ଶେଷ ଦୃଶ୍ୟ (ଭାଗ – ୧୦)

।। ୧୦ ।।

‘ଆପ୍‌ନାର୍ ବାଡି କୁଥାଏ ଦାଦା ? କୋଲକାତାର ନୂତନ କି ?’

ବଙ୍ଗାଳୀ ଭଦ୍ରଲୋକ ଜାଣିବାକୁ ଚାହୁଁଥିଲେ ମନ୍ତ୍ରି ଦିନବନ୍ଧୁ ମହାନ୍ତିଙ୍କ ପରିଚୟ । ପାଇଜାମା ସାଙ୍ଗକୁ ଦେହରେ ଖଣ୍ଡେ ଖଦି କୁର୍ତା ପିନ୍ଧିଥିବା ଏ ମଧ୍ୟବୟସ୍କ ଲୋକଟି ଦିଶୁଛି ଜଣେ ଚିତ୍ରକର ପରି । ୟାଙ୍କ ସହିତ ଏଇ ଦୁଇଦିନର ସଂପର୍କ । ମର୍ଣ୍ଣିଂୱାକ୍ ବେଳେ ଦେଖା । ତା ପରେ ଚା ଖଟିରେ ପେପର ପଢା । ଆଉ ଏଣୁତେଣୁ କିଛି ସମୟର ଗୁଲିଗପ । ବାସ୍‌, ସଂପର୍କର ପରିସୀମା ଏତିକି । ଭଦ୍ରଲୋକ ଦେଶର ସବୁ ଘଟଣା ଉପରେ ନିଜର ମତ ରଖନ୍ତି । ଲଗାତର ଚା ପିଅନ୍ତି ଓ ଅଜଣା ଆତଙ୍କରେ ଭୟଭୀତ ଡାମରା କାଉଟିଏ ପରି ଘଂଟା ଘଂଟା ବକ୍ ବକ୍ ହୁଅନ୍ତି । ତାଙ୍କ କଥା ଭିତରେ ଗୋଟିଏ ବି ଇଂଲିଶ ଶବ୍ଦ ନଥାଏ ।

କିନ୍ତୁ ଦିନବନ୍ଧୁ ପ୍ରାୟ ଚୁପ୍ ରହୁଥିଲେ । ସେ ଜାଣିଥିଲେ ତାଙ୍କ ପାଇଁ ଚୁପ୍ ରହିବା ହିଁ ଉପକାର । କଲିକତାରେ ତାଙ୍କୁ ଚିହ୍ନିବାକୁ ଲୋକଙ୍କର ଅଭାବ ନାହିଁ । ଓଡିଶା ଖବର ଏଠାକାର ଖବରକାଗଜରେ ବି ଛୋଟ ହେଇକି ବାହାରେ ବେଳେବେଳେ । ବିଶେଷକରି ତାଙ୍କରି ଖବରଟି ।

ପନ୍ଦର ଦିନ ହେଲାଣି ସାଉଥ୍ କୋଲକାତା ଅଂଚଳର ‘ପାମେଲା ଗାର୍ଡେନ୍‌’ ହୋଟେଲ୍‌ରେ ଅଜ୍ଞାତ ବାସରେ ରହିଛନ୍ତି ଓଡିଶାର କ୍ୟାବିନେଟ୍ ମନ୍ତ୍ରୀ ଦିିନବନ୍ଧୁ ମହାନ୍ତି । ହୋଟେଲ୍‌ଟି ଖୁବ୍ ଛୋଟିଆ ହେଲେ ବି ସବୁପ୍ରକାର ବ୍ୟବସ୍ଥା ଅଛି । ଜଣାଶୁଣା ବଡ ହୋଟେଲ୍‌ରେ ରହିବାରେ ସମସ୍ୟା ଅଛି । ତାଙ୍କ ଉପରେ ସମସ୍ତଙ୍କ ନଜର ରହିବ । ତେଣୁ ଏମିତି ଗୋଟେ ଜାଗା ବାଛି ଦେଇଛନ୍ତି ଆଡ୍‌ଭୋକେଟ୍ ବନ୍ଧୁ ବ୍ରଜବନ୍ଧୁ ପଟ୍ଟନାୟକ ଓରଫ୍ ବରଜୁ । ମନ୍ତ୍ରୀ ଦିନବନ୍ଧୁ ମଝିରେ ମଝିରେ କୋଲକାତା ଆସିଲେ ଷ୍ଟାର୍ ହୋଟେଲ୍‌ରେ ରହି ଖୁବ୍ ଅଏସ୍ କରନ୍ତି । ବ୍ଲାକ୍ ୱାଇନ୍ ଦୁଇଚାରି ପେଗ୍ ପିଇ ବଙ୍ଗାଳି ସିନେମା ଦେଖନ୍ତି । ବେଳେବେଳେ କଲ୍‌ଗାର୍ଲଙ୍କୁ ବି ନିଜ ସେବା କରିବାର ମୌକା ଦିଅନ୍ତି । ଏସବୁ କଥା ସଫାସୁତରା କଂସା ବାସନକୁ ମାଜଣା ପରି । ଦିନବନ୍ଧୁଙ୍କ ମତରେ ମଝିରେ ମଝିରେ ଏମିତି ମାଜଣା ନହେଲେ ଯବାନୀ ଶୋଇ ପଡିବ । ତା ପରେ ସେ କ୍ୟାବିନେଟ୍ ମନ୍ତ୍ରୀ । ତାଙ୍କ ଟୁର୍‌ର ସବୁ ଖର୍ଚ୍ଚ ବହନ କରନ୍ତି ଓଡିଶା ସରକାର । କୋଉ ହାତରୁ ମାଲ୍ ଖସି ଯାଉଛି ! କୁମ୍ପାନୀକା ମାଲ୍ ଦରିୟା ମେଁ ଡାଲ୍ ।

ଏବେ କିନ୍ତୁ ସମୟ ଅଲଗା । ଏମିତି ଲୁଚି ଲୁଚି ବୁଲିବାରେ ଦିନବନ୍ଧୁଙ୍କୁ ଅଡୁଆ ଲାଗୁଛି । କିଛି କାମ ନାହିଁ । ଦିନରାତି ଟିଭି ଦେଖିବା କଥା ନହେଲେ ପେପର ପଢା । ମୋବାଇଲ୍ ନମ୍ବର ବି ବଦଳେଇ ଦେଇଛନ୍ତି । ନୂଆ କଲିକତି ନମ୍ବରଟି କେବଳ ତାଙ୍କର ଅତି ବିଶ୍ୱସ୍ଥ ରୋଷେୟା ପ୍ରେମସାଗର ପ୍ରଧାନଙ୍କୁ ଜଣା । ଯାହାକୁ ମନ୍ତ୍ରୀ ଅତି ଶ୍ରଦ୍ଧାରେ ଡାକନ୍ତି ପ୍ରେମ । ହଳୁଆ ବଳଦକୁ କୁଣ୍ଡାପାଣି ପରି, ସେ ହିଁ ମନ୍ତ୍ରୀଙ୍କ ଦେହର କସକୁ ବୁଝେ । ଝିଅ ହୋଉ କି ମାଇକିନା, ପାର୍ଟି ଯୋଗାଡ କରି ବେଳେବେଳେ ଶୋଇବା ଘରେ ହାଜର କରାଏ ।

ପ୍ରେମସାଗର ହିଁ ମଝିରେ ଖବର ଦେଇଥିଲା, ‘ବାବୁ ! ବିରୋଧୀ ଦଳ ବାଲାଏ ସାରା ରାଜ୍ୟରେ ଆନ୍ଦୋଳନ ଚଳାଇଛନ୍ତି । ଆପଣଙ୍କ ପାଳଭୁତରେ ଫଟୋ ଲଗେଇ ପୋଡୁଛନ୍ତି । ଟିଭିରେ ଦିଇନି ଆପଣଙ୍କ ଉପରେ ନିଉଜ୍ ଚାଲିଚି । ଖବର କାଗଜ ବାଲାଏ ଆପଣଙ୍କ ବିଷୟରେ ଗପ ଲେଖି ଛାପୁଛନ୍ତି । ଦୁଇଦିନ ତଳେ ବିରୋଧୀ ଦଳର ଏକ ପ୍ରତିନିଧି ଦଳ ବୋହୂ ମାଆଙ୍କୁ ଭେଟିଥିଲେ । ଏଥର ବୋହୂମାଆ କାଳେ ଆପଣଙ୍କ ବିରୋଧରେ ଠିଆ ହେବେ । ସେ ହେବେ ବିରୋଧୀ ଦଳର କ୍ୟାଣ୍ଡିଡେଟ୍ ।’

ପ୍ରେମସାଗରର କଥା ଶୁଣି ମନ୍ତ୍ରୀ ଦିନବନ୍ଧୁ ମହାନ୍ତିଙ୍କ ମୁଣ୍ଡ ଘୂରି ଯାଉଥିଲା । ୟେ ଶାଳୀ ମାଇକିନା ବେଧେଇ ଏତକ ନାଟ ଲଗେଇଦେଲା । ବାଦାମ ବିଲ ପରି କୋଡେଇ ଖୁସେଇ, ସାର ମୁଠେ ମୁଠେ ଛିଂଚି କେତେ ଆଦରରେ ସେ ନିଜ ପଲିଟିକାଲ୍ କ୍ୟାରିୟରଟା ବନେଇଥିଲେ, ଶାଳୀ ମାଇକିନା ଧଡାସ୍‌କିନା ଗୋରୁ ପୂରେଇ ଦେଲା !

‘ପାମେଲା ଗାର୍ଡେନ୍‌’ର ପାଂଚତାଲା ଉପରୁ ସାଉଥ୍ କୋଲକାତାର ଜନବସତି ଦିଶୁଥିଲା ଏକ ବ୍ୟସ୍ତ ବହୁଳ ପାର୍କ ପରି । ଚଢାତରା କୋଠାଘର, ଥାକ ଥାକ ଆପାର୍ଟମେଂଟ, ଛକିଶୂନ ପରି ଦଉଡି ଯାଇଥିବା ପିଚୁରାସ୍ତା । ଅନେକଥର କୋଲକାତା ଆସିବା ଭିତରେ ଏସବୁକୁ ଆଗରୁ ଏମିତି କେବେ ନିରିଖେଇ ଦେଖିନଥିଲେ ମନ୍ତ୍ରୀ ଦିନବନ୍ଧୁ ।

ଏଇ କୋଲକାତା ଦିନେ ତାଙ୍କ ବଂଶକୁ ଖୋରାକି ଯୋଗାଉଥିଲା । ଏଇଠି ଆସି ବାପା ତାଙ୍କର ମୋଟ ବୋହୁଥିଲେ । କିନ୍ତୁ ଗାଁରେ ଯାଇ କହୁଥିଲେ, ସେ ବଡ ଅଫିସ୍‌ରେ ଚାକିରି କରିଛନ୍ତି । ବାପା ମଲାବେଳେ ବି ଦିନବନ୍ଧୁ ତାଙ୍କ କାନ୍ଧରେ ମୋଟ ବୋହିବା ବେଳର ବିଣ୍ଡି ସବୁ ଲକ୍ଷ୍ୟ କରିଥିଲେ । ପିଲା ଥିଲାବେଳେ ସେ ବାପାଙ୍କ ସହ ଅନେକଥର ଏ ସହରକୁ ଆସିଥିଲେ । ଦୀର୍ଘବର୍ଷ ପରେ ଆଜି ବି ଆସିଛନ୍ତି । ଆଜି ତାଙ୍କର ଖୁବ୍ ମନେପଡୁଛି ସେ ସମୟର ସେ ଅଭାବୀ ସଂସାରର କଥା । ବସ୍ତି ଭିତରେ ଛୋଟିଆ ଗୋଟେ ଟିଣ ଆଜ୍‌ବେଷ୍ଟସ୍ ଛାଉଣା ବଖିରିକିଆ ଘର । ସେଇ ଘରେ ବାପାଙ୍କ ସହିତ ରହୁଥିଲେ ଆଉ ଦୁଇଜଣ ଲୋକ । ସେମାନଙ୍କ ମୁହଁ ଆଜି ବି ଦିଶି ଯାଉଛି ଦିନବନ୍ଧୁଙ୍କୁ । ଜଣେ ବାସୁଆ ଦାଦା ଓ ଆଉଜଣେ ସୁରଦାଦା । ଏମାନେ ବି ଓଡିଶାର କୋଉ କୋଉ ଜାଗାରୁ କୋଲକାତା ଆସିଥିଲେ ମୋଟ ବୋହିବାକୁ । ବାପାଙ୍କୁ ଏ ଦୁହେଁ ଖୁବ୍ ମାନୁଥିଲେ । ସକାଳୁ ଉଠିଲା ବେଳକୁ ଘର ଝାଡୁ କରି ରୋଷେଇ ସାରି ଦେଉଥିଲେ । ବେଳେବେଳେ ବାପାଙ୍କ ଖାଇବା ବାସନ ବି ଧୋଇ ଦେଉଥିଲେ । ଦିନବନ୍ଧୁଙ୍କର ଏବେବି ମନେଅଛି, ଏମାନେ ତାଙ୍କୁ କେତେ ଆଦର କରୁଥିଲେ ସତେ ! ନିଜ ପକେଟ୍‌ରୁ ପଇସା କାଢି ବେଲୁନ୍ କିଣିଦେଲା ବେଳେ ବାପା ଆକଟ କରିବାରୁ ଦିନେ ସୁରଦାଦା କାନ୍ଦି ପକାଇଥିଲେ । କହିଥିଲେ, ‘ଗୋଟିଏ ମାଆ ପେଟର ଭାଇ ନୁହେଁ ବୋଲି କ’ଣ ଛୋଟ ପିଲାଟିଏକୁ ଶ୍ରଦ୍ଧା କରିବା ମନା ?’

ଓଃ !! କୁଆଡେ ଗଲେ ଶ୍ରଦ୍ଧାର ପସରା ଧରି ବଂଚୁଥିବା ଏ ମଣିଷମାନେ ? ଜୀବନ ଯୁଦ୍ଧରେ ନିଜର ବିଜୟ ବାନା ଉଡେଇବାକୁ ଲଢେଇ କରିବା ଭିତରେ ଏମାନଙ୍କୁ କେବେଠୁ ଭୁଲି ସାରିଥିଲେ ଦିନବନ୍ଧୁ । ନିଜ ଅଜାଣତରେ ଦିନବନ୍ଧୁଙ୍କ ଆଖିକୁ ପାଣି ଆସି ଯାଇଥିଲା । ବହୁଦିନ ପରେ ସେ ଟିକେ କାନ୍ଦିଲେ । ଖୁବ୍ ହାଲୁକା ଲାଗୁଛି ତାଙ୍କ ମନ । ମଣିଷ ନିଜ ଅତୀତକୁ ସ୍ୱୀକାର କଲେ ଖୁବ୍ ଶାନ୍ତିରେ ରହେ । କିନ୍ତୁ ଦିନବନ୍ଧୁ କ’ଣ କରିଛନ୍ତି ? ଜୀବନ ସାରା ସେ ନିଜ ଅତୀତକୁ ଲୁଚେଇ ଆସିଛନ୍ତି ଅନ୍ୟ ଆଗରେ । ଗୋଟେ ଛଳନାପୂର୍ଣ୍ଣ ଓ ମିଛ ଦୁନିଆଁରେ ବଂଚିଛନ୍ତି ସେ ।

‘ଦାଦା ଆପ୍‌ନାର୍ ଫୋନ୍ ଆଛେ ।’

‘ଫୋନ୍ !!’ ହୋଟେଲ୍ ବୟର କଥାରେ ଚମିକି ପଡିଲେ ଦିନବନ୍ଧୁ । ଟେବୁଲ୍ ଉପରେ ଜଳଖିଆ ପ୍ଲେଟ୍‌ଟା ଥୋଇ ଦେଇ ଏବଂ ତାଙ୍କ ହାତକୁ କଡ୍‌ଲେସ୍ ଫୋନ୍‌ଟା ବଢେଇ ଦେଇ କବାଟ ବନ୍ଦ କରି ଚାଲି ଯାଇଥିଲା ପିଲାଟି । ସେ ଏଠି ଅଛନ୍ତି ବୋଲି କିଏ ଖବର ପାଇଲା ? ଦିନବନ୍ଧୁଙ୍କ ଛାତିରେ ଛନକା ପଶିଗଲା ।

‘ହ୍ୟାଲୋ । କିସ୍‌କୋ ଚାହିଏ ? ମିଁ ପ୍ରଣବ ରାଉତରାୟ ସ୍ପିକିଂ ।’

ଏଇ ନାଁରେ ହିଁ ଏଠି ପରିଚିତ ଥିଲେ ମନ୍ତ୍ରୀ ଦିନବନ୍ଧୁ ମହାନ୍ତି । ପ୍ରଣବ ରାଉତରାୟ ନାଁରେ ହୋଟେଲ୍ ରୁମ୍ ବୁକ୍ ହୋଇଛି । ବନ୍ଧୁ ବ୍ରଜବନ୍ଧୁ ତାଙ୍କ ପାଇଁ ଗୋଟେ ଫେକ୍ ପରିଚୟ ପତ୍ର ବି ତିଆରି କରି ଦେଇଛନ୍ତି । ସେଇଟିକୁ ତାଙ୍କ ପକେଟ୍‌ରେ ଗୁଂଜି ଦେଇ ସେ କହିଥିଲେ- ‘ବି କେୟାଫୁଲ୍ ଡିଅର୍ । ଆଜିଠୁ ତମେ ପ୍ରଣବ ରାଉତରାୟ । ଭୁଲ୍‌ରେ ବି କୋଉଠି ନିଜକୁ ମନ୍ତ୍ରୀ ଦିନବନ୍ଧୁ ମହାନ୍ତି ବୋଲି କହିବନି ।’

ନିଜର ନୂଆ ପରିଚୟ ପାଇଁ ଦିନବନ୍ଧୁ ଆଦୌ ଖୁସି ନଥିଲେ, ବରଂ ଆତଙ୍କିତ ଦିଶୁଥିଲେ । ଜୀବନ ବିଦ୍ୟାଳୟରେ ଏବେ ସେ ଆଉଗୋଟିଏ ମଣିଷ । କ୍ଲାସ୍ ଟିଚର ‘ଦିନବନ୍ଧୁ ମହାନ୍ତି’ ବୋଲି କଲ୍ କଲେ ସେ ଆଉ ହାତ ଟେକି ‘ପ୍ରେଜେଂଟ୍ ସାର୍‌’ ବୋଲି କହିବେନି । ପ୍ରଣବ ରାଉତରାୟ କହିଲେ ତାଙ୍କୁ ଉପସ୍ଥାନ ପକେଇବାକୁ ପଡିବ ।

‘ହ୍ୟାଲୋ ! ହୁ ସ୍ପିକିଂ ?’

ଦିନବନ୍ଧୁ ଆହୁରି ବଡ ପାଟିରେ କଥାବାର୍ତା ହେବାକୁ ଚାହୁଁଥିଲେ, ଫୋନ୍ ସେପଟରେ ଥିବା ଅଜଣା ଲୋକଟି ସହ । କିନ୍ତୁ ଫୋନ୍ ବୋଧେ କଟି ଯାଇଥିଲା । ଅଗତ୍ୟା ସେ ଜଳଖିଆ ଖାଇ ଚା ପିଇଲେ ଓ ପେପର ପଢୁ ପଢୁ ତାଙ୍କର ତାଙ୍କ ସ୍ତ୍ରୀ ଓ ପୁଅ କଥା ମନେପଡିଲା । ସେମାନେ ସବୁ ଏବେ କେଉଁଠି ? ସେମାନେ ବି ଲୁଚି ଯାଇଛନ୍ତି ପୋଲିସ୍ ଡରରେ । କିଏ କାହା ମାଧ୍ୟମରେ କୋଉଠି ଲୁଚିଛନ୍ତି, ତା’ର ମଧ୍ୟ ହିସାବ ରଖିପାରି ନାହାଁନ୍ତି ଦିନବନ୍ଧୁ । ଜୀବନ ସାରା ଏ ସବୁ କାମ ସେ ନିଜେ କେବେ କରିନାହାଁନ୍ତି । ଘରେ ଚାକର ପିଅନ ଓ କିରାଣୀ ହିଁ ଅତି ଶ୍ରଦ୍ଧାରେ ଏସବୁ କାମ କରନ୍ତି । ପତ୍ନୀ ସୁନ୍ଦରମଣି ଅର୍ଡର କରି ସବୁ ଆଣି ହାତ ପାଆନ୍ତାରେ ଥୋଇ ଦିଅନ୍ତି । ଖୁବ୍ କରିତ୍‌କର୍ମା ମାଇକିନାଟିଏ । କିଏ ଉଡିଗଲା ଚଢେଇର ପର ଗଣିଦିଏ, ସୁନ୍ଦରମଣି କିନ୍ତୁ ପକ୍ଷୀ ଉଡିଲା ଆଗରୁ ସେମାନଙ୍କ ହିସାବ ରଖିଥାନ୍ତି । ସେ ଖୁବ୍ ଲାଗିଥିଲା ପୁଅଟାକୁ ଏମେଲେ କରିବ ବୋଲି । କ’ଣ ସବୁ ପୂଜାପାଠରେ ଲାଗିଥିଲା ଦିନରାତି । କିନ୍ତୁ ସବୁ ଫୁସ୍‌କି ଗଲା । ଯିବନି ? ଅନ୍ୟାୟ କଲା । ଦୁର୍ଗା ମୂର୍ତି ପରି ବୋହୂଟାକୁ ପୂଜା ପାଠ କରି କିମିଆ କରିଦେଲା । ଫଳ ପାଇଲାଃ । ଦୁର୍ଗାଙ୍କୁ ଆଇତି କରିବୁ ତୁଃ ଛାରଃ ମାଇକିନାଟାଃ ! ସେ ଶଳାଃ ଯକ୍ଷବାବା ତା ମୁଣ୍ଡ ଖରାପ କରିଥିଲା । ଶଳାଃ ଭଣ୍ଡ କୋଉଠିକାର । ସବୁ ଫୁସ୍ ହେଇଗଲା ନା ?

ଖାଂଟି ଆଉଟା ସୁନାରେ ତିଆରି ତାଙ୍କ ପୁଅଟାକୁ ସେଇ ସୁନ୍ଦରମଣି ହିଁ ନଷ୍ଟ କରିଦେଲେ । ଏବେ କୋଉଠି ଲୁଚିଥିବ ସେ ? ଆହାଃ ବିଚରାଃ ! ନିଜ ଟେନ୍‌ସନ୍ ଭିତରେ ଆଉ ପୁଅର ଖବର ରଖିପାରି ନାହାଁନ୍ତି ଦିନବନ୍ଧୁ । ସୁନ୍ଦରମଣି ବୋଧେ ବାପା ଘରକୁ ପଳେଇଥିବ । ସେଠି କ’ଣ ପୋଲିସ୍ ତାକୁ ଛାଡିବ ? ମଲାଃ ସେଟା । ମରୁଃ । ତାକୁ ପୋଲିସ୍ ବାନ୍ଧୁ । ଏତକ କୁକର୍ମ ତ ସେ ହିଁ କରିଛି । ସବୁବେଳେ କୃତକର୍ମର ଫଳ କେବଳ କର୍ମ କରିଥିବା ଲୋକଟି ପାଏନି । ତା ବନ୍ଧୁ ପରିଜନ ବି ପାଆନ୍ତି । ଯେମିତି ପାଉଛନ୍ତି ସେ ନିଜେ ଓ ପୁଅ ରାଜା ମହାନ୍ତି । ପତ୍ନୀ ସୁନ୍ଦରମଣିଙ୍କ କୁକର୍ମକୁ ସେ ତ ଦିନେହେଲେ ଆକଟ କରିନାହାଁନ୍ତି ? ଶାସ୍ତ୍ର କହୁଛି, ଦୁର୍ଜନ ସଙ୍ଗେ କଲେ ବାସ ନିଶ୍ଚେ ଘଟିବ ସର୍ବନାଶ । ଏବେ ଆଉ କ’ଣ ଘଟୁଛି କି ?

ଫୋନ୍‌ଟା କିଏ କରିଥିଲା ? ସୁନ୍ଦରମଣିି କି ? ପୁଅ କି ? ସେମାନେ ତ ମୋବାଇଲ୍‌କୁ କଲ୍ କରିପାରିଥାନ୍ତେ । କିଏ ତେବେ ? ନମ୍ବରଟା ଓଡିଶାରୁ ହିଁ ଆସିଥିଲା ପରି ଲାଗୁଥିଲା । ପୋଲିସ୍ କି ?

ଦିନବନ୍ଧୁଙ୍କର ପିଳେହି ପାଣି ହେଇଗଲା । ପୋଲିସ୍‌ର ଶହେଟା ଆଖି, ଦେଢଶହ କାନ । କିନ୍ତୁ ପୋଲିସ୍ ସାହସ କରିବନି ତାଙ୍କୁ ଆରେଷ୍ଟ କରିବାକୁ । ସେ କ୍ୟାବିନେଟ୍ ମନ୍ତ୍ରୀ ।

ଏଇ ସମୟରେ ମୋବାଇଲ୍ ରିଂ ହେଲା । ଚମକି ପଡିଲେ ଦିନବନ୍ଧୁ । କିନ୍ତୁ ମୋବାଇଲ୍ ଉଠେଇ ଦେଖିଲା ପରେ ଆଶ୍ୱସ୍ତ ହେଲେ । ପ୍ରେମସାଗର କଲ୍ କରିଛି ।

‘ଆରେଃ କ’ଣ ଖବର ?’

‘ବାବୁ ଆପଣଙ୍କ ମନ୍ତ୍ରିପଦ ଚାଲିଗଲା । ମୁଖ୍ୟମନ୍ତ୍ରୀ ଆପଣଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିଛନ୍ତି । ଆଜି ସବୁ ଖବରକାଗଜରେ ନିଉଜ୍ ବାହାରିଛି । ଟିଭିରେ ବ୍ରେକିଂ ନିଉଜ୍ ଚାଲିଛି । ବିରୋଧୀଙ୍କ ଚାପରେ ସରକାର ଆଉ ସମ୍ଭାଳି ପାରିଲେନି ବୋଲି ଖବରକାଗଜରେ ଲେଖାଯାଇଛି । ଗୋଟେ କାଗଜ ଲେଖିଛି, ଆପଣଙ୍କୁ ଦଳରୁ ମଧ୍ୟ ବାହାର କରିଦେବାକୁ ମସୁଧା ଚାଲିଛି । ଯୌତୁକ ନିଆଁରେ ସବୁ ପୋଡିଗଲା ସାର୍ ।’

ଫୋନ୍ ସେପଟରୁ ପ୍ରେମସାଗରର କଣ୍ଠ ବଡ ଦାରୁଣ ଶୁଭୁଥିଲା । ପାଣିରେ ବୁଡି ଯାଉଥିବା ଲୋକକୁ, ଆଡିରେ ଠିଆ ହୋଇ ଦେଖୁଥିବା ଲୋକର ଚିତ୍କାର ପରି ଥିଲା ତା ସ୍ୱର । ପ୍ରେମସାଗରର କଣ୍ଠଟା ତ ଏମିତି ନଥିଲା ! ନା ଦିନବନ୍ଧୁଙ୍କୁ ଏମିତି ଶୁଭୁଛି ! ତାଙ୍କୁ ଲାଗିଲା ତାଙ୍କ ଜୀବନ ଗଛର ଗୋଟିଏ ଡାଳ ରଟ୍ କରି ଭାଙ୍ଗିଗଲା ।

ପ୍ରେମସାଗର ତା କଥା ସାରିନଥିଲା ।

‘ଆପଣଙ୍କୁ ଧରିବାକୁ ପୋଲିସ୍ ଗୋଟେ ଟିମ୍ କରିଛି । ସେ ଟିମ୍ ଆଜି ସକାଳୁ ସାନବାବୁଙ୍କୁ ପୁରୀରୁ ଗିରଫ କରିଛି । ପୁଲିସ୍ ତାଙ୍କୁ କାଳେ ଚଡି ପିନ୍ଧେଇ ହାତକଡା ପକେଇ ବଡଦାଣ୍ଡରେ ଚଲେଇ ଚଲେଇ ଆଣିଲା । ଗୋଟେ ଖବର କାଗଜରେ ତାଙ୍କ ଫଟୋ ବାହାରିଛି । ଆପଣ କଲିକତା ଛାଡିକି ଆସାମ୍ ଫାସାମ୍ ପଳାନ୍ତୁ ସାର୍ । ନହେଲେ ସ୍ୟାଡେ ସ୍ୟାଡେ ଚାଇନା ପଳାନ୍ତୁ । ପୋଲିସ୍ ଆପଣଙ୍କୁ ବି ଧରିନେବ ସାର୍ । ୟାଙ୍କର ହଜାରେ ଆଖି, ଦେଢହଜାର କାନ ।’

ଦିନବନ୍ଧୁଙ୍କ ଆଖିରେ ଲୁହ ଜକେଇ ଆସିଥିଲା । ପୁଅର ଚେହେରା ତାଙ୍କ ଆଖି ଆଗରେ ନାଚି ଯାଉଥିଲା । ସେ ଦେଖିପାରୁଥିଲେ ଏକ ବିଶାଳ ଦୁର୍ଗ କେମିତି ଧୀରେ ଧୀରେ ଧସି ପଡୁଛି । ନିଜ ହାତ ତିଆରି ଘରଟି ଏମିତି ଭାଙ୍ଗି ପଡୁଥିବା ଦେଖିଲେ ଭାରି କଷ୍ଟ ଲାଗେ । ମନ୍ତ୍ରୀ ଦିନବନ୍ଧୁ ମହାନ୍ତି ଏବେ ଖାଲି ଦିନବନ୍ଧୁ । ଜଣେ ସାଧାରଣ ଲୋକ । ଯେମିତି ଓଡିଶାର ଚାରିକୋଟି ସାଧାରଣ ଲୋକ ସେମିତି । ତାଙ୍କ ଗାଡିରେ ନାଲିବତୀ ନାହିଁ । ସେ ଜଣେ ଦାଗି । ବୁଦାମୁଳେ କୁକୁର ସାପକୁ ଖୋଜିବା ପରି ପୋଲିସ ତାଙ୍କୁ ଖୋଜୁଛି । ଦିନବନ୍ଧୁ ଭାବିଲେ ଏଣିକି ସେ ଭଲ ଲୋକ ହେଇଯିବେ । ଓଡିଶା ଫେରିଯାଇ ବୋହୂ ମାଆକୁ ନିଜ କୃତକର୍ମ ପାଇଁ ଭୁଲ୍ ମାଗିବେ । କହିବେ, ଏଣିକି ମୋ ଟିକଟରେ ତୁ ପ୍ରାର୍ଥୀ ହେଇକି ଇଲେକ୍ସନ୍ ଲଢ ମାଆ । ମୋ ବଦଳରେ ତୁ ମନ୍ତ୍ରୀ ହୋ । ଏସବୁ ପ୍ରତି ମୋର ବୈରାଗ୍ୟ ଆସିଯାଇଛି ।

କିନ୍ତୁ ସୁନା କଂକଣ ଧରି ବାଟୋଇଙ୍କୁ ଡାକୁଥିବା ବୁଢା ବାଘକୁ କ’ଣ କେହି ସହଜରେ ବିଶ୍ୱାସ କରିବେ ? ସେ ଏବେ ଦାନ୍ତ ଓ ନଖ ନଥିବା ବୃଦ୍ଧ ବାଘଟିଏ । ଖାଲି ଦେହଟି ଯା ଅଛି । ବଳ ନାହିଁ ସୌର୍ଯ୍ୟ ନାହିଁ । ଦିନବନ୍ଧୁ ମହାନ୍ତି ମୁର୍ଦ୍ଦାବାଦ । ହାଏ ହାଏ ।

ଖୁବ୍ ବିବ୍ରତ ହୋଇପଡୁଥିଲେ ଦିନବନ୍ଧୁ । ମନଟା ହାଲୁକା କରିବାକୁ ଦିନବନ୍ଧୁ ଭାବିଲେ ଟିକିଏ ପଦାକୁ ଚାଲିଯିବେ । ଆଜି ସେ କଲ୍‌ଗାର୍ଲଟିକୁ ରୁମ୍‌କୁ ଡାକି ଟିକିଏ ମଉଜ କରିବେ । ହୋଟେଲ୍ ପିଲା ହାତରେ କାଲିଠୁ ଗୋଟେ ୱାଇନ୍ ବୋତଲ ମଗେଇଥିଲେ । ଟେନ୍‌ସନ୍ ଭିତରେ ସେଟାକୁ ପିଇବାକୁ ଭୁଲି ଯାଇଥିଲେ । କଲିକତି ଚଣା ଚାଖଣା ଦେଇ ଆଜି ତାକୁ ସାରିଦେବେ ।

କିଏ ଜଣେ କହିଥିଲେ, ଦୁଃଖ ଆସିଲେ ଜୀବନକୁ ଅଧିକ ଅଧିକ ଉପଭୋଗ କର । ଯଦି ସେ ଧର୍ଷଣ କରୁଛନ୍ତି ଓ ଜାଣିଛନ୍ତି ଏଥିପାଇଁ ଦଣ୍ଡ ପାଇବେ, ତେବେ ତରତର କାହିଁକି ହେବେ ? ଧର୍ଷଣକୁ ଉପଭୋଗ କରାଯାଉ । ଆହାଃ ! କି ବାସ୍ତବଧର୍ମୀ ଟିପ୍‌ସ କହିଲେ ! ଗୁଡ୍ ।