ମୂଳ ଲେଖା : ଲୁଇଜି ପିରାନଦେଲୋ || ଅନୁବାଦ : ଜ୍ୟୋତି ନନ୍ଦ
ଯେଉଁ ମାନେ ରୋମ୍ ରୁ ନାଇଟ ଏକ୍ସପ୍ରେସ ଧରିଥାନ୍ତି ସେଇ ଯାତ୍ରୀମାନଙ୍କ ପାଇଁ ଗାଡିର ରହଣୀ କହିବାକୁ ଗଲେ ସିଧା ଭୋର୍ ବେଳକୁ ହେବ,ଗୋଟିଏ ଛୋଟିଆ ଷ୍ଟେସନ ସେଇଟି,ନାଆଁ ଫାବ୍ରିଆନୋ,ତାହାପରେ ସେଇଠୁ ସେମାନେ ନିଜର ଯାତ୍ରା ଜାରି ରଖିବେ ଆଉ ଗୋଟିଏ ପୁରୁଣାକାଳିଆ ଲୋକାଲ୍ ରେ ଆଉ ସେଇଟି ଯାଇ ସୁଲମୋନାଠାରେ ହିଁ ମୁଖ୍ୟ ରେଳଲାଇନ ସହିତ ମିଶିବ।
ଭୋର୍ ହେଲା ବେଳକୁ ରୁଦ୍ଧ ଆଉ ଧୂଆଁଳିଆ ଦ୍ୱିତୀୟ ଶ୍ରେଣୀର ଗୋଟିଏ ଭିଡଭାଡ ଥିବା ବଗିର ଭିତରେ ପାଞ୍ଚଜଣ ଯାତ୍ରୀ ସାରାଟି ରାତି ବିତାଇସାରିଥିଲେ,ସେମାନଙ୍କ ଭିତରେ ଥିଲା ଜଣେ ପୃଥୁଳା ମହିଳା ଯିଏ ଅନବରତ କାନ୍ଦି ଚାଲିଥିଲା,ହେଲେ ତାହା ପ୍ରତି କାହାର ସେମିତି ଦୃଷ୍ଟି ପଡୁନଥିଲା,ଲାଗୁଥିଲା ସମସ୍ତଙ୍କ ପାଇଁ ଯେମିତି ତାହାର କୌଣସି ଅସ୍ତିତ୍ୱ ନାହିଁ। ତାହାର ପଛରେ ଛିଡାହୋଇଥିଲା ତାହାର ସ୍ୱାମୀ। ସେ ଧଇଁସଇଁ ହେଉଥାଏ କୋହରେ। ତାହାର ସ୍ୱାମୀକୁ ପଛକରି ବସିଥିଲା ଉଚ୍ଚତାରେ କ୍ଷୁଦ୍ର ହେବ ସେପରି ଜଣେ ଲୋକ,ଭାରି ଦୁର୍ବଳ ,ତାହାର ମୁହଁଟି ଯେମିତି ମଲା ଲୋକର ମୁହଁ ପରି ଶେତା,ତାହାର ଆଖି ଦୁଇଟି ଛୋଟ ଆଉ ଉଜ୍ଜଳ,ଚାରିଆଡକୁ ସେ ଲାଜଲାଜ ହୋଇ ଦେଖୁଥାଏ,ଆଉ ସେଇ ଚାହାଁଣୀଟି ଭାରି ଅସହଜ।
ଶେଷରେ ଖଣ୍ଡିଏ ସିଟ୍ ପାଇଗଲା ପରେ ସ୍ୱାମୀଜଣକ ଅତ୍ୟନ୍ତ ଭଦ୍ର ଭାବରେ ସହଯାତ୍ରୀ ମାନଙ୍କୁ ଧନ୍ୟବାଦ ଜଣାଇଥିଲା,ଖାସ୍ ସେଇମାନଙ୍କର ସହାୟତା ଯୋଗୁ ସେ ଆଉ ତାହାର ପତ୍ନୀ ବସିବା ପାଇଁ ଖଣ୍ଡିଏ ଜାଗା ପାଇଯାଇଛନ୍ତି,ତାହାପରେ ନିଜର କୋଟ୍ ର କାଲରକୁ ଟିକିଏ ସଜାଡି ନେଇ ସେ ତାହାର ପତ୍ନୀ ଆଡକୁ ମୁହଁ ବୁଲାଇ ଅତି ଧୀର ଗଳାରେ ପଚାରିଥିଲା:
“ତମର ଆଉ କିଛି ଅସୁବିଧା ନାହିଁ ତ ?”
କୌଣସି ଉତ୍ତର ଦେବା ପରିବର୍ତ୍ତେ ତାହାର ପତ୍ନୀ ନିଜର ଓଭର କୋଟ୍ ର କାଲର ଟିକୁ ଉପରକୁ ଉଠାଇ ତାହାର ଆଖିକୁ ଲୁଚାଇ ଦେଇଥିଲା,ତେଣୁ ତାହାର ମୁହଁଟି ବି ଆଦୌ ଦିଶୁନଥାଏ।
“ଧେତ୍ ତେରି ଏ ଦୁନିଆ” ମନକୁ ମନ ଗୁଣୁଗୁଣୁ ହେଲା ସ୍ୱାମୀଟି,ମୁହଁରେ ତା’ର ଶୁଖିଲା ହସ।
ଆଉ ଏଇ ବିଚରା ସ୍ୱାମୀଟି ମନେ କରିଥିଲା ଯେ,ସେ ତାହାର ଏଇ ସହଯାତ୍ରୀମାନଙ୍କୁ ଅନ୍ତତଃ ଏବେ ଜଣାଇଦେବା ଉଚିତ ହେବ ଯେ ଏଇ ବିଚାରୀଟିର ଗୋଟିଏ ବୋଲି ପୁଅକୁ ଯୁଦ୍ଧ ତାହାଠାରୁ ଅପହରଣ କରି ନେଉଛି,ପୁଅଟିର ବୟସ କୋଡିଏ ହେବ,ବାପମାଆଙ୍କର ଗୋଟିଏ ବୋଲି ମାଣିକ ସେ,ଉଭୟେ ସବୁବେଳେ ତା’ ପଛେ ପଛେ ଯେମିତି ଚାଲିଛନ୍ତି ,ଏପରିକି ସୁଲୋମନାରେ ଥିବା ଘରକୁ ଛାଡି ଖାସ୍ ତାହାରି ପାଇଁ ସେମାନେ ଯାଇ ରୋମ୍ ରେ ଠାଆ ବାନ୍ଧିଛନ୍ତି, ସେଇଠି ପୁଅଟିର ପଢାପଢି ଚାଲିଥିଲା,ଆଉ ତାହାପରେ ଯୁଦ୍ଧରେ ଜଣେ ସ୍ୱେଚ୍ଛାସେବକ ହୋଇ କାମ କରିବାକୁ ସେ ନିଜର ଇଚ୍ଛା ସାବ୍ୟସ୍ତ କରେ ଏଇ ସର୍ତ୍ତରେ ଯେ,ପ୍ରଥମ ଛଅମାସ ତାହାକୁ ଯୁଦ୍ଧର କୌଣସି ଫ୍ରଣ୍ଟକୁ ପଠାଯିବ ନାହିଁ,ହେଲେ ହଠାତ୍ ଗୋଟିଏ ତାର ମିଳିଲା ଆଉ ସେଥିରେ ଲେଖା ଥିଲା ଯେ,ତାହାକୁ ତିନିଦିନ ଭିତରେ ଜାଗା ଛାଡିବାକୁ ହେବ,ଆଉ ଏଇ ମାତାପିତାଙ୍କୁ ସୂଚନା ଦିଆଯାଇଥିଲା ଯେ ସେମାନେ ଉପସ୍ଥିତ ରହି ନିଜର ପୁଅକୁ ଯୁଦ୍ଧର ଫ୍ରଣ୍ଟକୁ ଯେମିତି ବିଦାୟ ଜଣାନ୍ତି।

ମହିଳା ଜଣକ ଦେହଠାରୁ ମୁଣ୍ଡଯାଏଁ ପୂରା କୋଟଟିର ଭିତରେ ରହି ଛାଟିପିଟି ହେଉଛି,ଗଁ ଗଁ ହେଉଛି,ଯେମିତି ଗୋଟିଏ ବଣୁଆ ଜନ୍ତୁ,ସେ ନିଶ୍ଚିତ ଯେ ଏତେସବୁ ବ୍ୟାଖ୍ୟା କାମେରା ଟିର ଭିତରେ ଉପସ୍ଥିତ ଥିବା ଲୋକମାନଙ୍କ ଭିତରେ ଟିକିଏ ବୋଲି ସମବେଦନା ଜାଗ୍ରତ କରିବ ନାହିଁ,କିଏ ଜାଣେ ହୁଏତ ସେମାନେ ସବୁ ଠିକ୍ ତା’ଭଳି ସମାନ ବେଦନାକୁ ଭୋଗୁଛନ୍ତି। ତାଙ୍କ ଭିତରୁ ଜଣେ ,ଯିଏ ସ୍ୱାମୀଟିର କଥାକୁ ମନଯୋଗ ସହକାରେ ଶୁଣୁଥିଲା ,କହିଲା :
“ତମର ଈଶ୍ୱରଙ୍କୁ ଧନ୍ୟବାଦ ଦେବା ଉଚିତ ହେବ।ତମର ପୁଅ ତ ଏବେ ଖାଲି ଫ୍ରଣ୍ଟକୁ ଯାଉଛି। ମୋର ପିଲାଟା ତ ସେଇଠେ ପ୍ରଥମ ଦିନରୁ ରହିଛି। ଏହା ଭିତରେ ଦିଥର ଖଣ୍ଡିଆଖାବରା ହୋଇ ଘରକୁ ଫେରିଥିଲା,ହେଲେ ତାହାକୁ ପୁଣି ଫ୍ରଣ୍ଟକୁ ଯିବାକୁ ପଡିଛି।”
“ଆଉ ମୋ କଥା? ମୋର ଦୁଇ ପୁଅ ଆଉ ତିନିଜଣ ପୁତୁରା ଫ୍ରଣ୍ଟରେ ଅଛନ୍ତି ” ଆଉ ଜଣେ ସହଯାତ୍ରୀ କହିଥିଲା।
“ଏମିତି ହୋଇଥିବ,ହେଲେ ଆମ କ୍ଷେତ୍ରରେ,ସେ ତ ଆମର ଗୋଟିଏ ବୋଲି ପୁଅ ” ସ୍ୱାମୀଜଣକ ଟିକିଏ ସାହସ ବାନ୍ଧି କହେ।
“ସେଥିରେ ଫରକ କ’ଣ ? ତମେ ତମର ଏକୋଇର ବଳା ପ୍ରତି ଅଧିକ ଆଦରଯତ୍ନ କରି ତାହାକୁ ନଷ୍ଟ କରିଦେଇ ଥାନ୍ତ,ତମର ଯଦି ଅଧିକ ପିଲା ଥାଆନ୍ତେ ତମେ ତା’କୁ ସେତିକି ପରିମାଣରେ ଭଲ ପାଇପାରିନଥାନ୍ତ। ବାତ୍ସଲ୍ୟ ପ୍ରେମ ଅସଲରେ ପଟେ ରୁଟି ନୁହଁ ଯେ ତମେ ତାହାକୁ ଛିଣ୍ଡାଇ ତମର ପିଲାମାନଙ୍କ ଭିତରେ ସମାନ ସମାନ ଟୁକୁରାରେ ବାଣ୍ଟିବସିବ। ପ୍ରତ୍ୟେକ ବାପ ତାହାର ସମସ୍ତ ପ୍ରେମକୁ ବିନା ବାଛବିଚାରରେ ତାହାର ସବୁ ପିଲାଙ୍କୁ ପ୍ରଦାନ କରିଥାଏ,ସେମାନେ ଜଣେ ହୁଅନ୍ତୁ କି ଦଶଜଣ ,ଆଉ ଯଦି ମୁଁ ମୋର ଫ୍ରଣ୍ଟରେ ଥିବା ସେଇ ଦିଇଟିଯାକ ପିଲାଙ୍କ ପାଇଁ କଷ୍ଟ ଭୋଗୁଛି,ମୁଁ ସେତେବେଳେ ପ୍ରତି ଜଣକପାଇଁ ଅଧା ଅଧା କଷ୍ଟ ଭୋଗୁନାହିଁ ମାତ୍ର ଦ୍ୱିଗୁଣର କଷ୍ଟ…”
“ସତ ..ସତ..” ଟିକିଏ ଅପ୍ରସ୍ତୁତ ହୋଇ ସ୍ୱାମୀ ଜଣକ ଦୀର୍ଘଶ୍ୱାସ ଛାଡେ।”ହେଲେ ଧରାଯାଉ (ଯଦିଓ ଏହା ତମର କଥା କଦାପି ନୁହଁ) ଜଣେ ବାପର ଦୁଇଟି ଯାକ ପିଲା ଫ୍ରଣ୍ଟରେ ମୁତୟନ ଅଛନ୍ତି ଆଉ ଈଶ୍ୱର ନକରନ୍ତୁ ସେଥିରୁ ଗୋଟିଏ ଯଦି ଯୁଦ୍ଧରେ ଶହୀଦ ହୋଇଯାଏ,ସେତେବେଳେ ତାହାକୁ ସାନ୍ତ୍ୱନା ଦେବା ପାଇଁ ତା’ପାଖରେ ଅନ୍ତତଃ ତ ଜଣେ ରହିଥିବ .. ଯେତେବେଳେ…”
” ହଁ” ସେ ଲୋକଜଣକ ଉତ୍ତର ଦିଏ,ଟିକିଏ ମୁକାବିଲା କଲା ଭଳି,” ଗୋଟିଏ ପୁଅ ଚାଲିଯାଇଛି ସତ ହେଲେ ତାହାକୁ ସାନ୍ତ୍ୱନା ଦେବାପାଇଁ ଗୋଟିଏ ପୁଅ ଜୀବିତ ରହିଛି ଆଉ ସେଇ ପୁଅଟି ପାଇଁ ବିଚାରା ବାପ ବଞ୍ଚିରହୁଛି ,
ଯେତେବେଳେ କି ଗୋଟିଏ ପୁଅ ଥିବା ବାପ ତାହାର ପିଲାଟି ଯୁଦ୍ଧରେ ଚାଲିଗଲେ ସେ ମରଣକୁ ଆପେ ବରିନେଇ ତାହାର ସମସ୍ତ କଷ୍ଟକୁ ନିଜେ ଲାଘବ କରିପାରିବ । ଏଇ ଦୁଇଟି ପରିସ୍ଥିତିରେ କେଉଁଟି ଅଧିକ ଖରାପ ? ତମେ କ’ଣ ଦେଖିପାରୁନ ଯେ ତମ ଅପେକ୍ଷା ମୋର ଅବସ୍ଥା ଆହୁରି ଦୟନୀୟ ?”
“ଏହାର କିଛି ଅର୍ଥ ନାହିଁ” ଆଉ ଜଣେ ସହଯାତ୍ରୀ ସେଇ କଥାରେ ବାଧା ଦିଏ। ସେଇ ଲୋକଟିର ସ୍ୱାସ୍ଥ୍ୟ ଭଲ,ଶେତାମୁହଁରେ ରଡନିଆଁ ଭଳି ଜଳୁଛି ତାହାର ଦୁଇଟିଯାକ ଆଖି।
ସେ ଧଇଁସଇଁ ହେଉଥିଲା। ତାହାର ଆଗକୁ ଯେମିତି ବାହାରି ଆସିଥିବା ଆଖି ହଳକ ରେ ଜଳଜଳ କରୁଛି ଭିତରର ଅସୁମାରୀ ଶକ୍ତିରେ ଭରପୁର ଅନିୟନ୍ତ୍ରୀତ ହିଂସ୍ର ପଣ,ଯାହାକୁ ତାହାର ଶରୀର ନିଜର ଆୟତ୍ତରେ ରଖିପାରୁନଥାଏ।
“ଏହାର କିଛି ଅର୍ଥ ନାହିଁ” ସେ ପୁନରାବୃତ୍ତି କରେ,ଚେଷ୍ଟାକରୁଥାଏ ହାତରେ ନିଜର ମୁହଁଟିକୁ ଲୁଚାଇଦେବା ପାଇଁ ଯେପରିକି କେହି ତାହାର ସାମ୍ନାର ଛାମୁଦାନ୍ତରୁ ଦୁଇଟି ନଥିବା ଫାଙ୍କା ଜାଗାଟିର କଥା କେହି ଜାଣିପାରିବେ ନାହିଁ। “ଏହାର କିଛି ଅର୍ଥ ନାହିଁ,ଆମେ କ’ଣ ଆମର ନିଜ ସ୍ୱାର୍ଥ ପାଇଁ ପିଲାଙ୍କୁ ଲାଳନ ପାଳନ କରୁଛୁ ?”
ଅନ୍ୟ ଜଣେ ସହଯାତ୍ରୀ ତାହାର ମୁହଁକୁ ବଲବଲ କରି ଚାହେଁ। ସେ ହେଉଛି ସେଇ ଜଣକ ଯାହାର ପୁଅଟି ପ୍ରଥମ ଦିନରୁ ଯୁଦ୍ଧର ଫ୍ରଣ୍ଟରେ ରହିଛି,ସେ ଗୋଟିଏ ଦୀର୍ଘଶ୍ୱାସ ଛାଡେ :” ତମେ ଠିକ କହିଛ। ଆମର ପିଲାଏ ଆମର ନୁହଁନ୍ତି,ସେମାନେ ଦେଶର ସନ୍ତାନ..”।
“ରଖ ସେ କଥା”ସେଇ ପୃଥୁଳକାୟ ସହଯାତ୍ରୀ ଜଣକ ଟିକିଏ ଉତ୍ତ୍ୟକ୍ତ ହୋଇ କହିଥିଲା।”ଆମେ କ’ଣ ସେତେବେଳେ ଦେଶର କଥା ଭାବୁଥିଲେ ଯେତେବେଳେ ଆମର ପିଲାଟିଏ ଜନ୍ମ ହୋଇଥିଲା ? ଆମର ପୁଅ ଜନ୍ମ ହୋଇଛି ତାହାର କାରଣ . ଛାଡ ସେ କଥା.. କାରଣ ତାହାକୁ ଜନ୍ମ ନେବାକୁ ପଡିବ ଆଉ ଯେତେବେଳେ ସେ ଜୀବନ ଧାରଣ କରେ ସେ ତାହା ସହିତ ଆମର ଜୀବନକୁ ବି ନିଜ ସାଥିରେ ନେଇଯାଇଥାଏ । ଏଇଟା ସତ୍ୟ। ଆମେ ସେମାନଙ୍କର ଅଧିକାର ରେ ରହିଥାଉ,ସେମାନେ ଆମର ଅଧିକାରରେ କେବେ ନଥାନ୍ତି । ଆଉ ଯେତେବେଳେ ସେମାନଙ୍କ ବୟସ କୋଡିଏ ପୂରି ଯିବ ସେମାନେ ଆମେ ଯେମିତି ସେଇ ବୟସରେ ଥିଲୁ ଠିକ୍ ସେଇମିତି ଦିଶିବେ । ଆମର ବି ଗୋଟିଏ ବାପା ଆଉ ଗୋଟିଏ ମାଆ ଥିଲେ,ହେଲେ ତାଛଡା ଆହୁରି ବି ଅନେକ କଥା ଥିଲା.. ଝିଅ,ସିଗାରେଟ୍,ବିଭ୍ରମ,ନୂଆ ନୂଆ ନେକଟାଇ..ଆଉ ଦେଶ,ଅବଶ୍ୟ,ଯାହାର ଡାକରାକୁ ଆମକୁ ଶୁଣିବାକୁ ପଡିଥିଲା-ଆମେ ଯେବେ କୋଡିଏ ବର୍ଷର ହୋଇଥିଲୁ- ଯଦିଓ ବାପା ଆଉ ମାଆ ସେତେବେଳେ ଖାଲି ନା ନା କହୁଥିଲେ। ଏବେ,ଆମର ବୟସରେ,
ଦେଶମାତୃକା ପାଇଁ ଆମର ପ୍ରେମ ବଡ ହୋଇ ରହିଛି,ଯଦିଓ,ମାତ୍ର ତାହାର ତୁଳନାରେ ପିଲାମାନଙ୍କ ପ୍ରତି ଆମର ପ୍ରେମ ଆହୁରି ଅଧିକ ଗଭୀର। ଆମ ଭିତରେ କ’ଣ ଏଇଲେ ଏପରି ଜଣେ କିଏ ରହିଛି ଯିଏ ଯଦି ସୁବିଧା ମିଳେ ତେବେ ନିଜର ପୁଅର ଜାଗାରେ ନିଜେ ଫ୍ରଣ୍ଟକୁ ଚାଲିଯିବ ?”
ଚାରିଆଡେ ନୀରବତା। ସଭିଏଁ ସମର୍ଥନରେ ନିଜର ମଥାକୁ ହଲାଉଥାନ୍ତି।
“ତାହେଲେ କାହିଁକି” ପୃଥୁଳକାୟ ବ୍ୟକ୍ତି ଜଣକ କହି ଚାଲେ,” ଆମର ପିଲାମାନଙ୍କର ବୟସ ଯେତେବେଳେ କୋଡିଏ ଆମର ଭାବଟି ସେମାନଙ୍କ ପ୍ରତି କେଉଁପରି ରହିଛି ସେଇକଥାକୁ ଚର୍ଚ୍ଚା କରି ବସିବା ? ଏହା କ’ଣ ସ୍ୱାଭାବିକ ନୁହଁ ଯେ ସେମାନଙ୍କର ବୟସରେ ସେମାନେ ଦେଶ ପ୍ରତି ସେମାନଙ୍କର ପ୍ରେମ କୁ ବିଚାରକୁ ନେବାବେଳେ ଆମମାନଙ୍କ ପ୍ରତି ଭଲପାଇବାର ତୁଳନାରେ ସେମାନଙ୍କର ଦେଶ ପାଇଁ ଭଲପାଇବା ଅଧିକ ବିଶାଳ ? ମୁଁ ଏଇଠି ଭଦ୍ର ପିଲାଙ୍କ କଥା କହୁଛି,ଅବଶ୍ୟ। ଏହା କ’ଣ ସ୍ୱାଭାବିକ ନୁହଁ ଯେ,ଏହା ସେପରି ହେବା କଥା ଆଉ ଏହାପରେ ସେମାନେ ଆମକୁ ବୁଢା ଲୋକ ଆଉ ଆମେ କେଉଁକାମର ନୁହଁ ଭଳି ଘର ଭିତରେ ବସିରହିବାର ଯୋଗ୍ୟ ବୋଲି ମନେ କରିବାର କଥା ? ଯଦି ଦେଶ ହେଉଛି ଗୋଟିଏ ସ୍ୱାଭାବିକ ଆବଶ୍ୟକତା,ପଟେ ରୁଟି ଭଳି ଯାହାକୁ ନଖାଇଲେ ଆମର କ୍ଷୁଧାରେ ମରଣ ହୋଇଯିବ,ଏହାକୁ ଜଣେ ତ କିଏ ପକ୍ଷରେ ସୁରକ୍ଷିତ କରି ରଖିବାକୁ ହେବ । ଏବଂ ଆମର ପିଲାଙ୍କୁ କୋଡିଏ ବର୍ଷ ହେଲେ ସେମାନଙ୍କୁ ପ୍ରଣ୍ଟକୁ ଯିବାକୁ ପଡିବ,ଆଉ ସେମାନେ ଏତିକି ବେଳେ ଲୁହ ଲୋଡନ୍ତି ନାହିଁ ,କାରଣ ଯଦି ସେଇଠି ସେମାନଙ୍କର ମରଣ ଘଟେ, ସେମାନଙ୍କର ମରଣ ଗୌରବାବହ ହେବ ଆଉ ସେମାନେ ସନ୍ତୋଷ ଲାଭ କରିବେ। ମୁଁ ଅବଶ୍ୟ ସେଇ ପିଲାମାନଙ୍କର କଥା କହୁଛି ଯେଉଁମାନେ ଶିଷ୍ଠ,ଭଦ୍ର। ଏବେ,ଯଦି ଜଣେ,କମ୍ ବୟସରେ ସନ୍ତୋଷର ସହ ମୃତ୍ୟୁବରଣ କରେ,ତାହାର ପାଖରେ ନଥାଏ ଜୀବନର କୌଣସି କଦାକାର ରୂପ,ଅବସାଦ,ତୁଚ୍ଛପଣ ,
ଭ୍ରମ ର ତିକ୍ତତା… ଆମେ ତାହେଲେ ତା’ ପାଇଁ ଆଉ ଅଧିକ କ’ଣ ଚାହିଁବା ? ଆମ ସମସ୍ତଙ୍କୁ ଏଇ କାନ୍ଦଣା ବନ୍ଦ କରିବାକୁ ହେବ,ଆମ ସମସ୍ତଙ୍କୁ ହସିବାକୁ ହେବ,ଏଇ ଯେମିତି ମୁଁ.. ଅଥବା ଈଶ୍ୱରଙ୍କୁ ଧନ୍ୟବାଦ ଦେବାକୁ ହେବ ..ଏଇ ଯେମିତି ମୁଁ.. କାରଣ ମୋ ପୁଅ,ଦେହ ଛାଡିବା ପୂର୍ବରୁ ,ମୋ ପାଖକୁ ଗୋଟିଏ ସନ୍ଦେଶ ପଠାଇଥିଲା ,ସେଥିରେ ସେ ଲେଖିଥିଲା ଯେ,ସେ ଜୀବନରେ ଯେମିତି କାମନା କରିଥିଲା ସେହି ଭଳି ଶ୍ରେଷ୍ଠତମ ମାର୍ଗରେ ସେ ପରମ ସନ୍ତୋଷର ସହିତ ଚିରବିଦାୟ ନେଉଛି। ସେଇଥିପାଇଁ ତ,ଆପଣମାନେ ଦେଖୁଛନ୍ତି,ମୁଁ କୌଣସି ଶୋକର ପୋଷାକ ପିନ୍ଧିନାହିଁ ..”।
ସେ ତାହାର ପିଙ୍ଗଳ ବର୍ଣ୍ଣର କୋଟ୍ ଟିକୁ ଏହାପରେ ଟିକିଏ ଝାଡି ଦେଇଥିଲା। ଦୁଇଟି ଯାକ ଛାମୁଦାନ୍ତର ଫାଙ୍କା ଜାଗାକୁ ଘୋଡାଇ ଆଣୁଥିବା ଓଠଟି ତାହାର ଥରଥର ହୋଇ କମ୍ପୁଥାଏ,ଆଖି ଛଳଛଳ,ଅପଲକ ,ତାହାପରେ ସେ ହଠାତ୍ ଅସ୍ୱାଭାବିକ ଭାବରେ ଖୁବ୍ ଜୋର୍ ରେ ହସି ଉଠିଥିଲା ।
“ଉଚିତ କଥା,ହଁ ସେମିତି ହେବ.. ” ସଭିଏଁ ଏକମତ ।

କୋଟ୍ ର ଭିତରେ ବୁଜୁଳିଟିଏ ଭଳି ବସିଥିବା ନାରୀ ଜଣକ ବସି ରହି ଏ ସବୁକୁ ଶୁଣୁଥାଏ। ଗଲା ତିନିମାସ ହେଲା ତାହାର ସ୍ୱାମୀ,ତାହାର ନିକଟ ପରିଜନ ସମସ୍ତେ ତାହାର ଗଭୀର ଦୁଃଖବେଳରେ ତାହାକୁ ସାନ୍ତ୍ୱନା ଦେବାପାଇଁ ଭାଷା ଖୋଜିବାରେ ଲାଗିଛନ୍ତି,ଏମିତି କିଛି ଯାହାଫଳରେ ମାଆ ଟିଏ ତାହାର ଏକୋଇର ବଳାକୁ ସହଜରେ ଛାଡିଦେଇ ପାରିବ, ମରଣକୁ ହୁଏତ ନୁହଁ,ଏକ ବିପଜ୍ଜନକ ଜୀବନକୁ । ଅନେକେ ଯାହା ଯାହା କହିଚାଲିଛନ୍ତି ସେଥିଭିତରୁ ଏମିତି କୌଣସି ଗୋଟିଏ ଶବ୍ଦ ସେ ପାଇ ନାହିଁ . ଆଉ ତାହାର ଶୋକ ଅଧିକ ରୁ ଅଧିକ ବଢି ଚାଲିଛି ଯେତେବେଳେ ସେ ଦେଖୁଛି,ତା’ର ମନେ ହୋଇଛି,ଯେ କେହି ଜଣେ ହେଲେ ବି ତାହାର ଅନୁଭବକୁ ବୁଝି ପାରୁନାହାଁନ୍ତି।
ହେଲେ ଏଇ ସହଯାତ୍ରୀଜଣକର କଥାରେ ସେ ଆଶ୍ଚର୍ଯ୍ୟ ହୋଇଗଲା,ଅଭିଭୂତ ହୋଇଗଲା। ହଠାତ୍ ତାହାର ମନେ ହୋଇଥିଲା ଯେ ଅନ୍ୟମାନଙ୍କର କିଛି ଭୁଲ୍ ନାହିଁ ଆଉ ସେମାନେ ତାହାକୁ ସଠିକ ବୁଝିପାରୁନାହାଁନ୍ତି ବୋଲି ସେ ଯାହା ମନେକରିଆସିଛି ତାହା ଭୁଲ୍, ସେହି ବାପାମାଆମାନଙ୍କର ଉଚ୍ଚତା ଯାଏଁ ସେ ପହଞ୍ଚି ପାରିନାହିଁ ,ଯେଉଁମାନେ ଆଖିରୁ ଟୋପାଏ ବୋଲି ଲୁହ ନଗଡାଇ ସେମାନଙ୍କର ପିଲାମାନଙ୍କୁ ବିଦାୟ ଦେଇଛନ୍ତି,ଏପରିକି ମରଣକୁ।
କୋଟ୍ ର ବୁଜୁଳି ଭିତରୁ ସେ ନିଜର ମଥାଟିକୁ ଟିକିଏ ଉପରକୁ କରେ। ଯେଉଁଠି ସେ ବସିଥିଲା ସେଇଠି ସେ ନିଜକୁ ଟିକିଏ ଆଗକୁ ଆଉଜାଇଆଣି ସେଇ ପୃଥୁଳକାୟ ଲୋକଟିର କଥାସବୁକୁ ଯେମିତି ପୁରାପୁରି ଶୁଣିହେବ ସେମିତି କାନଡେରି ଶୁଣୁଥିଲା। ସେଇ ଲୋକଟିର ପୁଅଟି ବୀରଗତିକୁ ପ୍ରାପ୍ତ ହୋଇଛି,ରାଜାଙ୍କ ପାଇଁ,ଦେଶର ପାଇଁ,ସନ୍ତୋଷରେ,ସେଥିପ୍ରତି ତାଙ୍କର କୌଣସି କ୍ଷୋଭ ନାହିଁ । ଏଇ ମାଆଟିର ମନେହେଲା ସେ ଆଗରୁ ଭାବି ନଥିବା ଏପରି ଏକ ପୃଥିବୀକୁ ଆସି ପହଞ୍ଚିଯାଇଛି ,ଏପରି ଏକ ପୃଥିବୀ ତାହାର ଆଗରୁ ଅଜଣା ଥିଲା,ଆଉ ସମସ୍ତେ ସେଇ ସାହସୀ ପିତାକୁ ଅଭିନନ୍ଦନ ଜଣାଉଥିବା କଥାକୁ ଦେଖି ତାହାକୁ ଭାରି ଖୁସି ଲାଗିଲା।,ସେଇ ପିତାଜଣକ ଯିଏ ନିହାତି ଅବିଚଳିତ ଭାବରେ ନିଜର ପୁଅର ମୃତ୍ୟୁକୁ ବଖାଣ କରି ପାରିଛି ଟିକିଏ ଆଗରୁ ।
ତାହାପରେ ହଠାତ୍, ଯାହା ସବୁ କୁହାଯାଇଛି ତାହାର ବିନ୍ଦୁ ମାତ୍ର ଯେମିତି ସେ ଶୁଣିନାହିଁ,ଯେମିତି ସେ ହଠାତ୍ ନିଦ ଭାଙ୍ଗିଯିବା ପରେ ଜାଗ୍ରତ ହୋଇ ପଡିଛି ,ଠିକ୍ ସେମିତି ସେ ସେହି ବୁଢା ଲୋକଟିର ପାଖକୁ ଯାଏ,ପଚାରି ବସେ :
“ସତରେ କ’ଣ ଆପଣଙ୍କର ପୁଅ ଆଉ ନାହିଁ ?”
ସମସ୍ତେ ତାହାକୁ ନିରେଖି ଦେଖୁଛନ୍ତି।ବୁଢା ଲୋକଟି ବି ନିଜର ଲୁହ ଛଳଛଳ ଆଖି ହଳକୁ ତାହାର ଉପରକୁ ନିବଦ୍ଧ କରେ। ଗାଢ ଭାବରେ ତାହାକୁ ଦେଖିବାକୁ ଲାଗେ । କିଛି ସମୟ ର ଅନ୍ତରାଳ ପରେ ସେ ବୁଢାଲୋକ ଜଣକ କିଛି କହିବା ପାଇଁ ଆଗଭର ହୁଏ,ହେଲେ ତାହାପାଇଁ ଶବ୍ଦ ସବୁ ସେତିକିବେଳେ ଜିଭ ଅଗରୁ ଉଭାନ୍। ସେ ସେଇ ମାଆଟିକୁ ଥରକୁ ଥର ଚାହିଁ ଦେଖୁଥାଏ,ଯେମିତିକି ଠିକ୍ ସେତିକିବେଳେ,ଏପରି ଏକ ନିର୍ବୋଧ ଆଉ ଅସମୀଚିନ ପ୍ରଶ୍ନରେ,ସେ ହଠାତ୍ ଅବଶେଷରେ ବୁଝିପାରିଛି ଯେ ତାହାର ପୁଅ ଆଉ ନାହିଁ ,ଚିରଦିନ ପାଇଁ ବିଦାୟ ନେଇଛି,ଚିରଦିନ ।ତାହାର ମୁହଁର ରେଖାମାନ କଠୋର ହୋଇଆସେ,ପୁରାପୁରି ଅଚିହ୍ନା ଦିଶେ,ତାହାପରେ ସେ ହଠାତ୍ ନିଜର ପକେଟ୍ ରୁ ତରତରରେ ବାହାରକରିଆଣେ ଖଣ୍ଡେ ରୁମାଲ୍ ,ଆଉ ସମସ୍ତଙ୍କୁ ଆଶ୍ଚର୍ଯ୍ୟକରି ଏକ ଦୀର୍ଘ,ଛାତିଥରା କାନ୍ଦଣାରେ ଭାଙ୍ଗିପଡେ ସେ,ତାହାକୁ କାହାର ବୁଝାଇପାରିବାର ସାମର୍ଥ୍ୟ ନାହିଁ ସେତିକି ବେଳେ।
°°°°

ଯୁଦ୍ଧ ସଂପର୍କୀତ ବିଶ୍ୱର କାହାଣୀମାଳାର ଅନ୍ୟତମ ଶ୍ରେଷ୍ଠ କାହାଣୀ ହେଉଛି ପ୍ରଖ୍ୟାତ ଇଟାଲୀୟ ଲେଖକ ଲୁଇଜି ପିରାନଦେଲୋ (୧୮୬୭-୧୯୩୬)ଙ୍କ କାହାଣୀ ଯୁଦ୍ଧ (war)।
ଏଇ କାହାଣୀ ସଂପର୍କରେ ଏତିକି କହିଲେ ଯଥେଷ୍ଟ ହେବ ଯେ ଆମର ଜୀବନର ପ୍ରେକ୍ଷାପଟରେ ଯେତେବେଳେ ଯୁକ୍ତି ଏବଂ ଯାତନା ମଧ୍ୟରେ ସଂଘାତ ଦେଖାଯାଏ ସେତେବେଳେ ଆମେ ଯୁକ୍ତିର ଅବଲମ୍ବନରେ ଏକ ନିଷ୍ପୃହ ବିଚାରକୁ ଆମ ଭିତରେ ବିକଶିତ କରିଥାଉ ଆଉ ତାହାରି ଆଳରେ ବଞ୍ଚିବାର ନ୍ୟାୟଟି ଖୋଜିଥାଉ।କିନ୍ତୁ ତାହା ଏକମାତ୍ର କଥା ନୁହଁ। ଯାତନାର ସମସ୍ତ କୋହ ଆମର ଅନ୍ତଃସ୍ଥଳକୁ ଚରିଯାଇଥାଏ ସେତିକିବେଳେ ଆଉ ସମୟ ପାଇଲେ ତାହା ଆମର ଯୁକ୍ତିକୁ ,ବିଚାରକୁ ପରାସ୍ତ କରି ଆମକୁ ସଂପୂର୍ଣ୍ଣ ଭାବରେ କବଳିତ କରିଦିଏ।
ଯୁଦ୍ଧର ବିଭୀଷିକା ମରଣରେ ଚିହ୍ନିତ ହୋଇଥାଏ।ସେଇ ମରଣ ସବୁ କହିବାକୁ ଗଲେ କାହାର ନା କାହାର ସଂପର୍କରେ ଅନୁବନ୍ଧିତ।
ଯୁଦ୍ଧରେ ପୁତ୍ରବିୟୋଗଠୁ ବଡ ଦାରୁଣ ଆଉ କିଛି ନାହିଁ।
ଏଇ କାହାଣୀଟି ଆମକୁ ନିଶ୍ଚୟ ବିଷର୍ଣ୍ଣ କରିଦେବ।
ଲୁଇଜି ପିରାନଦୋଲେ ସାହିତ୍ୟ ପାଈଁ ୧୯୩୪ ମସିହାରେ ନୋବେଲ ପୁରସ୍କାରର ପ୍ରାପକ। ହୁଏତ ଆମମାନଙ୍କ ଭିତରୁ ଅନେକ ତାଙ୍କର ଏଇ କାହାଣୀଟି ଯୋଗୁ ନୁହଁ ,ତାଙ୍କ ରଚିତ ଏକ ଅତ୍ୟନ୍ତ ଚର୍ଚ୍ଚିତ ନାଟକର କାରଣରୁ ତାଙ୍କୁ ଚିହ୍ନନ୍ତି।
ଲୁଇଜି ପିରାନଦେଲୋଙ୍କ ରଚିତ ସେଇ ଚର୍ଚ୍ଚିତ ନାଟକର ନାଆଁ ହେଉଛି “ଜଣେ ଲେଖକର ସଂଧାନରେ ଛଅଟି ଚରିତ୍ର (Six Characters in search of an Author)।