ବିଶିଷ୍ଟ ଶିକ୍ଷାବିତ୍, ଲେଖକ ଓ ସମାଜସେବୀ ପ୍ରତିମା ଦେବୀଙ୍କ ସ୍ମୃତିରେ ଗଠିତ ପ୍ରତିମା ଫାଉଣ୍ଡେସନ୍ ତରଫରୁ ଆଜି ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଦ୍ୱିତୀୟ “ପ୍ରତିମା ପୁରସ୍କାର ଉତ୍ସବ ଓ ସ୍ମାରକୀ ବକ୍ତୃତା୨୦୨୪’ ମହା ସମାରୋହରେ ପାଳିତ ହୋଇଯାଇଛି ।
ଏହି ଅବସରରେ ବିଶିଷ୍ଟ ସମାଜସେବୀ, ଶିକ୍ଷାକର୍ମୀ ଓ ଶିକ୍ଷାସନ୍ଧାନର ସଦସ୍ୟ ସମ୍ପାଦକ ଶ୍ରୀଯୁକ୍ତ ଅନୀଲ ପ୍ରଧାନଙ୍କୁ ଆଦିବାସୀ ପିଲାଙ୍କ ଶିକ୍ଷା କ୍ଷେତ୍ରରେ ତାଙ୍କର ମହତ୍ୱପୂର୍ଣ୍ଣ ଅବଦାନ ପାଇଁ ଦ୍ୱିତୀୟ “ପ୍ରତିମା ଶିକ୍ଷା ସମ୍ମାନ ୨୦୨୪’ ଓ ବିଶିଷ୍ଟ ପଟଚିତ୍ର ଶିଳ୍ପୀ ଶିଳ୍ପୀଗୁରୁ ବିଜୟ କୁମାର ପରିଡ଼ାଙ୍କୁ ପାରମ୍ପରିକ କଳା କ୍ଷେତ୍ରକୁ ଅବଦାନ ପାଇଁ ଦ୍ୱିତୀୟ “ପ୍ରତିମା ଶିଳ୍ପୀ ସମ୍ମାନ ୨୦୨୪’ ଦେଇ ସମ୍ମାନୀତ କରାଯାଇଛି । ଅତିଥିମାନେ ସମ୍ମାନୀତ ପ୍ରତିଭାମାନଙ୍କୁ ଫଳକ, ମାନପତ୍ର, ଉତ୍ତରୀୟ ଏବଂ ୫୦୦୦ ଟଙ୍କା ଲେଖାଏଁ ପୁରସ୍କାର ରାଶି ଦେଇ ସମ୍ବର୍ଦ୍ଧିତ କରିଛନ୍ତି ।
ବରିଷ୍ଟ କବି ଓ ସାମ୍ବାଦିକ କେଦାର ମିଶ୍ରଙ୍କ ସଭାପତିତ୍ୱରେ ହୋଇଥିବା ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବରେ “କଥା’ ପତ୍ରିକାର ସମ୍ପାଦକ ତଥା ପ୍ରଖ୍ୟାତ ଲେଖକ ଡ. ଗୌରହରି ଦାସ ଯୋଗ ଦେଇ ସମାଜରେ ଶିକ୍ଷା ଓ ପ୍ରତିମା ଦେବୀଙ୍କ ପରି ଶିକ୍ଷକର ଭୂମିକା ଏବଂ ପାରମ୍ପରିକ କଳାକୁ ବଞ୍ଚାଇ ରଖିବାର ଆବଶ୍ୟକତା ସମ୍ପର୍କରେ ବିଶଦ ଭାବରେ ଆଲୋଚନା କହିଥିଲେ ।
ଓଡିଶାରେ ବିକଳ୍ପ ଶିକ୍ଷାର ପରିସରକୁ ନେଇ ମୁଖ୍ୟବକ୍ତା ଯୁବ ଲେଖକ ଓ ଗେବେଷକ ଡ. ଶୈଲେନ ରାଉତରାୟ ଦ୍ୱିତୀୟ ପ୍ରତିମା ସ୍ମାରକୀ ବକ୍ତୃତା ପ୍ରଦାନ କରିଥିଲେ । ସ୍ମାରକୀ ବକ୍ତୃତାର ଶୀର୍ଷକ ଥିଲା “”କାହାକୁ ପୁଚ୍ଛିବା କୁହ? ଜୀବନ ବିଦ୍ୟାଳୟ ଓ ଓଡିଶାରେ ଶିକ୍ଷାର ସମ୍ଭାବନା’’ । ସେ ଚିତ୍ତରଞ୍ଜ ଦାସଙ୍କ ଜୀବନ ବିଦ୍ୟାଳୟ, ବିକଳ୍ପ ଶିକ୍ଷା ଆଦି ସମ୍ପର୍କରେ ଆଲୋକପାତ୍ କରିବା ସହ ପ୍ରତିମା ଦେବୀଙ୍କ ପରି ଜଣେ ଶିକ୍ଷକଙ୍କର ଭୂମିକା କିପରି ଏବେକାର ସମୟରେ ଖୁବ୍ ଜରୁରୀ ସେ ସମ୍ପର୍କରେ କହିଥିଲେ ।
ଉତ୍ସବର ସଂଯୋଜନା କରୁଥିଲେ ପ୍ରସିଦ୍ଧ ଚଳଚ୍ଚିତ୍ର ଅଭିନେତ୍ରୀ ମଧୁମିତା ମହାନ୍ତି । ଫାଉଣ୍ଡେସନ୍ର ମ୍ୟାନେଜିଂ ଟ୍ରଷ୍ଟି ସୁମିତ୍ରା ପାଢ଼ୀ ସଂଗଠନର ଉଦ୍ଦେଶ୍ୟ ଓ ପ୍ରତିମା ଦେବୀଙ୍କ ଜୀବନ ସମ୍ପର୍କରେ ସୂଚନା ଦେବା ସହ ପ୍ରତି ବର୍ଷ ମଇ ଚାରି ତାରିଖ ଦିନ ପ୍ରତିମା ଦେବୀଙ୍କ ଜନ୍ମ ଦିବସରେ ଏହି ପୁରସ୍କାର ଉତ୍ସବ ଜାରି ରହିବ ବୋଲି ଗଣମାଧ୍ୟମକୁ ଜଣାଇଥିଲେ । ସର୍ବଶେଷରେ ବିଶିଷ୍ଟ କବି ଓ ସ୍ତମ୍ଭକାର ପବିତ୍ର ମୋହନ କର ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ । ଉତ୍ସବରେ ବହୁ ସଂଖ୍ୟାରେ ଭୁବନେଶ୍ୱର ଓ ଭୁବନେଶ୍ୱର ବାହାରୁ ସାହିତ୍ୟିକ, ଶିକ୍ଷାକର୍ମୀ ଓ କଳାକାରମାନେ ଯୋଗଦେଇ କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ ।