ ଆଗରୁ ଦେଖିଥିବା ସ୍ୱପ୍ନ ରେ ଯେଉଁ ଆଦ୍ୟାଶକ୍ତି ଆସି ସ୍ୱରୂପରେ ପ୍ରକଟିତ ହେବାପାଇଁ କହିଯାଇଛି ,ତାହାର ସେହି ରୂପଟି କେମିତି ଥିଲା।ସେଥିରୁ ଗୋଟିଏ ଝଲକ ଯଦି ସେ ନିଜର ମାନସ ଚକ୍ଷୁରେ ଏବେ ଦେଖିପାରନ୍ତେ ତେବେ ଆଉ କୌଣସି ଅସୁବିଧା ରହନ୍ତା ନାହିଁ । ତାହାପରେ ସେ ସେହି ରୂପକୁ ବିସ୍ତାର କରି ସମସ୍ତଙ୍କୁ କହିପାରନ୍ତେ,ଏଇ ହେଉଛି ଆମର ସେଇ ଆଦ୍ୟାର ରୂପ ।

ଦେଖ ।
ଦେଖ ।

ନିଜର ଆଖିକୁ ଜୋର୍ ରେ ବୁଜିଲେ ,ଜୋର୍ ରେ ବାଧିବା ଯାଏଁ ବିସ୍ଫାରିତ କରି ଚାହିଁଲେ ସାଧକପ୍ରବର ଶ୍ରୀଶ୍ରୀ କୃଷ୍ଣଚନ୍ଦ୍ର ଆଗାମବାଗୀଶ ।

ଆମେ ଆଖି ଖୋଲିଲେ ମଣିଷକୁ ଦେଖୁଛୁ ତେଣୁ ମଣିଷକୁ କୌଣସି ଗୋଟିଏ ରୂପ ଦେବା ଭାରି ସହଜ । ମାତ୍ର ଦେବୀଦେବତା ? ବଡ ଜଟିଳ ଆଉ ବଡ କଷ୍ଟ ସେମାନଙ୍କୁ ଚିତ୍ରପ୍ରତିମାରେ ସଠିକ ଭାବରେ ସବୁଦିନ ଧାରଣ କରି ରଖିବା। ସେଇଥି ପାଇଁ ତ ସବୁଠୁ ସହଜବାଟ ହେଉଛି ଦେବତାକୁ ଚିରକାଳ ଅଧାଗଢା ଆକାରରେ ରଖିଦେବା । ଯାହାଫଳରେ ଦେବତାର ବାକି ଅଧକ ଭକ୍ତ ନିଜନିଜର କଳ୍ପନାରେ ଗଢି ମନ ଆନନ୍ଦରେ ସେତକ ପୂରଣ କରିପାରିବ । ନାରୀ ସଂପର୍କରେ କବିଗୁରୁ ରବୀନ୍ଦ୍ରନାଥଙ୍କ ଏକ ବିଖ୍ୟାତ ମନ୍ତବ୍ୟକୁ ଟିକିଏ ପରିବର୍ତ୍ତନ କରି
” ଅର୍ଦ୍ଧେକ ଦେବତା ତମେ, ଅର୍ଦ୍ଧେକ କଳ୍ପନା” ବୋଲି ଦେବତାଙ୍କ ଉଦ୍ଦେଶ୍ୟରେ ନିବେଦନ କରି କହିଲେ କଥାଟି ସେତେ ତ୍ରୁଟିପୂର୍ଣ୍ଣ ହୋଇଯିବ ନାହିଁ।

ଶ୍ରୀଶ୍ରୀ କୃଷ୍ଣାନନ୍ଦ ଆଗମବାଗୀଶ ଙ୍କର ସେଦିନ ପାହାନ୍ତାରେ ନିଦ ଭାଙ୍ଗି ଯିବା ପରର ଡହକବିକଳ ହେବା ଭଳି ସମସ୍ୟାକୁ ଆମେ ଆମର ଅତି ତୁଚ୍ଛ ଚକ୍ଷୁରେ ନିଶ୍ଚୟ କିଛି ପରିମାଣରେ ବୁଝିପାରିବା । ଆଦ୍ୟା ଶକ୍ତି କୁ କେମିତି ରୂପ ଦିଆଯିବ ଆଉ ତାହା ପୁଣି ସଠିକ ହୋଇଥିବା ଦରକାର ? ତାହା ହିଁ ହେଉଛି ସମସ୍ୟା । ଶ୍ରୀଶ୍ରୀ ଆଗମବାଗୀଶ ଙ୍କର ମୁହଁରୁ ତାହାପରେ ଉଦଭ୍ରାନ୍ତ ଭଳି ଅବାରିତ କେତେକ ଶ୍ଳୋକ ବାହାରିଯାଇଥିଲା । ସେ ସବୁକୁ ପୋଥିରେ ଲେଖି ରଖିବା ଭଳି କୌଣସି ଆବଶ୍ୟକତା ସେ ଅନୁଭବ କଲେ ନାହିଁ । ସେହି ଶ୍ଳୋକ ମାନ ତୁଚ୍ଛ ବାଗାଡମ୍ବର ହୋଇ ଧ୍ୱନୀମୟ ହୋଇ ହଜିଯାଉଥିଲେ । କୌଣସି ଇପ୍ସିତ ରୂପ ସେଥିରେ ପ୍ରତିଭାସିତ ହେଉନଥିଲା । ଶ୍ରୀଶ୍ରୀ ଆଗମବାଗୀଶ ଅଥୟ ହେଉଥିଲେ । ଚାରିପଟରେ ପରିଷ୍କାର ଦେଖି ହେଉନଥିବା ଆଲୁଅରେ ଆଦ୍ୟାଶକ୍ତିଙ୍କର ଯେଉଁ ରୂପ ତାଙ୍କୁ ଦେଖାଯାଉଥିଲା ତାହା କେବଳ ଗୋଟିଏ ବିନ୍ଦୁ ଅଥବା ପରିବ୍ୟାପ୍ତ ଶୂନ୍ୟତା ଆଉ ଭିନ୍ନ କିଛି ନୁହଁ । ଏହାକୁ କେମିତି ଏକ ଇନ୍ଦ୍ରିୟଗ୍ରାହ୍ୟ ରୂପରେ ସମସ୍ତଙ୍କର ମନବୋଧ ହେଲା ଭଳି ସ୍ପଷ୍ଟ କହିହେବ ।

ରାତି ପୁରାପୁରି ଫର୍ଚ୍ଛା ହୋଇନାହିଁ । କବାଟ ଖୋଲି ସେ ବାହାରକୁ ଆସିଲେ । ଆଉ ଠିକ୍ ସେତିକିବେଳେ ତାଙ୍କର ସାମ୍ନାସାମ୍ନି ହୋଇଗଲା ମାଆ କାଳୀଙ୍କ ସହିତ । ଶ୍ରୀଶ୍ରୀ ଆଗମବାଗୀଶ
ଆନନ୍ଦରେ ବିହ୍ୱଳ ହୋଇଗଲେ । ଆଉ ଏହାପରେ ବିଭ୍ରାନ୍ତ ହେବାର ନାହିଁ । ମାଆ କାଳୀ ସ୍ୱପ୍ନରେ ନିର୍ଦ୍ଦେଶ ଦେଇଥିଲେ ଆଉ ଏବେ ସ୍ୱଂୟ ସାମ୍ନାରେ ପ୍ରକଟିତ ହୋଇ ତାହାପରେ ପ୍ରତ୍ୟକ୍ଷରେ ନିଜର ରୂପର ବଖାଣ କରୁଛନ୍ତି । ତାଙ୍କର ଦେହରେ ବେପଥୁ।

କୃଷ୍ଣାନନ୍ଦଙ୍କ ଉଦ୍ଦାତ୍ତ କଂଠରୁ ନିର୍ଗତ ହେଲା:

ଓଂ ନମୋ ଆଦ୍ୟାୟୈ । ହେ ଆଦ୍ୟା ତମକୁ ମୁଁ ପ୍ରଣିପାତ କରୁଛି ।

ସାମ୍ନାରେ ମାଆ କାଳୀଙ୍କର ଆଧାରରୂପ ହୋଇ ସେତେବେଳେ ଉପସ୍ଥିତ ଥିଲା ଯେଉଁ କୃଷ୍ଣାଙ୍ଗିନୀ ନାରୀ ଜଣକ ତାହାର ଆଖିରେ ଅପାର ବିସ୍ମୟ । ଏତେ ବଡ ବିଦ୍ୱାନ ଆଉ ଏତେ ବଡ ସାଧକ ଜଣେ ତାହାକୁ ପ୍ରଣିପାତ କରୁଛନ୍ତି । ସେ କିଛି ବୁଝି ପାରୁନଥିଲା ।

ଅତ୍ୟନ୍ତ ଜରୁରୀ କାମ କିଛି କୁ ଆଧାରେ ଛାଡି ବାହାରକୁ ଚାଲି ଆସିଅଛିଛନ୍ତି ଆଉ ସେଇକଥା ମନେ ପଡିଗଲା ବୋଲି ଏବେ ହଠାତ୍ ଯିବା ଦରକାର ଠିକ୍ ସେହି ଭଳି ଘର ଭିତରୁ ଯେମିତି ବାହାରକୁ ଆସିଥିଲେ ସେ ଠିକ୍ ସେଇଭଳି ଘର ଭିତରକୁ ଚାଲିଗଲେ ସେ । ସେ କୃଷ୍ଣାନନ୍ଦ । ସେ ଶ୍ରୀ ଶ୍ରୀ କୃଷ୍ଣାନନ୍ଦ ଆଗମବାଗୀଶ ।

ଘରର କବାଟ ଠିଆ ମେଲା । କୌତୁହଳ ବଶତଃ ତାଙ୍କ ପଛେ ପଛେ ସେହି ଦେଖିବାକୁ ଅତି ସାଧାରଣ କୃଷ୍ଣାଙ୍ଗିନୀ ନାରୀ ଜଣକ ଘରର ଦୁଆର ଯାଏଁ ବି ଯାଇଥିଲା । ତାହାପରେ ସେ ଚିରତର ଉଭାନ ହୋଇଯିବାରେ ଏମିତି କୌଣସି ଆକର୍ଷକ କାହାଣୀ ନାହିଁ ।

ଘର ଭିତରେ ସେଦିନ ତାଙ୍କର ବ୍ରାହ୍ମକାଳର ସ୍ନାନାଦି ରେ ବିଳମ୍ବ ଘଟିଥିଲା । କୃଷ୍ଣାନନ୍ଦଙ୍କର ମାନସ ଚକ୍ଷୁରେ ଆଦ୍ୟାଶକ୍ତିର କୃଷ୍ଣାଙ୍ଗୀନୀ ରୂପ ସ୍ପଷ୍ଟ ରହିଥିଲା ଆଉ ତାଙ୍କର କଂଠରୁ ନିର୍ଗତ ହେଉଥିଲା ସେହି ରୂପର ଅନେକ ପ୍ରତିଶବ୍ଦ:

ହ୍ରୀ କାଳୀ ଶ୍ରୀ କରାଳୀ ଚ କ୍ରୀ କଲ୍ୟାଣୀ କଳାବତୀ,
କମଳା କଳିଦର୍ପଘ୍ନୀ କପର୍ଦୀଶ କୃପାନ୍ୱିତା ।

ହ୍ରୀ ହେଉଛି ସୃଷ୍ଟିର ବୀଜମନ୍ତ୍ର । ଏହି ହ୍ରୀ ରେ ରହିଛି ସମସ୍ତ ଆରମ୍ଭ ର ଆରମ୍ଭ ଏବଂ ତାହାର ବିବର୍ତ୍ତନ। କାଳୀ ହେଉଛି ଯିଏ କାଳକୁ ନିଜ ଭିତରେ ସମାହିତ କରିଅଛି ଅର୍ଥାତ ଏଇ ବିଶ୍ୱବ୍ରହ୍ମାଣ୍ଡ ର ଜନ୍ମନାମ । ଏଇଠୁ ବିଶ୍ୱ ଆରମ୍ଭ ହେଲା ।

ନାମଶବ୍ଦ ଆସୁଥାଏ ଗୋଟିକ ପରେ ଗୋଟିଏ ଆଉ କୃଷ୍ଣାଙ୍ଗୀନୀ ନାରୀରୂପିଣୀ ଆଦ୍ୟାଶକ୍ତି ପ୍ରତିଟି ଶବ୍ଦରେ ନିର୍ଦ୍ଦିଷ୍ଟ ରୂପ ପରିଗ୍ରହଣ କରୁଥାଏ । ଆଳଙ୍କାରିକ ହୋଇ ଉଠୁଥାଏ ।

ଆଦ୍ୟାଶକ୍ତିଙ୍କ ନିର୍ଦ୍ଦେଶ କୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ସେ । ଖ୍ରୀଷ୍ଟୀୟ ସପ୍ତଦଶ ଶତକର ଆଦ୍ୟଭାଗରେ ମାଆ କାଳୀ ଯେଉଁ ରୂପରେ ଆମ ଆଗରେ ନିର୍ଦ୍ଦିଷ୍ଟ ପରିଚିତି ପାଇଲେ ଆଉ ପୂଜିତା ହେଲେ ତାହା ଐତିହାସିକତା ଦୃଷ୍ଟିରୁ ଶ୍ରୀଶ୍ରୀ କୃଷ୍ଣାନନ୍ଦ ଆଗମବାଗୀଶ ଙ୍କ ନିଷ୍ଠାପର ଉଦ୍ୟମ ।

ଶ୍ରୀଶ୍ରୀ କୃଷ୍ଣାନନ୍ଦ ଆଗମବାଗୀଶଙ୍କ ରଚିତ
“ତନ୍ତ୍ରସାର” ରେ ଧ୍ୟାନାଂଶ ର ଏକ ସଂକ୍ଷିପ୍ତ ରୂପ ଏଠାରେ ଅନୁସୃଜିତ ହୋଇଅଛି।

ସାଧକ ପ୍ରବର ଉପସ୍ଥିତ ଅକିଂଚନର ଏ ଧୃଷ୍ଟତାକୁ ସଦୟ ହୃଦୟରେ କ୍ଷମା କରିଦେବେ ।

ଏଥିରେ ମାଆ କାଳୀଙ୍କର ଦୃଶ୍ୟରୂପଟି ଏହିପରି :

“ଦେଖିବାକୁ ଭୀଷଣା
ଭୟଙ୍କରା ସେ
ମୁକ୍ତକେଶ ଯାହାର ଲହରେଇ ଯାଉଥାଏ
ସାରା ଦକ୍ଷିଣ ଦିଗ
ବେକରେ ଯାହାର ପଡିଛି କଟା ମୁଣ୍ଡର ମାଳା
ଖାଲି ସେତିକି ନୁହଁ
ସଜ କଟାହୋଇଥିବା ଗୋଟିଏ ସେଥିରୁ ଧରିଛି ସେ
ତଳ ପଟ ବାଆଁ ହାତରେ ତାହାର;
ଉପର ର ବାଆଁ ହାତରେ ଅଛି ଲାଲମୁଖା ଖଣ୍ଡା ପଟେ,
ବରଦାନ ଆଉ ଭୟଶୂନ୍ୟ ର ଭରସା ପାଇଁ
ତାହାର ତଳ ଓ ଉପରର ଦୁଇଟିଯାକ
ଡାହାଣ ହାତ
ଉଦଗ୍ରୀବ ରହିଛି
ଲହ ଲହ ଜିଭ ତାହାର ଆମ ଭଳି କଥା କହିବ ନାହିଁ,
ଦେହର ରଙ୍ଗ ବଉଦ ଭଳି ଆଉ ସେଥିରେ ପରିଧାନ ଆକାରରେ ଅଯତ୍ନ ରେ
ଶୂନ୍ୟକୁ ବଢାଇ ନେଇଛି ସେ,
ମଣ୍ଡିତ ମୁଣ୍ଡମାଳା ଯୋଗୁ ଦେହ ତାହାର ଓଦା ସରସର ରକ୍ତରେ
ଏଇଲେ ସେ ଯେମିତି ରକ୍ତନଦୀରୁ ଜୁଡୁବୁଡୁ ହୋଇ ଉଠିଆସିଛି,
କାନଫାଶରେ ରହିଛି ଦୁଇଟି ଶିଶୁ ଶବ,
ପାଟି ମେଲା, ଛାମୁଦାନ୍ତ ମାନ ଏମିତି ଯେ
ଡର ମାଡିବ ସାମ୍ନା ସାମ୍ନି ହେଲେ,
ସ୍ତନ ଯୁଗଳ ତାହାର ବେଶ୍ ବଡ ଆଉ ଉନ୍ନତ,
ଚାହାଁଣୀରେ ଅମାପ ସଂତ୍ରାସ,
ଶବମାନଙ୍କୁ ଛିନଛତ୍ର କରି ହାତମାନଙ୍କୁ କାଟିନେଇ
ସେଥିରେ ସେ ପ୍ରସ୍ତୁତ କରିଛି ତାହାର ମେଖଳା,
ହାସ୍ୟମୁଖୀ ସେ
ପାଟିରେ ଓଠରେ ଲାଗିଛି ରକ୍ତ,
ଉଚ୍ଚକଣ୍ଠୀ ବଜ୍ରଭାଷିଣୀ ସେ
ଶ୍ମଣାନଚାରିଣୀ ହେବା ତାହାର ସବୁବେଳେ ପସନ୍ଦ,
ସୂର୍ଯ୍ୟ ସମ ଆଲୋକିତ ତାହାର ତିନୋଟି ଯାକ ଆଖି,
ତାହାର ପାଦ ତଳେ ଭୂଇଁରେ
ଲୋଟୁଛି ଗୋଟିଏ ଶବ
ତାହାକୁ କହନ୍ତି ଶିବ;
ଚତୁର୍ଦ୍ଦିଶି ରୁ ଶୁଭୁଛି ଶିଆଳଙ୍କ କିଳିକିଳା ରଡି
ଏଇଟି ହେଉଛି ସେଇ ଅସଲ ସମୟ
ଯେତେବେଳେ ମହାକାଳ ମୈଥୁନରେ ପ୍ରବେଶିବେ
କାଳୀ ସହ,
ତାହାର ପଦ୍ମମୁହଁ ଝଲସି ଉଠିବ ଆନନ୍ଦରେ,ସନ୍ତୋଷରେ,
ଯଦି ତମେ ଏଇ ରୂପରେ ତାହାକୁ ଧ୍ୟାନ କର
ସକଳ ସମୃଦ୍ଧି କହିବାକୁ ଗଲେ ନିଶ୍ଚେ ତମର।”

ଶ୍ରୀଶ୍ରୀ କୃଷ୍ଣାନନ୍ଦ ଆଗମବାଗୀଶଙ୍କ ଚେତନାରେ ମାଆ କାଳୀ ଏହିପରି ଯେଉଁ ରୂପଟି ପରିଗ୍ରହଣ କରି ପରବର୍ତ୍ତି ସମୟରେ ଏଇ ଭଳି ଏକ ଆଧାରରୂପରେ ସର୍ବସାଧାରଣଙ୍କର ପୂଜିତା ହେଲେ ଅଥବା ଅନ୍ୟଭାବରେ କହିଲେ ଖ୍ରୀଷ୍ଟୀୟ ଷୋଡଶ ଶତାବ୍ଦୀର ମଧ୍ୟଭାଗରୁ ସର୍ବସାଧାରଣ କାଳୀ କହିଲେ ଶ୍ରୀଶ୍ରୀ ଆଗମବାଗୀଶଙ୍କ “ତନ୍ତ୍ରସାର” ରେ ବର୍ଣ୍ଣିତ ରୂପକୁ ମାଆଙ୍କର ପ୍ରକୃତ ଦୃଶ୍ୟବାନ ରୂପ ବୋଲି ଚିହ୍ନିବାକୁ ଆରମ୍ଭ କରିଥିଲେ,ବସ୍ତୁତଃ ସେଇଠୁ କାଳୀଙ୍କ ରୂପବୋଧର ଏକ ବିବର୍ତ୍ତିତ ରୂପ ଆମକୁ ଦେଖିବାକୁ ମିଳେ। ମାଆ କାଳୀଙ୍କର ଏକ ବିବର୍ତ୍ତିତ ରୂପ “ତନ୍ତ୍ରସାର” ଦ୍ୱାରା ପ୍ରତିଷ୍ଠିତ ହୋଇଥିଲେ ଏହାର ଆଦ୍ୟରୂପଟି ଯଥେଷ୍ଟ ଆଗରୁ ମଣିଷର ଚେତନାରେ ରହିଥିଲା।

ମଣିଷର ଚେତନାରେ ମାଆ କାଳୀଙ୍କ ଆଦ୍ୟରୂପଟି ଋଗବେଦରେ ଦେଖିବାକୁ ମିଳେ। ସେଇଠି ସେ ପ୍ରମୁଖତଃ କାଳୀ ନାମରେ ପରିଚିତା ନୁହଁନ୍ତି,ସେ ପରିଚିତା ” ସପ୍ତଜିହ୍ୱା” ଅର୍ଥାତ୍ ସାତଟି ଜିଭ ଭିତରୁ ଗୋଟିଏ ଆକାରରେ ଆଉ ସେଇ ସାତଟି ଜିଭ ହେଉଛି ଅଗ୍ନି ଙ୍କର।

ଅଗ୍ନିଙ୍କର ସ୍ୱରୂପକୁ ବୁଝାଇବାକୁ ଯାଇ ଆର୍ଯ୍ୟ ମନୀଷୀମାନେ ଶୁକ୍ଳଯଜୁର୍ବେଦ ତଥା ମହାଭାରତରେ ଅଗ୍ନିଙ୍କର ବୈଶିଷ୍ଟ୍ୟକୁ ସାତଗୋଟି ଜିଭର ଚିତ୍ରରୂପରେ ପରିଭାଷିତ କରିଛନ୍ତି।
ପ୍ରଫେସର ନୃସିଂହ କୁମାର ଭାଦୁଡିଙ୍କ ଉଲ୍ଲେଖ ଅନୁସାରେ, ଅଗ୍ନିଙ୍କୁ “ସପ୍ତଜିହ୍ୱା”ବୋଲି କହିବା ସମୟରେ ଅଗ୍ନିଙ୍କର ଯେଉଁ ସାତଟି ଜିଭ ରହିଛି ବୋଲି ବିଚାର କରାଯାଉଥିଲା ତାହା ଯଥାକ୍ରମେ ଏହିପରି : କାଳୀ, କରାଳୀ,ମନୋଜବା,
ସୁଲୋହିତା,ସଧୂମ୍ରବର୍ଣ୍ଣା,ସ୍ଫୁଲିଙ୍ଗିନୀ ଏବଂ ଲୋଲାୟମାନା। ଏଇଠି ଏଇ ପ୍ରସଂଗଟି ଉଲ୍ଲେଖ କରିବା ଉଚିତ ହେବ ଯେ,ପ୍ରସିଦ୍ଧ ଚିତ୍ରଶିଳ୍ପୀ ତଥା ବେଙ୍ଗଲ୍ ଶୈଳୀ ଚିତ୍ରାଙ୍କନର ଅନ୍ୟତମ ପୁରୋଧା ନନ୍ଦଲାଲ ବୋଷ ଏପରି “ସପ୍ତଜିହ୍ୱା” ବୈଶିଷ୍ଟ୍ୟକୁ ଆଧାର କରି ଅଗ୍ନିଙ୍କର ଗୋଟିଏ ଛବି ଅଂକନ କରିଛନ୍ତି।

ସେ ଯାହାହେଉ ମାର୍କଣ୍ଡେୟ ପୁରାଣରେ ଅଗ୍ନିଙ୍କର ଯେଉଁ ଜିହ୍ୱା କାଳକୁ ନିଷ୍ଠାର ସହିତ କାରଣ କରୁଥାଏ ସେଇ କାଳୀ ଭିତରେ ଅଗ୍ନିର ଯେଉଁ ଦାହିକା ଶକ୍ତିର ସଂଚରଣ ହୋଇଥାଏ ତାହା ବସ୍ତୁତଃ ମଣିଷର ରୋଗ,ଭୟ ,ତାପ ଏବଂ ଭୟକୁ ଦହନ କରିଥାଏ। ସେହି କାରଣରୁ ବେଦ ଏବଂ ଉପନିଷଦ କାଳରେ ଅଗ୍ନିର ସ୍ୱରୂପା ହିସାବରେ କାଳୀଙ୍କୁ ବିବେଚନା କରାଯାଇଛି।

ଏହାର ପଶ୍ଚାତଦେଶରେ ଊଗବେଦର ରାତ୍ରିସୂକ୍ତ ଏବଂ ବ୍ରାହ୍ମଣ (ବିଶେଷରେ ଶତପଥ ବ୍ରାହ୍ମଣ) ଗ୍ରନ୍ଥ ମାନଙ୍କର ବିଚାର ବିଶେଷ ଭାବରେ “ରାତ୍ରିସୂକ୍ତ” ଟି ରହିଛି ବୋଲି ଅନେକ ପଣ୍ଡିତ ବିଚାର କରିଥାନ୍ତି। ରାତ୍ରୀସୁକ୍ତରୁ ରାତିର କୃଷ୍ଣବର୍ଣ୍ଣ ତମସାଚ୍ଛନ୍ନ ଅଂଧକାରକୁ କାଳୀରୂପର ଭିତରେରେ ସମାହିତ କରାଯାଇଛି। ରାତ୍ରିସୂକ୍ତରେ ରାତ୍ରି ଯେହେତୁ ଉଷାକୁ ଗ୍ରହଣ କରି ଆଲୋକର ଉଦୟ ଘଟାଇଥାନ୍ତି ,କାଳୀ ବି ସମାନ ଭାବରେ ଅଶିବ-ଅମଙ୍ଗଳର ବିନାଶକରି ମଣିଷକୁ ଆଲୋକର ସଂଧାନ ଦେଇଥାଆନ୍ତି।

ରାତ୍ରି ଯେଉଁ ଗଭୀର ଅଂଧକାରକୁ ଧାରଣ କରିଥାଏ ତାହା ବସ୍ତୁତଃ ତିନୋଟି ଭୟଙ୍କରୀ ଉପାଦାନରେ ନିର୍ମିତ,କାଳରାତ୍ରି,ମହାରାତ୍ରି ଏବଂ ମୋହରାତ୍ରୀ।

ତେଣୁ ପ୍ରଥମରେ ଅଗ୍ନି ଆଉ ତାହାପରେ ରାତ୍ରୀ ଏହାର ସମସ୍ତ ରୂପସଂଭାରକୁ ଧରି ମଣିଷ ର ଚେତନାରେ ବିରାଜିତ ହେଲେ ଏଇ ଶକ୍ତିମୟୀ କାଳୀ। ଆଲୁଅରେ ଆମେ ସହଜ ଏବଂ ଅଂଧାରରେ ଆମେ ଅସହଜ। ମଣିଷର ଏମିତି ସହଜ ଆଉ ଅସହଜ ପଣକୁ କେନ୍ଦ୍ରକରି ଆମର ସମସ୍ତ ଦୈବିକ ଉପାସନା ପ୍ରକ୍ରିୟାର ଉପସ୍ଥାପନ ଏବଂ ଅନୁଗ୍ରହଣ।

ଅଂଧାରର ସମସ୍ତ ଭୟଙ୍କର ବିଭବ ଯାହା ଅନେକ ପରିମାଣରେ ଆମର ସମସ୍ତ ଅଦୃଶ୍ୟପଣ ଏବଂ ସମସ୍ତ ଅନୁପସ୍ଥିତିର ଏକ ଆସୁରିକ ଉପସ୍ଥିତି ତାହାକୁ ସହଜ ଭାବରେ ଗ୍ରହଣ କରିବା ପାଇଁ ଏପରି ମାତୃରୂପର ଆବଶ୍ୟକତା ଆମ ପାଖରେ ରହିଛି।

ମଧ୍ୟଯୁଗୀୟ ହିନ୍ଦୁ ଧର୍ମରେ ଦେବୀମାନେ ବସ୍ତୁତଃ ମାୟା,ପ୍ରକୃତି ଏବଂ ଶକ୍ତିର ସଶକ୍ତ ପ୍ରତୀକ। ଏଥିମଧ୍ୟରୁ ମାୟା ଅନେକ ସମୟରେ ଅହଙ୍କାର,ଜଗତ ସୃଷ୍ଟିକାଳୀନ ଅଦ୍ଭୁତ ଐନ୍ଦ୍ରଜାଲିକ ବାସ୍ତବତା କୁ ଊଜାଗର କରିଥାଏ । ଏବଂ ଏହି ମାୟା ଆମକୁ ଏପରି ଏକ ରହସ୍ୟମୟ ଆଉ ଅଭାବିତ ଇଲାକାର ସନ୍ଧିସ୍ଥଳରେ ନେଇ ଛିଡା କରିଦିଏ ଯେଉଁଠି ଆମେ ଧ୍ୱଂସକୁ ଭେଟିଥାଉ । ସେଇଠି ଦୈବିକ ହେଉ କି ମାନବିକ ସମସ୍ତ ଛୋଟ ବଡ ଅହଂକାର ଯେତେ ସାମ୍ନାରେ ଉପସ୍ଥିତ ବାସ୍ତବ କି କଳ୍ପିତ ଏଇ ଉଭୟ ପ୍ରକାରର ଅପମାନକୁ ପ୍ରତିହତ କରିବାପାଇଁ ନିଜକୁ
ସାବ୍ୟସ୍ତ ଲକ୍ଷ୍ୟରେ ଅଣ୍ଟାଭିଡି ଆଗଭର ହୋଇଥାଏ। ଅନ୍ୟ ଭାବରେ କହିଲେ ଆତ୍ମଗୁରୁତ୍ୱକୁ ପ୍ରତିଷ୍ଠିତ କରିବା ହିଁ ହେଉଛି ମାୟାର ଏକମାତ୍ର ବିଭବ।ମାୟାର ସେଇ କାଳିମାକୁ ଧାରଣ କରିଥାନ୍ତି ବୋଲି ମାଆ କାଳୀ।

ପ୍ରକୃତି ଏକ ଶୃଙ୍ଖଳାକୁ ବୁଝାଏ ଯାହା ବସ୍ତୁତଃ ପାର୍ଥିବ ଜଗତର ରଜ,ସତ୍ତ୍ୱ ଏବଂ ତମ ଭଳି ତିନୋଟି ଗୁଣକୁ ଧାରଣ କରିଥାଏ। ପ୍ରକୃତିର ଅନ୍ତର୍ନିହିତ ବିଚାରଟି ହେଉଛି ଯେ ଏହା କୌଣସି ବସ୍ତୁକୁ ନିର୍ଦ୍ଦିଷ୍ଟତା ଏବଂ ସ୍ୱାତନ୍ତ୍ର୍ୟତା ପ୍ରଦାନ କରିଥାଏ । ଏହା ବ୍ୟକ୍ତିପରକ ଯାତ୍ରାକୁ ପ୍ରରୋଚିତ କରିଥାଏ ଏବଂ ଏଥିରେ ରହିଥାଏ ବ୍ୟକ୍ତିର ଅଧ୍ୟାତ୍ମ,ବ୍ୟକ୍ତିର ଅନ୍ୱେଷଣ। ପ୍ରକୃତି କହିଲେ ଏଇଭଳି ଯେଉଁ ବିଚାର ତାହା ସର୍ବଦା ଅନିୟନ୍ତ୍ରିତ ରହିବାକୁ ଏକ ପ୍ରକାର ବାଧ୍ୟ। ତେଣୁ ମାଆ କାଳୀ ସର୍ବଦା ଭିନ୍ନ ଏବଂ ଅନିୟନ୍ତ୍ରୀତା। ସେ ତେଣୁ ବିକାଶ,କ୍ଷୟ,ମୃତ୍ୟୁ ଏବଂ ପୁନର୍ଜନ୍ଭ,ଏ ସମସ୍ତ କିନ୍ତୁ କୌଣସି ଶୃଙ୍ଖଳା କି କୌଣସି ନିୟନ୍ତ୍ରଣରେ ନଥାଏ।

ଦୈବିକ ଭାଷା କହିଲେ ଆମେ କେବଳ ଶକ୍ତିକୁ ହିଁ ବୁଝିଥାଉ। ଶକ୍ତି କୁ ସଂସ୍ଥାପନ କରିବା ପାଇଁ ସବୁବେଳେ ଦୈବିକ ଉପସ୍ଥିତି ଏବଂ ଦୈବିକ ନିୟନ୍ତ୍ରଣର ଆବଶ୍ୟକତା ଆମର ରହିଥାଏ। ଏପରି ନିୟନ୍ତ୍ରଣର ସବୁଠାରୁ ଅର୍ଥବହ ପ୍ରତୀକରୂପଟି ଆମେ ମାଆ କାଳୀଙ୍କର ଦେଖୁ ଯେତେବେଳେ ତାଙ୍କର ପଦତଳେ ରହିଥାନ୍ତି ସୃଜନ-ପାଳନ-ସଂହାରର ପ୍ରସିଦ୍ଧ ତ୍ରିମୂର୍ତ୍ତିରୁ ଜଣେ ଅର୍ଥାତ୍ ଶିବ। ଏଇଠି ମାଆ କାଳୀ ଯେଉଁ ଶକ୍ତି ଆକାର ରେ ଆବିର୍ଭୂତା ତାହା ଦୂରାନ୍ତରିତ ପ୍ରଶାନ୍ତି ଏବଂ ଉତ୍ତେଜନା ର ମଧ୍ୟରେ ରହିଥିବା ମୌଳିକ ଦ୍ୱନ୍ଦ୍ୱକୁ ଏପରି ଭାବରେ ଦମନ କରି ରଖିଥାଏ ଯାହା ଫଳରେ ଆମର ଇଚ୍ଛାମୁତାବକ ସମସ୍ତ ସୃଜନ କ୍ରିୟା କ୍ରମଶଃ ଭୟପ୍ରଦାୟକ ହେବାକୁ ବସେ ।

ଆଦ୍ୟରୂପା ମାଆ କାଳୀଙ୍କୁ ଯେଉଁମାନେ ନିଜର କରିଥାନ୍ତି ସେମାନଙ୍କର ଯୁକ୍ତିଟି ସହିତ ଏଇ ଆଲେଖର ଉପସଂହାର।

ଏଇ ପରି ଭୟଙ୍କରୀ ଏଇ ପରି ଚରମ ବିଶୃଙ୍ଖଳାର ମୂର୍ତ୍ତିମତୀ ଜଣେ ମାଆକୁ ନିଜର କଲାବେଳେ ମଣିଷଟି ନିହାତି ଏକ କୋମଳ ବାଳକ ପାଲଟିଯାଏ। ତାହା ସହିତ ସଂସାରରେ ଯେଉଁମାନଙ୍କର କଟି ପଡିଥାଏ ସେ ସେମାନଙ୍କୁ ତ କିଛି ଆଉ କହି ପାରିବ ନାହିଁ କିନ୍ତୁ ମାଆର କାଖରେ ବସିଥିବା ବେଳେ ଠାର୍ ରେ ଅନ୍ତତଃ ତାହାର ସମସ୍ତ ପ୍ରତିପକ୍ଷକୁ ଏତିକି ଜଣାଇ ଦେଇପାରେ,ସତର୍କ ରହ,ମୋ ମାଆକୁ
ଦେଖୁଛୁ ତ !

ଓଂ ନମୋ ଆଦ୍ୟାୟୈ ।
ହେ ଆଦ୍ୟରୂପା ତମକୁ ପ୍ରଣାମ କରୁଛି।
ସମସ୍ତ ସନ୍ତାନଜନର ମଙ୍ଗଳ ବିଧାନ କୃପା ହେଉ।

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →