ମୂଳ ଲେଖା : ଜୟନ୍ତ ମହାପାତ୍ର || ଅନୁବାଦ : ଜ୍ୟୋତି ନନ୍ଦ
ଆଉ ଦିନକର ଅପେକ୍ଷା, ଆମର
କବିମାନଙ୍କୁ ଖୋଜି ଲୋଡି ଆଉ ସେମାନେ ସଭିଏଁ
ଅବିକା କ’ଣ କହିବେ ଆମ ସଂପର୍କରେ। ବଡ କଷ୍ଟ ବୋଲି ହୁଏତ
ସେମାନେ ରହିଥିବେ ଭିତର ଘରେ ,ହେଲେ କେବେବି
ଏଯାଏଁ କିଳି ଦେଇନଥିବେ ସେମାନଙ୍କର ସ୍ୱରର କବାଟ।
ତଥାପି ଈଶ୍ୱର ନିର୍ଦ୍ଦୟ ବୋଲି ଆମର ଭାବିବାର ନାହିଁ।
ବାହାରେ ରାସ୍ତା,ଉଲଗ୍ନ ବିଷର୍ଣ୍ଣ ଗୋଧୂଳୀ।
ଆଉ ଟିକିଏ କ୍ଳାନ୍ତ ,ମନ୍ତ୍ରୀ ଜଣକ
ଯାହାଙ୍କୁ ଅବଶେଷରେ ଇସ୍ତଫା ପ୍ରଦାନ କରିବାକୁ ହେବ।
ମଳିଛିଆ ଆଲୁଅରେ ,ଅହମିକା ତାଙ୍କର ବସିଅଛି
ଚୁପଚାପ ଏଇ ଚେୟାର୍ ଉପରେ, ତାହାର ଚାରିପଟଯାକ
ପଞ୍ଚବାର୍ଷିକ ଯୋଜନାମାନଙ୍କର ଦେହରେ ଗୁନ୍ଥା, ସେମାନଙ୍କର ମୁହଁ ସବୁ ଖୋଲା ରହିଛି ଆକାଶ ପଟକୁ।
ଭୋଟଭାଟ ଶେଷ,ଗାଆଁକୁ ଛାଇଯାଇଛି ଛାଇ।
ମୋ ବାପାଙ୍କୁ ଜୀବନ ତେଜ୍ୟା କରିବାକୁ ଲାଗିଗଲା ଲମ୍ବା ଚାରିଟି ବର୍ଷ
ପଡିରହିଥିଲେ ଶେଜର ଧାରରେ ସେ ପିଠିସାରା ଖାଲି ବେଡସୋର୍ ।
ମୋ ମାଆ ଯାଇ ତାଙ୍କୁ ଦେଖେ ,ନିଜର ବଟିକାକୁ ଥପ୍ କରି ଢୋକିନିଏ
ଆଉ ଅସୁଖର ବାହାନା କରେ ; ଏଇଟି ଯେ କେବଳ
ତାହାର ନିଜର ବଞ୍ଚିରହିବାର ସମର୍ଥନରେ କଥା ବୋଲି କଥା।
ମରଣ କେବେହେଲେ ଏତିକି ସରଳ ନୁହଁ।
ଉଭୟେ ଜାଣନ୍ତି ସେମାନେ ଅବିକା ପଡି ରହିଛନ୍ତି;
କେହି କାହାଠାରୁ ଫେରାଇ ନେଇପାରୁନାହାଁନ୍ତି ନିଜ ନିଜର ଆଖିଗୁଡିକୁ ।
ହୁଏତ ଆମେମାନେ ଏକଥା ବୁଝୁ,ମୋର ସାଙ୍ଗମାନେ:
ଯେ ଯେଉଁ ଜୀବନକୁ ତମେ ମୋତେ ଡାକୁଛ ତାହା ତମର ଜୀବନ।
ଆଜି ରାତିରେ,ରାଜନେତା ଜଣକ ପାଲଟାଇ ଦେଇପାରନ୍ତି
ଦେଶକୁ ନିଜର କ୍ଷମତା ବଳରେ ।
ତାଙ୍କର ମୁହଁ ଯଥେଷ୍ଟ ସଂଜତ ଥିବ।
ଆଉ ଆସନ୍ତା କାଲି,ଷାଠିଏ ହଜାର ପିଲା
ପୁଣିଥରେ ଭୋକରେ ରହିବାକୁ ଯିବେ।
କବିମାନେ ସେମାନଙ୍କର ନିୟମିତ ଚା’ ପାନ କରୁଥିବେ ନିର୍ବୋଧ ଭଳି ଦେଖାଯାଉଥିବା କାଫେରେ,
ଅଥବା ଝୁଲୁଥିବେ କେଉଁ ଅଜଣା କ୍ଷେତରେ
ଯେମିତି କେଉଁ ଏକ ଭାରାକ୍ରାନ୍ତ ପାଳଭୂତ।
ମୋ ପଡୋଶିନୀର ସାନ ଝିଅ କହେ
ସେ ବୁଝିପାରୁନାହିଁ ଜମା କାହିଁକି
ବତାସ କଇଁକଇଁ ହୋଇ କାନ୍ଦୁଥାଏ ଟେଲିଫୋନ ତାରର ଭିତରେ;
ଆଉ ସେଇଠି, ତାରାମାନଙ୍କୁ ବି କେମିତି ତାହା
ଥୁରୁ ଥୁରୁ କରି ଏମିତି କଂପିବାକୁ ଦେଉଥାଏ !
ଜଣେ ଜାଣେନାହିଁ ଏହାର ଉତ୍ତର କ’ଣ ।
ସମସ୍ୟା କ’ଣ ସତରେ ଉଭାନ ହୋଇଯିବ
ଯଦି ଜଣେ ତାହାକୁ ନେଇଯାଏ ମଣିଷର ଆୟତ୍ତର ବାହାରକୁ ସିଧା ? ଆରପଟେ
ଇଲାକାରେ,ମନେହୁଏ ଅନ୍ଧକାର ସକ୍ରିୟ ଅଛି।
ସମୟ,ଆମର ସବୁଠାରୁ ସମର୍ଥ ସମ୍ପଦ,ରକ୍ତ ଝରାଏ।
ପାଟିକୁ ଲୁଣିଆ ଲାଗେ,ଜିଭକୁ ଅରୁଚି।
ଆମର କବିତାମାନେ ନିଜନିଜର ମୁହଁକୁ ବୁଲାଇ ନେଉଥାନ୍ତି ଥରେ ବାଆଁକୁ ତ ଥରେ ଡାହାଣକୁ,ଆଉ ତାହାପରେ ସେଇଠି ଅଟକି ଯାଆନ୍ତି
ପ୍ରତ୍ୟାଶାର ଆଜ୍ଞାବହ ବିଭ୍ରାନ୍ତି ରହିଛି ଯେଉଁଠି।
ଏବଂ ସବୁଦିନର ସେ ପ୍ରତୀକ୍ଷା,ଏକଶତ ବର୍ଷ ପରେ ଏହାଠାରୁ
କବିତା ତଥାପି ଆମୋଦରେ ଥିବ,
ଲୁଚାଇ ରଖିଥିବ ତାହାର ଯାବତୀୟ ନପୁଂସକ ଦ୍ୱେଷ
ତାହା ପାଇଁ ପୃଥିବୀରେ ଯାହାର ଆଉ ପୁନର୍ଜୀବନ ଲଭିବାର ନାହିଁ।
ଏଇଠି ମୁଁ ,ମୋର ସ୍ୱାଧୀନତା ମୋତେ ଟିହାଉଥାଏ ବାରଂବାର ,ସ୍ନେହ,ସମର୍ପଣ
ନିଜପରି ଆଉ କାହାକୁ ଲୋଡା,ସେଇ ବାସ୍ନା
ଅନୀତାର କାଖତଳର ,ନାରୀ ଶରୀରର ବର୍ତ୍ତୃଳ ଉତ୍ତେଜନା,ମଧ୍ୟଯୁଗୀୟ,ରାଜରାଣୀ ଦେଉଳରେ।
ବାହାରେ,ଘୁଞ୍ଚାଯାଇ ପାରୁନଥିବା ପାଚେରୀ ଉପରେ,
ଗୋଟିଏ କଜଳପାତି ଏଇତ ଗୀତ ଗାଇବା ଆରମ୍ଭ କରିଛି ,ତୀକ୍ଷ୍ଣ ଗଳାରେ, ଜିଦଖୋର ଭାରି।
କାହିଁକି କଠିନ ହୁଏ ବୁଝିଯିବା ପାଇଁ ଯେ ଦିନେ
ତମେ ନିରର୍ଥବାଚକ ହୋଇଯିବ ? ଯେ ଜଣେ
କାହିଁକି ଖାସ୍ ନିଜ ପାଇଁ ବଞ୍ଚିରହି ପାରୁନାହିଁ ?
ମୋଇ ଇଚ୍ଛା କିଏ ଜଣେ ଯାଇ କହିଦିଅନ୍ତା ପୁଅକୁ ମୋର
ଯେ ଯେତେବେଳେ ମୋର ମୃତ୍ୟୁହେଲା ,ମୁଁ ମରିବାକୁ ଯାଇଥିଲି ସାହସର ସହ।
ହେଲେ, ନା,ସେଇଥି ପାଇଁ ଅନ୍ୟଥା କିଛି ଅସଲ କାରଣ ତ ନାହିଁ ।
କେଉଁଠି ନା କେଉଁଠି ଦୁଆରଟିଏ ରହିଥାଏ ସବୁବେଳ ପାଇଁ ଖୋଲା।
ଗଛମାନେ ନିଜର ଯାଗାରୁ ଟଳନ୍ତି ନାହିଁ,
ତଥାପି ବସନ୍ତ ଆସେ ଡାଳପତ୍ରରେ ସେମାନଙ୍କର।
ଭାରତର ଶେତା ମୁହଁ
ଧରି ରଖିଥାଏ କବିର ମୂକ ଆଉ ଏକେଲା ଆଖିହଳକୁ
ଯିଏ ଏବେ ଏକାକୀ ମରଣ ବରଣ କରିଛି
ଜୀବନର ଚଳମାନ ନିରାକୃତି ଯାହାକୁ କହିବାକୁ ଦେଇନାହିଁ ପଦଟିଏ କିଛି।
°°°°°
ଆଜି ଅର୍ଥାତ୍ ୨୨ ଅକ୍ଟୋବର ୧୯୨୮ ରେ ଆପଣଙ୍କ ଜନ୍ମ।ଏଇଠି ଥିଲେ ଆଜି ଆପଣଙ୍କୁ ଛୟାନବେ ବର୍ଷ ପୁରି ଯାଇଥାନ୍ତା।
ଗଙ୍ଗାପାଣିରେ ଗଙ୍ଗାପୂଜା ପରି ଆପଣଙ୍କ କବିତାର ଅନୁସୃଜନରେ ଆପଣଙ୍କୁ ପ୍ରଣାମ।
ଆପଣ ଆମର ସ୍ମରଣରେ ଅଛନ୍ତି ସାର୍।