ସାହିତ୍ୟରେ ନୋବେଲ ବିଜୟିନୀ ହାନ କ୍ୟାଂ ଙ୍କର ଏକ ବିଶେଷ ସାକ୍ଷାତକାର

ମୂଳ ଲେଖା : କ୍ରିସ୍ ଲି || ଅନୁବାଦ : ଜ୍ୟୋତି  ନନ୍ଦ

ପୃଥିବୀର ଅନ୍ୟତମ ବିଶିଷ୍ଟ ସାହିତ୍ୟ ପତ୍ରିକା “ଦି ୱାର୍ଡ ଲିଟେରେଚର ଟୁଡେ” ତରଫରୁ ଜାନୁଆରୀ ମାସ ୨୦୧୬ ସଂଖ୍ୟାରେ ସଂପ୍ରତି  ୨୦୨୪ ରେ ସାହିତ୍ୟ ରେ ନୋବେଲ ପୁରସ୍କାରର ବିଜୟିନୀ ଦକ୍ଷିଣ କୋରିଆର ଲେଖିକା ହାନ କ୍ୟାଂଙ୍କର ଏକ ସାକ୍ଷାତକାର ପ୍ରକାଶିତ ହୋଇଥିଲା। ୨୦୧୬ ମସିହାରେ ସୁଶ୍ରୀ ହାନ କ୍ୟାଂ ତାଙ୍କର ଉପନ୍ୟାସ “ଦି ଭେଜିଟେରିଆନ” ନିମନ୍ତେ ସମ୍ମାନଜନକ “ମାନ ବୁକର ପୁରସ୍କାର”ର ପ୍ରାପିକା ଥିଲେ। ପୁରସ୍କାର ବିଜୟିନୀ ହାନ କ୍ୟାଂ ଙ୍କ ସହିତ ଏଇ ସାକ୍ଷାତକାର ନିମନ୍ତେ ଏଇଠି କଥାବାର୍ତ୍ତା କରିଛନ୍ତି ଲେଖକ କ୍ରିସ୍ ଲି । ସାକ୍ଷାତକାରଟିକୁ ଓଡ଼ିଆ ଭାଷାକୁ ଅନୁବାଦ କରିଛନ୍ତି ବିଶିଷ୍ଟ ସାହିତ୍ୟିକ ଜ୍ୟୋତି ନନ୍ଦ।

ଏହି ସାକ୍ଷାତକାରରୁ ଆମେ ଏହି ଚର୍ଚ୍ଚିତ ଲେଖିକାଙ୍କର ଲେଖନକର୍ମ ତଥା ବିଶ୍ୱଦୃଷ୍ଟିକୁ କିଛି ପରିମାଣରେ ବୁଝି ପାରିବା।

ପ୍ରଶ୍ନ:
ଆପଣ କେମିତି ଲେଖକ ହେଲେ ସେହି ବୃତ୍ତାନ୍ତ ଆମମାନଙ୍କୁ କହିବେ ? ପ୍ରସଙ୍ଗଟି ଏଇପରି ଯେ,ଆପଣ ସେଇ ଅଳ୍ପ ବୟସରୁ କୁଆଡେ ଲେଖକ ହେବାକୁ ଚାହିଁଥିଲେ ?

ହାନ କ୍ୟାଂ :
ମୁଁ ସବୁସମୟ କହିବାକୁ ଗଲେ ଗୋଟିଏ ସାହିତ୍ୟିକ ପ୍ରଭାବବଳୟରେ ରହିଥିଲି। ଜାଣନ୍ତି ତ,ମୋ ବାବା ବି ସାହିତ୍ୟିକ ଥିଲେ।ଆମେମାନେ ଗୋଟିଏ ସାଧାରଣ ଘରେ ରହୁଥିଲୁ,ଘରେ ସେତେ ଆସବାବପତ୍ର ନଥିଲା,ଆମକୁ ଏମିତି ଅନେକ ଜାଗାରେ ରହିବାକୁ ପଡିଛି। ବାବା ବହି ସଂଗ୍ରହ କରିବାକୁ ଭଲ ପାଉଥିଲେ,ତେଣୁ କହିବାକୁଗଲେ ସ୍ୱାଭାବିକ ଭାବରେ ସେଇ ବହିଗୁଡିକ ମୋତେ ସାରାକ୍ଷଣ ବେଢି ରହୁଥିଲା। ଚଟାଣରେ ଗଦା ଗଦା ବହି,ଘରର ପ୍ରତିଟି କୋଣରେ ବହି। ଖାଲି କବାଟ ଆଉ ଝରକାକୁ ଛାଡିଦେଲେ ବାକି ଘରସାରା ସବୁଠି ବହି ଆଉ ବହି। ଏଇଭଳି ଏଇ ପାଠାଗାରଟି ବଢିବାରେ ଲାଗିଥାଏ। ମୋର ମନେ ପଡେ,ଆମେମାନେ ସବୁବେଳେ ଅନୁଭବ କରୁ ,ବହି ହେଉଛି ପ୍ରସାରଣଶୀଳ,ଅର୍ଥାତ୍ ଅବିରାମ ବଢି ଚାଲୁଥାଏ,ସବୁବେଳେ ଏହା ଏପରି ପର୍ଯ୍ୟାପ୍ତ ଯେ ,ଯେତେବେଳେ ମୁଁ ମୋର ବନ୍ଧୁମାନଙ୍କର ଘରକୁ ଯାଏ ,ବୁଝିପାରେ ଯେ ଏଇ ସବୁ ଘରେ ବହିର କାହିଁକି ଏତେ ଅଭାବ ।

ମୁଁ ସ୍ୱାଧୀନ ଭାବରେ ସେଥିରୁ ବହିମାନଙ୍କୁ ପଢିଚାଲିଛି,ଭାଷାକୁ ଆତ୍ମସ୍ଥ କରିଛି,ବାବାମାଆ ମୋତେ ଏକେଲା ଛାଡିଦେଇଥିଲେ,ଯାହା ଫଳରେ ମୁଁ ମୋର ଇଚ୍ଛା ଅନୁସାରେ ଚାଲେଞ୍ଜିଂ ସବୁ ଉପନ୍ୟାସକୁ ପଢିପାରେ।ମୁଁ ଆବିଷ୍କାର କରିଥିଲି,ମୁଁ ପଢିବାକୁ ଭଲପାଏ। ଲେଖାଲେଖି କଥାଟି ତାହାପରେ ପ୍ରାକୃତିକ ଭାବରେ ଚାଲି ଆସିଥିଲା।ମୁଁ ଯେତେବେଳେ ମୋର ଟିନ୍-ଏଜ୍ ର ବୟସ ପାର ହୋଇ ଯାଉଛି,ଅସ୍ତିତ୍ୱ ସଂକ୍ରାନ୍ତ ସାଧାରଣ ସବୁ ପ୍ରଶ୍ନ ଆସି ମୋ ମନରେ ଭିଡ ଜମାଉଥାନ୍ତି : ମୁଁ କିଏ ? ମୋର ଉଦ୍ଦେଶ୍ୟ କ’ଣ ? ମଣିଷକୁ କାହିଁକି ମରିବାକୁ ହୁଏ ? ତାହାପରେ ମଣିଷ ଯିବ କୁଆଡେ ? ଏଇ ସବୁ ପ୍ରଶ୍ନ ଭାରି ବୋଝ ପରି ମନେ ହେଉଥିଲା,ତେଣୁ ମୁଁ ପୁଣି ଫେରି ଯାଉଥିଲି ବହିର ସେଇ ପୃଷ୍ଠାର ବଳୟକୁ,କାରଣ ମୁଁ ବିଶ୍ୱାସ କରୁଥିଲି ମୋର ଶୈଶବର ଅନେକ ପ୍ରଶ୍ନର ସଠିକ ଉତ୍ତର ବହିରେ ହିଁ ରହିଛି। କିନ୍ତୁ ସେଥିରେ ସେମିତି କୌଣସି ଉତ୍ତର ନଥିଲା। ଏଇଟି ଏକ ପରିହାସ ଯେ ମୋର ଉତ୍ସାହର ଆରମ୍ଭ ସେଇଠୁ। ଏଇଟି ହିଁ ମୋତେ ଦେଖାଇ ଦେଇଛି ଯେ,ମୁଁ ବି ଲେଖକ ହୋଇ ପାରିବି -ଯାହାର ପ୍ରଶ୍ନ ରହିଛି କିନ୍ତୁ ଉତ୍ତର ନାହିଁ,ସେଇମାନଙ୍କ ପାଇଁ ଲେଖକ ହେବା।

ପ୍ରଶ୍ନ:
ଭିଜୁଆଲ ଆର୍ଟ ଅର୍ଥାତ୍ ଦୃଶ୍ୟମାନତାର ଯେଉଁ ଅନୁଭୂତି ତାହା ଆପଣଙ୍କର ଲେଖାରେ ଖୁବ୍ ପ୍ରବଳ ଭାବରେ ଉପସ୍ଥିତ ରହିଥାଏ। ଆମେ ଏଇ କଥାକୁ ଜାଣିବାରେ ଇଚ୍ଛାକରୁଛୁ ଯେ ବସ୍ତୁତଃ ଛବିରେ ଏପରି ଆଗ୍ରହ ଆସିଲା କେଉଁଠୁ ? ଆପଣଙ୍କ ” ଦି ଭେଜିଟାରିଆନ” ଏବଂ “ଇୟୋର କୋଲ୍ଡ ହାଣ୍ଡସ୍” କୁ ଗୋଟିଏ ଚିତ୍ରଶିଳ୍ପୀର ଦୃଷ୍ଟିଭଂଗୀରେ ଦେଖିପାରିଛନ୍ତି କେମିତି ?

ହାନ କ୍ୟାଂ:
ମୁଁ ଯେତେବେଳେ ଛୋଟ ଥିଲି ମୋର ଜଣେ ଆଣ୍ଟି ଚିତ୍ରକଳା ବିଷୟରେ ପଢାଶୁଣା କରୁଥାନ୍ତି,ସେ କିଛି ସମୟ ଆମମାନଙ୍କ ସହିତ ଆସି ରହିଥିଲେ।ସେ ଯେଉଁ ବଖରାଟିରେ ରହୁଥିଲେ ତାହା ଥିଲା ଖାଲି  ଛବିରେ ଭରପୁର। ପ୍ରାୟତଃ ମୁଁ ଅନେକ ସମୟରେ ତାଙ୍କର ମଡେଲ ହୋଇ ବସୁଥିଲି।

ସତ କହିଲେ କ’ଣ କି ସ୍ଥିର ହୋଇ ରହିବା ସବୁଠୁ ବଡ କଠିନ କାମ। ଏଇ ଅଭିଜ୍ଞତା ମୋତେ ଶିଳ୍ପୀମାନଙ୍କର ଦୃଷ୍ଟିଭଂଗୀ ଏବଂ ସେମାନଙ୍କର ବିଷୟକୁ ବୁଝିବାକୁ ସାହାଯ୍ୟ କରିଛି। ମୁଁ ନିଜେ କେବେହେଲେ ଛବିର ଅଙ୍କାଅଙ୍କି ଆଡକୁ ଆଗେଇଯାଇନି। ମୁଁ ଯେତେବେଳେ ଆଇଓୟା ଇଣ୍ଟରନେସନାଲ ରାଇଟିଂ ପ୍ରୋଗ୍ରାମ୍ ରେ ଯୋଗ ଦେଲି, ଘୁରିବୁଲିବା ପାଇଁ ମୋତେ କିଛି ଅର୍ଥ ଷ୍ଟାଇପେଣ୍ଡ ମିଳିଥିଲା। ଆମେରିକାର ନୂଆନୂଆ ସହରଗୁଡିକୁ ଦେଖିବା ପାଇଁ ଯେତେବେଳେ ବାହାରିଛି,ମୁଁ ଏକାହିଁ ଯାଇଛି,ଆଉ ଦେଖିବାକୁ ଗଲେ ସ୍ୱାଭାବିକଭାବରେ ହିଁ ମୁଁ ମ୍ୟୁଜିଅମଗୁଡିକରେ ଅନେକ ବେଶି ସମୟ କଟାଇଛି। ମୋର ବୟସ କହିଲେ ଧରନ୍ତୁ  ସେତେବେଳେ କୋଡିଏ ବର୍ଷର ପାଖାପାଖି ହେବ,ସେତେବେଳେ ଶିଳ୍ପକଳା ସଂପର୍କରେ ମୁଁ ଅନେକ ପରିମାଣରେ ସଚେତନ ହୋଇ ଉଠେ। ମୋର ମନେହୁଏ ,ମୁଁ ସେଇସବୁ ଅଭିଜ୍ଞତାକୁ ଏକ ପ୍ରକାର ନିଜ ଭିତରକୁ ଶୋଷିନେଇ ପାରିଛି ଏବଂ ମୋ ଲେଖାରେ ତାହା ପ୍ରତିଫଳିତ ହୋଇଛି। ପୁଙ୍ଖାନୁପୁଙ୍ଖ ବିବରଣୀ ପାଇଁ ମୁଁ ପରୀକ୍ଷା-ନିରୀକ୍ଷା ଏବଂ ଆବିଷ୍କାର କରିବାକୁ ପସନ୍ଦ କରିଥାଏ। ଯେମିତି କଳା କୋଟଟିର ଉପରେ ତୁଷାରପାତର ଦୃଶ୍ୟ। ଏକ ସେକେଣ୍ଡରୁ କମ୍ ସମୟ ପାଇଁ ଏଇଟି ପ୍ରାୟ ଷଡକୋଣୀୟ(ହେକ୍ସାଗୋନାଲ୍) ରୂପ ଧାରଣ କରିଥାଏ। ଭିଜୁଆଲ୍ ଆର୍ଟ ରେ ଏଇଟିକୁ ଧରି ରଖିବା କଠିନ। କୌଣସି କିଛିକୁ ଗଭୀର ଭାବରେ ଦେଖିବା ଏବଂ  ତାହାର ଗହୀରକୁ ଦେଖିବା ହିଁ ସାହିତ୍ୟ ଭୂବନର ଗୋଟିଏ ବଡ ଅଂଶ ବୋଲି ମୁଁ ବିଚାର କରିଥାଏ। ତେବେ ଏବେ ମୁଁ ଛବି ଆଙ୍କିବାକୁ ଆରମ୍ଭ କରିଛି। ଏଇ ଭଳି ଭାବରେ ଶିଳ୍ପର ସହିତ ମୋର ଆନ୍ତରିକ ସଂପର୍କ ରହିଥିଲା,କାର୍ଯ୍ୟତଃ ସଚେତନ କୌଣସି ଉଦ୍ଦେଶ୍ୟ ବ୍ୟତୀତ ମୁଁ ସ୍ୱାଭାବିକ ଭାବରେ ହିଁ ଲେଖାଲେଖିରେ ଶିଳ୍ପର କଥା କହି ଥାଏ।

ପ୍ରଶ୍ନ:

ମୁଁ ଗାବ୍ରିଏଲ୍ ଗାର୍ସିଆ ମାର୍କ୍ୱେଜଙ୍କର  ମନ୍ତବ୍ୟର କଥା କହୁଛି- ନିର୍ଜନତା ବାରଂବାର ତାଙ୍କର ଲେଖାର ବିଷୟ,ଯାହା ବିଭିନ୍ନ ଆଙ୍ଗିକରେ ତାଙ୍କର ଲେଖାକୁ ଫେରି ଆସିଥାଏ। ଜଣେ ଲେଖକ ହିସାବରେ,ଜଣେ ମଣିଷ ହିସାବରେ ମୁଁ ବିଶ୍ୱାସ କରେ,ବିଭିନ୍ନ ଧରଣର ଭାବ ଆଉ ଆବିଷ୍ଟତା ଆମକୁ ତଡି ଚାଲିଥାଏ। ଆପଣଙ୍କର କ’ଣ ଏପରି କିଛି ରହିଛି,ଯାହା ଆପଣ ବାରଂବାର ଆବିଷ୍କାର କରିବାକୁ ଚାହାଁନ୍ତି,ଯାହାର ନିକଟକୁ ଫେରି ଯିବାକୁ ଚାହୁଁଥାନ୍ତି,ଏମିତି ଯାହା ଆପଣଙ୍କୁ ସବୁବେଳେ ତଡି ବୁଲୁଥାଏ ?

ହାନ କ୍ୟାଂ:
ଆପଣ ଯେମିତି କହିଛନ୍ତି, ମୋର ଅନୁଭୂତି ସେଇ ରକମର । ମୁଁ କ’ଣ ଲେଖୁଛି ସେ ସଂପର୍କରେ ଅତି ସଚେତନ ନହୋଇ ମୋର ପ୍ରଥମ ଉପନ୍ୟାସଟି ଲେଖିଛି। ମୋର ଭିତରର କ’ଣ କିଛି ମୋତେ ଏଇଥିପାଇଁ ବାଧ୍ୟ କରିଛି। ଭିତରୁ ଉଛୁଳି ଉଠିଛି ଆଉ ମୁଁ ଲେଖିପାରିବି ବୋଲି ଲେଖିଛି। କିନ୍ତୁ ମୁଁ ଯେତେବେଳେ ଲେଖାଲେଖି କରି ଚାଲୁଥିଲି,ଗୋଟିଏ ସମୟରେ ବୁଝି ପାରିଥିଲି, କିଛି ବିଷୟ ରହିଛି,ଯାହା ମୋତେ ବିଚଳିତ କରେ,ସେଇ କାରଣରୁ ତାହା ମୋର ଲେଖାର ବିଷୟବସ୍ତୁ ହୋଇଛି,ଯାହାକୁ ମୁଁ ଜାବୁଡି ଧରିଛି,ଅନ୍ୟଗୁଡିକୁ ଚଲାଇନେଇଛି। ମୁଁ ମନେ କରେନା କେବଳ ନିର୍ଦ୍ଦିଷ୍ଟ କୌଣସି ବିଷୟର ନିକଟକୁ ମୁଁ ଫେରି ଆସିଛି। ମୁଁ ପ୍ରାୟତଃ ଫେରି ଆସେ ମଣିଷର ସହିଂସତାର ପ୍ରଶ୍ନର ନିକଟକୁ। ଯେମିତି ମୋ ଉପନ୍ୟାସ ” ଦି ଭେଜିଟେରିଆନ” ରେ ଜଣେ ନାରୀକୁ ଗଢାଯାଇଛି,ଯିଏ ସବୁଠାରେ ଉପସ୍ଥିତ ଓ ସେ ଦୈବ-ଅଧୀନ ସହିଂସତାକୁ ପ୍ରତ୍ୟାଖ୍ୟାନ କରୁଛି,ଏପରିକି ନିଜର ଜୀବନର ବିନିମୟରେ । ମୋର ଅନ୍ୟ ଗୋଟିଏ ଉପନ୍ୟାସରେ ପ୍ରଧାନ ଚରିତ୍ର ଯେଉଁ ନାରୀ,ସେ ଭାଷାର ସହିଂସତା ଶନାକ୍ତ କରି ସବୁ ଭାଷାକୁ ବସ୍ତୁତଃ ପ୍ରତ୍ୟାଖ୍ୟାନ କରୁଛି। ମୁଁ ଯଦିଓ ସିଧାସଳଖ ଭାବରେ ଏଇ ଅଭିଜ୍ଞତା ଅର୍ଜନ କରିନାହିଁ ,ମୋର ଶୈଶବ ଓ ଯୌବନର ବଡ ଧରଣର ସହିଂସତା ମୋତେ ପ୍ରଭାବିତ କରିଛି।

ପ୍ରଶ୍ନ:
ଆପଣ କ’ଣ ଗ୍ୟାଞ୍ଜୁ ମାସାକାର୍ ର କଥା କହୁଛନ୍ତି ? (ଏଇଟି ମେ୧୮ ର ଗଣତାନ୍ତ୍ରୀକ ଉତ୍ଥାନ ନାଆଁରେ ବି ପରିଚିତ। ଏଥିରେ ଜିଓନାମ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କ ସହ ବହୁ ନାଗରିକ ୧୯୮୦ ସାଲରେ ଚୁନ ଦୁ ହୁଆନ ସରକାରର ବିରୁଦ୍ଧରେ ପ୍ରତିବାଦ ଜଣାଇବା ସମୟରେ ସରକାରୀ ବାହିନୀର ହାତରେ ମୃତାହତ ହୁଅନ୍ତି।)

ହାନ କ୍ୟାଂ :
ସହିଂସତା ମଣିଷର ହିଁ ଅଂଶ।ମୁଁ ସେଇ ମଣିଷ ଭିତରୁ ଜଣେ,ଏଇଟିକୁ କେମିତି ଗ୍ରହଣ କରୁଥାଏ।ଏଇ ଧରଣର ବେଦନାବୋଧ ମୋତେ ସବୁସମୟରେ ଆଲୋଡିତ କରୁଥାଏ। ହଁ,ମୋର ପ୍ରତିଦିନର ଜୀବନରେ ଯେଉଁ ସହିଂସତା ଉପସ୍ଥିତ ହେଉଥାଏ ମୋର ଚିନ୍ତା ସେଇଆଡକୁ ବି ସଂପ୍ରସାରିତ । ମାଂସ ଖାଇବା,ମାଂସ ରୋଷେଇ କରିବା ,ଏଇ ସବୁକିଛିରେ ତ ସହିଂସତାର ପ୍ରକାଶ ଘଟିଥାଏ,ଯାହାର କହିବାକୁ ଗଲେ ଏକ ସ୍ୱାଭାବିକୀକରଣ ହୋଇଯାଇଛି।

ପ୍ରଶ୍ନ:

ଏପରିକି ମାଟିରେ ପାଦ ପକାଇବା ବି ସହିଂସତା,କାରଣ ଘାସର ତ ବି ପ୍ରାଣ ରହିଛି ?

ହାନ କ୍ୟାଂ:

ହଁ,ଏଇଟି ସତ । ତେବେ ଏଇ ସହିଂସତାକୁ ମଣିଷ ନିଜର ଭିତରେ ଆତ୍ମୀକରଣ କରି ନେଇଛି। ମଣିଷର ନିଜର ବି ସହିଂସତାର ମୁକାବିଲା କରିବାର କିମ୍ବା ଭିନ୍ନ ପଥରେ ଚାଲି ଯିବାର ଏକ ଅନ୍ତର୍ଗତ ସହଜାତ ପ୍ରବୃତ୍ତି ରହିଅଛି।ମୁଁ ଅଧିକ ପରିମାଣରେ ଆଗେଇ ଚାଲିଛି  ସେଇଦିଗରେ। ଗ୍ୟାଞ୍ଜୁ ମାସାକାର କୁ ନେଇ ମୋର ପୁସ୍ତକ
” ହ୍ୟୁମାନ ଆକ୍ଟ ” ଲେଖିବା ପରଠାରୁ ମୁଁ ମଣିଷର ମର୍ଯ୍ୟଦା ଓ ଶାନ୍ତିକୁ ଆହୁରି ଗଭୀର ଭାବରେ ଦେଖିବାକୁ  ଦେଖିବାକୁ ଚାହେଁ।

ପ୍ରଶ୍ନ :
ସ୍ଥାନ ହିସାବରେ ସିଓଲ୍ ବା କୋରିଆ ନିଜେ ଆପଣଙ୍କ ଲେଖାକୁ କେତେ ପରିମାଣରେ ପ୍ରଭାବିତ କରେ ?

ହାନ କ୍ୟାଂ:
ମୋ ନିକଟରେ ଏଇଟି ଗୁରୁତ୍ୱପୂର୍ଣ୍ଣ । ଶୈଶବକାଳରେ ମୋତେ ବହୁ ଯାଗା ଘୁରିବାକୁ ହୋଇଛି,ମୁଁ ପାଞ୍ଚୋଟି ପ୍ରାଇମେରୀ ସ୍କୁଲରେ ପଢିଛି।ଏଇଲେ ମୁଁ ଯେଉଁଠିକୁ ଯାଏ,ମୁଁ ଜାଣେ ଯେ ସେଇଠି ମୁଁ ନିଜକୁ ଖାପ ଖୁଆଇନେଇ ପାରିବି।ମୁଁ ଯେଉଁ ଯେଉଁ ସହରରେ ବସବାସ କରିଛି ମୋ ଲେଖାରେ ଅବଶ୍ୟ ସେଇ ସହରର ଛାପ ଦେଖିବାକୁ ମିଳିବ। ସିଓଲ କୁ ଆସିବା ଆଗରୁ ମୁଁ ଲଂବା ନଅ ବର୍ଷର ସମୟ   ଗ୍ୟାଞ୍ଜୁରେ ବସବାସ କରିଛି। ସେଇ ଛୋଟ ସହରର ଛାପ ମୋର ଅନ୍ତଃକରଣରେ ରହିଯାଇଛି। ଏଇଟି ହିଁ ହେଉଛି ସେଇ ସହର,ଯାହା ମୋର ଅନେକ ଉପନ୍ୟାସର ଭିତରୁ  ଉଠି ଆସିଛି। ୧୯୮୦ ଜାନୁଆରୀରେ ମୁଁ ଯେତେବେଳେ ସିଓଲ୍ କୁ ଚାଲିଆସେ ,ଆକ୍ଷରିକ ଅର୍ଥରେ ହିଁ ଦକ୍ଷିଣର ଉଷ୍ମ ଆବହାୱାର ତୁଳନାରେ ଏଇଟି ମୋ ନିକଟରେ ବେଶ ଶୀତଳ ଇଲାକା ବୋଲି  ମନେ ହୋଇଛି । ଆପଣ କେବେ କୋରିଆରୁ ଆମେରିକା ଯାଆନ୍ତି ?

ମୋ କଥା ଉଠିଲେ ଏଇଟା ଠିକ୍ ତୁଳନା କରାଯାଏ ନା,ତେବେ ଏଇଟା ମୋ ପାଇଁ ଗୋଟିଏ ବିରାଟ ପରିବର୍ତନ। ଗ୍ୟାଞ୍ଜୁ ସହର ଅଧିକ ଉଷ୍ଣ,ଶୀତରେ ସେଇଠି ଯଥେଷ୍ଟ ଫୁଲର ସମାରୋହ। ଆମେମାନେ ଜାନୁଆରୀରେ ଯେତେବେଳେ ସିଓଲ୍ କୁ ଆସିଥିଲୁ  ସହରଟା ଭାରି ଥଣ୍ଡା। ଦେହରେ ପୁରା ସୋୟେଟର୍ ଆଉ ପାଦରେ ମୋଜା ପିନ୍ଧି କି ବି ଶେଜରେ ଥିବା ବେଳେ ମୁଁ ଶୀତରେ କମ୍ପିଛି।ସେତେବେଳେ ମୁଁ ନିଜକୁ ନିଜେ ଶୁଣାଇଦେଇଛି ଯେ ଏଇଠି ମୋ ପାଇଁ ଜୀବନ ହେବ ଖୁବ୍ ଶୀତଳ।ସହରର ବିଶାଳତ୍ୱ ଏବଂ ଶୀତଳ ନିଷ୍ପୃହତା ଅମଙ୍ଗଳଜନକ ମନେ ହୋଇଛି ,ତାହେଲେ ସିଓଲ୍ ରେ ମୋ ଜୀବନ ଅସଲରେ ହେବ କେଉଁପରି ? ମୁଁ ଯଦିଓ ନୂଆ କୌଣସି ସ୍ଥାନକୁ ଯିବା ବିଷୟରେ ଶଙ୍କାଗ୍ରସ୍ତ ନୁହଁ,ମୁଁ ହେଉଛି ସେଇଭଳି ମଣିଷ ଯିଏ ସଂଗ୍ରାମ କରେ,ସର୍ବତ୍ର ପ୍ରଶ୍ନ କରିଥାଏ। ମୁଁ ସେଇମାନଙ୍କ ସହ ରହିଥାଏ,ସବୁକିଛିକୁ ଶୋଷି ନିଏ ଆଉ ସବୁ ଯାଗାର ଛାପ ରହିଥାଏ ମୋ ଲେଖାରେ ।

ପ୍ରଶ୍ନ:
ଆପଣଙ୍କର ଜଣେ ସୁପରିଚିତ ସମାଲୋଚକ ଓ ଅନୁରାଗୀ କହିଛନ୍ତି,ଆପଣଙ୍କର ବହି ପଢିବା ଆଗରୁ ଜଣେ ପାଠକକୁ ଆପେ ପ୍ରସ୍ତୁତ କରି ନେବାକୁ ହେବ ଏବଂ ଭିନ୍ନ ଦୃଷ୍ଟିଭଙ୍ଗୀର ଅଧିକାରୀ ହେବାକୁ ପଡିବ।ଏଇଟାକୁ ଆପଣ କେଉଁ ଭଳି ବ୍ୟାଖ୍ୟା କରିବାକୁ ଚାହାଁନ୍ତି ?

ହାନ କ୍ୟାଂ:
ମୋର ବିଶ୍ୱାସ ଏହାର କାରଣ,ମୋର ଉପନ୍ୟାସ ସିଧା ସଳଖ ମଣିଷର ଯାତନାକୁ ତୋଳି ଆଣେ। ଯାତନା ଠାରୁ ଅପସରି ନଯାଇ ମୁଁ ଏହାର ଗହୀରକୁ ପଶିବାର ଚେଷ୍ଟା କରିଥାଏ। ଏଇଟି ହେଉଛି ମୋର ପ୍ରବଣତା,ମୁଁ ସବୁବେଳେ ବ୍ୟକ୍ତିର ପଛରେ ଥିବା ସତ୍ୟକୁ ଆବିଷ୍କାର କରିବା ପାଇଁ ଚେଷ୍ଟା କରେ। ଅସଲରେ ମୁଁ ଯେତେବେଳେ ଗ୍ୟାଞ୍ଜୁ ହତ୍ୟାଯଜ୍ଞକୁ ନେଇ ଲେଖିବାକୁ ଗଲି -ଏଇ ଟ୍ରାଜେଡିର ଯେ ଏତେ ଯାତନା,ମୋ ହାତରେ ଯେତେବେଳେ ଏଇସବୁ ବିଷୟବସ୍ତୁ ,ସେଇଗୁଡିକ ସମ୍ଭବତଃ ଏୟା ହିଁ କହୁଛନ୍ତି – ଏଇ ଅଭିଜ୍ଞତାଲାଭ ପାଇଁ ,ଏଇ ଯନ୍ତ୍ରଣା ଅନୁଭବ କରିବା ପାଇଁ ପ୍ରସ୍ତୁତି ଗ୍ରହଣ କରିବାକୁ ହେବ।

ପ୍ରଶ୍ନ:
ଆପଣଙ୍କ ରଚିତ ପୁସ୍ତକରେ ମୁଁ ଦେଖିବାକୁ ପାଏ ଶବ୍ଦକୁ ଦେଖିବାର ଆପଣଙ୍କର  ଗୋଟିଏ ନିର୍ଦ୍ଦିଷ୍ଟ ପଦ୍ଧତି ରହିଛି – ଆପଣ ଶଦ୍ଦରେ ଏକ ଦୃଶ୍ୟମାନ ଚିତ୍ରକଳ୍ପର ବିବେଚନା କରିଥାନ୍ତି। ଆପଣଙ୍କ “ଗ୍ରୀକ୍ ଲେସନ୍ସ” ଉପନ୍ୟାସରେ (୨୦୧୧ ରେ ପ୍ରକାଶିତ) ଆରମ୍ଭରୁ ଶେଷ ଯାଏଁ ଶବ୍ଦ ଚୟନରେ ଆପଣ ସତର୍କ ସଂବେଦନଶୀଳତାର ପରିଚୟ ଦେଇଛନ୍ତି। ଆପଣଙ୍କର ଲେଖିବା ବେଳେ ଭାଷାର ସହିତ ଆପଣଙ୍କର ସଂପର୍କକୁ ନେଇ ଆମର କୌତୁହଳ ରହିଛି ।

ହାନ କ୍ୟାଂ:
ମୋର ଗୋଟିଏ କାବ୍ୟଗ୍ରନ୍ଥ ରହିଛି,କୋଡିଏ ବର୍ଷ ଧରି ଲେଖାଲେଖିରେ ସମାନଭାବରେ ଶବ୍ଦ ଆଉ ଚିତ୍ରକଳ୍ପର ନୀରିକ୍ଷା ଚଳାଇ ଚାଲିଛି।ବ୍ୟକ୍ତିଗତ ଭାବରେ ମୁଁ ମନେ କରେ,ଭାଷା ଗୋଟିଏ ଅତ୍ୟନ୍ତ ଜଟିଳ ହତିଆର,ଏହାକୁ ବ୍ୟବହାର କରିବା ଖୁବ୍ କଠିନ ଗୋଟିଏ କାମ। କେବେ କେବେ ବି ଗୋଟିଏ ଅସମ୍ଭବ କାମ ଏଇଟି। ଅନ୍ୟ ସମୟରେ ମୁଁ ଯାହା କହିବାକୁ ଚାହେଁ ଭାଷା ତାହା ବେଶ ଭଲଭାବରେ ପ୍ରକାଶ କରିପାରେ,ତେବେ ଏଇଟିକୁ ସଫଳ ହୋଇଛି ବୋଲି କହିବା ଯଥାର୍ଥ ହେବନି। ତାହାଛଡା  ମୋତେ ତ ଲେଖିଯିବାକୁ ହେବ,ଏପରିକି ଯଦିଓ ମୁଁ ଜାଣେ ଏଇଟି ବ୍ୟର୍ଥ ହୋଇଯିବ। କିନ୍ତୁ ଏଇଟି ତ ମୋ ହାତରେ ଥିବା ଗୋଟିଏ ମାତ୍ର ହତିଆର୍।  ଏଇଟି ଏକ ନିରନ୍ତର ଦ୍ୱନ୍ଦ୍ୱ,ଯାହାର ଅଭିଜ୍ଞତା ବହୁ କବିର ହୋଇଛି। ବିଶେଷ କରି ମୋର ” ଗ୍ରୀକ୍ ଲେସନ୍ସ” ର ପ୍ରଧାନ ଚରିତ୍ର କଥା କହିପାରେ ନାହିଁ। ଏହାର ବଦଳରେ କବିତା ଲେଖେ। ଭାଷାର ପ୍ରତିଟି ବାକ୍ୟର ସୌନ୍ଦର୍ଯ୍ୟ ଅଛି,କାଳିମା ଅଛି,ଶୁଦ୍ଧତା ଅଛି,ଆବର୍ଜନା ବି ଅଛି ,ସତ୍ୟ ବି ଅଛି,ମିଥ୍ୟା ବି ଅଛି। ତାହା ସତ୍ତ୍ୱେ ବି ଆମକୁ କଥା କହିବା,ଲେଖା ଆଉ ପଢା ଚଳାଇଯିବାକୁ ହୋଇଥାଏ। ଯେତେବେଳେ ଲେଖାଲେଖିକୁ ଟିକିଏ ଢିଲା ଦିଏ, ମୁଁ ଟିକିଏ ବିରତି ନେଇଥାଏ।ମୁଁ କହେ ,କୋଡିଏ ବର୍ଷ ତ ଲେଖି ଚାଲିଛି,ବର୍ଷେ ଦିବର୍ଷ କ୍ଷାନ୍ତ ରହେ।

ପ୍ରଶ୍ନ :
ଆମେମାନେ ଉପନ୍ୟାସର ପ୍ରଶ୍ନ ଉପରେ କଥା ହେଉଛେ,ଆପଣ କହୁଛନ୍ତି ଲେଖକର ହାତରେ ସବୁ ପ୍ରଶ୍ନର ଉତ୍ତର ନାହିଁ। ଚେକଭ୍ ଥରେ କହିଥିଲେ,ସାହିତ୍ୟର କାମ ପ୍ରଶ୍ନକୁ ଉତ୍ଥାପନ କରିବା । ଆପଣ ଯେତେବେଳେ ଉପନ୍ୟାସ ଲେଖନ୍ତି ଆପଣ କ’ଣ ନିର୍ଦ୍ଦିଷ୍ଟ କୌଣସି ପ୍ରଶ୍ନର ଉପରେ ଆଲୋକସମ୍ପାତ କରି ଆଗେଇ ଚାଲିଥାନ୍ତି,ନା ଉପନ୍ୟାସ ଲେଖିବା ପ୍ରକ୍ରିୟାରେ ଜୈବିକ ଭାବରେ ହିଁ ତାହା ଚାଲି ଆସିଥାଏ ?

ହାନ କ୍ୟାଂ :
ଅବିରାମ ଦିଇଟି କି ଗୋଟିଏ ବର୍ଷ ଲେଖା ଚଳାଇଯିବା କଠିନ କାମ। “ଇୟୋର କୋଲ୍ଡ ହାଣ୍ଡସ୍” (୨୦୧୨) ଲେଖିବାକୁ ମୋତେ ସବୁଠୁ କମ୍ ସମୟ ଲାଗିଛି, ଆନୁମାନିକ ବର୍ଷେ ଆଉ ଅନ୍ୟ ଗୋଟିଏ ପାଇଁ ସବୁଠାରୁ ବେଶି ସମୟ ଲାଗିଛି – ଚାରିବର୍ଷ । ପ୍ରତିଟି ଭିନ୍ନ ଧରଣର ଅଭିଜ୍ଞତା। ସବୁବେଳେ ମୋ ଭିତରେ ପ୍ରଶ୍ନର ଉଦଗୀରଣ ହେଉଛି !ଲେଖାଟି ଯେତେବେଳେ ଉପନ୍ୟାସ ହେବାକୁ  ଉଠି ବସୁଥାଏ ପ୍ରଶ୍ନର ଗୁରୁତ୍ୱ ବଦଳିବାକୁ ଲାଗେ। ଗୋଟିଏ ଉପନ୍ୟାସର ଭିତରେ ଯେଉଁ ପ୍ରଶ୍ନ ଝଲସି ଉଠେ ପ୍ରାୟତଃ ତାହାରି ଦ୍ୱାରା ଆରମ୍ଭ ହୁଏ ପରବର୍ତ୍ତୀ ଉପନ୍ୟାସ। ପ୍ରଶ୍ନ ଆଉ ଉପନ୍ୟାସର ଭିତରେ ଅନୁକ୍ଷଣ ମିଥକ୍ରିୟା ଚାଲୁ ରହିଥାଏ। ଯେମିତି “ଦି ଭେଜିଟାରିଆନ” ଉପନ୍ୟାସରେ ମୁଁ ମଣିଷର ସହିଂସତାକୁ ନେଇ ପ୍ରଶ୍ନ କରିଛି,ମଣିଷର ପରିପୂର୍ଣ୍ଣ ହେବାର ଶକ୍ତିକୁ ନେଇ ପ୍ରଶ୍ନ କରିଛି। ଆମର ସମସ୍ତଙ୍କ ପକ୍ଷରେ ଗଛ ଟିଏ ହେବା ସମ୍ଭବ ନୁହଁ। ଆମକୁ ବଞ୍ଚିରହିବାକୁ ହେବ। ଆମେ ଏପଳି ଗୋଟିଏ ସହିଂସତା ଭରା ପୃଥ୍ୱୀରେ କେଉଁପରି ବସବାସ କରିବା ? ଗ୍ଳୀକ୍ ଲେସନ୍ସରେ ଧରି ନିଆ ଯାଇଛି ପୃଥିବୀରେ ବସବାସ କରିବା ସମ୍ଭବ ,ଯେଉଁ କ୍ଷେତ୍ରରେ ମଣିଷର ପ୍ରକୃତିର ଉତ୍ସ କ’ଣ ହେବା ଉଚିତ ? ଉପନ୍ୟାସର ପ୍ରଧାନ ଚରିତ୍ର ଜଣେ ନାରୀ ସେ ତାହାର ପାପୁଲିର ତଳେ ଯେତେବେଳେ କିଛି ଲେଖିବାକୁ ଯାଏ ତାହାର ଆଙ୍ଗୁଳିର ନଖ ସାମାନ୍ୟ ଖଣ୍ଡିଆ ହୋଇଯାଏ। ଏଥିରେ ସେ କିଛି ଛାପ ରଖିଯାଇ ପାରେନା। ଅନ୍ୟ ଗୋଟିଏ ଦୃଶ୍ୟରେ ସେ ତାହାର ଦୁଇଟି ଯାକ ପାପୁଲିକୁ ଏକାଠି କରେ,ସେଇଠି ଗୋଟିଏ ଅର୍ଥବହ ଶବ୍ଦର ସୃଷ୍ଟି ହୋଇଥାଏ। ମୁଁ ଏପରି ଗୋଟିଏ ଅନୁଭୂତିର ସଞ୍ଚାର କରିବାକୁ ଚାହିଁଛି ,ଛୋଟ ଛୋଟ ଅନେକ ପଦାର୍ଥ ମଣିଷ ଗଢି ତୋଳିଥାଏ,ଏଇଠି ନିହିତ ଅର୍ଥବହତାର ଶକ୍ତି।

ପ୍ରଶ୍ନ :
ମୁଁ ଜାଣେ ଆପଣ ନିଜେ ହିଁ ଗୋଟିଏ ସମୟ ନିରାମିଷାଶୀ ଥିଲେ। ଆପଣଙ୍କ ଉପନ୍ୟାସ
“ଦି ଭେଜିଟାରିଆନ” ରେ ଏହାର କ’ଣ ଛାପ ପଡିଛି ?

ହାନ କ୍ୟାଂ :
ମୋର ବୟସ ଯେତେବେଳେ କୋଡିଏର ମଝାମଝି ମୁଁ ନିରାମିଷାଶୀ ହୋଇପଡିଥିଲି। ମୋ ଚାରିପଟର ସଭିଏଁ ସେତେବେଳେ ମୋତେ ମାଂସ ଖୁଆଇବେ ବୋଲି ବ୍ରତ ନେଇଥିଲେ। କୋରିଆନ୍ ସମାଜରେ ଏଇ ବ୍ୟାପାରଟି କେଉଁପରି ତାହା ଆପଣ ବୁଝି ପାରିବେ। ଏଇଟି ଗୋଟିଏ ସଂଘବଦ୍ଧ ସମାଜ । ମୁଁ ଯିଏ ବି ହେଉ ଜଣକର ପକ୍ଷରେ ଭିନ୍ନଭାବରେ ଖିଆପିଆ କରିବା ବଡ କଠିନ କାମ। ମୋର ଚିକିତ୍ସକ ଯେତେବେଳେ ମୋର ସ୍ୱାସ୍ଥ୍ୟକୁ ନେଇ ଉଦବିଗ୍ନ ହୋଇ ପଡିଲେ ଏବଂ ଅଳ୍ପ ଅଳ୍ପ କରି ମାଂସ ଖାଇବା  ଆରମ୍ଭ କରିବାକୁ କହିଲେ ,ମୋର ଖାଇବାର ଥାଳୀକୁ ମାଂସ ପୁଣି ଫେରି ଆସିଥିଲା।ମୋର ବ୍ୟକ୍ତିଗତ ଅଭିଜ୍ଞତାର ପ୍ରଭାବ ଅବଶ୍ୟ “ଦି ଭେଜିଟାରିଆନ” ରେ ରହିଛି।ମୁଁ ନିରାମିଷାଶୀ ହୋଇ ଯିବାରୁ ମୋ ଚାରିପଟର ସମସ୍ତଙ୍କର ଯାହା ପ୍ରତିକ୍ରିୟା ହୋଇଥିଲା ତାହା ବିଶେଷ ଭାବରେ କୌତୁହଳଦ୍ଦୀପକ। ଏଇଟା କିଛି ପରିମାଣରେ ଲଜ୍ଜାର ବ୍ୟାପାର ବି।

“ଦି ଭେଜିଟାରିଆନ” ଉପନ୍ୟାସର ଉତ୍ସ ମୋର ଗୋଟିଏ ଛୋଟଗଳ୍ପ “ଫ୍ରୁଟସ୍ ଅଫ ମାଇ ଓମେନ” (୨୦୦୦)। ଗଳ୍ପଟି ଯେତେବେଳେ ପ୍ରକାଶିତ ହୁଏ ( ପ୍ରସିଦ୍ଧ ସାହିତ୍ୟ ପତ୍ରିକା “ଗ୍ରାଣ୍ଟା” ରେ ଏଇଟି ପ୍ରକାଶିତ ହୋଇଥିଲା) ମୋର ବୟସ ସେତେବେଳକୁ ଛବିଶ ବର୍ଷ। ଗଳ୍ପର ଚରିତ୍ର ଜଣେ ପୁରୁଷ ଆଉ ଜଣେ ନାରୀ। ଦିନେ ଦିନକର କାମ ଶେଷ କରି ପୁରୁଷ ଯେତେବେଳେ ଘରକୁ ଫେରି ଆସେ ଦେଖେ ତାହାର ସ୍ତ୍ରୀ ଗୋଟିଏ ଗଛ ପାଲଟି ଯାଇଛି। ସେତେବେଳେ ସେ ତାହାକୁ ଗୋଟିଏ ଟବ୍ ରେ ସ୍ଥାପନ କରି ସେଥିରେ ପାଣି ଢାଳେ,ପରିଚର୍ଯ୍ୟା କରେ । ଋତୁବଦଳର ସହିତ ଗଛଟିର ଶକ୍ତ ବୀଜ ବିଛାଡି ପଡେ। ସ୍ୱାମୀ ଯେତେବେଳେ ବୀଜଗୁଡିକୁ ବାଲକୋନିକୁ ନେଇ ଯାଏ ସେ ଭାବେ ,ବସନ୍ତରେ ତାହାର ସ୍ତ୍ରୀ ଫୁଲ ଫୁଟାଇ ପାରିବ ତ ? ସବୁକିଛିକୁ ଏକାଠି ମିଶାଇ ଦେଖିଲେ ଗଳ୍ପଟି ସେମିତି ବିଷର୍ଣ୍ଣତାର ନୁହଁ । ଜାଦୁକରୀ। କିନ୍ତୁ ଗଳ୍ପଟି ଲେଖିବା ପରେ ମୁଁ ଭିନ୍ନ  ଗୋଟିଏ ପ୍ରେକ୍ଷାପଟରୁ ଗଳ୍ପଟିକୁ ଲେଖିବାକୁ ଚାହିଁଛି। ପ୍ରଥମ ପୃଷ୍ଠାରୁ “ଦି ଭେଜିଟାରିଆନ ” ଗୋଟିଏ ” ଡାର୍କ ” ଉପନ୍ୟାସ ଏବଂ ଭିନ୍ନ ଧରଣର।

ପ୍ରଶ୍ନ :
କୋରିଆର ସାହିତ୍ୟ-ବଜାର ସହିତ ମୋର ପରିଚିତି ନାହିଁ,ତେବେ ମୁଁ ଏଇଟି ବୁଝି ପାରିଛି,ନାରୀ-ପୁରୁଷ ନିର୍ବିଶେଷରେ ଲେଖକମାନଙ୍କୁ ଏକା ପ୍ରକାରର ମର୍ଯ୍ୟଦା ଦିଆ ହୋଇଥାଏ,ଯାହା ଅନେକ ଦେଶରେ ଏକ ଦୁର୍ବଳ ବ୍ୟାପାର। କୋରିଆରେ ଆଗେକାର ପରିସ୍ଥିତି ବଦଳିଯାଇଛି।ମୁଁ କ’ଣ ବିଷୟଟିକୁ ଠିକ୍ ଭାବରେ ଧରି ପାରିଛି ,ନା ଏ ପ୍ରସଂଗରେ ଆପଣଙ୍କର ଭିନ୍ନ କୌଣସି ବ୍ୟାଖ୍ୟା ରହିଛି ?

ହାନ କ୍ୟାଂ :
ଏହା ସତ୍ୟ,ତେବେ ଏହା ବେଶ୍ କୌତୁହଳଦ୍ଦୀପକ ବି। ନାରୀ ହୋଇଥିବା କାରଣରୁ ମୁଁ କେବେହେଲେ ଜଣେ ଲେଖକ ହିସାବରେ କୌଣସି ବୈଷମ୍ୟର ଶିକାର ହୋଇନାହିଁ। ଏଇଟା ହିଁ ସ୍ୱାଭାବିକ ହୋଇ ଆସିଛି ଏବଂ କୋରିଆ ତାହା ମାନି ନେଇଛି। ଏହାର ଗୋଟିଏ ବଡ କାରଣ ହେଉଛି,କୋରିଆରେ ମେଧାବୀ ନାରୀ-ଲେଖକଙ୍କର ସଂଖ୍ୟା ଅନେକ,ସେମାନଙ୍କୁ ବାଦ ଦେଲେ କୋରିଆର ସାହିତ୍ୟ ଜଗତ ଅତ୍ୟନ୍ତ ସଂକୁଚିତ ହୋଇ ପଡିବ। ଏ ବିଷୟରେ ମୁଁ ଆଗରୁ ଭାବିଛି ଆଉ ଦେଖିଛି,ଅଧିକାଂଶ ଦେଶର ତୁଳନାରେ ଲିଙ୍ଗ-ସାମ୍ୟର ପ୍ରଶ୍ନରେ କୋରିଆର ଅବସ୍ଥାନ ଅସ୍ୱାଭାବିକ ଭାବରେ ଉନ୍ନତ ,ଆଉ ଏହାହିଁ କୋରିଆନ୍ ସାହିତ୍ୟର ଗୋଟିଏ ବଡ ଶକ୍ତି। ତେବେ ଶିଳ୍ପର ଅନ୍ୟାନ୍ୟ ପରିସରରେ ପରିସ୍ଥିତି ଭିନ୍ନ। ଯେମିତି ସ୍ଥାନୀୟ ଚଳଚ୍ଚିତ୍ର ଶିଳ୍ପ ଅତ୍ୟନ୍ତ ରକ୍ଷଣଶୀଳ। ପୁରୁଷ ଚିତ୍ର ପରିଚାଳକମାନେ ହିଁ କୋରିଆନ୍  ଚଳଚ୍ଚିତ୍ର ଶିଳ୍ପର ପ୍ରାୟ ପୂରାଟିକୁ ନିଜର ଦଖଲରେ ରଖିଛନ୍ତି। ଏହାକୁ ନେଇ  ଭାବିବାର ଅଛି।

°°°°

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →

One Comment on “ସାହିତ୍ୟରେ ନୋବେଲ ବିଜୟିନୀ ହାନ କ୍ୟାଂ ଙ୍କର ଏକ ବିଶେଷ ସାକ୍ଷାତକାର”

Comments are closed.